ଜନଗଣଙ୍କ ମୁଖପତ୍ର ନା ଦୁଃଖପତ୍ର?

News Story - Posted on 2017-04-27

ମାୟାଧର ନାୟକ

 

ଗଣମାଧ୍ୟମ ସଂପର୍କରେ ସମ୍ୱାଦପତ୍ରରେ ନିବନ୍ଧ ପ୍ରକାଶ ପାଇଲା ପରେ ପରେ ପ୍ରାୟ ଆଜି ପର୍ଯ୍ୟନ୍ତ ଓଡ଼ିଶାର ବହୁ ବୁଦ୍ଧିଜୀବୀ ଏହାର ନିରାକରଣ ସଂପର୍କରେ ଲେଖିବାକୁ ଅନୁରୋଧ କରିଛନ୍ତି। ବିଶେଷ କରି ବରଗଡ଼ରୁ କିଛି ବିବେକୀ ଲୋକ ପ୍ରବନ୍ଧକୁ ତର୍ଜମା କରି ଅତ୍ୟନ୍ତ ବ୍ୟଥା ଅନୁଭବ କରିଛନ୍ତି। ଅବଶ୍ୟ ଶେଷରେ ଲେଖିଥିଲି - ଖବରକାଗଜ କୋଟି କୋଟି ଲୋକଙ୍କ ମୁଖପତ୍ର ନୁହେଁ - ଦୁଃଖପତ୍ର। ସାମ୍ୱାଦିକତା ପରି ପବିତ୍ର ବ୍ରତକୁ ହୀନବୃତ୍ତିର ହତିଆର କରାନଯାଉ।

 

ଏ ଆଶଙ୍କା କଥା ପାଠକବର୍ଗକୁ ସନ୍ତୁଷ୍ଟ କରିପାରିନି। ଆହୁରି କିଛି କଠିନ, କଠୋର, ରୋକ‌୍‍ଠୋକ‌୍‍ କଥା ଶୁଣିବାକୁ ଚାହୁଁଛନ୍ତି। ଠିକ‌୍‍ ଅଛି - ଏସବୁ ଲେଖିବାର କିଛି ଅସୁବିଧା ନାହିଁ; କିନ୍ତୁ ଜନଗଣ, ପାଠକବର୍ଗ ସାମାନ୍ୟତମ ଖୋଲାଖୋଲି ପ୍ରତିକ୍ରିୟା ପ୍ରକାଶ କରିବାର ସମୟ ଆସିଛି। ଆମ୍ଭେମାନେ ତ ଖବରକାଗଜ ପଢ଼ିବା ବନ୍ଦ କରି ଦେଇ ପାରିବା ନାହିଁ! ଅଧିକାଂଶଙ୍କର ପୁସ୍ତକପଠନ ଅଭ୍ୟାସ କମି ଆସିଛି। ଭଲଭଲ ବଛାବଛା ପୁସ୍ତକରେ ଠକାଠକି ବ୍ୟାପାର ନାହିଁ। କିନ୍ତୁ ଖବରକାଗଜରେ ମାଲିକମାନେ ସବୁରସ ରଖିବାକୁ ଚାହୁଁଛନ୍ତି। ପୂର୍ବରୁ ଓଡ଼ିଶାରେ ଯେଉଁ ଚାରିପାଞ୍ଚଟି ଦୈନିକ ସଂବାଦପତ୍ର ଥିଲା ସେଥିରେ ସାରା ଓଡ଼ିଶାର ଖବର ପ୍ରକାଶ ପାଉଥିଲା। ସେତେବେଳକାର ସାମ୍ୱାଦିକମାନେ କିଛିଟା ମୂଲ୍ୟବୋଧ, ଆଦର୍ଶରେ ପରିଚାଳିତ ହେଉଥିଲେ। ଆଜିକାଲି ଆପଣ ଭୁବନେଶ୍ୱର ପୁରୁଣା ବସ‌୍‍ଷ୍ଟାଣ୍ଡକୁ ଯାଇ ବୁକ‌୍‍ଷ୍ଟଲରୁ ସବୁ ଦୈନିକ ସଂବାଦପତ୍ର ସଂଗ୍ରହ କଲେ ସଂଖ୍ୟା ପ୍ରାୟ ୪୫ ହେବ। ଆଉ ଯାହା ଖବର ଥାଉନଥାଉ ସବୁକାଗଜରେ ‘ରାଶିଫଳ’ ଥିବ। ସବୁକୁ ମିଶାଇ ପଢ଼ନ୍ତୁ ଏକା ରାଶିରେ ଭିନ୍ନ ଭିନ୍ନ ଲେଖାଥିବ। ତା’ହେଲେ କ’ଣ ଭାଗ୍ୟ ଲେଖନରେ ମଧ୍ୟ ଭୁଲଭାଲ‌୍‍ ଅଛି?

