ଗାନ୍ଧୀ, ଗୋପବନ୍ଧୁ ଓ ଭଦ୍ରକ

News Story - Posted on 2017-04-27

ପ୍ରହଲାଦ କୁମାର ସିଂହ

 

‘ଭଦ୍ରକ ପୂର୍ବରୁ ମୋତେ ଏହା ଅପେକ୍ଷା ବ ସମ୍ମାନ ଦେଇଅଛି। ଭଦ୍ରକରେ ୧୪୪ ଧାରା ହୁକୁମ୍ ନ ମାନିନଥିବାରୁ ମୋର ଆଦ୍ୟ କାରାଦଣ୍ଡ ହୋଇଥିଲା ବୋଲି ଆପଣମାନେ ଯାହା ଉଲ୍ଲେଖ କରିଛନ୍ତି, ତାହା ମୋ ଜୀବନରେ ଏକ ବିଶିଷ୍ଟ ସମ୍ମାନ। ତେଣୁ ଭଦ୍ରକଠାରେ ମୁଁ ବିଶେଷ ଋଣୀ ଏବଂ ଏହି କାରଣରୁ ଭଦ୍ରକ ପ୍ରତି ମୋର ବିଶେଷ ମମତା।... ଏଠାରେ କେବଳ ହିନ୍ଦୁ ମୁସଲମାନ ମିଳନ ବିଷୟରେ ଦୁଇ କଥା କହିବା ଆବଶ୍ୟକ ମନେ କରୁଛି। ଭଦ୍ରକରେ ୧୧/୧୨ ହଜାର ମୁସଲମାନ ବାସ କରନ୍ତି। ପଡ଼ୋଶୀ ହିନ୍ଦୁମାନଙ୍କ ସଙ୍ଗେ ସେମାନଙ୍କର ବରାବର ଭାଇ ଭାବ ରହିଥିବା ବି ସୁଖର କଥା। ଓଡ଼ିଶାରେ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ବାଦବିବାଦ ନାହିଁ, ଏ ପ୍ରଦେଶର ଏ ଗୌରବ ସର୍ବଦା ଯେପରି ଅକ୍ଷୁଣ୍ଣ ରହେ, ତାହା ମୋର ଏକାନ୍ତ ପ୍ରାର୍ଥନା।’

 

‘ହିନ୍ଦୁ ମୁସଲମାନ ମିଳନ ବିନା ସ୍ବରାଜ୍ୟ ଅସମ୍ଭବ। ଆମ୍ଭମାନଙ୍କର ଅନ୍ତୁିଶାଳ ଏକ ଜାଗାରେ, ଜୀବନର ନିଳାଖେଳା ଏକ ଜାଗାରେ, ଶେଷରେ ମଶାଣି ଏକ ଜାଗାରେ। ଭଦ୍ରଖ ଭୂମି ହିନ୍ଦୁ ମୁସଲମାନ ଭେଦ ନ ରଖି, ବ୍ରାହ୍ମଣ ଚଣ୍ଡାଳ ଭେଦ ନ ରଖି, ଜନ୍ମ ବେଳେ ସମସ୍ତଙ୍କୁ ଆପଣାର ପାଣି ପିଇବାକୁ ଦେଉଛି। ଭଦ୍ରଖର ଭୂମି ସମସ୍ତଙ୍କୁ ସମାନ ରୂପେ ଶସ୍ୟ ଯୋଗାଉଛି, ଶେଷରେ ଭଦ୍ରଖ ପୁଣି ଭେଦାଭେଦ ନ ରଖି ସମସ୍ତଙ୍କୁ ଅନ୍ତିମ ଶଯ୍ୟାରେ ଆପଣାର ଛାତିରେ ସ୍ଥାନ ଦେଇଛି। ଏ ମାତୃଭୂମି ସମସ୍ତଙ୍କ ପ୍ରତି ସମାନ। ତାଙ୍କ କୋଳରେ ଭେଦାଭେଦ ନାହିଁ। ଏହା ସ୍ବରାଜ୍ୟର ମୂଳମନ୍ତ୍ର। ଏହା ମନେ ରଖିଲେ ହିନ୍ଦୁ ମୁସଲମାନ ବା ଅନ୍ୟାନ୍ୟ ଧର୍ମ ବା ସମ୍ପ୍ରଦାୟ ମଧ୍ୟରେ କିମ୍ବା ବ୍ରାହ୍ମଣ, ଶୁଦ୍ର ବା ଅଛୁଆଁ ଜାତିଙ୍କ ମଧ୍ୟରେ କୌଣସି ଭେଦବାଦ ବା ବିବାଦ ଘଟିବ ନାହିଁ। ସୂତାକଟାରେ ଆମ ଦେଶରେ ମୁସଲମାନ ସ୍ତ୍ରୀମାନଙ୍କର ବହୁ ପୂର୍ବରୁ ସୁଖ୍ୟାତି ଅଛି। ଭଦ୍ରଖର ପ୍ରତ୍ୟେକ ମୁସଲମାନ ପରିବାର ଏହି ପୂର୍ବ ଗୌରବ ପୁଣି ଉଦ୍ଧାର କରନ୍ତୁ ଏବଂ ହିନ୍ଦୁ ପରିବାର ସେମାନଙ୍କୁ ଦେଖି ଶିଖନ୍ତୁ। ଏହିପରି ପଡ଼ୋଶୀ ଦେଖାଶିଖା ଦିଆନିଆ ଭାବ ଦ୍ବାରା ଭଦ୍ରଖରେ ହିନ୍ଦୁ ମୁସଲମାନଙ୍କ ଭାଇ ଭାବ ଦୃଢ଼ରୁ ଦୃଢ଼ତର ହେଉ।’

