ହିନ୍ଦୁମାନେ ଆମିଷପ୍ରିୟ!

News Story - Posted on 2017-04-27

ସୂର୍ଯ୍ୟମଣି ମିଶ୍ର

 

ବିଶ୍ୱର ସର୍ବପୂରାତନ ଗଣତାନ୍ତ୍ରିକ ଦେଶ ଆମେରିକାରେ ୧୬ ପ୍ରତିଶତ ଲୋକ କୌଣସି ଧର୍ମରେ ବିଶ୍ୱାସ କରନ୍ତି ନାହିଁ। ବ୍ରିଟେନ‍୍‌ର ୨୬ ପ୍ରତିଶତ ଲୋକ ମଧ୍ୟ କୌଣସି ଧର୍ମକୁ ମାନନ୍ତି ନାହିଁ। କିନ୍ତୁ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତରେ ହିନ୍ଦୁ ରାଷ୍ଟ୍ର ନିର୍ମାଣ ପାଇଁ ଶାସନ କ୍ଷମତାରେ ଥିବା ଦଳର ନେତାମାନେ ଦାବି କରୁଛନ୍ତି ଯେ ସମସ୍ତେ ଅର୍ଥାତ୍ ଭାରତରେ ବସବାସ କରୁଥିବା ସବୁ ସଂପ୍ରଦାୟ ଓ ମତବାଦର ଲୋକମାନେ ଏକ ସ୍ୱରରେ ହିନ୍ଦୁ ରାଷ୍ଟ୍ର ନିର୍ମାଣ ପାଇଁ ଆଗେଇ ଆସିବା ଦରକାର। କେହି ଏଠି ଧର୍ମକୁ ନମାନିବା ଲୋକ ରହିପାରିବେ ନାହିଁ। ଏଭଳି ଏକ ପରିବେଶ ସପକ୍ଷରେ ହିନ୍ଦୁତ୍ୱବାଦୀ ନେତାମାନେ ଯୁକ୍ତି ଉପସ୍ଥାପନ କରୁଛନ୍ତି।

 

ଭାରତରେ ୧୫ କୋଟି ମୁସଲମାନ, ୨୦ କୋଟି ଦଳିତ, ଚାଷ କ୍ଷେତ ଉପରେ ନିର୍ଭର କରୁଥିବା ୭୦ କୋଟି କୃଷକ ଓ କୃଷି ଶ୍ରମିକ ଶ୍ରମକୁ ନିଜର ଧର୍ମ ବୋଲି ଗ୍ରହଣ କରିଥାନ୍ତି। ଦେଶର ହାରାହାରି ୧୦୫ କୋଟି ଲୋକଙ୍କର ଧର୍ମ ଓ ସଂପ୍ରଦାୟକୁ ନେଇ ସଦ‍୍‌ଭାବ ରହିଛି। କିନ୍ତୁ ଧାର୍ମିକ ଉନ୍ମାଦ ସୃଷ୍ଟିକାରୀ ଶକ୍ତି ଏହି ମୁସ‍୍‌ଲିମ‍୍‌, ଦଳିତ, ଗରିବୀ, କୃଷକ ଓ ଶ୍ରମିକଙ୍କ ମଧ୍ୟରେ ଧାର୍ମିକ ମତାନ୍ଧତାକୁ ଖାଦ୍ୟ, ବସ୍ତ୍ର, ଏବଂ ଜୀବନଯାପନ ପଦ୍ଧତି ମଧ୍ୟଦେଇ ଲଦିଦେବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଏବେ ବେଶ‍୍‌ କ୍ରିୟାଶୀଳ।

 

