ଗନ୍ଧମାଦ୍ଦନ ଟେକିଲେ କେମିତି ହନୁମାନ?

News Story - Posted on 2017-04-27

ବୈଷ୍ଣବ ଜେନା

 

ବିଜୁବାବୁ ବଞ୍ଚିଥିଲା ବେଳେ ଜନ ମାନସରେ ଯେତିକି ନଥିଲେ ମୃତ୍ୟୁ ପରେ ଏବେ ପିଲାଠାରୁ ବୁଢ଼ାଙ୍କ ମନରେ ତାହାଠାରୁ ଶହେଗୁଣ ଅଧିକ ରହିଗଲେଣି। ଓଡ଼ିଶାଟା ସାରା ଏବେ ବିଜୁମୟ ହୋଇଗଲାଣି। କେବଳ ତାଙ୍କ ପୁଅଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ନେତୃତ୍ୱାଧୀନ ରାଜନୈତିକ ଦଳର କର୍ମୀ, ନେତା ଓ ସମର୍ଥକ ନୁହଁନ୍ତି, ପ୍ରତିପକ୍ଷ ଦଳର ନେତା ଓ କର୍ମୀମାନେ ମଧ୍ୟ ବିଜୁବାବୁଙ୍କ ପ୍ରଶଂସାରେ ଶତମୁଖ। ଦିନକୁ ଦିନ ଯୁବିପିଢି ତାଙ୍କ ଆଦର୍ଶରେ ଅଧିକ ସଂଖ୍ୟାରେ ଅନୁପ୍ରାଣିତ ହେଇଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ୱା କେନ୍ଦ୍ରୀୟ ମନ୍ତ୍ରୀମାନେ ଓଡ଼ିଶା ଆସିଲେ ବିଜୁବାବୁଙ୍କ ନାମ ନେଉଛନ୍ତି। ଏହା ସତ୍ତ୍ୱେ ସେହି ମହାନ‌୍‍ ଜନନାୟକଙ୍କର ବହୁ ଗାଥା ଅଲିଖିତ ହୋଇ ରହିଯାଇଛି। ଆଲୋଚନା ମଧ୍ୟ ହୋଇନାହିଁ। ଏପରି ଏକ ଗାଥା ହେଉଛି ତାଙ୍କର ଉପସ୍ଥିତ ବୁଦ୍ଧି। ବିଶେଷକରି ଉତ୍ତେଜିତ ଛାତ୍ର ସମାଜକୁ ବଶୀଭୂତ କରିବାର ଉପସ୍ଥିତ ବୁଦ୍ଧି। ଯାହାର କି ଆମେ ପ୍ରତ୍ୟକ୍ଷଦର୍ଶୀ। ଦୁଇଟି ଘଟଣାରେ ଉଦ୍ଦଣ୍ଡ ହୋଇଉଠୁଥିବା ଛାତ୍ରମାନେ କିପରି ଚୁପ‌୍‍ ବା ନିର୍ବାକ‌୍‍ ହୋଇଗଲେ, ତାହା ଆମେ ଉପଲବ୍ଧି କରିଥିଲୁ। ତାଙ୍କର ମହାପ୍ରୟାଣ ତିଥିରେ  ଆମେ ତାହାକୁ ହିଁ ସ୍ମରଣ କରୁଛୁ।

 