 

‘ଅଳ୍ପଦିନ ତଳେ ଖବର କାଗଜରେ ପଢ଼ିଥିଲି ସୋରୋର କୌଣସି ମୁସଲମାନ ପରିବାରରେ କାହାରି ସୁନତ୍ ହେବା ଉପଲକ୍ଷେ ହିନ୍ଦୁ ପଡ଼ୋଶୀମାନଙ୍କ ନିମନ୍ତେ ସ୍ଥାନୀୟ ରଘୁନାଥଙ୍କ ମନ୍ଦିରରେ ଆହାରାଦିର ବ୍ୟବସ୍ଥା ହୋଇଥିଲା। ହିନ୍ଦୁମାନେ ଏ ମୁସଲମାନ ଭାଇଙ୍କର ପାରିବାରିକ ଉତ୍ସବରେ ଯୋଗ ଦେଇଥିଲେ। ଏ ଖବର ମୋ ପ୍ରାଣରେ ପରମ ଆହ୍ଲାଦ ଦେଇଥିଲା। ଆମ ଓଡ଼ିଶାରେ ହିନ୍ଦୁମାନଙ୍କର ଦଶହରା ଆଦି ଉତ୍ସବରେ ମୁସଲମାନମାନେ ଏବଂ ମୁସଲମାନମାନଙ୍କର ମହରମ୍ ପ୍ରଭୃତି ଉତ୍ସବରେ ହିନ୍ଦୁମାନେ ଅତି ଉତ୍ସାହରେ ଯୋଗ ଦେଇଥାନ୍ତି। ପୂର୍ବର ହିନ୍ଦୁ ରାଜା ଓ ଜମିଦାରମାନେ ମୁସଲମାନ ପୀରମାନଙ୍କ ଲାଗି ଅନେକଠାରେ ପୀରୋତ୍ତର, ଦେବୋତ୍ତର ବୃତ୍ତି ଖଞ୍ଜିଛନ୍ତି ଓ ମୁସଲମାନ ନବାବ୍ ଓ ବାଦଶାହମାନେ ହିନ୍ଦୁ ମଠ ଆଦିରେ ବୃତ୍ତି ଖଞ୍ଜିଛନ୍ତି। ମୁଁ ଯେତେଦୂର ଜାଣେ, ଏ ଭଦ୍ରଖରେ ସଦାବ୍ରତ ମଠ ଏଥିର ଏକ ପ୍ରମାଣ। ଦେଶରେ ପୂର୍ବରୁ ଯେ ଏହିପରି ସ୍ନେହ ସଦଭାବ ରହିଛି ଉକ୍ତ ସୋରୋ ଘଟଣା ଭଳି କାର୍ଯ୍ୟଧାରା ତାହାକୁ ବର୍ତ୍ତମାନ ସହଜ, ସୁମଧୁର ଓ ଜାଗ୍ରତ କରିବାକୁ ହେବ। ସାଇ ପଡ଼ିଶାରେ ଘର କଲେ ବେଳେ ବେଳେ କୌଣସି କୌଣସି କାରଣରୁ ଯେ କାହାରି କାହାରି ଭିତରେ କଳହ ବିବାଦ ନ ଘଟିବ, ଏହା କୁହାଯାଇନପାରେ, ମାତ୍ର ଏପରି ବ୍ୟକ୍ତିଗତ ବିବାଦକୁ ଯେପରି କେବେ ଦଳଗତ ବିବାଦ କରି ଛିଡ଼ା କରାନଯାଏ, ତାହା ହଁି ବିପଦ। ପ୍ରଭୁ ଆମମାନଙ୍କୁ ଏ ବିବାଦରୁ ସର୍ବଦା ରକ୍ଷା କରନ୍ତୁ। ଆଉ ଅଧିକ କିଛି ମୋର କହିବାର ନାହିଁ।’