 

ଆମେ ଦି’ଟଙ୍କାରୁ ଆରମ୍ଭ କରି ଆଠଟଙ୍କାରେ ସମ୍ୱାଦପତ୍ର କିଣୁ। ଆମକୁ ଏ ଖବରକାଗଜ କ’ଣ ଦିଏ ? ଦିଏ- ସରକାରୀ ସର୍କୁଲାର, ସଡ଼କ ରେଲ ଦୁର୍ଘଟଣାର ଦୁଃସମ୍ୱାଦ, ବାବାମାତା ମାର୍କା ବର୍ଣ୍ଣାଢ଼୍ୟ ବିବରଣୀ, ବିଦେଶୀ କମ୍ପାନୀ ପୁଞ୍ଜିଲଗାଣ ପ୍ରସ୍ତାବନୀ, ରାଷ୍ଟ୍ରୀୟ ପ୍ରଗତିର ପ୍ରହେଳିକା, ଦଙ୍ଗାଫସାଦର ନଙ୍ଗା ନଜ‌୍‍ରନା, ସିନେମାର ସ୍ୱଣ୍ଣମୃଗ ଉପାଖ୍ୟାନ, ରେପ-ମର୍ଡର-ବ୍ୟାଙ୍କ‌୍‍ଲୁଟ‌୍‍, ଜଡ଼ଜୀବନର ଜଡ଼ିବୁଟି, ଫମ୍ପା ଫତୁଆର ପର୍ଦ୍ଦାଫାସ‌୍‍, ଖାସୀ ଖାଉଟିର ବାସି ବିଜ୍ଞାପନ, ପାଇକାରୀ ଦରଦାମ‌୍‍, ଜାତି ଉଦ୍ଦେଶ୍ୟରେ ନାତିଶୀତ-ନେତୃତ୍ୱର ଉଷ୍ମ ଉଦ‌୍‍ବୋଧନ, ବିଦାୟୀ ବିଶେଷ ନିମନ୍ତେ ନିୟମିତ ଶୋକବାର୍ତ୍ତା, ମାଳମାଳ ମିଛ ସମେତ ଫାଳଟିଏ ଦୈନିକ ରାଶିଫଳ ଇତ୍ୟାଦି ଇତ୍ୟାଦି।

 

ଖବରକାଗଜ ଖୋଲାଫର୍ଦ୍ଦରେ ଖଞ୍ଜା ହୋଇଥାଏ ହରେକ‌୍‍ମାଲ‌୍‍ର ରଙ୍ଗିନ‌୍‍ ବିଜ୍ଞପ୍ତି। ସେଇ ମିଛ ବିଜ୍ଞପ୍ତିର ବ୍ୟାପ୍ତି ତଳେ ସତ୍ୟ ନୁହେଁ - ଖାଲି ଗଦାଗଦା ନ କଲି ତଥ୍ୟର ପାଠାନ୍ତର ! ଅବାନ୍ତର, ଅବାନ୍ତର ! ଖବରକାଗଜର ପୃଥିବୀରେ ନା ଅଛି ଭ୍ରଥଖଣ୍ଡ ନା ଅଛି ଉଡ୍ରଦେଶ ? ଭାରତ ଭସ୍ମ, ଓଡ଼ିଶା ଆଞ୍ଜୁଳାଏ ପାଉଁଶ, ମିଛ ମିଡିଆ ପ୍ରତିଦିନ ମାରିଦେଇଥାଏ ସତ କହିବାକୁ ଇଚ୍ଛା କରୁଥିବା ଓଡ଼ିଶାର ଆଶା ଆଉ ଭାରତର ଭାଷା !

