ଜମିକୁ ଉର୍ବର କର

News Story - Posted on 2017-04-27

ରତ୍ନେଶ୍ବର ସାହୁ

 

ଜମି ଚାଷ କରିବା, ବିହନ ବୁଣିବା, ଚାରାକୁ ଯତ୍ନ କରିବା, କୋଡା ଖୋସା କରିବା, ରୋଗ ପୋକ ନିୟନ୍ତ୍ରଣ କରିବା, ଫସଲ ହେଲା ପରେ ଶସ୍ୟ ସଂଗ୍ରହ କରିବା ଏବଂ ଏହାକୁ ଉପଯୁକ୍ତ ଭାବେ ସାଇତି ରଖିବା- କିଛି ଖାଇବା ପାଇଁ ଏବଂ କିଛି ପରବର୍ତ୍ତୀ ସମୟର ବିହନ ପାଇଁ- ହେଉଛି ଫସଲ ଚକ୍ର। ଏତିକି ହେଲେ ଫସଲ ହୁଏ, ଖାଦ୍ୟ ଥାଳି ପର୍ଯ୍ୟନ୍ତ ପହଞ୍ଚିଥାଏ ଏବଂ ଖାଦ୍ୟ ଶସ୍ୟର ଦରଦାମ ନିୟନ୍ତ୍ରଣ ଭିତରେ ରୁହେ।

 

ଜମି ମାଲିକ ଯଦି ଚାଷକୁ ଯତ୍ନ ଦେବେ ନାହିଁ ତାହାହେଲେ ଜମି ପଡିଆ, ଫସଲ ଚାଷ ହେଲେ ମଧ୍ୟ ଉପଯୁକ୍ତ ଯତ୍ନ ଅଭାବରୁ ଗଛ ଭଲ ହେବ ନାହିଁ ଏବଂ ଫସଲ ମଧ୍ୟ ଭଲ ହେବ ନାହିଁ, ଗଛରେ ରୋଗ ପୋକ ବାରମ୍ବାର ଲାଗିବ ଫଳରେ ଚାଷୀ ଦେବାଳିଆ ହୋଇଯିବେ। ପରେ ଚାଷୀ କହିବେ ଭାଇ ମୁଁ ପରିଶ୍ରମ କରୁଛି କିନ୍ତୁ ମୋର ପାରିଶ୍ରମିକ ମୋତେ ମିଳୁନାହିଁ। ଏହିପରି ବାରମ୍ବାର ଲାଗିରହିଲେ ମାନସିକ ଅବସାଦ ଦେଖାଦେବ ଏବଂ ଅନ୍ୟର ଭଲ ଫସଲ ଦେଖିଲେ ତାହା ପ୍ରତି ଅସୂୟା ମନୋଭାବ ଜାଗ୍ରତ ହେବ। ନିନ୍ଦୁକ ଏବଂ ଅଳସୁଆମାନେ ସବୁବେଳେ କର୍ମ, ଭାଗ୍ୟ ଓ ଅନ୍ୟକୁ ନିନ୍ଦା କରନ୍ତି। ସେମାନେ ନିଜର ଭୁଲ୍ ଦେଖି ପାରନ୍ତି ନାହିଁ ଏବଂ ଅନ୍ୟର ପରିଶ୍ରମ ଉପରେ ଜୋର୍ ଜବରଦସ୍ତ ନିଜର ଅଧିକାର ଜାହିର କରନ୍ତି। ଦୁନିଆର ସବୁକିଛି ପ୍ରାୟ ଏମିତି ଚାଲିଛି।

 

