କଂଗ୍ରେସରୁ ଜନ୍ମ ନେଇଛି ଆରଏସଏସ!

News Story - Posted on 2017-04-27

ଡଃ ଆର. ବାଲାଶଂକର

 

ସମସ୍ତେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂପର୍କରେ  ଶୁଣିଛନ୍ତି। କିଛି ଲୋକଙ୍କ ପାଇଁ ଏହା ଦେଶର ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରେରଣା ହୋଇଥିବା ବେଳେ, ଖୁବ‌୍‍ କମ‌୍‍ ଲୋକ ଜାଣନ୍ତି ଯେ ଡଃ କେଶବ ବଳିରାମ ହେଡଗେୱାର ନାମରେ ପରିଚିତ ଜଣେ ବ୍ୟକ୍ତି ୯୨ ବର୍ଷ ପୂର୍ବେ ଏହି ସଂଗଠନ ଆରଏସ‌୍‍ଏସକୁ ସ୍ଥାପନ କରିଥିଲେ।

 

ଡଃ ହେଡଗେୱାର ହେଉଛନ୍ତି ଏପରି ଜଣେ ବ୍ୟକ୍ତି ଯିଏକି ଦେଶର ଇତିହାସ ଏବଂ  ଏହାର ରାଜନୈତିକ ଭାଗ୍ୟ ଉପରେ ଗଭୀର ଛାପ ଛାଡିଯାଇଛନ୍ତି। ସେ ଏପରି ଏକ ସଂଗଠନ ସ୍ଥାପନ କରି ଯାଇଛନ୍ତି,  ଯାହାକି ବିଶ୍ୱର ସବୁଠୁ ବଡ ଓ ସବୁଠୁ ସ୍ଥାୟୀ ଏବଂ ବୈଚାରିକ ରୂପରେ ସବୁଠୁ ଭିନ୍ନ ଓ ଅନନ୍ୟ। ସମାଜର ଉଚ୍ଚବର୍ଗ ଏହି ସଂଗଠନକୁ ଆପଣେଇ ଥିବା ବେଳେ ସାଧାରଣ ଜନତା ଏଥି ପ୍ରତି ଅଜଣା ରହିଯାଇଛନ୍ତି। ହେଡଗେୱାର ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ ଯିଏକି ସ୍ୱୟଂକୁ ସମସ୍ତଙ୍କ ସମ୍ମୁଖରେ ରଖିବା ପରିବର୍ତ୍ତେ ନିଜ କାର୍ଯ୍ୟକ୍ରମ ଜରିଆରେ ନିଜ ଭାବନାକୁ ରଖୁଥିଲେ। ସେ ଆରଏସଏସ‌୍‍ ନାମରେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂସ୍ଥାପକ ଥିଲେ। ୧୯୪୦ରେ ତାଙ୍କର ପରଲୋକ ପର୍ଯ୍ୟନ୍ତ ଏହାର ସଂଚାଳନ ( ପ୍ରମୁଖ ) ଭାବେ ସେ ୧୫ ବର୍ଷ ଧରି ଏହି ସଂଗଠନର ନେତୃତ୍ୱ ନେଇ ଆସିଥିଲେ। ସେ ଗୁରୁଜୀ ଏମଏସ‌୍‍ ଗୋଲଓ୍ୱାଲକରଙ୍କୁ ନିଜର ଉତ୍ତରାଧିକାରୀ ରୂପେ ନିଯୁକ୍ତି ଦେଇଥିଲେ ଏବଂ ଗୋଲଓ୍ୱାଲକର ପରବର୍ତ୍ତୀ ତିନିଦଶକ ପର୍ଯ୍ୟନ୍ତ ଆରଏସ‌୍‍ଏସ‌୍‍ ସଂଗଠନକୁ ଦେଶର ପ୍ରତିଟି କୋଣକୁ ସଂପ୍ରସାରିତ କରିପାରିଥିଲେ।

 

