ଚିଟ୍‌ ଫଣ୍ଡ୍‌- କଥା କମ୍‌, ବ୍ୟଥା ବହୁତ

News Story - Posted on 2017-04-27

ମାୟାଧର ନାୟକ

 

ଚିଟଫଣ୍ଡ ପାଲରେ ପଡ଼ି ଯେଉଁମାନେ ଫସି ଯାଇଛନ୍ତି- ସେମାନଙ୍କ ମନସ୍ତାତ୍ତ୍ୱିକ ଅବସ୍ଥା ଭଲ ନାହିଁ। କେତେକ ଚିଟଫଣ୍ଡ ସଂସ୍ଥା ଅଫିସ ଆଗରେ ଏପରିକି ରାଜଧାନୀରେ ବିକ୍ଷୋଭ କରୁଛନ୍ତି। ଥାନାରେ ମଧ୍ୟ ଏତଲା ଦେଉଛନ୍ତି ଏବଂ ଖୋଲାଖୋଲି କେତେଟଙ୍କା ଜମାଦେଇ ଠକିଯାଇଛନ୍ତି- କହୁଛନ୍ତି; କିନ୍ତୁ ଏମାନଙ୍କ ସଂଖ୍ୟା ମୁଁ ଯାହା ଭାବୁଛି ଶହେରୁ ୫ ଜଣ ହେବେ। ବାକି ୯୫ ପରସେଣ୍ଟ ଲୋକ ବଡ଼ଦାଣ୍ଡ ଭିକାରିଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଏବଂ ସମାଜରେ ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତିମାନେ କେତେଟଙ୍କା କେଉଁ ସଂସ୍ଥାରେ ଜମାକରି ଠକିଯାଇଛନ୍ତି- ଏପର୍ଯ୍ୟନ୍ତ ତୁଣ୍ଡ ଖୋଲୁନାହାଁନ୍ତି। କାରଣ- ‘ଅଜାଗା ଘା’ ଦେଖିହୁଏନା କି ଦେଖେଇ ହୁଏନା।

 

ରାଜନୈତିକ ଦଳ, ସଂଗଠନ, କେତେକ ବୁଦ୍ଧିଜୀବୀ ଯାହାସବୁ ଗଣମାଧ୍ୟମରେ ଚିତ‌୍‍କାର ଛାଡ଼ୁଛନ୍ତି- ସେ ସବୁ ଆନୁମାନିକ ବୋଲି ଧରିନେବାକୁ ହେବ। କାରଣ ପ୍ରକୃତ ହିସାବ କାହା ପାଖରେ ନାହିଁ। ଯଦି ଓଡ଼ିଶାରେ ଲୁଚାଛପା- ଖୋଲାରେ ବ୍ୟବସାୟ ଚଳାଉଥିବା ଚିଟ‌୍‍ଫଣ୍ଡ ସଂସ୍ଥାରେ କେଉଁମାନେ କେତେ ଟଙ୍କା କେଉଁଠି ରଖିଛନ୍ତି ତାହା ଲଜ୍ଜା ନ କରି ଲିଖିତଭାବେ ଜଣାନ୍ତେ, ତାହାହେଲେ ଲୋକଙ୍କ ସଂଖ୍ୟା ଏବଂ ମୋଟ ଟଙ୍କା ଜଣାପଡ଼ନ୍ତା। ଚିଟ‌୍‍ଫଣ୍ଡର କୁଟିଳ କୁଶଳୀ କଳାକାରମାନେ ଜମାକାରୀଙ୍କ ଟଙ୍କା କିଭଳି ଖର୍ଚ୍ଚ କରିଛନ୍ତି- ତାହାର ପର୍ଦ୍ଦାଫାସ‌୍‍ କିଛି କିଛି କ୍ରାଇମ‌୍‍ବ୍ରାଂଚ‌୍‍ କରୁଛି- କିନ୍ତୁ ସବୁ ଗୋପନ ତଥ୍ୟ ପାଇବା କଷ୍ଟକର। ପ୍ରଥମେ କେତେ ଲୋକ କେତେ ଟଙ୍କା ଦେଇଛନ୍ତି ଏହାର ହିସାବ ଆବଶ୍ୟକ। ଯେଭଳି ପଶ୍ଚିମବଂଗରେ ଶ୍ୟାମଳ ସେନ କମିଶନ ପାଖରେ ଲକ୍ଷଲକ୍ଷ ସଂଖ୍ୟାରେ ଅଭିଯୋଗ ଜମା ପଡ଼ୁଛି, ସେଭଳି ଓଡ଼ିଶାରେ ମଧ୍ୟ ଜମାକାରୀମାନେ ଅଭିଯୋଗ ପ୍ରମାଣ ସହ ଜଣାଇବା ଆବଶ୍ୟକ। କିନ୍ତୁ ଓଡ଼ିଶାରେ କେଉଁଠି କାହାପାଖରେ ଜଣାଇବେ- ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଏ ଦିଗରେ ବଙ୍ଗଳାଠାରୁ ଓଡ଼ିଶା ପଛୁଆ।