ରାଜ୍ୟରେ ଜିଲ୍ଲା ପୁନର୍ଗଠନର ପରବର୍ତ୍ତୀ ଘଟଣା। ୧୩ରୁ ଏକାଥରକେ ୩୦ଟି ଜିଲ୍ଲା ହୋଇଯିବ ବୋଲି କେହି ଭାବି ପାରିନଥିଲେ। ତେବେ ନୂତନ ଜିଲ୍ଲା ଘୋଷଣା ହେଲା ପରେ ଆଉ କେତେକ ଅଞ୍ଚଳରେ ଭାବ ପ୍ରବଣତା ଦେଖାଦେଲା। ଆନ୍ଦୋଳନ ମଧ୍ୟ ଦେଖାଦେଲା। ଉତ୍ସାହୀ ଲୋକମାନେ ନିଜ ନିଜ ଅଂଚଳର ନେତା, ବିଧାୟକ ଓ ସାଂସଦମାନଙ୍କୁ ଦାୟୀ କଲେ। ବିଶେଷକରି ଭଂଜନଗର, ଟିଟିଲାଗଡ଼, ରାଉରକେଲା, ଆନନ୍ଦପୁର ଏବଂ ରାଇରଙ୍ଗପୁର ଅଞ୍ଚଳରୁ ଏହି ଦାବୀ ଉଠିଥିଲା। ଏହି କ୍ରମରେ ଟିଟିଲାଗଡ଼ ଅଞ୍ଚଳର ବହୁ ଛାତ୍ର ନୂତନ ଜିଲ୍ଲା ଦାବୀ ନେଇ ଭୁବନେଶ୍ୱରରେ ପହଞ୍ଚିଗଲେ। ସେମାନେ ସେଠାକାର ତତ୍କାଳୀନ ବିଧାୟକ ତଥା ଏବେର କ୍ୟାବିନେଟ‌୍‍ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କୁ ଘେରିଗଲେ, ଅସ୍ତବ୍ୟସ୍ତ କରିପକାଇଲେ - ଅକାଟ୍ୟ ଯୁକ୍ତିମାନ କଲେ- ଅତ୍ୟନ୍ତ ଉତ୍ତେଜିତ ଅବସ୍ଥାରେ ସେମାନେ ଥିଲେ।  ବୌଦ ପାଇଁ ସଚ୍ଚିଦାନନ୍ଦ ଦଲାଲ‌୍‍, ଅନୁଗୁଳ ପାଇଁ ଅଦ୍ବୈତ ପ୍ରସାଦ ସିଂହ, ନୂଆପଡ଼ା ପାଇଁ ଘାସିରାମ ମାଝୀ, ନୟାଗଡ଼ ପାଇଁ ଭାଗବତ ବେହେରା, ଜଗତ‌୍‍ସିଂହପୁର ପାଇଁ ବିଷ୍ଣୁ ଦାସ, ଭଦ୍ରକ ପାଇଁ ପ୍ରଫୁଲ୍ଲ ସାମଲ, ବରଗଡ଼ ପାଇଁ ପ୍ରସନ୍ନ ଆଚାର୍ଯ୍ୟ, ଝାରସୁଗୁଡ଼ା ପାଇଁ କିଶୋର ମହାନ୍ତି, ଯାଜପୁର ପାଇଁ ଅଶୋକ ଦାସ, କେନ୍ଦ୍ରାପଡ଼ା ପାଇଁ ନଳିନୀ ମହାନ୍ତି ଓ ବିଜୟ ମହାପାତ୍ର, ଖୋର୍ଦ୍ଧା ପାଇଁ ଡ. ପ୍ରସନ୍ନ ପାଟ୍ଟଶାଣୀ ଏବଂ ସୋନପୁର ପାଇଁ କୁଂଦୁର କୁଶଳଙ୍କ ଉଦ୍ୟମ ଥିଲାବେଳେ ତାଙ୍କ ବିଧାୟକ ଶୋଇପଡ଼ିଲେ ବୋଲି କହିଲେ।

 