ଡଃ ହେଡଗେୱାର ସକ୍ରୀୟ ଜୀବନ ଯାପନ କରିଥିଲେ। ପିଲାବେଳୁ ସେ ଜଣେ ଦେଶଭକ୍ତ ଥିଲେ। ସେ  ବ୍ରିଟିଶ ସାମ୍ରାଜ୍ୟବାଦକୁ ଖୋଲାଖୋଲି ନିନ୍ଦା ଓ ସମାଲୋଚନା କରୁଥିଲେ। କିଶୋର ଅବସ୍ଥାରେ ପହଂଚିବା ପୂର୍ବରୁ ମଧ୍ୟ ସେ ମହାରାଣୀ ଭିକ୍ଟୋରିଆଙ୍କ  ହୀରକ ଜୟନ୍ତୀ  ଏବଂ ଷଷ୍ଠ ଏଡୱାର୍ଡଙ୍କ ରାଜ୍ୟାଭିଷେକ ସମାରୋହକୁ ବର୍ଜନ କରିଥିଲେ। ଜଣେ ବିପ୍ଳବୀ ଓ କ୍ରାନ୍ତିକାରୀ  ଯୁବକ ରୂପେ ସେ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ  ଏହାର ସଂଘୀୟ ସଚିବ ହୋଇ ପାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ନିରାଶ ହୋଇ କଂଗ୍ରେସ ଛାଡିଥିଲେ। ପରେ ସେ ନିଜର ସଂଗଠନ ଆରମ୍ଭ କରିଥିଲେ ଏବଂ ୫୧ ବର୍ଷ ବୟସରେ ପ୍ରାଣତ୍ୟାଗ କରିବା ପର୍ଯ୍ୟନ୍ତ ସେ ଦେଶବ୍ୟାପୀ ଦେଶଭକ୍ତିର ସମାନ ଚିନ୍ତାଧାରାଥିବା ଏକ ପିଢି ତିଆରି କରିଥିଲେ। ସେ ଶାନ୍ତିରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ, ଅନାବଶ୍ୟକ ପ୍ରଚାର ଦ୍ୱାରା ତାଙ୍କର ଉଦ୍ଦେଶ୍ୟ ଲକ୍ଷ୍ୟଚ୍ୟୁତ ହୋଇଯିବ। ତେଣୁ ସେ ପ୍ରଚାରଠାରୁ ଦୂରରେ ରହୁଥିଲେ।

 

ସେ ଲୋକମାନ୍ୟ ବାଲ ଗଂଗାଧର ତିଲକ ଏବଂ କଂଗ୍ରେସ ନେତା ଡଃ ମୋନଜୀଙ୍କର ଖୁବ ଘନିଷ୍ଠ ଥିଲେ। ସେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଦେଶର ଭବିଷ୍ୟତ ରାଜନୀତି ଉପରେ ମଧ୍ୟ  ଆଲୋଚନା କରିଥିଲେ। ୧୯୩୪ରେ ୱାର୍ଦ୍ଧାରେ ଆୟୋଜିତ ଆରଏସ‌୍‍ଏସର ଏକ ସମାରୋହରେ ତାଙ୍କ ସହ ମଂଚରେ ମଧ୍ୟ ବସିଥିଲେ। ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମଧ୍ୟ ଖୁବ ଘନିଷ୍ଠ ଥିଲେ। ସେ ଅନେକ ବୈଠକରେ ସଂଘ ଜରିଆରେ କିପରି ଦେଶର ସେବା କରିହେବ, ସେ ସଂପର୍କରେ ଅବଗତ କରାଇଥିଲେ। ସେ ଦେଶର ଅଧିକାଂଶ ଲୋକପ୍ରୀୟ ନେତୃତ୍ବଙ୍କ ସହ ସଂପର୍କ ରଖି ୧୯୨୦ରେ ନାଗପୁର କଂଗ୍ରେସ ଅଧିବେଶନରେ ଗାନ୍ଧିଜୀଙ୍କ ସହମତିରେ କଂଗ୍ରେସ ଏଜେଣ୍ଡାରେ ଗୋରକ୍ଷାକୁ ସାମିଲ କରିପାରିଥିଲେ। କିନ୍ତୁ ଡଃ ହେଡଗେୱାର ସଂବାଦପତ୍ରରେ ସ୍ଥାନ ପାଇପାରି ନଥିଲେ।

 

