ବାରୁଦଗଦାରେ ପାରାଦୀପ

News Story - Posted on 2017-04-27

ମାୟାଧର ନାୟକ

 

ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେଲା ଦିନଠୁଁ ଆଜି ପର୍ଯ୍ୟନ୍ତ ଅନେକ ଥର ସେ ସ୍ଥାନକୁ ଯାଇଛି। ଛାତ୍ର ଜୀବନରେ ପାରାଦ୍ବୀପ ମୋ ପାଇଁ ଏକ ଦର୍ଶନୀୟ ସ୍ଥାନ ଥିଲା। ଶ୍ରମିକ ରାଜନୀତି ପାଇଁ ପାରାଦ୍ବୀପ ବନ୍ଦର ଇଲାକାକୁ ପ୍ରାୟ ପ୍ରତିବର୍ଷ ଅନେକ ସମୟରେ ଯାଇ ଶ୍ରମିକ କର୍ମଚାରୀମାନଙ୍କ ଗହଣରେ କଟାଇଛି। ସେଠାରେ ଶ୍ରମିକ-କର୍ମଚାରୀମାନେ ଅନ୍ୟମାନଙ୍କ ଅପେକ୍ଷା ଭଲ ରୋଜଗାର କରନ୍ତି। କିଛି ଶ୍ରମିକ କମ୍ ରୋଜଗାରରେ ପଡ଼ି ରହିଛନ୍ତି। ସବୁଠିଁ ଯେମିତି ମାଲିକମାନେ ଶ୍ରମିକ କର୍ମଚାରୀ ହକ୍ ପ୍ରାପ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ନ କରନ୍ତି, ସେଥିରୁ ପାରାଦ୍ବୀପ ଶିଳ୍ପାଞ୍ଚଳ ବାଦ୍ ପଡ଼ିନି।

 

ବିଜୁବାବୁଙ୍କ ମାନସପୁତ୍ର ପାରାଦ୍ବୀପ ବନ୍ଦର। ବିଜୁବାବୁ ଶିଳ୍ପପତି ଥିଲେ। ତାଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଦଇତାରୀ ଲୁହାଖଣିରୁ କଞ୍ଚାମାଲ ପାରାଦ୍ବୀପ ବନ୍ଦରକୁ ଟ୍ରକରେ ପରିବହନ କରିବାକୁ ଏକ୍ସପ୍ରେସ୍ ହାଇୱେ କରିଥିଲେ। ସେତେବେଳେ ଦଇତାରୀରୁ ପାରାଦ୍ବୀପ ପର୍ଯ୍ୟନ୍ତ ଏକ୍ସପ୍ରେସ୍ ହାଇୱେ ପାଇଁ ଯେଉଁ ସବୁ ଜମି ଆବଶ୍ୟକ ହେଉଥିଲା ତାହା କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ଚାଷଜମି ଥିଲା। ସରକାରୀ ଜମି କମ୍ ଥିଲା। ଇଂଜିନିୟରମାନେ ଦଇତାରୀରୁ ପାରାଦ୍ବୀପ ରାସ୍ତା ପାଇଁ ଅଙ୍କାବଙ୍କା ନକ୍ସା ପ୍ରସ୍ତୁତ କରିଥିଲେ। ବିଜୁବାବୁ ନକ୍ସାରେ ଦଇତାରୀରୁ ପାରାଦ୍ବୀପ ସିଧା ଗାର ଟାଣିଦେଲେ। ବହୁ ଚାଷୀଙ୍କ ଜମି ଗଲା। ପ୍ରତିବାଦ ଆନ୍ଦୋଳନ ମଧ୍ୟ ହେଲା। ରାସ୍ତା ନିର୍ମାଣ ବେଳେ ଏବଂ ଗାଡ଼ି ଚାଲିଲା ବେଳେ ବହୁ ଲୋକ ଏପରିକି କେତେ କିଶୋର ଶିଶୁ ଦୁର୍ଘଟଣାରେ, ମୃତ୍ୟୁମୁଖରେ ପଡ଼ିଲେ। ରାଜ୍ୟ ତଥା ଦେଶର ବୃହତ୍ତର ସ୍ବାର୍ଥ ପାଇଁ ବିଜୁବାବୁ ସବୁ ଦୋଷ ମୁଣ୍ଡକୁ ନେଲେ।

 

