୨୦୨୨ ସୁଦ୍ଧା ସମସ୍ତଙ୍କର ପକ୍କା ଘର

News Story - Posted on 2017-04-27

କେନ୍ଦ୍ର ଗୃହ ଏବଂ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ) - ସମସ୍ତଙ୍କ ପାଇଁ ଗୃହ ମିଶନ’ ଜରିଆରେ ଦେଶର ସମସ୍ତ ବାସହୀନ ଏବଂ କଚା ଘରେ ରହୁଥିବା ଲୋକମାନଙ୍କ ପାଇଁ ୨୦୨୨ ସୁଦ୍ଧା ମୌଳିକ ସୁବିଧା ସୁଯୋଗ ଥିବା ପକ୍କା ଘର ଯୋଗାଇ ଦିଆଯିବ। ଦେଶର ସମସ୍ତ ସହରାଂଚଳରେ ଏହି ଲକ୍ଷ୍ୟ ହାସଲ କରିବା ଲାଗି ଆରମ୍ଭ କରାଯାଇଛି। ଦେଶର ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ର ଶାସିତ ଅଂଚଳର ୪୦୪୧ ଟି ନଗର ଓ ସହରାଂଚଳରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ଜୁନ‌୍‍ ୨୦୧୫ରେ ଏହାର ଆରମ୍ଭ କରାଯିବା ପରେ ଦେଶର ୨୯ଟି ରାଜ୍ୟ ଏବଂ ୫ଟି କେନ୍ଦ୍ର ଶାସିତ ଅଂଚଳରେ ଥିବା ୨୦୦୮ଟି ନଗର ଏବଂ ସହରରେ ଥିବା ନିମ୍ନ ଆୟ ବର୍ଗ (ୟୁଜି)ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ(ଇଡବ୍ଲ୍ୟୁଏସ)ର ହିତାଧିକାରୀମାନଙ୍କ ଲାଭ ନିମନ୍ତେ ୧୭,୭୩,୫୩୩ଟି ସୁଲଭ ଗୃହ ନିର୍ମାଣ ଲାଗି ଅନୁମୋଦନ ମିଳିସାରିଛି। କେବଳ ଆଣ୍ଡାମାନ ନିକୋବାର ଦ୍ୱୀପସମୂହ ଏବଂ ଲାକ୍ଷାଦ୍ୱୀପରେ ପିଏମ‌୍‍ଏୱାଇ(ସହରାଂଚଳ) ଯୋଜନାରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାର ବାକି ରହିଛି। ଏହି ଯୋଜନା ମୂଳତଃ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ଏବଂ ନିମ୍ନ ଆୟ ବର୍ଗ  ହିତାଧିକାରୀଙ୍କ ଲାଭ ନିମନ୍ତେ ଉଦ୍ଦିଷ୍ଟ।

 

ଗୃହ ଏବଂ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟର ବୈଷୟିକ ଗୋଷ୍ଠୀ ୨୦୧୧ରେ କରିଥିବା ଏକ ଆକଳନ ଅନୁଯାୟୀ ଦେଶର ସହରାଂଚଳଗୁଡ଼ିକରେ ୧୮.୭୮ ନିୟୁତ ପରିବାର ପାଖରେ ବାସଗୃହର ଅଭାବ ରହିଛି। ଏମାନଙ୍କ ମଧ୍ୟରୁ ୦.୯୯ ନିୟୁତ ପରିବାର କଚା ଗୃହ, ୨.୨୭ ନିୟୁତ ପରିବାର ଭଙ୍ଗା ଘର, ୧୪.୯୯ ନିୟୁତ ପରିବାର ସଂକୀର୍ଣ୍ଣ ଗୃହରେ ରହୁଛନ୍ତି। ଏମାନଙ୍କ ବ୍ୟତୀତ ୦.୫୩ ନିୟୁତ ବାସହୀନ ପରିବାର ପାଇଁ ପକ୍କା ଘର ନିର୍ମାଣ କରିବାର ଆବଶ୍ୟକତା ରହିଛି। ଇତିମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକରେ ନୂଆ ବାସଗୃହର ଆବଶ୍ୟକତା ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହା ପ୍ରାୟ ଶେଷ ହେବା ଉପରେ।

 

ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ‌୍‍ ଆୟ କରୁଥିବା ଆଥିର୍କ ଦୁର୍ବଳ ବର୍ଗ(ଇଡବ୍ଲ୍ୟୁଏସ), ବାର୍ଷିକ ୩ରୁ ୬ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ନିମ୍ନ ଆୟ ବର୍ଗ(ୟୁଜି), ବାର୍ଷିକ ୬ରୁ ୧୨ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ମଧ୍ୟମ ଆୟ ବର୍ଗ (ଏମଆଇଜି) ଏବଂ ବାର୍ଷିକ ୧୨ରୁ ୧୮ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ମଧ୍ୟମ ଆୟ ବର୍ଗ (ଏମ‌୍‍ଆଇଜି-୨)ର ହିତାଧିକାରୀଙ୍କୁ ଏହି ଯୋଜନାରେ ଲାଭ ପହଂଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି।

 

ହିତାଧିକାରୀଙ୍କ ପାଇଁ ସର୍ବୋଚ୍ଚ ଆୟ ସୀମା ୧୮ ଲକ୍ଷ ଟଙ୍କା ଭାରତୀୟ ପରିସ୍ଥିତିକୁ ଦେଖି ନିର୍ଦ୍ଧାରଣ କରାଯାଇଛି, ପିଏମଏୱାଇ (ସହରାଂଚଳ) ଦ୍ୱାରା ସମାଜର ଅଧିକାଂଶ ଲୋକ ଉପକୃତ ହେଉଛନ୍ତି ଏବଂ ଏହା ସରକାରଙ୍କ ବିକାଶ ନୀତି ‘ସବ‌୍‍କା ସାଥ‌୍‍ ସବ‌୍‍କା ବିକାଶ’କୁ ପ୍ରତିଫଳିତ କରୁଛି।

 

ପିଏମଏୱାଇ (ସହରାଂଚଳ) ଯୋଜନାର ବିଭିନ୍ନ ଉପାଦାନ/କମ୍ପୋନେଂଟ ଅଧୀନରେ ହିତାଧିକାରୀମାନଙ୍କୁ ୧ଲକ୍ଷରୁ ୨.୩୦ ଲକ୍ଷ ଟଙ୍କାର ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର କ୍ୟାବିନେଟ‌୍‍ ବୈଠକରେ ଜୁନ‌୍‍ ୧୭, ୨୦୧୫ରେ ଅନୁମୋଦନ ମିଳିଥିଲା।

 

ଇଡବ୍ଲ୍ୟୁଏସ‌୍‍ ଏବଂ ଏଲଆଇଜି ହିତାଧିକାରୀଙ୍କୁ ୨୦ ବର୍ଷ ଅବଧି ବିଶିଷ୍ଟ ୬ ଲକ୍ଷ ଟଙ୍କାର ଋଣ ଉପରେ ୬.୫୦ ପ୍ରତିଶତ ସୁଧ ସବସିଡି, ୬ ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଥିବା ଏମ‌୍‍ଆଇଜି ହିତାଧିକାରୀମାନଙ୍କୁ ୨୦ ବର୍ଷର ଅବଧିବିଶିଷ୍ଟ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୪% ସୁଧ ସବ‌୍‍ସିଡି ଏବଂ ୧୨ରୁ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ଏମ‌୍‍ଆଇଜି ବର୍ଗର ଲୋକମାନଙ୍କ ପାଇଁ ୨୦ ବର୍ଷର ଅବଧି ବିଶିଷ୍ଟ ୯ ଲକ୍ଷ ଟଙ୍କାର ଋଣ ଉପରେ ୩% ସୁଧ ସବସିଡ ଦିଆଯିବ। ହିତାଧିକାରୀଙ୍କ ଉପରେ ଇଏମ‌୍‍ଆଇ ବୋଝ କମ‌୍‍ କରିବା ଲାଗି ଏହି ସବ‌୍‍ସିଡି ଯାହା ପାଖାପାଖି ୨.୩୦ ଲକ୍ଷ ଏବଂ ୨.୪୦ ଲକ୍ଷ ହେବ ଆଗୁଆ ପ୍ରଦାନ କରାଯିବ।

 