 

ଏବେ ଦେଶୀବିଦେଶୀ ବଣିକମାନେ ଉଡ଼ିଉଡ଼ି ଆସି ରାଜଧାନୀ ଭୁବନେଶ୍ୱରରେ ଓହ୍ଲାଇ ଘୋଡ଼ାଚଢ଼ି ପୂରା ରାଜ୍ୟ ରାଜଧାନୀ ସଚିବାଳୟରେ ଧୂଳି ଉଡ଼ାଇ ଦେଉଛନ୍ତି - ତାଙ୍କ ଚକଚକିଆ ଗାଡ଼ି ପୋଷାକ ଓଡ଼ିଶାବାସୀଙ୍କୁ କାବା କରିଦେବା ସଂଗେସଂଗେ ମନ୍ତ୍ରୀ, ବିଧାୟକ, ସାଂସଦ, ଅଫିସର ଠିକାଦାରମାନଙ୍କୁ ଅମାପମାପ ସମ୍ପତ୍ତିର ଲୋଭରେ ପାଗଳ କରିଦେଲାଣି।

 

ଏବେ କେବେଳ ନେତା ନୁହଁନ୍ତି - ନୂଆଭାବେ କିଛି ଗଣମାଧ୍ୟମ ମାଲିକ ସାମ୍ୱାଦିକଙ୍କୁ ପ୍ରଚୁର ଅର୍ଥ ଦେଇ ତାଙ୍କର ଗୁଣଗାନ ଆକାଶବତାସରେ ଛାଡ଼ୁଛନ୍ତି। ଲୋକଙ୍କର ଖବରକାଗଜ ପଢ଼ିବା, ଟିଭି ଦେଖିବା ଏକ ପ୍ରକାର ଚଳଣିରେ ପରିଣତ ହୋଇଗଲାଣି। ଲୋକେ ବାରମ୍ୱାର ମିଛକଥା ଶୁଣିଶୁଣି କାଳେ ସତ ହୋଇଥିବ ହେଇ ଦେଖୁନା - ସରକାର, ମନ୍ତ୍ରୀ, ନେତା, ବୁଦ୍ଧିଜୀବୀ, ସାମ୍ୱାଦିକ ଯାହା ସବୁ କହୁଛନ୍ତି ମିଛ ହୋଇ ନ ଥିବ। ୟାଡେ ମିଛ ସତ କଥା ଭାବୁଭାବୁ କିମ୍ଭୀର ନେଇ ମଝିନଈରେ ପହଞ୍ଚିଲାଣି - ପୁଅ କହୁଛି ପାଣି ଦୁଲୁକୁଛି!

 

ଏବେ ସମ୍ୱାଦପତ୍ରରେ ପୃଷ୍ଠାପୃଷ୍ଠା ବିଜ୍ଞାପନ। ମାଲିକମାନଙ୍କର ଯୁକ୍ତି ବିଜ୍ଞାପନ ନ ଦେଲେ ପେପର ଚଳିବ କେମିତି ? ଠିକ‌୍‍ କଥା। କିନ୍ତୁ ଖାଲି କ’ଣ ସମ୍ୱାଦପତ୍ର ବିଜ୍ଞାପନରେ ଚାଲେ ? ଅନ୍ୟ କିଛି ଗଳାବାଟ ଅଛିକି? ହଁ ଅଛି। କିଣାଖବର। ଆପଣମାନେ ଅନୁମାନ କରିପାରୁଥେିବ ଗୋଟାଏ ଗୋଟାଏ ଖବରକାଗଜର ଚାରିପାଞ୍ଚ ସ୍ଥାନରୁ ନ’ଦଶ ସ୍ଥାନରେ ପ୍ରକାଶ ପାଉଛି। ଗୋଟିଏ ଜିଲ୍ଲାର ସମ୍ୱାଦ ଅନ୍ୟ ଜିଲ୍ଲାବାସୀ ଜାଣିପାରୁ ନାହାନ୍ତି। କେବଳ ସମ୍ପାଦକୀୟ, ଅନ୍ତର୍ଜାତୀୟ, ଜାତୀୟ, ରାଜ୍ୟ ପୃଷ୍ଠା ଅତିବେଶିରେ ଦି’ତିନି ପୃଷ୍ଠା। ବାକି ସବୁ ଯାହା ଖବର ପ୍ରକାଶିତ ହୁଏ ଜାଣୁଥିବେ।