 

‘ଆପଣମାନେ ଆଜି ମୋତେ ଯେ ଆଦର ଓ ସ୍ନେହ ସମ୍ବର୍ଦ୍ଧନା ଦେଖାଇଛନ୍ତି ତଦ୍ବାରା ଭଦ୍ରଖଠାରେ ମୋତେ ଚିରଦିନ କୃତଜ୍ଞତା ଫାଶରେ ବାନ୍ଧି ରଖିଲେ ଏଥିରୁ ମୋର ଆଉ ମୁକୁଳିବାର ଉପାୟ ନାହିଁ। ମୋ ଶକ୍ତିମତେ ଯଥା ସମୟରେ ଆପଣମାନଙ୍କର ସେବା କରିବାର ସୁବିଧା ସୁଯୋଗ ପାଇଲେ ମୁଁ ସୁଖି ହେବି ଏବଂ ଆପଣାକୁ କୃତାର୍ଥ ମଣିବି।’

 

ଦୀର୍ଘ କାରାବାସରୁ ମୁକୁଳିବା ପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଭଦ୍ରକ ଲୋକାଲ୍ ବୋର୍ଡ ପକ୍ଷରୁ 1924 ଡିସେମ୍ବର 2 ତାରିଖରେ ଦିଆଯାଇଥିବା ଅଭିନନ୍ଦନର ଉତ୍ତରରେ ଦାସେ ଆପଣେ ଯେଉଁ ବକ୍ତବ୍ଯ ରଖିଥିଲେ ଏହା ତା’ର କିୟଦଂଶ।

 

‘ବନ୍ଦୀର ଆତ୍ମକଥା’ରେ ଗୋପବନ୍ଧୁ ଲେଖିଛନ୍ତି, ‘ଭଦରଖ ମୋର ଅତି ପ୍ରିୟ ସ୍ଥାନ, ଏଠା କର୍ମେ ମୋର ପହିଲି ସମ୍ମାନ... ସର୍ବେ ଆମ୍ଭେ ଏକ ଈଶ୍ବର ସନ୍ତାନ, ସାଧ ବିଶ୍ବହିତ ତେଜି ଅଭିମାନ।’ ବନ୍ଦୀର ସ୍ବଦେଶ ଚିନ୍ତାରେ ସେ ପୁଣି ଉଲ୍ଲେଖ କରିଛନ୍ତି, ‘ଭଦରଖ କର୍ମୀ ଧନ୍ୟ ତୁମ୍ଭ ବଳ, ଏପରି ସାଧକ ଲୋଡ଼ଇ ଉତ୍କଳ। ତେଜି ସବୁ ମାୟା ପରିବାର ଭୋଗ, ସାଳନ୍ଦୀ ପୁଲିନେ ଆରମ୍ଭିଛ ଯୋଗ। ମନ୍ତ୍ରସିଦ୍ଧ କିମ୍ବାା ଶରୀର ପତନ, ଜାଣେ ମୁଁ କରିଛ ଏହି ମହାପଣ। ଏହି ପଣ ଏହା ଭଦ୍ରଖ ଉଚିତ, ସାଧୁ ସମାଗମେ ଯା ରେଣୁ ପବିତ୍ର।’

 