ଏହା ଦେଖି ଯୋଗେନ୍ଦ୍ର ବାବୁଙ୍କର ରକ୍ତଚାପ ବଢ଼ିଗଲା। ବିଜୁବାବୁ ଆଉ ନୂତନ ଜିଲ୍ଲା ସପକ୍ଷରେ ନଥିବା ବେଳେ ଯୋଗେନ୍ଦ୍ର ବାବୁ ସେହି ପିଲାମାନଙ୍କୁ ନେଇ ସିଧାସଳଖ ନବୀନ ନିବାସରେ ପହଞ୍ଚିଗଲେ। ବିଜୁବାବୁଙ୍କୁ ଅତ୍ୟନ୍ତ ଅନୁନୟ ବିନୟ କଣ୍ଠରେ ସମସ୍ୟାର ସମାଧାନ ତଥା ଉତ୍ତେଜିତ ଛାତ୍ରମାନଙ୍କ କବଳରୁ ରକ୍ଷା କରିବାକୁ କହିଲେ। ଯୋଗେନ୍ଦ୍ର ବାବୁ ସେତେବେଳେ ବିଜୁ ବାବୁଙ୍କର ଅନ୍ୟତମ ପ୍ରିୟ ବିଧାୟକ ଥିଲେ। ତେଣୁ ସେ ତାଙ୍କୁ ସୁରକ୍ଷା ଦେବାପାଇଁ ଆଗେଇ ଆସିଲେ। ସେ ସେହି ଉତ୍ତେଜିତ ଏବଂ ଉଚ୍ଚ ସ୍ୱରରେ ପାଟିତୁଣ୍ଡ କରିଥିବା ପିଲାମାନଙ୍କ ପାଖକୁ ଚାଲିଗଲେ। ନବୀନ ନିବାସ ଲନ‌୍‍ରେ ବସି ଆଲୋଚନା କଲେ। ବିଜୁ ବାବୁ ସେହି ପିଲାମାନଙ୍କୁ କହିଲେ - ତୁମେମାନେ ଟିଟିଲାଗଡ଼କୁ ଜିଲ୍ଲା କରିବାକୁ ଦାବୀ କରୁଛ, ବହୁତ ଭଲ କଥା- କାରଣ ତୁମେମାନେ ସେହି ଅଞ୍ଚଳର ଭବିଷ୍ୟତ- ଟିଟିଲାଗଡ଼ର ଉନ୍ନତି କଥା ତୁମେ ଚିନ୍ତା କରିବା ଉଚିତ‌୍‍। ତେବେ ତୁମ୍ଭେମାନେ ତୁମର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ଆସିଥିବାରୁ ମୋର କିଛି ପ୍ରଶ୍ନର ଉତ୍ତର ଦିଅ-ଟିଟିଲାଗଡ଼ର କ୍ଷେତ୍ରଫଳ କେତେ? ଲୋକସଂଖ୍ୟା କେତେ? ଟିଟିଲାଗଡ଼ରେ କେତେ ବ୍ଲକ ଓ ପଂଚାୟତ ଅଛି? କେତେ ଗାଁ ଅଛି? ରାଜସ୍ବର ମୁଖ୍ୟ ସୂତ୍ର କ’ଣ? ଟିଟିଲାଗଡ଼ରେ କୌଣସି ଖଣିଜ ଭିତ୍ତି ଅଛି କି? ସ୍ବାଧୀନତା ସଂଗ୍ରାମରେ ଟିଟିଲାଗଡ଼ର ଭୂମିକା କ’ଣ? ଏସବୁ ପ୍ରଶ୍ନ ସେ ଇଂରାଜୀରେ ପଚାରିଥିଲେ।

 

ଏସବୁ ପ୍ରଶ୍ନ ଶୁଣିଲା ପରେ ସେହି ଉତ୍ତେଜିତ ପିଲାମାନେ ପରସ୍ପର ମୁହଁକୁ ଚାହିଁଲେ - ଗୋଟିଏ ହେଲେ ଉତ୍ତର ଦେଲେ ନାହିଁ। ଏହା ଦେଖି ବିଜୁବାବୁ ସେମାନଙ୍କୁ ବିଦ୍ରୁପ କରିବା ଢଙ୍ଗରେ କହିଲେ- ଯେତେବେଳେ ତୁମ୍ଭେମାନେ ତୁମର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ଆସିଛ, ନିଜ ଅଞ୍ଚଳ ବିଷୟରେ କିଛି ଜାଣିକରି ଆସିବାର ଥିଲା। ତୁମେ ଫେରି ଯାଅ- ପ୍ରସ୍ତୁତ ହୋଇ ପୁନର୍ବାର ଆସ ବିଚାର କରିବା। ଏହାଛଡ଼ା ସେହି ବିଜୁବାବୁ ସେହି ପିଲାମାନଙ୍କ ପାଇଁ ଜଳଖିଆର ବ୍ୟବସ୍ଥା କରି ସେ ସ୍ଥାନ ଛାଡ଼ି ଚାଲିଗଲେ। ସେହି ପିଲାମାନେ ଚୁପ‌୍‍ଚାପ‌୍‍ ନବୀନ ନିବାସରୁ ଟିଟିଲାଗଡ଼ ଫେରିଗଲେ। ଏହା କେବଳ ବିଜୁ ବାବୁଙ୍କ ଉପସ୍ଥିତ ବୁଦ୍ଧି ଯୋଗଁୁ ସମ୍ଭବ ହେଲା। ଅସ୍ୱାଭାବିକ ପରିସ୍ଥିତିରୁ ଯୋଗେନ୍ଦ୍ର ବାବୁ ମଧ୍ୟ ବର୍ତ୍ତିଗଲେ।