ଏକ ତଥ୍ୟ ଅନୁଯାୟୀ ବିଶ୍ୱରେ ୭ ଅରବ ଜନସଂଖ୍ୟା ମଧ୍ୟରୁ ୧.୧ ଅର୍ବୁଦ (୧୧୦ କୋଟି) ଲୋକ କୌଣସି ଧର୍ମକୁ ବିଶ୍ୱାସ କରନ୍ତି ନାହିଁ। ଅର୍ଥାତ୍ ଏହି ସଂଖ୍ୟକ ଲୋକ ବିଶ୍ୱରେ ନାସ୍ତିକ। ଏହା ମୋଟ ଜନସଂଖ୍ୟାର ୧୫.୩୫ ପ୍ରତିଶତ। ବିଶ୍ୱରେ ସର୍ବାଧିକ ୨.୨ ଅରବ ହେଉଛନ୍ତି ଖ୍ରୀଷ୍ଟିଆନ‍୍‌। ୧.୬ ଅରବ ହେଉଛନ୍ତି ଇସ‍୍‌ଲାମିକ୍। ୧ ଅରବ ହେଉଛନ୍ତି ହିନ୍ଦୁ। ଏହା ବିଶ୍ୱ ଜନସଂଖ୍ୟାର ୧୩.୯୫ ପ୍ରତିଶତ। ବିଶ୍ୱରେ ୩୬.୬ କୋଟି ଲୋକ ବୌଦ୍ଧାବଲମ୍ୱୀ। ଶିଖ୍ ହେଉଛନ୍ତି ୨.୩ କୋଟି। ଜୈନ ୪୨ ଲକ୍ଷ। ଚୀନର ପାରମ୍ପରିକ ଧର୍ମର ୩୯.୪ କୋଟି, ଜାପାନର ସେଣ୍ଟୋ ଧର୍ମର ଲୋକ ୪୦ ଲକ୍ଷ ଲୋକ ଅଛନ୍ତି। ବିଶ୍ୱର କୌଣସି ଦେଶ ଧର୍ମ ନାମରେ ରାଷ୍ଟ୍ର ନିର୍ମାଣ ହୋଇନାହିଁ। ଅଥଚ ଭାରତରେ ଏବେ ହିନ୍ଦୁ ରାଷ୍ଟ୍ର ନିର୍ମାଣ ପାଇଁ ସ୍ୱର ସମ୍ୱଳିତ ଅଭିଯାନ ଆରମ୍ଭ ହୋଇଛି। ଏକଦା ଭାରତର ପଡ଼ୋଶୀ ଦେଶ ନେପାଳ ଥିଲା ହିନ୍ଦୁ ରାଷ୍ଟ୍ର। ଏହି ଦେଶରେ ୮୦ ପ୍ରତିଶତ ଲୋକ ହିନ୍ଦୁ ଅଛନ୍ତି। କିନ୍ତୁ ଏହି ଦେଶ ଏବେ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଘୋଷଣା କରିଛି। ସମ୍ୱିଧାନ ପରିବର୍ତ୍ତନ ହୋଇଛି, ୮୦ ପ୍ରତିଶତ ହିନ୍ଦୁ ରାଜତନ୍ତ୍ରର ପତନ ସହ ହିନ୍ଦୁ ରାଷ୍ଟ୍ର ପରିବର୍ତ୍ତେ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ଘୋଷଣା କରିବା ସପକ୍ଷରେ ମତ ଦେଇଛନ୍ତି।

 

ନେପାଳ ଜନସଂଖ୍ୟାର ୮୦ ପ୍ରତିଶତ ଲୋକ ହିନ୍ଦୁ ହୋଇଥିଲେ ହେଁ ଏହି ସଂଖ୍ୟକ ଜନତା ପୁଣିଥରେ ଦେଶକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଆଉ ମତ ଦେଇନାହାନ୍ତି। କିନ୍ତୁ ଭାରତ ମୂଳତଃ ଏକ ବିବିଧତାର ଦେଶ ତଥା ଧର୍ମନିରପେକ୍ଷ ଦେଶ ଭାବେ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ବହନ କରିଥିବା ବେଳେ ଭାରତର ଏହି ଐତିହ୍ୟ ସମ୍ୱଳିତ ଗାରିମାକୁ  ଭାଙ୍ଗିଦେବା ପାଇଁ ଉଦ୍ୟମ ହୋଇଛି, ଯାହାକୁ ଭାରତର ଉଦାରବାଦୀ ହିନ୍ଦୁମାନେ ଗ୍ରହଣ କରିପାରିନାହାନ୍ତି।