୧୯୨୧ ଜୁନ୍ ୧୪ ତାରିଖରେ ଅସହଯୋଗର ମହାମନ୍ତ୍ର ଗାନ କରି ଇରମରେ ଦାସେ ଆପଣେ ଏକ ସାଧାରଣ ସଭାରେ ଗାଇଥିଲେ, ‘ଦେଶ ଜାତି ପ୍ରୀତି ସରସ୍ବତୀ ନଦୀ, ବହୁଛି ଇରମେ ଶତମାର୍ଗେ ଭେଦି। ଅନ୍ତଃ ସଲିଳା ଏ ସାରା ଭାରତେ, ଜାତୀୟତା ଧାରେ ବହିବ ନିରତେ। ଦେଶାତ୍ମବୋଧର ଚାରୁ ଗନ୍ତାଘର, ଇରମ ସୁରମ୍ୟ ଜାତୀୟ ନଗର।’ ଦାସେ ଆପଣେଙ୍କ ଏହି ଆପ୍ତ ଧ୍ବନି ସତ ହେଲା, ଆଉ ଭାରତଛାଡ଼ ଆନ୍ଦୋଳନ ବେଳେ ଇରମ୍ ହୋଇଗଲା ରକ୍ତତରର୍ଥ, ଓଡ଼ିଶାର ଜାଲିଆନାୱାଲାବାଗ୍‌।

 

ଭଦ୍ରକ ସହ କନିକା ପ୍ରଜା ଆନ୍ଦୋଳନ ସମୟରୁ ଦାସେ ଆପଣେଙ୍କର ଥିଲା ମାମିର୍କ ସମ୍ପର୍କ। ପ୍ରଜା ଆନ୍ଦୋଳନକୁ କନିକାର ପଞ୍ଚମୁକା ଭାବେ ପରିଚିତ ଭଦ୍ରକର ଚାନ୍ଦବାଲି, ତିହିଡ଼ି, ବାଂଶା, ବାସୁଦେବପୁର ଆଦି ଅଞ୍ଚଳରେ ବ୍ୟାପକ କରିବା ସହ ରାଜା ଅତ୍ୟାଚାରର ଲୋମହର୍ଷଣକାରୀ କାହାଣୀ ଜାତୀୟ ସ୍ତରରେ ପହଞ୍ଚାଉଥିଲେ ସେ। ଭଦ୍ରକ ଅଞ୍ଚଳରେ ସ୍ବାଧୀନତା ଆନ୍ଦୋଳନକୁ ବ୍ୟାପକ କରିବା ସଙ୍ଗେ ସଙ୍ଗେ ନିଶା ନିବାରଣ, ଖଦିର ପ୍ରସାର ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପାଇଁ ଗୋପବନ୍ଧୁ ନିରନ୍ତର ଉଦ୍ୟମ କରୁଥିଲେ। ତାଙ୍କରି ଆମନ୍ତ୍ରଣରେ ଜାତିର ଜନକ ମହାତ୍ମା ଗାନ୍ଧୀ ୧୯୨୧ ମାର୍ଚ୍ଚ ମାସରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ୨୫ ତାରିଖରେ ଭଦ୍ରକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭଦ୍ରକର ସାଧାରଣ ସଭାରେ ଭାଷଣ ଦେଇ ଗାନ୍ଧିଜୀ ହିନ୍ଦୁ-ମୁସଲମାନ ସଦ୍ଭାବ ତଥା ଅସହଯୋଗ ଆନ୍ଦୋଳନ ଓ ଖିଲାଫତ୍ ସମ୍ପର୍କରେ ବୁଝାଇଥିଲେ। ଏହି ସଭାରେ ଗାନ୍ଧିଜୀଙ୍କର ଏକ ବକ୍ତବ୍ୟ ବର୍ଷ ବର୍ଷ ଧରି ଦେଶର ସ୍ବାଧୀନତା ସଂଗ୍ରାମୀମାନଙ୍କ ପାଇଁ ପ୍ରେରଣା ଯୋଗାଇଥିଲା। ଭଦ୍ରକ ସଭାରେ ଗାନ୍ଧିଜୀ କହିଥିଲେ, ‘ଇସ୍ ସଲତନତ୍ ମେଁ ସୈତାନିୟତ୍ ଆଗୈ’। ଅର୍ଥାତ୍ ଏ ଶାସନରେ ସଇତାନ ପଣିଆ ଆସିଗଲାଣି। ତେଣୁ ଏ ସଇତାନକୁ ସବୁ ମୂଲ୍ୟ ଦେଇ ଆମକୁ ତଡ଼ିବାକୁ ହେବ। ଏହି କେତେପଦ କଥା ସତେ ଯେମିତି ଉପସ୍ଥିତ ହଜାର ହଜାର ଲୋକଙ୍କ ଦେହରେ ରୋମାଞ୍ଚ ସୃଷ୍ଟି କରିଥିଲା।