ସେଇ ପାରାଦ୍ବୀପ ବନ୍ଦର ଆଜି ଦେଶର ଏକ ପ୍ରମୁଖ ବନ୍ଦର ଭାବେ ମୁଣ୍ଡ ଟେକିଛି। ଖଣିଜ ପଦାର୍ଥଥ ଓ ଅନ୍ୟାନ୍ୟ ଉତ୍ପାଦିତ ଦ୍ରବ୍ୟ ଦେଶବିଦେଶକୁ ରପ୍ତାନୀ ଆମଦାନୀ କରାଯାଉଛି। ଦେଶ ଓ ରାଜ୍ୟର ରାଜସ୍ବ ମିଳିବା ସଙ୍ଗେ ସଙ୍ଗେ ହଜାର ହଜାର ଶ୍ରମିକ କର୍ମଚାରୀ, ଜନସାଧାରଣ, ବ୍ୟବସାୟୀ ସଂସ୍ଥା ଉପକୃତ ହେଉଛନ୍ତି।

 

ଏଇ କେତେବର୍ଷ ମଧ୍ୟରେ ପାରାଦ୍ବୀପ ଅଞ୍ଚଳରେ କାରଖାନା ମାଳମାଳ ଖୁନ୍ଦାଖୁନ୍ଦି ହୋଇ ଗଢ଼ି ଉଠିଛି। ଏସାର୍ ଷ୍ଟିଲ୍ ପ୍ଲାଣ୍ଟ୍ ଯାହାର ଟେମ୍ପରେଚର୍ 75 ଡିଗ୍ରୀ ଆବଶ୍ୟକ, ପୁଣି ଇଫକୋ ସାର କାରାଖାନାର 17 ଡିଗ୍ରୀ, ତା’ ପଛକୁ ବିୟର ଫ୍ୟାକ୍ଟ୍ରି। ଠିକ୍ ବାଁ ପଟକୁ ପାରାଦ୍ବୀପ ପୋର୍ଟର କୋଇଲା ଡିପୁ, ଅଠରବାଙ୍କରୁ ରେଳଷ୍ଟେସନ୍ ପାର୍ଶ୍ବରେ କାରଗିଲ୍ କାରଖାନା। ଠିକ୍ କାରଗିଲ ଦକ୍ଷିଣ ପାର୍ଶ୍ବରେ ଦୁଇଟି କାରବନ୍ ଫ୍ୟାକ୍ଟ୍ରି। ସିଧା ରେଳଷ୍ଟେସନ୍ ପାଖାପାଖି ଏଚ୍.ପି., ବି.ପି., ଆଇ.ଓ.ସି.ଏଲ୍. ଫିଲଟେଡ୍ ଅଏଲ୍, ପେଟ୍ରୋଲ, ଡିଜେଲ, କିରୋସିନି ଟାଙ୍କି, ଏହାର ପଛପଟେ କମ୍ପାଉଣ୍ଡ ୱାଲକୁ ଲାଗି ଗ୍ୟାସ୍ ଟମିର୍ନାଲ୍ ଏବଂ ଠିକ୍ ତା’ର ବାଁ ପାଖରେ ପି.ପି.ଏଲ। ପିପିଏଲ୍ କମ୍ପାଉଣ୍ଡ୍ ୱଲ୍ ଆଇଓସିଏଲରେ 89ଟି କ୍ରୁଇଡ୍ ଅଏଲ୍ ପାଇଁ ଟାଙ୍କି ହୋଇସାରିଛି। ଆଇ.ଓ.ସି.ଏଲ୍. କମ୍ପାଉଣ୍ଡ୍ ୱାଲକୁ ଲାଗି ପୋସ୍କୋ କାରଖାନା ପାଇଁ ସ୍ଥାନ ନିରୂପଣ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ଏହି କାରଖାନା ନିର୍ମାଣ ପାଇଁ ସହଯୋଗ ଘୋଷଣା କରିଥିଲେ। ତେବେ ଏହି ପ୍ରକଳ୍ପ ଏବେ ଆପାତତଃ ବନ୍ଦ। ପୁଣି ଆଉ କେତେକ ଆନୁଷଙ୍ଗିକ ଶିଳ୍ପର ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଗୋଡ଼ ଟେକି ବସିଛନ୍ତି। ସବୁ ଶିଳ୍ପ ଖୁନ୍ଦାଖୁନ୍ଦି ହୋଇ ଗଢ଼ିଉଠିଛି। ବାରୁଦ ଗଦାରେ ପାରାଦ୍ବୀପ ଠିଆ ହୋଇଛି।

 