 

ବହୁ ମନ୍ତ୍ରୀ, ବିଧାୟକ, ସାଂସଦ, ନେତା, ଅଫିସର, ବ୍ୟବସାୟୀ, ଶିଳ୍ପପତି ରାଜକୋଷ ଲୁଣ୍ଠନକରି ବିଭିନ୍ନ ବାହାନାରେ ଖସିଯାଉଛନ୍ତି। ଶହେରେ ଜଣେ କି ଦି’ଜଣ ଗିରଫ ହେଲେ କି ଦଣ୍ଡ ପାଇଲେ- ହୋ ହାଲ୍ଲା ହୁଏ। ସାଧାରଣ ଲୋକ ଏଥିରେ ବେଶି ମୁଣ୍ଡ ଖେଳାନ୍ତି ନାହିଁ। ଆଜି ସାଧାରଣ ଲୋକଙ୍କ ଟଙ୍କା ଚିଟ‌୍‍ଫଣ୍ଡବାଲା ଠକି ନେଇଥିବାରୁ ସରକାର ଏବଂ ଆମ ବୁଦ୍ଧିଜୀବୀମାନେ ଉପର ଠାଉରିଆ ହୋ ହାଲ୍ଲା କରୁଛନ୍ତି, କିନ୍ତୁ ବାସ୍ତବରେ ଲୋକଙ୍କ ଟଙ୍କା ଫେରାଇ ଦେବାରେ କୌଣସି ଠୋସ‌୍‍ ପଦକ୍ଷେପ ନେବାର ଲକ୍ଷଣ ଦେଖାଯାଉନି। ଏ ସବୁ ପାଲା କିଛିଦିନ ଚାଲିବ- ତା’ପରେ ଯେଉଁ କଥାକୁ ସେଇକଥା।

 

ପଂଜିସ୍କିମ ଶବ୍ଦଟି ସଂପ୍ରତି ଇଂରାଜୀ ଓ ବିଭିନ୍ନ ଆଞ୍ଚଳିକ ଭାଷାର ସଂବାଦପତ୍ରରେ ବେଶ‌୍‍ ବ୍ୟବହୃତ ହେଉଛି। ଆମକୁ ଜଣେ ବୁଦ୍ଧିଜୀବୀ ଏହି ପଂଜି ଶବ୍ଦର ଅର୍ଥ ପଚାରନ୍ତେ ଆମ୍ୱେ କହିଲୁ- ଯେତେ ଇଂରାଜୀ ଅଭିଧାନ ଖୋଜି ଖୋଜି ମଧ୍ୟ ଏ ଶବ୍ଦ ପାଇନି। ସେ ମଧ୍ୟ ଅନେକ ଇଂରାଜୀ ଅଭିଧାନ ଦେଖି ଏ ଶବ୍ଦର ଆକ୍ଷରିକ ଅର୍ଥ ପାଇନଥିଲେ।

 