 

୧୯୨୭ ଡିସେମ୍ବରରେ ମଧ୍ୟ ଗାନ୍ଧିଜୀ ଆଉଥରେ ଭଦ୍ରକବାସୀଙ୍କୁ ଭେଟିଥିଲେ। ତେବେ ୧୯୩୪ ମଇ ୮ ତାରିଖରେ ଗାନ୍ଧିଜୀ ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ପରଦିନଠାରୁ ଉତ୍କଳରେ ପଦଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହି ପଦଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଶେଷ ହୋଇଥିଲା ଭଦ୍ରକ ମାଟିରେ। ଗାନ୍ଧିଜୀଙ୍କ ସହ ପଦଯାତ୍ରୀମାନେ ଜୁନ୍ ୫ ତାରିଖରେ ପହଞ୍ଚିଥିଲେ ଭଦ୍ରକ ଉପକଣ୍ଠରେ ଥିବା ଜୀବରାମଜୀ କଲ୍ୟାଣଜୀଙ୍କ ଆଶ୍ରମରେ। କୋଟିପତି ଶିଳ୍ପପତି ଜୀବରାମ ଭାଇ ଗାନ୍ଧିଜୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଭଦ୍ରକରେ ଆଶ୍ରମ ସ୍ଥାପନ କରି ସେବା ଓ ସଂଗ୍ରାମର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଗାନ୍ଧିଜୀ ଭଦ୍ରକରେ ଅବସ୍ଥାନ କରିବା ସହିତ ସରକାରଙ୍କ ନିଷିଦ୍ଧାଦେଶକୁ ଖାତିର ନ କରି ଲୋକଙ୍କୁ ଭେଟିଥିଲେ। ଏହି ଭଦ୍ରକ ମାଟିରେ ସେଦିନ ଗାନ୍ଧିଜୀ କହିଥିଲେ, ‘ସତ୍ୟାଗ୍ରହୀର ଅଭିଧାନରେ ଅସଫଳତା ବୋଲି କୌଣସି ଶବ୍ଦ ନାହିଁ। ସେ ପ୍ରତି ପଦକ୍ଷେପରେ ପ୍ରାପ୍ତ ଅନୁଭବ ଅନୁସାରେ ନିଜକୁ ନିଜେ ପ୍ରସ୍ତୁତ କରେ। ସତ୍ୟାଗ୍ରହୀର ପ୍ରଗତି ଜଣେ ପର୍ବତାରୋହୀର ପ୍ରଗତି ସହିତ ସମାନ। କାରଣ ପର୍ବତାରୋହୀ ଶିଖରକୁ ଅଗ୍ରଗତି କଲା ବେଳେ ଅନେକଥର ତାକୁ ପଛରେ ତଳକୁ ଗୋ ରଖିବାକୁ ପଡ଼ିଥାଏ।’

 

