ଓଡ଼ିଶା ହେବ ଭିକାରୀମୁକ୍ତ!

News Story - Posted on 2017-04-27

ଦେବାଶିଷ ବେହୁରା

 

ନିକଟରେ କେନ୍ଦ୍ର ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ତଥ୍ୟ ଆଧାରରେ ଦେଶରେ ୪ ଲକ୍ଷ ୧୩ ହଜାର, ୬୭୦ ଜଣ ଭିକାରୀ ଅଛନ୍ତି। ଏଥିରୁ ୨.୨ ଲକ୍ଷ ପୁରୁଷ ହେଇଥିବା ବେଳେ ୧.୯୧ ଲକ୍ଷ ମହିଳା ଭିକାରୀ  ଅଛନ୍ତି। ପଶ୍ଚିମବଙ୍ଗରେ ଦେଶର ସର୍ବାଧିକ ଭିକାରୀ ଅଛନ୍ତି। ସେମାନଙ୍କ ସଂଖ୍ୟା ହେଉଛି ୮୧,୧୪୪। ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ ଓ ଦିଲ୍ଲୀରେ ମଧ୍ୟ ବହୁ ସଂଖ୍ୟକ ଭିକାରୀ ଦେଖାଯାଆନ୍ତି। ଓଡ଼ିଶାରେ ମଧ୍ୟ ଭିକାରୀଙ୍କ ସଂଖ୍ୟା କିଛି କମ ନୁହେଁ। ଆମ ରାଜ୍ୟରେ ପଂଜୀକୃତ ଭିକାରୀଙ୍କ ସଂଖ୍ୟା ଅଧିକ ହୋଇ ନଥିଲେ ମଧ୍ୟ ବିଭିନ୍ନ ସହର ଓ ମନ୍ଦିରରେ ଅଣପଂଜୀକୃତ ଭିକାରୀଙ୍କ ସଂଖ୍ୟା ଅଗଣନ। ଆମ ରାଜ୍ୟ ସରକାରଙ୍କ ପାଖରେ ମଣିଷ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏତେ ପ୍ରକାର ସମାଜ ମଙ୍ଗଳକାରୀ ଯୋଜନା ଥିବା ବେଳେ ଭିକାରୀ ସୃଷ୍ଟି ହେବା ବହୁକିଛି ଦିଗକୁ ସୂଚାଉଛି, ରାଜ୍ୟସରକାରଙ୍କ ଯୋଜନା କାର୍ଯ୍ୟକାରିତାକୁ ନେଇ।

 

ସମୟ ବିଳମ୍ୱ ହେଲେ ମଧ୍ୟ ନିଜେ ସରକାର ଏକଥା ହୃଦୟଙ୍ଗମ କରିଛନ୍ତି। ରାଜ୍ୟକୁ ଭିକାରୀମୁକ୍ତ କରିବା ଉଦ୍ୟମ ନିଶ୍ଚିନ୍ତରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ। ଦେଶରେ କେରଳ ରାଜ୍ୟ ପରେ ଓଡ଼ିଶା ହେବ ଦ୍ୱିତୀୟ ଭିକାରୀ ମୁକ୍ତ ରାଜ୍ୟ। ଏହା ନିଶ୍ଚିନ୍ତ ରୂପେ ଓଡ଼ିଶା ଅନ୍ୟ ରାଜ୍ୟ ପାଖରେ ଏକ ଉଦାହରଣ ହୋଇରହିବ। ଗତ ସପ୍ତାହରେ ରାଜ୍ୟ ସରକାର ସ୍ଥିର କରିଛନ୍ତି ଭିକାରୀ ଥଇଥାନ ଯୋଜନା କାର୍ଯ୍ୟକାରୀ କରିବେ। ସରକାରଙ୍କ ଏହି ଯୋଜନା ଅନୁଯାୟୀ ରାଜ୍ୟରେ କେହି ଆଉ ଭିକ ମାଗିବେ ନାହିଁ। ଖୋଜି ଖୋଜି ଭିକାରୀଙ୍କୁ ଚିହ୍ନଟ କରାଯିବ। ଏହା ପରେ ସେମାନଙ୍କୁ ଥଇଥାନ କରାଯିବ। ରାଜ୍ୟରେ କେଉଁ ଜିଲ୍ଲାରେ କେତେ ଭିକାରୀ ଅଛନ୍ତି ତାହାର ସର୍ଭେ କରାଯିବ। ପ୍ରତ୍ୟେକ ଜିଲ୍ଲାପାଳ ଏକ କମିଟି ଗଠନ କରି ଭିକାରୀ ସର୍ଭେ କରିବେ। ଭିକାରୀ ଚିହ୍ନଟ ସରିବା ପରେ ଭିକାରୀ ଥଇଥାନ ଯୋଜନାରେ ସେମାନଙ୍କୁ ଘର କରିବାକୁ ଜମି ଯୋଗାଇ ଦିଆଯିବ। ଆବଶ୍ୟକ ସ୍ଥଳେ ଘର ନିମାର୍ଣ କରିଦିଆଯିବ।