ଡଃ ହେଡଗେୱାର ଜଣେ ରାଷ୍ଟ୍ର ନିର୍ମାତା, ଦୂରଦର୍ଶୀ, ଚିନ୍ତାଶୀଳ ଏବଂ ମଣିଷର ମନକୁ ଛୁଇଁବାରେ ପ୍ରବୀଣ ବ୍ୟକ୍ତିତ୍ୱଥିଲେ। ଭାରତୀୟ ନବବର୍ଷ ପ୍ରତିପଦା ଦିନ ଅର୍ଥାତ‌୍‍ ୧୮୮୯ ମସିହା  ଏପ୍ରିଲ ୧ରେ ତାଙ୍କ ଜନ୍ମ ଦିନରେ ଏହି ଦିବସକୁ ଏକ ନୂଆ ଅର୍ଥ ମିଳିପାରିଥିଲା। ସେ ୧୯୨୫ ମସିହା ବିଜୟାଦଶମୀ ଦିନ ଆରଏସ‌୍‍ଏସ‌୍‍ ଗଠନ କରିଥିଲେ। ସେତେବେଳେ ଡଃ ହେଡଗେୱାରଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା। ତାଙ୍କର ଜନ୍ମ ନାଗପୁରରେ ହୋଇଥିଲା ଏବଂ ସେ ତାଙ୍କ ପିତାମାତାଙ୍କର ପଂଚମ ସନ୍ତାନ ଥିଲେ। ସେ ଜଣେ ପ୍ରତିଭା ସଂପନ୍ନ  ଛାତ୍ରରୂପେ ଏଲଏମ‌୍‍ଏସ‌୍‍ ଡିଗ୍ରୀ ହାସଲ କରି ପାରିଥିଲେ। ସେ ମେଡିକାଲ ପ୍ରାକଟିସ ଆରମ୍ଭ କରିପାରିଥାନ୍ତେ, ମାତ୍ର ସେ ସାଧାରଣ ଜୀବନକୁ ଆପଣେଇ ଆଜୀବନ ଅବିବାହିତ ରହିଥିଲେ। ନିଜ ଦ୍ୱାରା ସ୍ଥାପିତ ସଂଗଠନର ପ୍ରଚାର ପ୍ରସାର ପାଇଁ କାମ କରିଥିଲେ। ଆରଏସ‌୍‍ଏସ‌୍‍ ନେତା ସ୍ୱର୍ଗୀୟ ଏଚ‌୍‍ଭି ଶେଷାଦ୍ରୀ ୧୯୮୮ରେ ‘ ଆର‌୍‍ଏସ‌୍‍ଏସ‌୍‍: ଏ ଭିଜନ‌୍‍ ଇନ‌୍‍ ଆକ୍ସନ‌୍‍’ ନାମକ ଏକ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକରେ ଶେଷାଦ୍ରୀ ସ୍ୱାଧୀନତାର ଭାବନା ବଜାୟ ରଖିବା ଏବଂ ରାଷ୍ଟ୍ରୀୟ ଏକତା ପାଇଁ ଆନ୍ତରିକ ଚ୍ୟାଲେଞ୍ଜର ମୁକାବିଲା କରିବା ଏହାର ସମାଧାନ, ସାମାଜିକ ସଦଭାବ ନ୍ୟାୟ ପାଇଁ ପ୍ରୟାସ କରିବା, ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ଲୋକଙ୍କୁ ସହାୟତା କାରିବା, ରାଷ୍ଟ୍ରୀୟ ମନୋଭାବ ଦୃଢ କରିବା, ପ୍ରଲୋଭନ ଜରିଆରେ ଧର୍ମ ପରିବର୍ତ୍ତନ ଉଦ୍ୟମକୁ ରୋକିବା ଏବଂ ରାଷ୍ଟ୍ରବାଦୀ ମୂଲ୍ୟ ଆଧାରିତ ଶିକ୍ଷା ତଥା ଚରିତ୍ର ନିର୍ମାଣରେ ସହାୟକ ସଂପର୍କୀତ ଆରଏସ‌୍‍ଏସ‌୍‍ କାର୍ଯ୍ୟ ସଂପର୍କରେ ଉଲ୍ଲେଖ କରିଛନ୍ତି। ଏହି ସବୁ ଲକ୍ଷ୍ୟ ହାସଲ ପାଇଁ ଆରଏସ‌୍‍ଏସ‌୍‍ ରାଜନୀତିକୁ ଏକ ଶକ୍ତିରୂପେ ସ୍ୱୀକାର କରେ।