ଗାନ୍ଧୀ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଦ୍ରକ ମାଟିରେ ସୃଷ୍ଟି ହୋଇଥିଲେ ଶହ ଶହ ସ୍ବାଧୀନତା ସଂଗ୍ରାମୀ। ଏମିତିକି ଜମିଦାର ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ତ ବିଧାନ ପରିଷଦର ସଭ୍ୟପଦରୁ ଇସ୍ତଫା ଦେଇଥିଲେ। ମହମ୍ମଦ ହନିଫ୍‌ଙ୍କ ପରି ଅବକାରୀ ଇନ୍ସପେକ୍ଟର ଚାକିରି ଛାଡ଼ି ସ୍ବାଧୀନତା ସଂଗ୍ରାମର ସୈନିକ ସାଜିଥିଲେ। ସ୍ବାଧୀନତା ଆନ୍ଦୋଳନ ବେଳେ ସୁଧାକର ମିଶ୍ର ଓ ୱାରିସ୍ ମିଆଁ ଅଭୂତପୂର୍ବ ସାହସର ପରିଚୟ ଦେଇ ଭଦ୍ରକ କଚେରୀ ଉପରେ ୟୁନିଅନ୍ ଜ୍ୟାକ୍ ସ୍ଥାନରେ ଉଡ଼ାଇଥିଲେ ତ୍ରିରଙ୍ଗା ପତାକା। ପ୍ରଜା ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଚକ୍ରଧର ବେହେରାଙ୍କ ଠାରୁ ଆରମ୍ଭ କରି ଡ. ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ନିତ୍ୟାନନ୍ଦ ମହାପାତ୍ର, ଗୋକୁଳାନନ୍ଦ ମହାନ୍ତି, ମୁରଲୀଧର ପଣ୍ଡା, ମୂରଲୀଧର ଜେନା, ଗୌରଚନ୍ଦ୍ର ମହାପାତ୍ର, ଭାଗବତ ସାହୁ, ରାମଚନ୍ଦ୍ର ବେହେରା, ଗୟାଧର ବାରିକ, କରୁଣାକର ଦାସ, ଘନଶ୍ଯାମ ସାହୁ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ଭଳି ଶହ ଶହ ସଂଗ୍ରାମୀଙ୍କୁ ସୃଷ୍ଟି କରିଛି ଭଦ୍ରକ ମାଟି। କୋକିଳାଦେବୀ, ସୁଭଦ୍ରା ମହତାବ, ସୁନ୍ଦରମଣି ଦେବୀ, ନିଶାମଣି ଦେବୀ, ଅନ୍ନପୂର୍ଣ୍ଣା ଦାସ, ମଇନା ବିବି, ଅହଲ୍ୟା ଦେବୀ, ସଖୀ ଦେବୀ, ପଦ୍ମାବତୀ ସିଂହ, ଅମ୍ବିକା ଦେବୀ, ଚାରୁଲତା ଆଚାର୍ଯ୍ୟ, କ୍ଷେତ୍ରମଣି ଦେବୀ ଆଦି ସେବା ଓ ସଂଗ୍ରାମ କ୍ଷେତ୍ରରେ ଯେଉଁ ସ୍ବାକ୍ଷର ଛାଡ଼ି ଯାଇଛନ୍ତି ତାହା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।

 

କେବଳ ସେତିକି ନୁହେଁ କବିଶେଖର ଚିନ୍ତାମଣି ମହାନ୍ତି, ଜାତୀୟ କବି ବାଞ୍ଛାନିଧି ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭଳି ଉତ୍କଳ ଜନନୀର ବରପୁତ୍ରମାନଙ୍କୁ ବି କୋଳରେ ଧରିଛି ଏ ବୀରପ୍ରସବିନୀ ମାଟି। ଏଇ ମାଟିର କାନ୍ତକବିଙ୍କ ରଚିତ ଓଡ଼ିଶାର ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଆଜି ବି ଦେଶ ବିଦେଶରେ ଓଡ଼ିଆଙ୍କ ମନକୁ ସ୍ପନ୍ଦିତ କରୁଛି। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ ବି ଭଦ୍ରକର ଥିଲା ଅନବଦ୍ୟ ଅବଦାନ।

 