ସେଦିନ ରାତି ଦଶଟାରେ ସେହି ବୁଦ୍ଧିଜୀବୀଙ୍କୁ ଫୋନ‌୍‍ କରି କହିଲି- ପଂଜିର ଅର୍ଥ ଅବୈଧ ଅର୍ଥଲଗାଣ ସଂସ୍ଥା ହୋଇପାରେ। ସେ ମଧ୍ୟ ମୋ କଥାରେ ସମ୍ମତି ପ୍ରକାଶ କରିଥିଲେ। କିନ୍ତୁ ପଂଜି ଶବ୍ଦଟି ଆସିଲା କେଉଁଠୁ ? ବହୁ ଖୋଜାଖୋଜି କରି ଜାଣିବାକୁ ପାଇଲି ଯେ- ବିଂଶ ଶତାବ୍ଦୀର ଆରମ୍ଭ ଅର୍ଥାତ‌୍‍ ପାଖାପାଖି ୧୦୦ ବର୍ଷ ତଳେ ଆମେରିକାରେ ରହୁଥିବା ଚାର୍ଲସ ପଂଜି ନାମକ ଇଟାଲୀୟ ବ୍ୟକ୍ତିଙ୍କ ନାମରେ ଏହି ପଂଜି ସ୍କିମର ନାମକରଣ ହୋଇଛି। ସେହି ପଂଜି ମହାଶୟ ୯୦ ଦିନରେ ନିବେଶକଙ୍କ ଅର୍ଥ ଦ୍ୱିଗୁଣ କରିବାକୁ ଭରସା ଦେଇ ଅର୍ଥ ସଂଗ୍ରହ କରୁଥିଲେ। ପ୍ରଥମେ ପ୍ରଥମେ କିଛି ଲୋକ ଦ୍ୱିଗୁଣ ଅର୍ଥ ପାଇଲେ। ଏ ଲୋଭର ସଂବାଦ ପ୍ରଚାରିତ ହେଲା ପରେ ଲୋଭୀମାନେ ଶହ ଶହ ଆମେରିକୀୟ ଡଲାର‌୍‍ ସେହି ପଂଜି ସ୍କିମରେ ଜମାଦେଲେ। ସେହି ପଂଜି ଠକ ମହାଶୟ ହଜାର ହଜାର କୋଟି ଡଲାର ଠକିନେଇ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିବାବେଳେ ଧରାପଡ଼ି ୧୪ ବର୍ଷ ଜେଲ ଗଲେ। ଜେଲରୁ ଖସି ପଳାଇବା ଉଦ୍ୟମ ଧରାପଡ଼ିବାରୁ ତାଙ୍କ ଜେଲ ମିଆଦକୁ ବଢ଼ାଇ ଦିଆଗଲା।

 

ଶହେବର୍ଷ ତଳେ ବିଦେଶରୁ ଆମଦାନୀ ହୋଇଥିବା ସେତେବେଳର ସୁପରଠକ ଚାର୍ଲସ ପଂଜିଙ୍କ ପଦାଙ୍କାନୁସରଣ କରି ଆମ ଭାରତରେ ମଧ୍ୟ କମ‌୍‍ ସୁପରଠକ ବାହାରି ନାହାନ୍ତି। ବୈଧସଂଚୟ ଯୋଜନା ଡାକଘରେ ଟଙ୍କା ରଖିଲେ ୮.୪% ସୁଧ ମିଳେ। ଲୋକେ ବି ଦେଶର ବିଭିନ୍ନ ଡାକଘରେ କୋଟି କୋଟି ଟଙ୍କା ସ୍ୱଳ୍ପ ସଂଚୟ ଯୋଜନାରେ ରଖୁଥିଲେ। ସୁପରଠକ ସଂସ୍ଥାମାନେ ସ୍ଥାନୀୟ ଏଜେଣ୍ଟ‌୍‍ ନିୟୋଜିତ କରି ୩୩ଞ୍ଝ ସୁଧର ଲୋଭ ଦେଖାଇଲେ। ଏପରିକି ୩ ବର୍ଷରେ କେଉଁଠି କେଉଁଠି ୨ ବର୍ଷର ଜମା ଟଙ୍କା ଦୁଇଗୁଣ ହୋଇଯିବ ବୋଲି ବିଶ୍ୱାସ ଜମାଇଲେ। ବହୁଲୋକ ପାଗଳ ଭଳି ଲକ୍ଷ ଲକ୍ଷ ଟଙ୍କା ଜମାଦେଲେ। ବୈଧଡାକଘରୁ ଟଙ୍କା ଉଠାଇ ଆଣି ସୁପରଠକଙ୍କ ଝୁଲା ଭର୍ତ୍ତିକରି ଦେଲେ। ଗୋଟିକପରେ ଗୋଟାଏ ଚିଟ‌୍‍ଫଣ୍ଡ ମାଲିକ ଧରାପଡ଼ି ଜେଲକୁ ଯାଉଥିବା ବେଳେ ଜମାକାରୀଙ୍କ ହୋସ‌୍‍ ଉଡିଗଲାଣି। ସ୍ୱପ୍ନ ଧୂଳିସାତ‌୍‍।