ଇଡବ୍ଲ୍ୟୁଏସ‌୍‍ ଏବଂ ଏଲଆଇଜି ହିତାଧିକାରୀମାନଙ୍କୁ ପାଇଁ ନିର୍ମାଣ ହେଉଥିବା ଗୃହ ପରିବାରର ପ୍ରାପ୍ତବୟସ୍କ ମହିଳା ହିତାଧିକାରୀ କିମ୍ୱା ଯୁଗ୍ମ ଭାବେ ପ୍ରାପ୍ତ ବୟସ୍କ ମହିଳା ଏବଂ ପୁରୁଷଙ୍କ ନାମରେ ରହିବ। ସିଏଲଏସଏସ‌୍‍ ଏବଂ ଏମଆଇଜିଙ୍କ ପାଇଁ ପ୍ରାପ୍ତବୟସ୍କ ରୋଜଗାରକ୍ଷମ ପରିବାର ସହ ସଦସ୍ୟ ଅବିବାହିତ ଥିଲେ ମଧ୍ୟ ସୁଧ ସବସିଡି ପାଇବାକୁ ଯୋଗ୍ୟ ହୋଇପାରିବେ। ସୁଲଭ ଗୃହ ପ୍ରକଳ୍ପଗୁଡ଼ିକ ସ୍ମାର୍ଟ ସିଟି ମିଶନ‌୍‍ ଅଧୀନରେ ପ୍ରୋତ୍ସାହିତ କରାଯାଉଛି ଏବଂ ସେଗୁଡ଼ିକ ମଧ୍ୟରୁ କେତେକ ପ୍ରକଳ୍ପ ଲାଗି ପ୍ରସ୍ତାବ ଦିଆଯାଇସାରିଛି।

 

ବର୍ଦ୍ଧିତ ଗୃହ ନିର୍ମାଣର ପ୍ରଭାବ

 

ଜିଡିପି ବା ମୋଟ ଜାତୀୟ ଉପିାଦନ ଉପରେ ନିର୍ମାଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ବହୁଗୁଣ ପ୍ରଭାବ ରହିଛି। ଏହା ୨୫୦ଟି ଆନୁସଙ୍ଗିକ ଶିଳ୍ପକୁ ସହାୟତା ଯୋଗାଇବା ସହ ଦ୍ୱିତୀୟ ବୃହତ ନିଯୁକ୍ତିଦାତା ହୋଇପାରିଛି। ଏହି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସୁଲଭ ଗୃହ ଯୋଗାଣ କ୍ଷେତ୍ରକୁ ଭିତ୍ତିଭୂମି ମାନ୍ୟତା ଦିଆଯାଇଛି, ସୁଲଭ ଗୃହ ପ୍ରକଳ୍ପ ଲାଗି ଆୟକର ଛାଡ଼ ଭଳି ୨୦ରୁ ଅଧିକ ରିହାତି ଏବଂ ଆଥିର୍କ ସହାୟତା ଯୋଗାଇ ଦିଆଯାଉଛି, ରିଅଲ‌୍‍ ଇଷ୍ଟେଟ‌୍‍ (ନିୟନ୍ତ୍ରଣ ଏବଂ ବିକାଶ) ଆଇନ ୨୦୧୬ର ପ୍ରଣୟନ ଆଦି ପଦକ୍ଷେପ ଏହି କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହେବ ବୋଲି ଆଶା କରାଯାଉଛି।

 

୨୦୧୭-୧୮ କେନ୍ଦ୍ର ବଜେଟ‌୍‍ରେ ସରକାର ସୁଲଭ ଗୃହ ନିର୍ମାଣ ଯୋଜନାକୁ ଭିତିଭୂମି ମାନ୍ୟତା ଦେଇଛନ୍ତି ଯାହା ଏହି କ୍ଷେତ୍ରକୁ ବର୍ଦ୍ଧିତ ଏବଂ କମ‌୍‍ ମୂଲ୍ୟର ଋଣ ଯୋଗାଣ ମାଧ୍ୟମରେ ଲାଭ ପହଂଚାଇବ।

 

୨୦୦୪-୧୪ ମଧ୍ୟରେ ଜେଏନ‌୍‍ଏନ‌୍‍ୟୁଆରଏମ‌୍‍ ଅଧୀନରେ ସହରା ଳରେ ଗୃହ ନିର୍ମାଣ କାର୍ଯ୍ୟକାରୀତାର ଅଭିଜ୍ଞତାକୁ ଦେଖି ସୁଲଭ ଗୃହ ନିର୍ମାଣ ଯୋଜନାରେ ଜମି ଚିହ୍ନଟ ଲାଗି ମାଷ୍ଟର ପ୍ଲାନ‌୍‍ ସଂଶୋଧନ/ପ୍ରସ୍ତୁତ କରିବା ଲାଗି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳଗୁଡ଼ିକ ପାଇଁ ବାଧ୍ୟତାମୂଳକ କରିଛନ୍ତି, ବିଲ୍ଡିଂ ପ୍ଲାନ‌୍‍ ଏବଂ ଲେ-ଆଉଟ‌୍‍ ଅନୁମୋଦନ ପାଇଁ ସିଙ୍ଗଲ‌୍‍ ୱିଣ୍ଡୋ ବ୍ୟବସ୍ଥା, ଯଦି ପୂର୍ବରୁ ଜମି ଆବାସିକ ଅଂଚଳ ଭାବେ ଚିହ୍ନଟ ହୋଇସାରିଥାଏ ଭିନ୍ନ ଅଣ-କୃଷି ଅନୁମତି ବ୍ୟବସ୍ଥା କରାଯିବା, ବସ୍ତି ପୁନଃବିକାଶ ପ୍ରକଳ୍ପ ଲାଗି ଅତିରିକ୍ତ ଏଫଏଆର/ଏଫଏସ୍‌ଏସ୍‌ଆଇ/ଟିଡିଆର ବ୍ୟବସ୍ଥା ଆଦି।