ବର୍ତ୍ତମାନ ଆମେ ଆମର ସମାଜ ଉପରେ ନଜର ପକାଇବା। ସମାଜ ମଣିଷ, ପଶୁପକ୍ଷୀ, ଜୀବଜନ୍ତୁ, ପାଣି, ପରିବେଶ ଏବଂ ଜମି ଉପରେ ଗଢି ଉଠିଛି। ଏଗୁଡିକ ବିନା ବଞ୍ଚିବା ଅସମ୍ଭବ। କିଏ କିଏ କୁହନ୍ତି ଗୋଟିଏ ଜୀବନ ସମୟକ୍ରମେ ପରିବେଶ ସହିତ ଖାପଖୁଆଇ ଚଳି ଯାଏ। ଧୀରେ ଧୀରେ ସମୟ ସହିତ ଆମକୁ ଚାଲିବାକୁ ପଡିବ। କିନ୍ତୁ ସମସ୍ତେ ବୋଧହୁଏ ଭୁଲିଯାଇଛନ୍ତି ଯେ, ଶରୀର ସେହିମାତ୍ରାରେ ଖାପଖୁଆଇ ଚଳେ ଯେତେ ପରିମାଣରେ ସେ ସମ୍ଭାଳି ପାରିବ। ଯଦି ଅଧିକା ହେଲା ତାହାହେଲେ ସେ ଧ୍ବଂସ ପାଇଯାଏ। ଠିକ ସେହିପରି ଡାଇନୋସର୍ ଭଳି ଜୀବ ଆଜି ନାହାନ୍ତି କାରଣ ସେମାନେ ପରିବେଶର ଉତ୍ତାପ ଓ ଅନ୍ୟ ବ୍ୟବସ୍ଥା ସହିତ ମିଶି ଚାଲି ପାରିଲେ ନାହିଁ। କେବଳ ଯେ ଗୋଟିଏ ଉଦାହରଣ ତାହାନୁହେଁ ବରଂ ବିଭିନ୍ନ ସାମୁଦ୍ରିକ ଜୀବ, ଦେଶୀ ମାଛ, କଙ୍କଡା, ଶାଗୁଣା, ଚିଲ, ଘର ଚଟିଆ ଏବଂ ଜଙ୍ଗଲ ଜୀବ ଆଉ ସେହି ଅନୁପାତରେ ଦେଖିବାକୁ ମିଳୁ ନାହାନ୍ତି। ଏହାର କାରଣ ହେଲା ଜମିକୁ ଉର୍ବର କରାଗଲା ନାହିଁ ବରଂ ଭାଇ ଭାଗ ଭଳି ସମସ୍ତେ ନିଜ ନିଜ ସମ୍ପତ୍ତି ବାଣ୍ଟି ନେଇ ପଡିଆ ପକାଇଦେଲେ।

 

ଶିକ୍ଷିତ ଓ ବୁଦ୍ଧିଜୀବୀଙ୍କ କଥା ଆଲୋଚନା କରିବା ସମୟରେ କେତୋଟି ବିଷୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। ଶିକ୍ଷା ଆଜି ଆଉ ଗତ ଦିନର ଗଣିତ, ବିଜ୍ଞାନ, ସାହିତ୍ୟ ଭିତରେ ସୀମିତ ହୋଇ ରହିନାହିଁ। ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ପରିଚାଳନା, ବିକାଶ, ସଂସ୍କୃତି, ଚିତ୍ର, କଳା, ନୃତ୍ୟ ଭଳି ଅନେକ ଦିଗକୁ ବ୍ୟାପି ଗଲାଣି। ଏହିଭଳି ସ୍ଥିତିରେ ଆମେ ଆଉ ସେହି ଏକ ପ୍ରକାର ବ୍ୟବସ୍ଥା ଭିତରେ ସୀମିତ ରହିଲେ ଆମେ ପଛୁଆ ହୋଇଯିବା। ରାଇଟ୍ ବ୍ରଦର୍ସ, ଜନ ଲୋଗି ବେୟାର୍ଡ଼, ମାର୍କୋନୀ, ହିପ୍ପୋକ୍ରେଟସ୍, ବେରସୋନଙ୍କ ଭଳି ଅନେକ ଲୋକ ଉପଯୁକ୍ତ ବ୍ୟବସ୍ଥା ଯୋଗୁଁ ଉଡାଜାହାଜ, ଟେଲିଭିଜନ, ରେଡିଓ, ଔଷଧ ଭଳି ଅନେକ ନୂଆ ଜିନିଷ ସମାଜକୁ ଦେଇଯାଇଛନ୍ତି। ଏହା ପଛରେ କାରଣ ହେଲା ଉପଯୁକ୍ତ ସାମାଜିକ ବାତାବରଣ। ଅନ୍ୟକୁ ସାହାଯ୍ୟ ନହେଲା ନାହିଁ କାହା ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି କରିବା ନାହିଁ ହେଉଛି ଏହି ବାତାବରଣ। କଥା ଉଠୁଛି ଆଜି ଆମେ ଆମ ଛୁଆମାନଙ୍କ ପାଇଁ ଉପଯୁକ୍ତ ବିଦ୍ୟାଳୟ, ଡାକ୍ତରଖାନା, ଅଙ୍ଗନାଡି କେନ୍ଦ୍ର, ସରକାରୀ କାର୍ଯ୍ୟାଳୟ, କର୍ମଚାରୀ, ସେବା ଯୋଗାଇବା ପାଇଁ ଉପଯୁକ୍ତ ମାନସିକତାର ଭିତ୍ତିଭୂମି ରଖିଛୁ କି ?