 

ହିନ୍ଦୁତ୍ୱର ବିଶେଷତ୍ୱ ହେଉଛି, ହିନ୍ଦୁମାନେ ପ୍ରାତଃକାଳରେ ‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିଦ‍୍‌ ଦୁଃଖଭାଗ ଭବେତ’ର ପ୍ରାର୍ଥନା ମାଧ୍ୟମରେ ସମଗ୍ର ଜଗତବାସୀଙ୍କର ଶୁଭ ମନାସିଥାନ୍ତି। ‘ବସୁଧୈବ କୁଟୁମ୍ୱକମ‍୍‌’ର ଆଦର୍ଶର ପ୍ରତୀକ ହେଉଛନ୍ତି ହିନ୍ଦୁ। ହିନ୍ଦୁତ୍ୱ ପାଖରେ ସଂକୀର୍ଣ୍ଣତା ନଥାଏ। କିନ୍ତୁ ଆଜିର ହିନ୍ଦୁତ୍ୱବାଦୀ ଏହି ଆଦର୍ଶକୁ ଦଳିମକଚି ଦେଇ ହିନ୍ଦୁତ୍ୱର ମହାନ ଐତିହ୍ୟକୁ କଳଙ୍କିତ କରୁନାହାନ୍ତି କି? ହିନ୍ଦୁ ଅର୍ଥାତ୍ ହିଂସାଠାରୁ ଦୂରରେ। ଆଜିର ହିନ୍ଦୁତ୍ୱବାଦୀ ହିଂସାଯୁକ୍ତ ହୋଇଯାଉଛନ୍ତି। ଫଳରେ ଦେଶର ସମ୍ୱିଧାନ ପ୍ରଦତ୍ତ ଗଣତାନ୍ତ୍ରିକ ଅଧିକାର, ଯାହା ନାଗରିକଙ୍କର ମୌଳିକ ଅଧିକାର (ଖାଦ୍ୟ, ବସ୍ତ୍ର) ବ୍ୟକ୍ତିଗତ ରୁଚିର ଅଧିକାର ଉପରେ ଆକ୍ରମଣ କରାଯାଉଛି। ଅଭିବ୍ୟକ୍ତର ସ୍ୱାଧୀନତାକୁ ହନନ କରାଯାଉଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଗୋ’ରକ୍ଷା ନାମରେ ହିନ୍ଦୁତ୍ୱବାଦୀଙ୍କ ଅତ୍ୟାଚାର, ହିନ୍ଦୁ ଆଦର୍ଶର ପରିପନ୍ଥୀ ନିଶ୍ଚୟ। କ୍ଷମତାରେ ଥିବା ଦଳର ନେତା ଏହି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରି ଦେଶର ବିବିଧତାର ସଂସ୍କୃତିକୁ ଭାଙ୍ଗିବାକୁ ଅପଚେଷ୍ଟା ଆରମ୍ଭ କରିଛନ୍ତି।

 