 

ଏହା ବାଦ‌୍‍ ସେମାନଙ୍କର ଆଧାରକାର୍ଡ କରି ସେମାନଙ୍କୁ ଯୋଗାଇ ଦିଆଯିବ ରାସନ କାର୍ଡ। ସବୁ ଭିକାରୀ ଯେପରି ସରକାରଙ୍କ ଖାଦ୍ୟ ନିରାପା ଯୋଜନାରେ ସରକାର ଯୋଗାଉଥିବା ଖାଦ୍ୟଶଶ୍ୟ ପାଇପାରିବେ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାର ବନ୍ଦୋବସ୍ତ କରାଯିବ। ବହୁ ସମୟରେ ଦେଖାଯାଏ ଭିକାରୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥାଆନ୍ତି। ସେଥିପାଇଁ ସେମାନଙ୍କୁ ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା କରାଯିବ। ଏହା ପରେ ସେମାନେ ଯେମିତି ଭିକ୍ଷାବୃତ୍ତିକୁ ନଯାଇ ସ୍ୱାବଲମ୍ବୀ ହୋଇପାରିବେ ସେନେଇ ବିଭିନ୍ନ ତାଲିମ‌୍‍ ଦିଆଯିବାର ବନ୍ଦୋବସ୍ତ କରିବେ ସରକାର। ସବୁ ଭିକାରୀ ଯେପରି ନିଜ ନାମ ଲେଖିପାରିବେ, ଦସ୍ତଖତ କରିପାରିବେ, ପାଠପଢିପାରିବେ ସେଥିପାଇଁ ସେମାନଙ୍କୁ ମାଗଣାରେ ଶିକ୍ଷା ଦିଆଯିବ। ସେମାନଙ୍କ ପିଲାମାନଙ୍କୁ ବି ସରକାର ଶିକ୍ଷାବୃତ୍ତି ଦେବେ। ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟବୀମା କରଯାଯିବ। ଯାହାଦ୍ୱାରା ସେମାନେ ଓ ସେମାନଙ୍କ ପରିବାରର ସମସ୍ତେ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ। ସାମାଜିକ ନିରାପତ୍ତା ଯୋଜନାରେ ରାଜ୍ୟସକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଭିକାରୀମାନଙ୍କୁ ଯୋଗାଇ ଦିଆଯିବ।

 