 

ତା’ହେଲେ ପାଠକମାନଙ୍କୁ ମିଛଖବର, କିଣାଖବର ପରଷି ଅଯଥା ସମୟ ନଷ୍ଟ କରିବା ଠିକ‌୍‍ ହେବନି। ସମ୍ୱାଦପତ୍ରରେ ବେଶି ନକାରାତ୍ମକ ସମ୍ୱାଦ। ସକାରାତ୍ମକ ସଂବାଦ କୁଆଡେ଼ ଲୁଚିଯାଉଛି। ସବୁ ସମସ୍ୟାର ସମାଧାନ ଅଛି। କିଣାଖବର, ମିଛଖବର ଧର୍ତ୍ତବ୍ୟ ଅପରାଧ - ହତ୍ୟାକାରୀ, ଆତଙ୍କବାଦୀଙ୍କଠାରୁ ଆହୁରି ଜଘନ୍ୟ। ପାଠକମାନେ ଯେଉଁ ସମ୍ୱାଦପତ୍ରରେ ଏଭଳି ସମ୍ୱାଦ ଦେଖୁଛନ୍ତି ତୁରନ୍ତ ପ୍ରକାଶ୍ୟରେ ପ୍ରତିବାଦ କରନ୍ତୁ। ଖବର କାଗଜ କହିଲେ କାଳେ କ’ଣ ଅସୁବିଧା ହୋଇଯିବ, ଏ କଥା ମନରେ ଆଦୌ ଆଣନ୍ତୁ ନାହିଁ। ପ୍ରତିବାଦ ପ୍ରତିରୋଧ କଲେ ବରଂ କିଛିଟା ସୁବିଧା ହେବ। ଏସବୁ ସ୍ଥାନରେ ପାଠକ ସମାଜ ଗଢ଼ିତୋଳନ୍ତୁ। ଯେଉଁ ସମ୍ୱାପତ୍ରରେ କିଣାଖବର ମିଛଖବର ପ୍ରକାଶ ପାଇଛି - ତୁରନ୍ତ ପ୍ରତିକ୍ରିୟା ଜଣାନ୍ତୁ। ଦେଖାଶିଖା ଓଡ଼ିଶା ଭଳି ଗୋଟାଏ ଦି’ଟା ସ୍ଥାନରୁ ଆରମ୍ଭ ହେଲେ ସବୁ ସ୍ଥାନରେ ପ୍ରତିରୋଧ ଶକ୍ତି ଗଢ଼ିଉଠିବ। ଏହି କାର୍ଯ୍ୟଟି କଲେ ଦେଖିବେ ବହୁଳାଂଶରେ ସାମ୍ୱାଦିକ, ସଂବାଦପତ୍ର, କର୍ତ୍ତୃପକ୍ଷ ସତର୍କ ହେବେ।

 

ଏବେ ମାର୍କିନ ପ୍ରେସିଡେଣ୍ଟ ଟ୍ରମ୍ପ ଗଣମାଧ୍ୟମକୁ ଗଣଶତ୍ରୁଭାବେ ଚିତ୍ରଣ କରୁଛନ୍ତି। ଗଣଶତ୍ରୁ, ଏନିମି ଅଫ ଦି ପିପୁଲ‌୍‍ ଶବ୍ଦଟି ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରୁ ଫରାସୀ ବିପ୍ଲବ ସମୟରେ ପ୍ରତି ବିପ୍ଲବୀଙ୍କୁ ଖୋଜିଆଣି ଗିଲୋଟିନ‌୍‍ ଦ୍ୱାରା ମାରିଦିଆ ଯାଉଥିଲା, ବିଂଶ ଶତାବ୍ଦୀରେ ହିଟଲର‌୍‍ର ଜର୍ମାନୀ, ମୁସୋଲିନୀର ଇଟାଲୀ, ରାଷ୍ଟ୍ରୀୟସ୍ତରରେ ବିରୋଧୀମାନଙ୍କୁ ହତ୍ୟା କରିବା ସମୟରେ ଏହା ବ୍ୟବହାର କରାଯାଉଥିଲା। ଏବେ ଏକବିଂଶ ଶତାବ୍ଦୀରେ ମାର୍କିିନ ମୁଲକରେ ଏହି ଶବ୍ଦର ପୁନରାବୃତ୍ତି ବିଶ୍ୱ ପାଇଁ ଏକ ଭୟଙ୍କର ବାତାବରଣ ସୃଷ୍ଟି କରିବାରେ ଲାଗିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗଣମାଧ୍ୟମକୁ ଏପର୍ଯ୍ୟନ୍ତ କେହି ସିଧାସିଧା ଗଣଶତ୍ରୁ କହିନଥିଲେ।