ଗୋଟିଏ କଥା ଉଲ୍ଲେଖ କରିବା ଉଚିତ ହେବ ଯେ, ଭାରତୀୟ ଜନସଂଘର ଏକ ଅଧିବେଶନରେ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ଯେତେବେଳେ ପ୍ରସ୍ତାବ ଆଗତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା, ସେହି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ଗୁରୁ ଗୋଲ‍୍‌ୱାଲ‍୍‌କାର ଏହାକୁ ଗ୍ରହଣ କରିନଥିଲେ। ସେ କହିଥିଲେ ଜନସଂଘ ରାଜନୈତିକ ଦଳର ସମ୍ୱିଧାନ ଆଧାରରେ କାମ କରିବା ଦରକାର। ଜନସଂଘ ଏକାତ୍ମ ମାନବବାଦକୁ ଗ୍ରହଣ କରିଥିଲା। ପରେ ସଂଘ ସହ ଜଡ଼ିତ ଦନ୍ତୋପନ୍ତ ଠେଙ୍ଗଡ଼େ ହିନ୍ଦୁତ୍ୱ ଧର୍ମ ନୁହେଁ, ଏକ ଜୀବନ ପଦ୍ଧତି ବୋଲି ଗ୍ରହଣ କରିବାକୁ ମତ ଦେଇଥିଲେ। ଠେଙ୍ଗଡେ଼ ଥିଲେ ଜଣେ ପରିଚିତ ଶ୍ରମିକ ନେତା।

 

ଉଲ୍ଲେଖଯୋଗ୍ୟ ଯେ ୫୦ ଦଶକରେ ହିନ୍ଦୁ ରାଜାମାନେ ଗୁରୁ ଗୋଲ‍୍‌ୱାଲ‍୍‌କରଙ୍କୁ ସିକ୍ୟୁଲାରର ମାନ୍ୟତା ଦେଇଥିଲେ। ସମ୍ରାଟ ଅଶୋକ ହିନ୍ଦୁ ରାଜା ନଥିଲେ। କିନ୍ତୁ ତାଙ୍କୁ ହିନ୍ଦୁ ରାଜାର ମାନ୍ୟତା ଦିଆଯାଇଥିଲା। ଗୌରବଶାଳୀ ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ଦୀର୍ଘ ୫ ଦଶନ୍ଧି ପରେ ଅର୍ଥାତ୍ ଏକବିଂଶ ଶତାବ୍ଦୀରେ ଆରମ୍ଭ ହୋଇଛି। ଯେଉଁ ସମୟରେ ଭାରତ ବିଶ୍ୱରେ ବୃହତ୍ ବଜାର ଓ ଉପଭୋକ୍ତା ଦୌଡ଼ରେ ଦୌଡ଼ି ଜଗତିକରଣକୁ ଆପଣେଇଛି। ଏବେ ବିଶ୍ୱର ସମସ୍ତ ଦେଶରେ ଭାରତର ବୃତ୍ତିକୁ ନେଇ ବେଶ‍୍‌ ଚର୍ଚ୍ଚା। ଶିକ୍ଷାଠାରୁ ସ୍ୱାସ୍ଥ୍ୟ ସେବା, ପିଇବା ପାଣିଠାରୁ ଭୋକର ଭାରତର ସତ୍ୟତାକୁ ନେଇ ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରିଛି। ଏହି ବୈଷମ୍ୟର ଚିତ୍ର ଭାରତରେ ଉତ୍କଟ ସ୍ଥିତିରେ ଥିବାବେଳେ ଭାରତରେ କ୍ଷମତା ହାସଲ ପାଇଁ ନିର୍ବାଚନରେ ବିଜୟ ହେବା ଲକ୍ଷରେ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଭଳି ପ୍ରସଙ୍ଗ ଆଧାରରେ ଭାରତର ଦୁର୍ଦ୍ଦଶା ଏହି ସୋସିଆଲ‍୍‌ ଇଞ୍ଜିନିୟରିଂ ମାଧ୍ୟମରେ ଅଟକାଇ ଦିଆଯାଇଛି। ଜାତିପ୍ରଥାକୁ ବଜାୟ ରଖିବା ପାଇଁ ଜୋର‍୍‌ ଦିଆଯାଉଛି। ଧର୍ମ ଜାତିକୁ ନେଇ ଭୋଟର ଧ୍ରୁବୀକରଣ କରାଯାଉଛି। ଶାସକଦଳ ୨୦ କୋଟି ମୁସଲମାନଙ୍କୁ ଶାସନରେ ଭାଗିଦାର କରିବା ପାଇଁ ଚାହୁଁନାହାନ୍ତି। ଅଥଚ ଭାଷଣରେ କୁହାଯାଉଛି ‘ସବ‍୍‌କା ସାଥ୍, ସବ‍୍‌କା ବିକାଶ’।