 

୨୦୦୮ଟି ସହରାଂଚଳରେ ଥିବା ଗରିବ ଲୋକଙ୍କ କଲ୍ୟାଣ ପାଇଁ ଜୁନ, ୨୦୧୫ରେ ଏହି ଯୋଜନା ଆରମ୍ଭ ହେବା ପର ଠାରୁ କେନ୍ଦ୍ର ଗୃହ ଏବଂ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ ପକ୍ଷରୁ ୧୭,୭୩,୫୩୩ଟି ସୁଲଭ ଗୃହ ନିର୍ମାଣ ଏବଂ ଆର୍ଥିକ ସହାୟତା ପ୍ରସ୍ତାବକୁ ଅନୁମୋଦନ ଦେଇସାରିଛନ୍ତି।

 

୨୦୦୪-୧୪ ମଧ୍ୟରେ ଜବାହରଲାଲ ନେହରୁ ସହରାଂଚଳ ନବୀକରଣ ମିଶନ (ଜେଏନ‌୍‍ଏନ‌୍‍ୟୁଆରଏମ‌୍‍) ଏବଂ ରାଜୀବ ଆବାସ ଯୋଜନା (ଆରଏୱାଇ) ଅଧୀନରେ ୧୦ ବର୍ଷ ଭିତରେ ୯୩୯ଟି ସହରରେ ୩,୯୦,୭୬୫ଟି ଗୃହ ନିର୍ମାଣ କରାଯାଇଥିବା ବେଳେ ପିଏମ‌୍‍ଏୱାଇ (ସହରାଂଚଳ) ଯୋଜନା ଅଧୀନରେ ୧୩,୮୨,୭୮୬ଟି ଗୃହ ନିର୍ମାଣ ଲାଗି ଅନୁମୋଦନ ଦିଆଯାଇସାରିଛି।

 

୨୦୦୪-୧୪ ମଧ୍ୟରେ ସହରାଂଚଳ ଆବାସ ଯୋଜନାରେ ମାତ୍ର ୩୧ ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ପିଏମ‌୍‍ଏୱାଇ (ସହରାଂଚଳ) ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ମୋଟ‌୍‍ ୯୬,୨୬୬ କୋଟି ଟଙ୍କା ନିବେଶକୁ ଅନୁମୋଦନ ମିଳିସାରିଛି।

 

୨୦୦୪-୧୪ ମଧ୍ୟରେ  ସହରାଂଚଳ ଆବାସ ଯୋଜନାରେ ୨୦,୯୨୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦିଆଯାଇଥିବା ବେଳେ ପିଏମ‌୍‍ଏୱାଇ (ସହରାଂଚଳ) ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୨୭,୮୮୩ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇସାରିଛି। ଏପରିକି ପିଏମ‌୍‍ଏୱାଇ (ସହରାଂଚଳ) ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ରୁ ୨.୪୦ ଲକ୍ଷ ଟଙ୍କା ଲେଖାଏଁ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ଲାଗି ଧାର୍ଯ୍ୟ କରାଯାଇଛି।

 

୨୦୧୪-୧୭ ଆର୍ଥିକ ବର୍ଷ ମଧ୍ୟରେ ୩.୫୫ ଲକ୍ଷ ସୁଲଭ ପକ୍କା ଗୃହ ନିର୍ମାଣ କରାଯାଇଛି ଯାହାକି ଏହାର ପୂର୍ବ ଦଶ ବର୍ଷ (୨୦୦୪-୧୪) ମଧ୍ୟରେ ନିର୍ମାଣ କରାଯାଇଥିବା ୭.୯୯ ଲକ୍ଷ ପକ୍କା ଗୃହ ନିର୍ମାଣ ତୁଳନାରେ ଉଲ୍ଲେଖନୀୟ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top