 

ମାନସିକତା, ପରିଶ୍ରମ ଏବଂ ପରିବେଶ ଗୋଟିଏ ଜୀବନର ଅଗ୍ରଗତିରେ ସହାୟକ ହୋଇଥାଏ। କିନ୍ତୁ ଆଜି ସେହିଭଳି ବ୍ୟବସ୍ଥା ଅଛି କି?

 

ସାହିତ୍ୟିକ, ଔପନ୍ୟାସିକ, ଗାଳ୍ପିକ, ବ୍ୟଙ୍ଗ କବିମାନଙ୍କ ପାଇଁ ଉପଯୁକ୍ତ ବାତାବରଣ ମିଳୁଛି କି ? ଗବେଷଣାର ଭିତ୍ତିଭୂମି ହେଉଛି ଗବେଷଣାଗାର, ଅଧ୍ୟାପକ, ପୁସ୍ତକ, ଗବେଷଣା ସାମଗ୍ରୀ, ଅନ୍ୟ ସ୍ଥାନକୁ ବାସ୍ତବତାକୁ ଅନୁଧ୍ୟାନ କରିବା ପାଇଁ ଯିବା ବେଳେ ଖର୍ଚ୍ଚ, ଉତ୍ସାହିତ କରିବାର ବାତାବରଣ ଭଳି ଅନେକ ସୁବିଧା ମଧ୍ୟ ଯୋଗାଇବାର ଆବଶ୍ୟକତା ରହିଛି କିନ୍ତୁ ଯଦି ଏହା ନ ହୁଏ ତେବେ ନୂଆ ଗବେଷଣା ଏବଂ ନୂତନ ଗବେଷକ ଆଉ ସୃଷ୍ଟି ହେବେ ନାହିଁ। ଆମେ ଯଦି ନିଜେ ଯାହା ବୁଝିଛୁ ସେତିକିରେ ହିଁ ଅନ୍ୟମାନେ ସୀମିତ ରୁହନ୍ତୁ ବୋଲି ଭାବିବା ତାହାହେଲେ ଆମେ ନିଜେ ହିଁ ପ୍ରତିବନ୍ଧକ ସୃଷ୍ଟି କରିବା। ଏହାକୁ ଅନ୍ୟମାନେ କିପ୍ରକାର ବ୍ୟାଖ୍ୟାନ କରୁଛନ୍ତି ତାହା ସେମାନଙ୍କ ମତ। ପ୍ରତ୍ୟେକ ଗବେଷଣାର ପ୍ରକ୍ରିୟା ଭିନ୍ନ ଏବଂ ପ୍ରତ୍ୟେକ ଗବେଷକ ଭିନ୍ନ ଭିନ୍ନ ଉପାୟ ଏବଂ ନୀତି ଅବଲମ୍ବନ କରିଥାନ୍ତି। ତେଣୁ ଗବେଷକମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବା ପାଇଁ ଛାଡି ଦେବା ଉଚିତ୍ ଓ ନହେଲେ ସମାଜ ଆଉ ଆଗକୁ ଯାଇ ପାରିବ ନାହିଁ। ଅର୍ଥନୀତି, ସମାଜ ବିଜ୍ଞାନ ଭଳି କିଛି ବିଷୟ ରହିଛି ଯାହା ସବୁବେଳେ ପରିବର୍ତ୍ତନଶୀଳ। ତେଣୁ ପରିବର୍ତ୍ତନକୁ ଗ୍ରହଣ କରିବାର ମାନସିକତା ଥିବା ଲୋକମାନେ ହିଁ ଶିକ୍ଷା ଓ ଶିକ୍ଷଣ ପ୍ରକ୍ରିୟାକୁ ଗ୍ରହଣ କରି ପାରିବେ।

 