 

ଭାରତର ବୈଭବଶାଳୀ ଐତିହ୍ୟ ହିନ୍ଦୁତ୍ୱ ପାଇଁ ବିଶ୍ୱ ଦରବାରରେ ପରିଚିତ ହୋଇନାହିଁ। ମୁସଲମାନଠାରୁ ଆରମ୍ଭ କରି ଇଂରେଜ ଶାସନ କାଳରେ ଭାରତରେ ହିନ୍ଦୁ ଜନସଂଖ୍ୟା ୮୦ ପ୍ରତିଶତ ଥିଲା। କିନ୍ତୁ କାହାରି ମୁହଁରେ ହିନ୍ଦୁ ରାଷ୍ଟ୍ର ନିର୍ମାଣର ସ୍ୱର ଶୁଭୁନଥିଲା। ଭାରତରେ ଗଣତନ୍ତ୍ରକୁ ନେଇ କ୍ଷମତା ଉପଭୋଗ କରୁଥିବା ନେତା ବା ସରକାର ସାଧାରଣ ଜନତାଙ୍କ ସହ ନିଜକୁ ଯୋଡ଼ୁନାହାନ୍ତି। ଦେଶର ପ୍ରମୁଖ ଦଳ ୭୦ ବର୍ଷ ହେଲା କ୍ଷମତା ସୁଖ ପାଇଛନ୍ତି। କିନ୍ତୁ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ନାଗରିକ ଅଧିକାର ପ୍ରଦାନରେ ନିଜର ଉତ୍ତରଦାୟିତ୍ୱ କୌଣସି ପ୍ରମୁଖ ଦଳ ନିର୍ବାହ କରିପାରିନାହାନ୍ତି। କେଉଁ ଦଳ ସଂଖ୍ୟାଲଘୁ ତୁଷ୍ଟିକରଣ ଓ ଜାତି ସମୀକରଣକୁ ନେଇ ରାଜନୀତି କରୁଥିବା ବେଳେ ଆଜି ଦିନରେ  ଦେଶର ପ୍ରମୁଖ ଦଳ ଭାବେ ବିଜେପି ହିନ୍ଦୁତ୍ୱ ଆଧାରରେ ରାଜନୀତି ଚଳାଇବା ଆରମ୍ଭ କରିଛି। ସମ୍ୱିଧାନ ପ୍ରଦତ୍ତ ନିୟମ ଆଧାରରେ ଏହି ଦଳ କାର୍ଯ୍ୟ କରୁନାହିଁ ବୋଲି ଏବେ ସ୍ଥାନେ ସ୍ଥାନେ ଏହି ଦଳ ବିରୁଦ୍ଧରେ ଆନ୍ଦୋଳନ ମୁଣ୍ଡ ଟେକିଲାଣି।

 