 

ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ଟ୍ରମ୍ପ ଗଣମାଧ୍ୟମକୁ ବିରୋଧୀ ପକ୍ଷ କହିବା ସମ୍ୱିଧାନ, ଗଣତନ୍ତ୍ର ପ୍ରତି ବିପଦ। ଗଣମାଧ୍ୟମର କଣ୍ଠରୋଧ ମଧ୍ୟ ଭୟଙ୍କର। ସମଗ୍ର ବିଶ୍ୱ ମାର୍କିନ ସରକାରଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ଛି ଛି କରୁଛନ୍ତି। ଅନ୍ୟଦେଶର ମେଧା, ବୁଦ୍ଧି ଓ ଜ୍ଞାନକୌଶଳକୁ କିଣିନେଇ ଆମେରିକା ବିଶ୍ୱରେ ଧନଶାଳୀ ଦେଶଭାବେ ପରିଚିତ। ସେଇ ଆମେରିକାର ବାଚଳାମୀ କାରବାର ଏବେ ଧ୍ୱଂସଆଡ଼କୁ ଅଗ୍ରସର ହେଉଛି। ଥରେ ଦେଶର ମୁଖ୍ୟ ନିର୍ବାଚିତ ହୋଇଗଲେ - ସେ ଯେତିକି ସମୟ ରହିବେ, ନକାରାମିକ କାର୍ଯ୍ୟ କଲେ କେବଳ ସେ ଦେଶ କ୍ଷତିଗ୍ରସ୍ତ ହେବେନି, ବିଶ୍ୱର ଅନ୍ୟାନ୍ୟ ଦେଶ ମଧ୍ୟ ବିପଦରେ ପଡ଼ିବେ।

 

ବର୍ଷବର୍ଷ ଧରି ବେକାରୀ, କ୍ରମବର୍ଦ୍ଧମାନ ଅସାମ୍ୟ, ସ୍ୱଳ୍ପ ମଜୁରି, ଚାକିରି ପ୍ରତିଯୋଗିତାରେ ସଂଖ୍ୟାଗରିଷ୍ଠ ଆମେରିକୀୟମାନେ ଅଶାନ୍ତି ଅସନ୍ତୋଷର ବହ୍ନିରେ ଜଳୁଥିଲେ। ସେହି ଦୁକ‌୍‍ ଦୁକ‌୍‍ ନିଆଁରେ ଟ୍ରମ୍ପ ଘିଅ ଢାଳୁଛନ୍ତି। ତେଣୁ ସାଧାରଣ ମାର୍କିନ ନାଗରିକ କୌଣସି ଯୁକ୍ତି ମାନୁନାହାଁନ୍ତି। ଭୟଙ୍କର ବିଶୃଙ୍ଖଳା ସୃଷ୍ଟି କରିବାରେ ଲାଗିଛନ୍ତି।

 

ଆମେ ଭାବୁ ପୃଥିବୀରେ ଆମେରିକାବାସୀ ଧନୀ। ହଁ, କିଛି ଲୋକ ବୈଭବଶାଳୀ, ସେମାନେ ସବୁକିଛି ରାଜନୀତି, ଅର୍ଥନୀତି, ସମାଜ ସଂସ୍କୃତିକୁ ନିଜ ଦଖଲରେ ରଖିଛନ୍ତି। ସଂଖ୍ୟାଗରିଷ୍ଠ ଆମେରିକା ନାଗରିକ ହା’ହୁତାଶରେ ଦିନ କାଟୁଛନ୍ତି। ହଠାତ‌୍‍ ସେମାନଙ୍କୁ ଟ୍ରମ୍ପ ମିଳିଯାଇଛନ୍ତି। ଅବସ୍ଥା କେଉଁଆଡ଼କୁ ଯାଉଛି ଅନୁମାନ କରୁଥିବେ।