 

ସୁପର ଠକମାନଙ୍କ ଅଜବକାହାଣୀର ଶେଷ ନାହିଁ। କେତେ ଯେ କଥା ଲୁଚିରହିଛି- ତା’ର ପର୍ଦ୍ଦାଫାସ କରିବ କିଏ? ଜମାକାରୀ ଓ ଏଜେଣ୍ଟମାନଙ୍କ ବ୍ୟଥା ବୁଝିବ କିଏ? ଚୋର କହୁଛି ଚୋର ପଳାଇଲା ଭଳି ରାଜନେତାମାନେ ପରସ୍ପର ବିରୋଧରେ କାଦୁଅ ଫିଙ୍ଗିବାରେ ଲାଗିଛନ୍ତି। ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତି ଯେଉଁମାନେ ଏଇ ସୁପରଠକାମୀ କାରବାରରେ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷରେ ସଂପୃକ୍ତ, ତାଙ୍କ ମୁଖା ଖୋଲିବ କିଏ ? ସମସ୍ତେ ସି.ବି.ଆଇ. ତଦନ୍ତ ଦାବୀରେ ରଡ଼ିଛାଡ଼ୁଛନ୍ତି। ସି.ବି.ଆଇ କ’ଣ ସମସ୍ତଙ୍କ ମୁଖା ଖୋଲି ପାରିବ ? ଏଇଭଳି ହଜାରେ ଏକ ପ୍ରଶ୍ନ ଉଙ୍କିମାରୁଛି।

 

ଶୁଣାଯାଉଛି ୨୦ ଲକ୍ଷ ଜମାକାରୀ ଚିଟ‌୍‍ଫଣ୍ଡ ସଂସ୍ଥାମାନଙ୍କରେ ଟଙ୍କା ନିବେଶ କରିଥିଲେ। ଏହି ୨୦ ଲକ୍ଷ ଲୋକଙ୍କ ଉପରେ ତାଙ୍କ ପରିବାର ନିର୍ଭରଶୀଳ। ସବୁ ସଂଖ୍ୟା ମିଶାଇଲେ କୋଟିଏରୁ ବେଶି ଲୋକ ଠକାମୀରେ ପଡ଼ିଛନ୍ତି। ପଂଜିସ୍ମିମ‌୍‍ରେ ଠକି ଯାଇଥିବା ପ୍ରତ୍ୟେକ ଲୋକର କେତେ ଆଶାଆକାଂକ୍ଷା, ସ୍ୱପ୍ନ ଥିଲା- ଏବେ ସେ ସବୁ ଧୂଳିସାତ। କୋଟିଏ ଲୋକ କ୍ଷତିଗ୍ରସ୍ତ ହେବା ଘଟଣା କ’ଣ କାହା ଆଖିକି ଦେଖାଗଲା ନାହିଁ। ଆମ ଜନପ୍ରତିନିଧିମାନେ କରୁଥିଲେ କ’ଣ ? ଅଫିସର, ଗଣମାଧ୍ୟମଙ୍କର ମଧ୍ୟ ଦାୟିତ୍ୱ ଅଛି। କେହି ଏଭଳି ଭୟଙ୍କର ବିପଦକୁ ସତର୍କ କରାଇ ପାରିଲେ ନାହିଁ କାହିଁକି ? ସମସ୍ତେ କ’ଣ ନିବୁର୍ଦ୍ଧିଆ ହୋଇଗଲେ କି ? ଘଟଣା ଘଟିଗଲା ପରେ ମଧ୍ୟ ସମାଧାନର ରାସ୍ତା କାହିଁକି କିଏ ଦେଖାଇ ପାରୁନାହାଁନ୍ତି। ସମସ୍ତେ ପରସ୍ପରକୁ ଦୋଷ ଦେଇ ଖସିଯିବାକୁ ଚାହୁଁଛନ୍ତି କି ?