ସ୍ବାଧୀନତା ଆନ୍ଦୋଳନ କାଳରେ ବାଞ୍ଛାନିଧି ମହାନ୍ତିଙ୍କ ନେତୃତ୍ବରେ ଇରମରେ ଗଢ଼ା ଯାଇଥିଲା ସ୍ବାଧୀନ ବାଞ୍ଛାନିଧି ଚକଲା, ଆଉ ଏ ଅଞ୍ଚଳ ପାଇଁ ନିଯୁକ୍ତ ହୋଇଥିଲେ ସ୍ବାଧୀନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ସେନାପତି। ଭଦ୍ରକର ଏଇ ଇରମ୍ ମାଟିରେ ପୋଲିସ ଗୁଳିରେ ୨୯ ଜଣ ସହିଦ ହୋଇଥିବା ବେଳେ ୫୬ ଜଣ ଆଘାତପ୍ରାପ୍ତ ହୋଇଥିଲେ। ଲୁଣିଆ, ଖଇରାଡିହି ଆଦି ଗୁଳିକାଣ୍ଡରେ ଅନେକ ସଂଗ୍ରାମୀ ସହିଦ ହୋଇଛନ୍ତି। ଧାମନଗର, ଭଣ୍ଡାରିପୋଖରୀ, ଧୁଷୁରି ଆଦିରେ ଭାରତଛାଡ଼ ଆନ୍ଦୋଳନର ସନ୍ତକ ଏବେ ବି ରହିଛି। ଲବଣ ସତ୍ୟାଗ୍ରହରେ ଭଦ୍ରକର ବହୁ ସତ୍ୟାଗ୍ରହୀ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ଏଇ ମାଟି ରାଜ୍ୟକୁ ଦୁଇଟି ମୁଖ୍ୟମନ୍ତ୍ରୀ ଓ ଦେଶକୁ ଦୁଇଟି କ୍ୟାବିନେଟ୍ ମନ୍ତ୍ରୀ, ଜଣେ ରାଜ୍ୟପାଳ ମଧ୍ୟ ଦେଇଛି। ଶିକ୍ଷା, ସଂସ୍କୃତି, ସାହିତ୍ୟ, ପ୍ରଶାସନ, ରାଜନୀତି, ବାଣିଜ୍ୟ ବ୍ୟବସାୟ ଆଦି କ୍ଷେତ୍ରକୁ ଭଦ୍ରକ ମାଟିର ଅବଦାନ ଅନନ୍ୟ। ମା’ ଭଦ୍ରକାଳୀଙ୍କ ଠାରୁ ବାବା ଆଖଣ୍ଡଳମଣି, ଧାମନଗରର ମୁଜାହିଦ୍ ନିଲତ୍ ତ ଆଧ୍ୟାତ୍ମିକ ସାଧନାର ଅନ୍ୟତମ ପୀଠ। ଧାମରା ବନ୍ଦର ଏବେ ବି ଉତ୍କଳୀୟ ନୌବାଣିଜ୍ୟକୁ ଚେତାଇ ଦେଉଛି।

 

ଭଦ୍ରକ ମାଟିରେ ଦିନେ ସଂଗଠିତ ହୋଇଥିଲା ଓଡ଼ିଶାର ହଳଦୀଘାଟ ଭାବେ ପରିଚିତ ଗୋହିରା ଟିକିରି ଯୁଦ୍ଧ। ଗୃହଭେଦି ରାମଚନ୍ଦ୍ର ଭଞ୍ଜଙ୍କ ବିଶ୍ବାସଘାତକତାର ଶିକାର ହୋଇ ଗୋହିରା ଟିକିରି ରଣପ୍ରାନ୍ତରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ମୁକୁନ୍ଦ ଦେବ। ଏହି ଜିଲ୍ଲାର ଧାମନଗର ଅଞ୍ଚଳ ଦିନେ ପ୍ରସିଦ୍ଧିଲାଭ କରିଥିଲା ବୌଦ୍ଧ ଧର୍ମର ଧର୍ମନଗ୍ର ଭାବେ। ଏଇଠି ବି ବିଭିନ୍ନ ସମୟରେ ଏକାଠି ହୋଇଛନ୍ତି ସନାତନୀ, ବୌଦ୍ଧ, ଜୈନ, ଇସ୍ଲାମ, ଇଶାଇ, ଶିଖ୍ ଇତ୍ୟାଦି। ସର୍ବଧର୍ମ ସମନ୍ବୟର ମାଟି ଭଦ୍ରକ ସେବା ଓ ସଂଗ୍ରାମ କ୍ଷେତ୍ରରେ ସୃଷ୍ଟି କରିଛି ସ୍ବତନ୍ତ୍ର ସ୍ଥାନ। ତେବେ ସମୟର ଉତ୍ଥାନ ପତନ ମଧ୍ୟରେ ବାରମ୍ବାର ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରିବା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସଚେତନ ଭଦ୍ରକବାସୀ ପୁଣି ଭାଇଚାରା ବନ୍ଧନରେ ଯୋଡ଼ି ହୋଇଯାଉଛନ୍ତି। ଗୋପବନ୍ଧୁ-ଗାନ୍ଧୀଙ୍କ ପ୍ରିୟ ଭୂମି ଭଦ୍ରକର ଏହା ହେଉଛି ବୈଶିଷ୍ଟ୍ୟ। (ସୌଜନ୍ୟ- ଗାନ୍ଧୀ ରଚନାବଳୀ, ସମାଜ, ଗାନ୍ଧୀ ଓ ଉତ୍କଳ, ସଂଗ୍ରାମ ଭୂମି ଭଦ୍ରକ)

 

ସଭାପତି, ଉତ୍କଳ ଗାନ୍ଧୀ ସ୍ମାରକ ନିଧି

ସଂପର୍କ- ୯୪୩୭୦୧୭୩୯୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top