ଆଗରୁ ଅନେକ ଲୋକ କହିଛନ୍ତି ଯେ, ଟଙ୍କା ଖର୍ଚ୍ଚ କରି ଜଣେ ଡିଗ୍ରୀ ସାଟିର୍ଫିକେଟ କିଣି ପାରେ। କିନ୍ତୁ ଅଧ୍ୟୟନ ଦ୍ବାରା ହିଁ ପ୍ରକୃତ ଜ୍ଞାନର ଅଧିକାରୀ ହୋଇ ପାରେ। ଆଜି ଶିକ୍ଷା ଯେପରି ଏକ ବ୍ୟବସାୟରେ ପରିଣତ ହୋଇ ଯାଇଛି ସେହି ପ୍ରକ୍ରିୟାରେ ଆଗକୁ ଆଉ ଉପଯୁକ୍ତ ଗବେଷକ ଏବଂ ଗବେଷଣାର ସୁଫଳ ମିଳିବ ତାହା ସନ୍ଦେହ ଭିତରେ। ଚତୁର୍ଥ ଶ୍ରେଣୀ ପିଲା ସମାସ ଏବଂ ସନ୍ଧିବିଛେଦ ଭଳି ଶିକ୍ଷା ପାଇବା କେତେଦୂର ଯୁକ୍ତିଯୁକ୍ତ ତାହା ସମୟ କହିବ। କିନ୍ତୁ ସେହି ଶିଶୁର ଯେଉଁ ସମୟତକ ଚାଲିଗଲା ସେଥିପାଇଁ କିଏ ଉତ୍ତରଦାୟୀ ତାହା ଆଜି ପର୍ଯ୍ୟନ୍ତ ନିଶ୍ଚିତ କରାଯାଇନାହିଁ।

 

କ୍ଷମତା ମିଳିଗଲେ କିଏ କିଛି ପରିବର୍ତ୍ତନ କରି ପାରିବେ ନାହିଁ କିନ୍ତୁ ଉପଯୁକ୍ତ ଦୂରଦୃଷ୍ଟି, କାର୍ଯ୍ୟ କରିବାର ପ୍ରଣାଳୀ, ଦାୟିତ୍ବ ହସ୍ତାନ୍ତର, ଉତ୍ତରଦାୟିତ୍ବ ନିଶ୍ଚିତ କରାଗଲେ ହିଁ ବିକାଶ ଏବଂ ପରିବର୍ତ୍ତନ ସମ୍ଭବପର।

 

ସ୍ବାସ୍ଥ୍ୟ ସମସ୍ଯା ପାଇଁ ମଧ୍ୟ ଉପଯୁକ୍ତ ଭିତ୍ତିଭୂମି, କର୍ମଚାରୀ, ସରଞ୍ଜାମ, ପରିଚାଳନା ବ୍ୟବସ୍ଥା ସହିତ ଉତ୍ତରଦାୟୀ ବ୍ୟବସ୍ଥା ରହିଛି କି ? ଏହାଫଳରେ କେବଳ ପରିଶ୍ରମ କରିବା କିନ୍ତୁ ସୁଫଳ ପାଇବା ନାହିଁ।

 

ଅନେକ ସମୟରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ବିଭିନ୍ନ ଚକ୍ରାନ୍ତକାରୀ ଗୋଷ୍ଠୀ ହୀନ ଚକ୍ରାନ୍ତ ଦ୍ବାରା କବଳିତ କରିବାକୁ ଚାହୁଁଛନ୍ତି ଏହାଦ୍ବାରା ସେହି ଅନୁଷ୍ଠାନ ଗୁଡିକୁ ଅନ୍ୟମାନେ ମଧ୍ୟ ଉପଯୁକ୍ତ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସୁବିଧା ମିଳିବ କି ନ ମିଳିବ ବୋଲି ସନ୍ଦେହ ଭିତରେ ରହୁଛନ୍ତି। ଏହାଦ୍ବାରା ଉପଯୁକ୍ତ ଶିକ୍ଷିତମାନେ ହିଁ ବାଧାପ୍ରାପ୍ତ ହୁଅନ୍ତି କିନ୍ତୁ ସୁବିଧାବାଦୀ ଏବଂ ଅଳସୁଆମାନେ ଯେହେତୁ ଆଗକୁ ଯାଇ ପାରି ନଥାନ୍ତି। ତେଣୁ ସେମାନେ ମଧ୍ୟ ନିଜକୁ ଅନ୍ୟ ସହ ସମକକ୍ଷ ବୋଲି ଦେଖାଇ ହୁଅନ୍ତି।

 

ତେଣୁ ଉପଯୁକ୍ତ ଫସଲ ପାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପଡିବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top