 

ହଁ ! ଆମେ ମାନୁଛୁ- ଲୋକେ ଲୋଭରେ ପଡ଼ି ପାପ କରିଛନ୍ତି। ଏ ପାପର କ’ଣ ପ୍ରାୟଶ୍ଚିତ୍ତ ନାହିଁ ? ଅଛି। କଥାରେ ଅଛି- ପାପ କେବେ ଫେରିଆସେନା, ପାପୀଙ୍କୁ ଦଣ୍ଡ ଭୋଗିବାକୁ ହେବ। ତେଣୁ ପାପର ମାତ୍ରା ନେଇ ଉପଯୁକ୍ତ ଦଣ୍ଡର ବ୍ୟବସ୍ଥା ହେଲେ- ହୁଏତ ଭବିଷ୍ୟତରେ ପାପ ପାଇଁ ଲୋକେ ପାଞ୍ଚଥର ଭାବିବେ। ଏବେ ଚିଟ‌୍‍ଫଣ୍ଡ ମାଷ୍ଟର ଏବଂ ତାଙ୍କ ଧର୍ମବାପ (ଗଡ଼ଫାଦର) ମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବାର ବେଳ ପହଞ୍ଚିଯାଇଛି। ଲୋକେ ଲୋଭରେ ପଡ଼ି ଯେଉଁ ପାପ କରିଛନ୍ତି- ସେମାନେ କେବଳ ହାଇପିସାଇପି ହୋଇ ଦଣ୍ଡ ପାଉଛନ୍ତି। ଯେଉଁମାନେ ଚିଟ‌୍‍ଫଣ୍ଡ ସଂସ୍ଥାରେ ଚାକିରି କରି ଅତ୍ୟଧିକ ଦରମା ପାଇଆସୁଥିଲେ ସେମାନଙ୍କ ମନ ମଧ୍ୟ ଦୁକ‌୍‍ଦୁକ‌୍‍ ହେଉଥିବ।

 

ସତେ କ’ଣ ସୁପରଠକମାନେ କାହାଠୁଁ କେତେଟଙ୍କା ନେଇ କାହାକୁ କେତେ ଦେଇଛନ୍ତି ଏବଂ କୋଟିଏ ତିରିଶ ଲକ୍ଷଟଙ୍କିଆ ଗାଡ଼ି ଚଢ଼ି ବିଳାସବ୍ୟସନରେ ନାରୀ ଓ ସୁରାରେ ଦିନ କଟାଇଛନ୍ତି ସେସବୁ ବିବରଣୀ ଦେବେ ? ଯାହା ଯାହା ସବୁ ଖର୍ଚ୍ଚ କରି ଦେଇଛନ୍ତି- ତାଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ବିକିଲେ ବି ଜମାକାରୀଙ୍କ ଟଙ୍କା ମିଳିବନାହିଁ। ଯାହା ଜଣାପଡ଼ୁଛି ଯେତେ ତଦନ୍ତ ହେଲେ ବି ସେମାନଙ୍କ ଗୁପ୍ତକାରବାର ଧନରୁ ଦଶପରସେଣ୍ଟ ମିଳିବା କଷ୍ଟକର। ଯଦିବା ଦଶକୋଡ଼ିଏ ପରସେଣ୍ଟ ଜବତ ହେଲା, ତାହେଲେ ସୁପରଠକମାନେ ଧରିନେବେ ଶହେଟଙ୍କା ଖାଇଥିଲୁ କୋଡ଼ିଏ ଟଙ୍କା ଜବଦ‌୍‍ ହେଲା। ଏହା ଅନ୍ୟ ସୁପରଠକମାନଙ୍କୁ ମଧ୍ୟ ଉତ୍ସାହିତ କରିପାରେ। ତେଣୁ ଦୃଷ୍ଟାନ୍ତମୂଳକ କଠୋର ଦଣ୍ଡ ହିଁ ଏକମାତ୍ର ଉପାୟ।