 

ଡଃ  ହେଡଗେୱାରଙ୍କ ଦ୍ୱାରା ସଂଗଠନ ସ୍ଥାପନ ହେବାର ୯ ଦଶକ ମଧ୍ୟରେ ଜାତୀୟ ଜୀବନର ସବୁ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୬୦ଟି ସହଯୋଗୀ ସଂଗଠନ ଗୁଡିକ ମଧ୍ୟରେ ଏହା  ସବୁଠୁ ବଡ ବେସରକାରୀ ସଂସ୍ଥା ହୋଇ ପାରିଛି। ହେଡଗେୱାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନାର ଶାଖା ଶାସକ ଦଳର ୧୧ କୋଟି ସଦସ୍ୟ ଅଛନ୍ତି। 

 

ଡଃ ହେଡଗେୱାର ନିଜ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଧନ ବଳ କିମ୍ୱା ପଦ ପଦବୀରେ  ବିଶ୍ୱାସ କରୁନଥିଲେ। କିନ୍ତୁ ସେ ନିଜ ସଂଗଠନର ବୈଚାରିକ  ନମନୀୟତାର ପରୀକ୍ଷା ପାଇଁ ନେତାଜୀ, ତିଲକ ଏବଂ ଗାନ୍ଧିଜୀଙ୍କ ପରି ଜାତୀୟ ସ୍ତରର ନେତାଙ୍କ ସଦଭାବନା ଓ ଆଶୀର୍ବାଦ ଉପରେ ବିଶ୍ୱାସ ରଖିଥିଲେ। ସେଥିପାଇଁ ସେ ୧୯୨୮ ମସିହାରେ ନାଗପୁର ଠାରେ ମୋହିତ ୱାଡେ ଶାଖାର ସଂଘ କର୍ମକର୍ତାଙ୍କୁ ଉଦବୋଧନ ଦେବା ପାଇଁ  ବଲ୍ଲଭଭାଇ ପଟେଲଙ୍କୁ  ଆମନ୍ତ୍ରଣ କରିଥିଲେ। ସେହି ବର୍ଷ ଡଃ ବିଆର ଆମ୍ୱେଦକର ପୁଣେର ସଂଘ ଶାଖାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୁଇ ନେତା ଡଃ ଆମ୍ୱେଦକରଙ୍କ ଦ୍ୱାରା କରାଯାଉଥିବା ମହାନ କାର୍ଯ୍ୟର ପ୍ରଶଂସା କରିଥିଲେ। ୧୯୩୪ ମସିହା ଡିସେମ୍ୱର ୨୪ରେ ଗାନ୍ଧୀଜୀ ୱାର୍ଦ୍ଧା କ୍ୟାମ୍ପ ଗସ୍ତ କରିବା ସହ ସଂଘ ପକ୍ଷରୁ ସାମାଜିକ ସଦଭାଗ ଓ ଜାତିବାଦ ଦୂର ପାଇଁ କରାଯାଉଥିବା କାର୍ଯ୍ୟର ଢେର ପ୍ରଶଂସା କରିଥିଲେ ଏବଂ ପ୍ରଭାବିତ ମଧ୍ୟ ହୋଇଥିଲେ। ଏହି ଗସ୍ତ କାଳରେ ଡଃ ହେଡଗେୱାର ଗାନ୍ଧୀଜୀଙ୍କ ସହ ଦୀର୍ଘ ଆଲୋଚନା କରିଥିଲେ। ଅସହଯୋଗ ଆନ୍ଦୋଳନ, ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେବା ସହ ଗୋହତ୍ୟା ବିରୋଧୀ ପ୍ରଦର୍ଶନ ପାଇଁ ଡଃ ହେଡଗେୱାର ତିନି ଥର ଜେଲ ଯାଇଥିଲେ। ଜେଲ  ରହଣୀକାଳ ମଧ୍ୟରେ ସେ ଜେଲରେ ଥିବା ରାଜନୈତିକ ବନ୍ଦୀମାନଙ୍କ ମଧ୍ୟରେ ଆରଏସ‌୍‍ଏସ‌୍‍ର ବାର୍ତ୍ତା ପ୍ରଚାର କରିଥିଲେ।