ଦେଶ ଆଗରେ ଯେଉଁ ପ୍ରସଙ୍ଗଟି ଏବେ ଆହ୍ୱାନର ବିଷୟ ହୋଇଛି, ତାହାହେଲା ଖାଦ୍ୟାଭ୍ୟାସ ସମ୍ୱଳିତ। ତଥ୍ୟ ଅନୁଯାୟୀ ଦେଶରେ ୭୦ ପ୍ରତିଶତ ଭାରତୀୟ ଆମିଷ ଭକ୍ଷଣ କରିଥାନ୍ତି। ଅଥଚ ହିନ୍ଦୁତ୍ୱବାଦୀ ଏବେ ଶାକାହାର ପାଇଁ ଚାପ ପକାଉଛନ୍ତି। କେନ୍ଦ୍ର ସରକାରଙ୍କ ସାମ୍ପୁଲ‍୍‌ ରେଜିଷ୍ଟ୍ରେସନ‍୍‌ ବେସ‍୍‌ଲାଇନ‍୍‌ ସର୍ଭେ ରିପୋର୍ଟ-୨୦୧୪ ଅନୁଯାୟୀ ଦେଶର ସମୁଦାୟ ବ୍ରାହ୍ମଣଙ୍କ ମଧ୍ୟରୁ ୫୫ ପ୍ରତିଶତ, ଉଚ୍ଚବର୍ଗର ୨୮ ପ୍ରତିଶତ, ଦଳିତ ୧୫ ପ୍ରତିଶତ, ଆଦିବାସୀ ୧୨ ପ୍ରତିଶତ, ମୁସ‍୍‌ଲିମ‍୍‌ ୩ ପ୍ରତିଶତ, ଖ୍ରୀଷ୍ଟିଆନ‍୍‌ ୮ ପ୍ରତିଶତ ମାତ୍ର ହେଉଛନ୍ତି ଶାକାହାରୀ ଅର୍ଥାତ୍ ନିରାମିଷାସୀ। ମହିଳାଙ୍କ ମଧ୍ୟରୁ ୩୪ ପ୍ରତିଶତ, ପୁରୁଷ ୨୮ ପ୍ରତିଶତ, ୫୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ୩୭ ପ୍ରତିଶତ, ୨୫ ବର୍ଷରୁ ଊର୍ଦ୍ଧ୍ବ ୨୯ ପ୍ରତିଶତ, ହିନ୍ଦୁ ୪୩ ପ୍ରତିଶତ ଏବଂ ଅଣହିନ୍ଦୁ ମାତ୍ର ୨୮ ପ୍ରତିଶତ ହେଉଛନ୍ତି ଶାକାହାରୀ।

 

ରାଜ୍ୟ ଅନୁଯାୟୀ ଆନ୍ଧ୍ରପ୍ରଦେଶର ୧.୭୫ ପ୍ରତିଶତ, କେରଳ ୩ ପ୍ରତିଶତ, ତାମିଲନାଡ଼ୁ ୨.୩୫, ମଧ୍ୟପ୍ରଦେଶ ୫୦.୬, ରାଜସ୍ଥାନ ୭୪.୯, ଜାମୁ କାଶ୍ମୀର‍୍‌ ୩୧.୪୫, ଉତ୍ତରାଖଣ୍ଡ ୨୮.୩୫, ପଞ୍ଜାବ ୬୬.୭୫, ହରିୟାଣା ୬୯.୨୫, ଦିଲ୍ଲୀ ୩୯.୫, ଉତ୍ତର ପ୍ରଦେଶ ୪୭.୧, ବିହାର ୭.୫୫, ଆସାମ ୨୦.୬, ଝାଡ଼ଖଣ୍ଡ ୩.୨୫, ପଶ୍ଚିମବଙ୍ଗ ୧.୪, ଓଡ଼ିଶା ୨.୬୫, ମହାରାଷ୍ଟ୍ରର ୪୨.୨ ପ୍ରତିଶତ ଲୋକ ହେଉଛନ୍ତି ଶାକାହାରୀ। ହିସାବ ଅନୁଯାୟୀ ଦେଶରେ ମାତ୍ର ୩୧ ପ୍ରତିଶତ ଲୋକ ଶାକାହାରୀ ଅର୍ଥାତ୍ ନିରାମିଷାସୀ।

 