 

ଏଇ ଓଡ଼ିଶାରେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦୁର୍ନୀତିଖୋର, ଅସାଧୁଙ୍କୁ ମାଡ଼ ଦେବାପାଇଁ ଆହ୍ୱାନ ଦେଇଥିଲେ। ବିଜୁବାବୁଙ୍କ ଠାରୁ ଆଉ ପାଦେ ଆଗକୁ ଯାଇ ବହୁବର୍ଷ ଧରି ସଭାସମିତି, ସଂବାଦଦପତ୍ର, ଟିଭି ଚ୍ୟାନେଲରେ ମାଡ଼ ଥିଓରୀ କଥା କହିଚାଲିଛି। ରାଜକୋଷ ଲୁଟେରା, ସାଧାରଣଲୋକଙ୍କ ସଂପତ୍ତି ଲୁଟେରାମାନେ ଦେଶଦ୍ରୋହୀ। ଏମାନଙ୍କୁ ରାସ୍ତାଘାଟ, ଅଫିସ ଦପ୍ତରରେ ପ୍ରବଳ ମାଡ଼ ଦିଆଯାଉ। ମାଡ଼କୁ ‘ମହାଦେବ’ ଡରନ୍ତି। କେତେକେ ନାପସନ୍ଦ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ମତାମତ ଦେଲେ। ଦେଶଦ୍ରୋହୀଙ୍କୁ ସାବାଡ଼ କରିବା ପାଇଁ ଦେଶପ୍ରେମୀମାନେ କେବେ ବାହାରିବେ କେଜାଣି।

 

ଏଇ ଭାରତରେ ୧୯୪୭ ମସିହାରୁ ଆଜି ପର୍ଯ୍ୟନ୍ତ କେତେ ଯେ ଘୋଟେଲା, ଅବୈଧକାର୍ଯ୍ୟ ହୋଇଛି, ତା’ର ହିସାବ ନାହିଁ। ଯେଉଁମାନେ ଏହି ସବୁ ଜଘନ୍ୟକାର୍ଯ୍ୟ କରିଥିଲେ- ସେତେବେଳେ ସରକାର କମିଶନ ବସାଇଥିଲେ। କମିଶନର ତଦନ୍ତ ଏତେ ଢିଲା ଯେ- ଦୋଷୀମାନଙ୍କର ସ୍ୱର୍ଗପ୍ରାପ୍ତି ହେଲା ପରେ ବି ତଦନ୍ତର ଫଳାଫଳ ବାହାରିଲା ନାହିଁ; ବରଂ ଦୋଷୀ ମରିଯାଇଥିବାରୁ କମିଶନ ଫାଇଲରେ ଫିତା ବାନ୍ଧି ଥଣ୍ଡାଘରକୁ ପଠାଇଦେଲେ। ରାଜକୋଷ ଲୁଟେରାମାନଙ୍କୁ ଯେହେତୁ କୌଣସି କମିଶନ ଉପଯୁକ୍ତ ଦଣ୍ଡଦେବାରେ  ସକ୍ଷମ ହୋଇପାରୁନାହାଁନ୍ତି- ପ୍ରମାଣ ଅଭାବରୁ ଦୋଷୀ ଖସି ଯାଉଛି ବୋଲି ବାହାନା ଦେଖାଉଛନ୍ତି- ତେଣୁ କେବଳ ତଦନ୍ତ କମିଶନ ଘୋଷଣା କରି ରାଜକୋଷରୁ ଟଙ୍କା ଖର୍ଚ୍ଚ କଲେ ପ୍ରକୃତ ଦୋଷୀ ଧରାପଡ଼ିବା ସମ୍ଭବ ହେଉନି। କଥାରେ ଅଛି- ରାଜା ଷୋଳ କଳାକୁ ମନ୍ତ୍ରୀ ବତିଶ କଳା ଏବଂ ଚୋର ଚଉଷଠୀ କଳା। ଏଇ ଚଉଷଠୀ କଳାର ଚୋରମାନଙ୍କୁ ଧରିବାକୁ ହେଲେ ଶହେ ଅଠେଇଶ‌୍‍ କଳାର ସୁପରମ୍ୟାନ‌୍‍ ବାହାରନ୍ତେ କି ?