 

ଏବେ ଆମେରିକାର ଅଧିକାଂଶ ପ୍ରାୟ ସଂଖ୍ୟାଗରିଷ୍ଠ ନାଗରିକଙ୍କର ଅର୍ଥ ଛଡ଼ା ମୁଣ୍ଡରେ ଆଉକିଛି ନାହିଁ। ମୁଣ୍ଡରେ ଅର୍ଥ ଚିନ୍ତା ରହିଲେ ବୁଦ୍ଧି ଆସିବ ନାହିଁ। ସେଠି ସଂକଳ୍ପ ନାହିଁ, ଅଛି ସମ୍ପତ୍ତି। ସେମାନେ ଜର୍ସି-ଅର୍ଥପ୍ରେମୀ। ଯେତିକି ଅର୍ଜନ କରିଥିଲେ ବର୍ତ୍ତମାନ ବର୍ଜନର ବେଳ ଆସିଛି।

 

ଆମ ଭାରତରେ ମଧ୍ୟ ସ୍ୱାଧୀନତା ପରେ ସାମାଜିକ, ସାଂସ୍କୃତିକ, ଗଣତାନ୍ତ୍ରିକ ରାଜନୈତିକ ମତବାଦର ସ୍ୱୀକୃତି ରହିଲା ନାହିଁ। ଧୀରେ ଧୀରେ କ୍ଷମତା ଅର୍ଥ ପାଇଁ ନାନା ଫନ୍ଦିଫିକର କରି କିଛି ଲୋକ ଶୀର୍ଷରେ ପହଞ୍ଚି ଯାଇଛନ୍ତି। ଦେଶର ରାଜକୋଷକୁ ଚଳୁ କରିବାରେ ଲାଗିଛନ୍ତି। ଏ ସବୁ ଦେଖି ସଂଖ୍ୟାଗରିଷ୍ଠ ଭାରତୀୟ ଏକବାରେ କ୍ଷୁବ୍ଧ। ଏମାନଙ୍କ ପାଇଁ ସେପରି ପ୍ରେରଣାଦାୟକ ନେତୃତ୍ୱ ନାହଁ।

 

ଆମେରିକାରେ ମିଛଖବର, ଭାରତରେ କିଣାଖବର ପାଇଁ ଗଣମାଧ୍ୟମ ମଧ୍ୟ ଗଣତନ୍ତ୍ରରେ ବହୁସ୍ଥାନରେ ନିନ୍ଦିତ। ସମ୍ପ୍ରତି ସମସ୍ତ ବିଶ୍ୱରେ କେହି କାହାକଥା ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଯିଏ ଯେତେବେଳେ ଯାହା ଇଚ୍ଛା କହି ଚାଲିଛି। ପାଟିରୁ ଛେପ ପକାଇଲେ ଆଉ ଢୋକି ହୁଏନା କି ଧନୁରୁ ତୀର ଖସିଲେ ଆଉ ଫେରିଆସେନି। ସେଇଭଳି ଗୋଟାଏ ଗୋଟାଏ ଛୋଟ ଶବ୍ଦ ମଧ୍ୟ ଭୟଙ୍କର ବିପଦ ସୃଷ୍ଟି କରେ।

 

ବିଶ୍ୱକୁ ରକ୍ଷା କରିବାର ବେଶୀଭାଗ ଦାୟିତ୍ୱ ଗଣମାଧ୍ୟମର। ଗଣମାଧ୍ୟମ ଭାବ ଓ ଶବ୍ଦକୁ ବିକୃତ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ।  ଏବେ ଜାଣନ୍ତୁ ଗଣମାଧ୍ୟମର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ଆଉ ଗଣମାଧ୍ୟମମାନେ ଗଣଶତ୍ରୁ ନ ହୋଇ ଫ୍ରେଣ୍ଡ ଅଫ‌୍‍ ଦି ପିପୁଲ‌୍‍-ଗଣବନ୍ଧୁ-ମଣିଷର ବନ୍ଧୁ ହେବାର ବେଳ ପହଞ୍ଚି ଯାଇଛି।

 

ଯାଜପୁର ରୋଡ‌୍‍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top