ଏହି ପରିସଂଖ୍ୟାନ ସୂଚାଇ ଦେଉଛି, ଭାରତର ୭୦ ପ୍ରତିଶତରୁ ଅଧିକ ଲୋକ ମାଛ, ମାଂସ, ଅଣ୍ଡା ଖାଇଥାନ୍ତି। ଏହା ହେଉଛି ଭାରତୀୟଙ୍କ ଖାଦ୍ୟାଭ୍ୟାସର ଚିତ୍ର। ଏହି ସମୟରେ ହିନ୍ଦୁତ୍ୱବାଦୀ ନିର୍ଦ୍ଦିଷ୍ଟ ସଂପ୍ରଦାୟ ଏବଂ ଜାତିକୁ ଟାର୍ଗେଟ କରି ଆକ୍ରମଣ କରିବା ସହ ଶାକାହାରର ଉପକାରିତା ବଖାଣୁଛନ୍ତି। କେଉଁଠି ଗୋ’ସୁରକ୍ଷା ନାମରେ ଆତଙ୍କ ଭିଆଉଛନ୍ତି ତ କେଉଁଠି ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ନଗ୍ନ ଆକ୍ରମଣ କରି ନିଜର ଅମାନବୀୟ ଆଚରଣକୁ ସୂଚାଉଛନ୍ତି। ନିଜର ଧର୍ମ ବିଶ୍ୱାସକୁ ଅନ୍ୟ ଉପରେ ଚାପିଦେବା ଗଣତାନ୍ତ୍ରିକ ମୂଲ୍ୟବୋଧର ବିରୁଦ୍ଧାଚରଣ ନିଶ୍ଚୟ। ଦେଶରେ ଏକ ସମ୍ୱିଧାନ ରହିଛି। ନିର୍ବାଚିତ ସରକାର ସମ୍ୱିଧାନ ଅନୁଯାୟୀ ନାଗରିକଙ୍କ ଅଧିକାରର ସୁରକ୍ଷା କରିବା ବିଧେୟ। ଏହିପରି ଗୋଟିଏ ଗୋଷ୍ଠୀ କାହାର ବ୍ୟକ୍ତିଗତ ଖାଦ୍ୟାଭ୍ୟାସକୁ (ଯାହା ତାଙ୍କର ଖାଦ୍ୟ ଅଧିକାର) ଛଡ଼ାଇ ନେଇପାରିବେ ନାହିଁ।

 

ଦେଶର ବିବିଧତା ହେଉଛି ଦେଶର ସମ୍ୱଳ। ଭ୍ରାତୃତ୍ୱ, ସଦ‍୍‌ଭାବନା ଓ ଭାଇଚାରା ଆଧାରରେ ନିଜର ଆଦର୍ଶ ଓ ଆଭିମୁଖ୍ୟକୁ ପ୍ରଚାର କରାଯାଇପାରେ। କିନ୍ତୁ ବଳପୂର୍ବକ ଲଦି ଦିଆଯିବା ଧାର୍ମିକ ବିଶ୍ୱାସ ଆଧାରିତ ଏବଂ ଗଣତାନ୍ତ୍ରିକ ନୁହେଁ। ଏହା ଅରାଜକତା, ଏକଛତ୍ରବାଦ ତଥା ହିଂସ୍ରକ ବାତାବରଣର କାରଣ ହୋଇଥାଏ। ହିନ୍ଦୁତ୍ୱବାଦୀ ହୁଅନ୍ତୁ କି ଇସ‍୍‌ଲାମବାଦୀ ହୁଅନ୍ତୁ, ଦେଶ ଓ ନାଗରିକଙ୍କ ଅଧିକାରର ସୁରକ୍ଷା ଆଗ, ପଛରେ ନିଜର ଧାର୍ମିକ ଭାବନା ଓ ଉନ୍ମାଦନା। ଏହା ଦେଶ ପାଇଁ ସଂପୂର୍ଣ୍ଣ ଅଲୋଡ଼ା।

 

ଭୁବନେଶ୍ୱର, ଫୋନ : ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top