 

୧୯୩୯ ଓ  ୧୯୪୦ ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡଃ ହେଡଗେୱାର ସହ ସଂପର୍କରେ ଥିଲେ। ଡଃ ହେଡଗେୱାରଙ୍କ ପରଲୋକର ଦୁଇଦିନ ପୂର୍ବରୁ ଅର୍ଥାତ‌୍‍ ଜୁନ ୧୯ରେ ନେତାଜୀ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ତେବେ ଦୁଇ ଜଣଙ୍କ  ମଧ୍ୟରେ କଥାବାର୍ତ୍ତା ହୋଇ ପାରିନଥିଲା, କାରଣ ସେତେବେଳକୁ ଡଃ ହେଡଗେୱାର ଖୁବ‌୍‍ ଅସୁସ୍ଥ ଅବସ୍ଥାରେ ଥିଲେ। ୧୯୪୦ ଜୁନ ୨୧ରେ ଡଃ ହେଡଗେୱାରଙ୍କ ପରଲୋକ ଘଟିଥିଲା।

 

ସଂଘ ପ୍ରତିଷ୍ଠା କରିବା ପରେ ଡଃ ହେଡଗେୱାର ବିଶ୍ରାମ କଥା ଭୁଲି ଯାଇଥିଲେ। ସେ ୧୯୨୫ ବିଜୟାଦଶମୀ ଦିନ ସମାନ ଚିନ୍ତାଧାରା ସଂପନ୍ନ କିଛି ଯୁବକଙ୍କ ସହ ସଂଘର ଶୁଭାରମ୍ଭ କରିଥିଲେ। ସେମାନେ ମାତୃଭୂମିର ଆରାଧନା କରି ଭାରତ ମାତାର ସୁରକ୍ଷା ତଥା ମର୍ଯ୍ୟାଦା ରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। କିଛି ବର୍ଷ ଧରି ଶୁଭ ଚିନ୍ତକ ଓ ସମର୍ଥକମାନଙ୍କ ଘରେ ସଂଘ କାର୍ଯ୍ୟ ଚାଲିଥିଲା। ସଂଘ କେବେ ମଧ୍ୟ ନିଜ ପାଇଁ ଅର୍ଥ ସଂଗ୍ରହ କରି ନଥିଲା। ଏହାର ସମର୍ଥକ ଓ ସହଯୋଗୀମାନଙ୍କ େସ୍ୱଚ୍ଛାକୃତ କାର୍ଯ୍ୟ ଥିଲା ଡଃ ହେଡଗେୱାରଙ୍କ ଦର୍ଶନର ମୂଳ ବଳିଦାନ।

 

ଲୋକମାନଙ୍କ ସହ ସଂଶ୍ଳିଷ୍ଟ ରହି କାର୍ଯ୍ୟ କରିବା ତଥା ଅନନ୍ୟ ଓ ସକ୍ରୀୟ କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ଡଃ ହେଡଗେୱାରଙ୍କ ଉଦ୍ଦେଶ୍ୟ ଥିଲା। ରାଷ୍ଟ୍ରହିତ ପାଇଁ ସେ ନିଜର ଫାଇଦା ଓ ଆରାମକୁ ଭୁଲି ଯାଇଥିଲେ। ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସେ ଥିଲେ କୁଶଳୀ ରଣନୀତିକାର। ଏହା  ହିଁ ଥିଲା ତାଙ୍କ ସଫଳ ଅଭିଯାନର ରହସ୍ୟ। ଆଗାମୀ ପୀଢି ତାଙ୍କୁ  ସବୁଠୁ ବଡ ଦେଶଭକ୍ତ ଓ ସମସ୍ତଙ୍କୁ ଏକଜୁଟ କରିପାରୁଥିବା ବ୍ୟକ୍ତି ରୂପେ ମନେ ରଖିବେ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top