ପାରାଦ୍ବୀପ ଶିଳ୍ପାଞ୍ଚଳରେ ଜଳବାୟୁ, ପବନ ପ୍ରାୟ ଦୂଷିତୟ ପୁଣି ସୁକିନ୍ଦା, ଦଇତାରୀ, ଯୋଡ଼ା, ବଡ଼ବିଲ ଅଞ୍ଚଳରୁ ଟ୍ରେନରେ, ଟ୍ରକରେ କ୍ରୋମାଇଟ୍, ଲୁହାପଥର ବୁହାଚାଲିଛି। 2000ରୁ 2010 ମଧ୍ୟରେ ପ୍ରତିଦିନ ପ୍ରାୟ 25 ହଜାର ଟ୍ରକରେ ଖଣିଜ ପଦାର୍ଥ ବୁହାହୋଇ ଅନଲୋଡିଂ ହେବାପାଇଁ ଦିନଦିନ ଏକ୍ସପ୍ରେସ୍ ହାଇୱେରେ ଛିଡ଼ା ହୋଇଥାନ୍ତି। ଏବେ ଖୁବ୍ କମ୍ କଞ୍ଚାମାଲ୍ ଗାଡ଼ିରେ ଆସୁଛି। ପୁଣି ତାଳଚେର ଅଞ୍ଚଳରୁ ମଧ୍ୟ କୋଇଲା ପାରାଦ୍ବୀପ ଆସୁଛି। ପାରାଦ୍ବୀପ ଶିଳ୍ପାଞ୍ଚଳ ଆକାଶ ସବୁବେଳେ ଧୂଳିମୟ। ଏଠାରେ ଦକ୍ଷିଣା ପବନ ଆଠମାସ ଏବଂ ଉତ୍ତରାପବନ ଦୁଇ ମାସ। ବାକି ପୂର୍ବ-ପଶ୍ଚିମ ଉତ୍ତରା-ଦକ୍ଷିଣା ପବନ ମିଶାମିଶି ଦୁଇ ମାସ ହୁଏ। କୋଇଲା, କ୍ରୋମାଇଟ୍, ଲୁହାପଥର ଗୁଣ୍ଡ ଉଡ଼ିବା ସଂଗେସଂଗେ ଗାଡ଼ିମଟର ଯାତାୟାତ ଜନିତ ଧୂଳି ମିଶି ଜୀବଜନ୍ତୁଙ୍କ ନିଃଶ୍ବାସ ପ୍ରଶ୍ବାସରେ ପ୍ରବେଶ କରେ। ପାରାଦ୍ବୀପ ଅଞ୍ଚଳରେ ବସବାସ କରୁଥିବା ଏବଂ କାର୍ଯ୍ୟରତ ଲୋକମାନଙ୍କୁ ପ୍ରଦୂଷିତ ପରିବେଶ ଅଣନିଃଶ୍ବାସୀ କରିଦେବା ସଂଗେସଂଗେ ନାନାପ୍ରକାର ରୋଗ ମଧ୍ୟ ଆକ୍ରମଣ କରୁଛି। ଅଧିକାଂଶ ଲୋକ ଟଙ୍କା ପଛରେ ଗୋଡ଼ାଇ ଗୋଡ଼ାଇ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାଁନ୍ତି। ପୁଣି ଅଧିକାଂଶ ଶ୍ରମିକ-କର୍ମଚାରୀ, ସାଧାରଣ ଲୋକ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନରେ ଅଭ୍ୟସ୍ତ ହୋଇପିଥିବାରୁ ସେମାନଙ୍କ ଚେହେରାରେ ଉଜ୍ଜ୍ବଳତା କମିଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସଙ୍କଟ ଉପୁଜିସାରିଛି।

 

ପାରାଦ୍ବୀପ ବନ୍ଦର ଓ ଶିଳ୍ପାଞ୍ଚଳରେ ଯେଉଁଠି ଆଖିବୁଜି ଟେକାଟେ ପକାଇବ, ସେ ଟେକା ଯାଇ କୌଣସି ନା କୌଣସି ଶ୍ରମିକ କର୍ମଚାରୀ ଅଫିସରଙ୍କ ମୁଣ୍ଡରେ ବାଜିବ। ଅର୍ଥାତ୍ ଶ୍ରମିକ କର୍ମଚାରୀ ପରିବାରଙ୍କ ସଂଖ୍ୟା ଶତକଡ଼ା ନବେ ଭାଗ ହେବ। ସମସ୍ତଙ୍କ ପାଇଁ ବାସଗୃହ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟସେବା ନାହିଁ। ଅବଶ୍ୟ ଅପର୍ଯ୍ୟାପ୍ତ ସମୁଦ୍ର ମାଛ, ଶୁଖୁଆ ଅଛି ଏବଂ ସବୁଠି ନିଶାଦ୍ରବ୍ୟ ମିଳୁଛି।