 

୧୯୯4 ମସିହାର ଘଟଣାଟିଏ। ଜଟଣୀ ନିକଟବର୍ତ୍ତୀ ଓଡ଼ିଶା ଇଂଜିନିୟରିଂ କଲେଜ (ଓ.ଇ.ସି.)ର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ହୋଇଥିଲେ ବିଜୁ ବାବୁ। ସମ୍ମାନିତ ଅତିଥି ଥିଲେ ତତ୍କାଳୀନ ବରିଷ୍ଠ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀ। କଲେଜର ପ୍ରତିଷ୍ଠାତା କାମିନୀ ପଟ୍ଟନାୟକ ସେହି ଉତ୍ସବରେ ଅଧ୍ୟକ୍ଷତା କରୁଥିଲେ। ବହୁ ବଡ଼ ଜାକ ଜମକରେ ସେହି ଉତ୍ସବର ଆୟୋଜନ ହୋଇଥିଲା। ଭୁବନେଶ୍ୱରରୁ ଆମ୍ଭ ସମେତ ପ୍ରାୟ ୩୦ ଜଣ ସାମ୍ୱାଦିକ ଯାଇଥିଲେ। ତେବେ ସଭା ଆରମ୍ଭ ହେବା ମାତ୍ରେ ଅର୍ଥାତ‌୍‍ ଅତିଥିମାନେ ସ୍ଥାନ ଗ୍ରହଣ କରିବାକୁ ଯାଉଥିବା ବେଳେ ସେଠାକାର ଛାତ୍ରମାନେ ହଠାତ‌୍‍ ଉଚ୍ଛୃଙ୍ଖଳ ହୋଇ ପଡ଼ିଲେ। ପାଟିତୁଣ୍ଡ ଆରମ୍ଭ କରିଦେଲେ। ବିଜୁ ବାବୁଙ୍କୁ ଜିନ୍ଦାବାଦ କହିବା ପରେ ସେମାନେ ମନ୍ତ୍ରୀ ଚୈତ୍ୟନ୍ୟ ପ୍ରସାଦ ମାଝୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ। ସ୍ୱର୍ଗତଃ ମାଝୀ ପ୍ରଥମେ ବୁଝି ପାରିନଥିଲେ, ପରେ ପିଲାମାନଙ୍କର କଟୁ ମନ୍ତବ୍ୟ ଶୁଣି ବେଶ‌୍‍ ଅପ୍ରତିଭ ହୋଇଥିଲେ। ପିଲାମାନେ ତାଙ୍କ ନାମ ଉଚ୍ଚାରଣ କରି ମନ୍ତବ୍ୟ ଦେବା ସହିତ ସଇତାନ‌୍‍ ମାଝୀ ବୋଲି କହିଥିଲେ।

 