 

ମହାଭାରତର ‘କୋକୁଆ’ କି ଓଡ଼ିଶା ଇତିହାସର ‘କଳାପାହାଡ଼’ ଶବ୍ଦ ଭଳି ଆମ ଚଳନ୍ତି ସମୟର ‘ଚିଟ‌୍‍ଫଣ୍ଡ’ ଶବ୍ଦଟି ଏବେ ତୁଣ୍ଡବାଇଦ ଯୋଗେ ପ୍ରଚାରିତ ହୋଇ ଚାଞ୍ଚଲ୍ୟ ଖେଳାଇସାରିଛି। ‘କୋକୁଆ’ କାଳ୍ପନିକ, ‘କଳାପାହାଡ଼’ ଐତିହାସିକ; ମାତ୍ର ‘ଚିଟ‌୍‍ଫଣ୍ଡ’ ଆଜିକାଲିକାର ଅପସାଂସ୍କୃତିକ ବାସ୍ତବତା। ଏଭଳିକି ‘କୋକୁଆ’ କି ‘କଳାପାହାଡ଼’ଠୁ ମଧ୍ୟ ‘ଚିଟ ଫଣ୍ଡ’ ଭୟଙ୍କର ଭାବରେ ଅଧିକ ମାରାତ୍ମକ ! କୋଟିକୋଟି ଲୋକଙ୍କ ଭବିଷ୍ୟତକୁ ଭସ୍ମ କରିଦେଇଥିବା ଏହି ‘ଚିଟ‌୍‍ଫଣ୍ଡ‌୍‍’ର କେଇଟି ଡାଳ ମାତ୍ର ଦିଶୁଛି, ମୂଳ କିନ୍ତୁ ପୋତା ହୋଇରହିଛି କେଉଁ ଅତଳତଳରେ। ଚିଟ‌୍‍ଫଣ୍ଡର ମାମୁଲି ମାଲିକଗୁଡ଼ାଙ୍କୁ ଧରପଗଡ଼ କରି ପୁଲିସ‌୍‍ ବିଭାଗ ବାହାବା ନେଉଛି। ହେଲେ ଏମାନଙ୍କ ଅସଲ ଗଡ଼‌୍‍ଫାଦର‌୍‍ଙ୍କ ପାଇକଛା ପର୍ଯ୍ୟନ୍ତ ପହଞ୍ଚିବାରେ ଗୁଇନ୍ଦାବିଭାଗ ଅସମର୍ଥ। କେଜାଣି ହୁଏତ ଅଦୂର ଭବିଷ୍ୟତରେ ଏହି ତଥାକଥିତ ମାଲିକମାନଙ୍କ ମୁହଁରୁ ଯଦି ଗୁମର ଫିଟେ।

 

ଯାଜପୁର ରୋଡ‌୍‍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top