 

ଯେହେତୁ ଆମେ ଜଣେ ଶ୍ରମିକ ନେତା ତାଲିକାରେ ବହୁଦିନରୁ ଗଣା ହୋଇ ଆସୁଛୁ, ଥରେ ଜଣେ ଶ୍ରମିକ ନେତାଙ୍କୁ ପଚାରିଲି - ଏଠି ଶ୍ରମିକ କର୍ମଚାରୀମାନଙ୍କ ଅସୁବିଧା କ’ଣ ?

ସେ କହିଲେ, ଏଠି ସବୁ ସୁବିଧା। ଏତେ ସୁବିଧା ଯେ ଅଧିକାଂଶ ଗାଡ଼ିରୁ ଖସି ପଡ଼ୁଛନ୍ତି। ଅବଶ୍ୟ ଏହା ତାଙ୍କର ନିଶାସକ୍ତ ଶ୍ରମିକ-କର୍ମଚାରୀମାନଙ୍କ ପ୍ରତି ଇଙ୍ଗିତ ଥିଲା।

 

ବିଭିନ୍ନ ଶିଳ୍ପର ଶ୍ରମିକ କର୍ମଚାରୀମାନଙ୍କ ସହ ଆଲୋଚନା କରି ଯାହା ଜାଣିଲି - ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯାହାକିଛି ସୁବିଧା ସୁଯୋଗ ଅଛି - ସେସବୁ ପାଇଁ ଶ୍ରମ ଆଇନ ଲାଗୁ କରାଯାଏନା। କେବଳ କେତେକ ସରକାରୀ ପରିଚାଳିତ ସଂସ୍ଥାରେ ଆଇନ ଲାଗୁ କରିବାକୁ ବାଧ୍ୟ। ସମସ୍ତ ଆଇନ ଲାଗୁ କରିବା ପାଇଁ ପ୍ରଥମତଃ ସେଠାରେ ଥିବା ପାଖାପାଖି ଦଶଟି ଟ୍ରେଡ୍ ୟୁନିୟନର ଦାୟିତ୍ବ। କମ୍ପାନୀମାନେ ମଧ୍ୟ ନିଜ ପକ୍ଷରୁ ସବୁ ଶ୍ରମ ଆଇନ ମାନିବା ଉଚିତ। କିନ୍ତୁ ଯେଉଁ ଆଇନ ବଳରେ କମ୍ପାନୀମାନେ ଶ୍ରମିକ କର୍ମଚାରୀମାନଙ୍କୁ ଅର୍ଥ ଦେବାକୁ ହେବ - ସେମାନେ ବଡ଼ କୌଶଳରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି କିମ୍ବା ଧରାଧରି କରି, ଲାଞ୍ଚ ଦେଇ ଖସିଯାଆନ୍ତି। ବର୍ଷ ବର୍ଷ ଧରି ଶ୍ରମିକମାନଙ୍କ ହକ୍ ପ୍ରାପ୍ୟକୁ କିଛି ମାଲିକ ଓ ସିଆଣିଆମାନେ ଚଳୁ କରୁଛନ୍ତି। ଶ୍ରମିକମାନେ ମଧ୍ୟ ସଚେତନ ହେଇନାହାଁନ୍ତି କି ଅନ୍ୟାୟ, ଅତ୍ୟାଚାର, ଶୋଷଣ ବିରୁଦ୍ଧରେ ଆନ୍ଦୋଳନ କରୁନାହାଁନ୍ତି। ଯଦି କିଏ ଅର୍ଥନୈତିକ ସୁବିଧାବାଦର କଥା କହିଲା, ଶ୍ରମିକ କର୍ମଚାରୀମାନେ ଡିଆଁଡିଇଁ କରି ଏ ଦଳରୁ ସେ ଦଳକୁ, ଏ ୟୁନିୟନରୁ ସେ ୟୁନିୟନକୁ ଧାଉଁଛନ୍ତି। ଯାହାର ସମସ୍ତ ଫାଇଦା ପରିଚାଳନା କର୍ତ୍ତୃପକ୍ଷ ନେଉଛନ୍ତି। କେବେ ଶ୍ରମଜୀବୀ ଶ୍ରେଣୀ ସଚେତନ ହେବେ?