ସରକାର ଏମିତି ବି ନିଷ୍ପତି ନେଇଥିଲେ ସମସ୍ତେ ଖାଇବେ, ଆଉକେହି ଉପାସରେ ରହିବେ ନାହିଁ କି ଅନାହାରରେ ମରିବେ ନାହିଁ। ସମସ୍ତଙ୍କ ପେଟକୁ ମୁଠାଏ ଖାଇବାକୁ ମିଳିବ। ଏହି ଘୋଷଣା କରି କନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିଲେ ଖାଦ୍ୟ ସୁରକ୍ଷା ଆଇନ। ଏହା ଏକ ବୃହତ ଜନମଙ୍ଗଳକାରୀ ଯୋଜନା। କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ହେବା ବେଳେ କେମିତି ବିଶୃଙ୍ଖଳା ହେଲା ଏହା ସମସ୍ତେ ଜାଣିଛନ୍ତି। ପ୍ରକୃତ ହିତାଧିକାରୀଙ୍କ ଅପେକ୍ଷା ଏହାକୁ ହାତେଇବାରେ ସଫଳ ହେଲେ କିଛି ଦଳୀୟ ନେତା ଓ ପ୍ରଭାବଶାଲୀ ବ୍ୟକ୍ତି। ଏହାର ଜ୍ବଳନ୍ତ ଉଦାହରଣ ରହିଛି କଟକ ମହାନଗର ନିଗମର ପୂର୍ବତନ ମେୟରଙ୍କ ମୁଣ୍ଡରେ। ଆଉ ଏପରି ଅନେକ ଉଦାହରଣ ଅଛି ଯେଉଁଠି ପହଂଚି ପାରିନାହିଁ ସରକାରଙ୍କର ଜନମଙ୍ଗଳକାରୀ ଯୋଜନା। କେବଳ ଯୋଜନା କରିଦେଇ ବସିଗଲେ ହେବନାହିଁ। ଯୋଜନା କିଭଳି ଲୋକଙ୍କ ପାଖରେ ପହଂଚିବ ଓ ଏହାର ସୁଫଳ କିପରି ଲୋକେ ପାଇବେ ଏହାର ଉତ୍ତର ଦାୟିତ୍ୱ ଉଭୟ ସରକାର ଓ ଜନ ପ୍ରତିନିଧିମାନଙ୍କର ରହିବା ଦରକାର।

 

ସରକାର ତାଙ୍କର ସମସ୍ତ ଯୋଜନା ଏକ ସ୍ୱଚ୍ଛ ଓ ନିରପେକ୍ଷତା ମନରେ କାର୍ଯ୍ୟକାରୀ କରୁଥିଲେ ମଧ୍ୟ କିଛି ଲୋକଙ୍କ ମୋହ ଓ ଅପାରଗତା ପାଇଁ ସରକାର ବଦନାମ ହେଉଛନ୍ତି। ଏହି ଭିକାରୀମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ରାଜ୍ୟ ସରକାର ଯେଉଁ ମହତ ଚିନ୍ତା ନେଇ ଆଗକୁ ଆସିଛନ୍ତି ନିଶ୍ଚିନ୍ତରୂପେ ଭିକାରୀମାନେ ଏହାର ସୁଫଳ ପାଇପାରିବେ। କିନ୍ତୁ ଉପଯୁକ୍ତ ଭିକାରୀଙ୍କୁ ଚୟନ କରିବା ଓ ଯୋଜନରେ ଅର୍ନ୍ତଭୂକ୍ତ କରିବା ସରକାରଙ୍କ ପାଇଁ ଗୋଟିଏ ଚ୍ୟାଲେଂଚ ହୋଇପାରେ।  ଯୋଜନାଟି ସଫଳ ରୂପାୟନ ହୋଇପାରିଲେ ଓଡ଼ିଶା ଭିକାରୀମୁକ୍ତ ହୋଇପାରିବ ଏବଂ ଦେଶରେ ଓଡ଼ିଶା ଏକ ଆଦର୍ଶ ରାଜ୍ୟ ଭାବେ ଗଣାହେବ।

 

ସାମ୍ୱାଦିକ କଲୋନୀ, ମଧୁସୁଦନ ନଗର, ତୁଳସୀପୁର, କଟକ

ମୋ: ୯୪୩୮୩୩୦୧୦୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top