କଲେଜ ପ୍ରତିଷ୍ଠାତା କାମିନୀ ବାବୁଙ୍କୁ ସେହି ଘଟଣା ଅଡ଼ୁଆରେ ପକାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାକୁ ଲାଗିଲା। ବହୁ ପିଲା ସେହି ଉଛୃଙ୍ଖଳ ବାତାବରଣରେ ସାମିଲ‌୍‍ ହୋଇଗଲେ। ସେହି ଅଘଟଣ ଭିନ୍ନ ମୋଡ ନେଇପାରେ ବୋଲି ବିଜୁ ବାବୁ ଆଶଙ୍କା କଲେ। କଲେଜର ଅଧ୍ୟାପକମାନେ ଯେତେ କହିଲେ ବି ପିଲାମାନେ ଏଣୁତେଣୁ କହି ଉଦ୍ଦଣ୍ଡ ହୋଇଉଠିଲେ। ଏହି ସମୟରେ ବିଜୁବାବୁ ତାଙ୍କ ଆସନ ଛାଡ଼ି ହଠାତ‌୍‍ ମାଇକ‌୍‍ ପାଖକୁ ଚାଲିଆସିଲେ। ଇଂରାଜୀରେ କହିବାକୁ ଆରମ୍ଭ କଲେ, ଓହ, ତୁମେମାନ ସବୁ ଇଂଜିନିଅର! ରାଜ୍ୟ, ଦଶ ଓ ବିଶ୍ବର ଭବିଷ୍ୟତ! ତୁମେମାନ ସ୍ମାର୍ଟ ହେବା କଥା। ଇଂଜିନିଅରମାନେ ସବୁବେଳେ ସ୍ମାର୍ଟ ଓ ଆଡଭେଞ୍ଚରସ। ତେଣୁ ମତେ ଗୋଟେ କଥା କୁହ, ସାଧାରଣ କଥାଟିଏ, ହନୁମାନ ତାଭକ ବାଁ ହାତରେ ଗନ୍ଧମାର୍ଦ୍ଦନ ଉଠାଇ ଆଣିଲେ କେମିତି? ପୁରାଣରେ କ’ଣ ଥିବ ଅଲଗା କଥା, ମତେ ତୁମେମାନ ସାଧାରଣ ଜ୍ଞାନରୁ ଉତ୍ତର ଦିଅ।

 

ଏକଥା ଶୁଣିଲା ପରେ ପାଟିତୁଣ୍ଡ କରୁଥିବା ପିଲାମାନେ ଚୁପ‌୍‍ ହୋଇଗଲେ। ପରସ୍ପରର ମୁହଁକୁ ଚାହିଁଲେ। କେହି ହେଲେ ବିଜୁ ବାବୁଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ। ବିଜୁ ବାବୁ ବି ଛାଡ଼ିବାର ଲୋକ ନୁହଁନ୍ତି - କେତେକ ଛାତ୍ରଙ୍କୁ ଡାକି ତାଙ୍କ ଉତ୍ତର ଦେବାକୁ କହିଲେ। କୌଣସି ଉତ୍ତର ନମିଳିବାରୁ ବିଜୁବାବୁ କହିଲେ - ତୁମେମାନେ ଏଇ ସାଧାରଣକଥାଟା ଜାଣିନାହଁ - ବିଜ୍ଞାନ ଯୁଗର ଇଂଜିନିୟରମାନେ ପ୍ରଖ୍ୟାତ‌୍‍ ବୈଜ୍ଞାନିକ ନିଉଟନ‌୍‍ଙ୍କୁ ଭୁଲିଯାଉଛ। ବାସ୍ତବରେ ସେହି ପ୍ରଶ୍ନର ଉତ୍ତର ହେଉଛି, ମାଧ୍ୟକର୍ଷଣ ଶକ୍ତିକୁ କିପରି ନିଷ୍କ୍ରିୟ କରାଯାଇପାରିବ, ତାହା ହନୁମାନଙ୍କୁ ଜଣାଥିଲା। ଏହାପରେ ବିଜୁବାବୁ ଯୁବ ଇଂଜିନିୟରମାନଙ୍କ ଦକ୍ଷତା, ବିଚକ୍ଷଣତା, ପାଠପଢ଼ା, ଦୁଷ୍ଟାମୀ, ଶୃଙ୍ଖଳା ଓ ବିଶୃଙ୍ଖଳା ଉପରେ କିଛି ବକ୍ତବ୍ୟ ରଖି ନିଜ ସ୍ଥାନକୁ ଫେରିଗଲେ। ସଭାକାର୍ଯ୍ୟ ବିଧିବଦ୍ଧ ଚାଲିଲା। ଆଉ ସେହି ପିଲାମାନେ ଉଁ ଚୁଁ ହେଲେନାହିଁ। ଉତ୍ସବଟି ବେଶ‌୍‍ ସଫଳ ହେଲା।

 

ସଂପର୍କ-୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top