 

ବିଶେଷ କରି ଟ୍ରକ ବା ଟ୍ରେନରେ ଆସୁଥିବା ବୋଝେଇ ବା ଖଲାସ କରିବା ପାଇଁ 816 ଗ୍ରୁପ୍, 545 ଗ୍ରୁପ୍, 332 ଗ୍ରୁପ୍, 125 ଗ୍ରୁପ୍ ଓ ଜି.ପି.ଏମ୍. ଲେବର୍ ନାମରେ ବିଭକ୍ତ କରାଯାଇ ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିଦିଆଯାଉଛି। 40 ବର୍ଷ ଧରି ବନ୍ଦରର ପଣ୍ୟ ପରିବହନରେ କାମ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନାହିଁ। ଯେକୌଣସି ଫାର୍ମରେ ଜଣେ 90 ଦିନ କାମ କଲେ ସ୍ଥାୟୀ ହେବା ନିୟମ ଅଛି। ଏବେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିଦ୍ଦେର୍ଶାନୁଯାୟୀ 10 ବର୍ଷ ଠିକା କାମରେ ନିଯୁକ୍ତ ଶ୍ରମିକମାନେ ସ୍ଥାୟୀ ଶ୍ରମିକ ହେବେ। ଆଇନ କାନୁନ କୋର୍ଟ ନିର୍ଦ୍ଦେଶକୁ ମାନୁଛି କିଏ? ଆଇନ ଭଙ୍ଗକାରୀଙ୍କୁ ଯେହେତୁ କୌଣସି ଆଖିଦୃଶିଆ ଦଣ୍ଡ ହେଉନି। ତେଣୁ ଶ୍ରମଜୀବୀ ଶ୍ରେଣୀଙ୍କ ଭାଗ୍ୟ ସବୁବେଳେ ସୂତାଖିଅରେ ଝୁଲୁଛି। ଯାହା ତ ହେବାର ହୋଇଗଲାଣି, ଏବେଠୁ ଶ୍ରମିକ ସଙ୍ଗଠନ, ଶ୍ରମିକ କର୍ମଚାରୀମାନେ ସଚେତନ ହୋଇ ଆପଣାର ଗଣତାନ୍ତ୍ରିକ ଅଧିକାର, ହକ୍ ପ୍ରାପ୍ୟ ହାସଲ ପାଇଁ ସଚ୍ଚା ନେତୃତ୍ବ ଓ ରାସ୍ତାରେ ଐକ୍ୟବଦ୍ଧ ହେବାର ସମୟ ପହଞ୍ଚିଯାଇଛି।

 

ପାରାଦ୍ବୀପ ଶିଳ୍ପାଞ୍ଚଳରେ ଅନେକ ନେତା ଅଛନ୍ତି। ଶ୍ରମିକ ସଙ୍ଗଠନ ଅଛି। ବିଭିନ୍ନ ବ୍ୟବସାୟିକ ସଙ୍ଗଠନ, ଧର୍ମାନୁଷ୍ଠାନ ଅଛି। ସାଂସ୍କୃତିକ ପରିବେଶ ମଧ୍ୟ ଅଛି। ପରସ୍ପର ମଧ୍ୟରେ ଯେଉଁ ସହୃଦୟତା ରହିବା ଆବଶ୍ୟକ ତା’ର ଊଣା ଅଛି। ଦେଶବିଦେଶ, ରାଜ୍ୟର ବହୁ ଜ୍ଞାନୀ, ଗୁଣୀ, ଶିଳ୍ପପତି, ଇଂଜିନିୟର ଅଛନ୍ତି। ଏମାନେ ନିଜ ସଂସ୍ଥା ବ୍ୟତୀତ ପାରାଦ୍ବୀପର ଗୌରବ ରକ୍ଷା କରିବା ଦିଗରେ ଏତେଟା ଇଚ୍ଛୁକ ନୁହଁନ୍ତି।

 

ଆଜି ପାରାଦ୍ବୀପ ଶିଳ୍ପାଞ୍ଚଳ ସ୍ବମହିମାରେ ମହିମାନ୍ବିତ। ଅଳ୍ପଅଳ୍ପ ପରସ୍ପର ପ୍ରତି ପରସ୍ପରର ସହଯୋଗ ସହାନୁଭୂତି ରହିଲେ ପୁଣି ପାରାଦ୍ବୀପ ଦେଶବିଦେଶରେ ଏକ ସ୍ବନାମଧନ୍ୟ ବନ୍ଦର ରୂପେ ପରିଗଣିତ ହେବ।

 

ଯାଜପୁର ରୋଡ୍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top