ତାତ୍ତ୍ୱିକ ଦୃଷ୍ଟିରେ ଶ୍ରୀହନୁମାନ

News Story - Posted on 2017-04-27

ଜ୍ୟୋତିର୍ବିଦ‍୍‌ ଡ. ପ୍ରଦୀପ କୁମାର ଚୌଧୁରୀ

 

ରାମାୟଣରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପରେ ହନୁମାନଙ୍କ ସ୍ଥାନ ତୃତୀୟ। ରାମାୟଣ, ଗୋଟିଏ ଦିଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଗୁଣାବଳୀ ବର୍ଣ୍ଣନା କଲାବେଳେ ଅନ୍ୟ ଦିଗରେ ହନୁମାନଙ୍କ ପ୍ରଭୁପ୍ରେମ ଓ ଭକ୍ତିର ଅମୃତ ରସର ଗୁଣଗାନ କରୁଛି। ହନୁମାନ ଦାସଭକ୍ତିର ଏକ ମୂର୍ତ୍ତିମନ୍ତ ପ୍ରତୀକ। ହନୁମାନଙ୍କ ଗୁଣଗାନ ପ୍ରଭୁ ରାମଚନ୍ଦ୍ର ଓ ମାତାସୀତାଙ୍କ ମୁଖରେ ଶତଗୁଣରେ ପ୍ରଶଂସିତ। ହନୁମାନ, ପ୍ରଥମ ବ୍ୟକ୍ତି ପ୍ରଭୁ ରାମଙ୍କୁ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନର ସୂତ୍ରଧର, ସହସ୍ର ଯୋଜନ ସିନ୍ଧୁ ଅତିକ୍ରମ କରି ଲଙ୍କାରେ ପ୍ରଥମେ ପାଦଦେଇ ଲଙ୍କିନୀକୁ ପ୍ରହାର କଲେ, ମାତା ସୀତାଦେବୀଙ୍କୁ ପ୍ରଭୁ ଶ୍ରୀରାମଙ୍କ ସନ୍ଦେଶ ଦେଇ ମୁଦ୍ରିକା ପ୍ରଦାନ କଲେ, ଅଶୋକ ବନକୁ ନଷ୍ଟ କଲେ, ରାବଣକୁ ଚେତାବନୀ ଦେଲେ, ଲଙ୍କାକୁ ପୋଡି ଛାରଖାର କଲେ, ଶନିଙ୍କୁ ରାବଣର ବନ୍ଧନରୁ ମୁକ୍ତି ଦେଲେ, ବିଭୀଷଣ ସହ ମିତ୍ରତା ସ୍ଥାପନ କଲେ, ପ୍ରଭୁଙ୍କ ସନ୍ଦେଶ ମାତା ସୀତାଙ୍କୁ ଦେଲେ, ଲକ୍ଷ୍ମଣ ଶକ୍ତିଭେଦ ସମୟରେ ଗନ୍ଧମାର୍ଦନ ପର୍ବତକୁ ଉପାଡି ଆଣିଲେ, ଗରୁଡକୁ ଡାକିଆଣି ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ନାଗଫାଶ କବଳରୁ ମୁକୁଳେଇଲେ, ଅହିରାବଣକୁ ବଧ କରି ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ରକ୍ଷା କଲେ। ହନୁମାନ ନିଜର ପ୍ରଭୁଙ୍କ ମୁଖରେ ପ୍ରଶଂସିତ ଏପରିକି ରାବଣ ଭଳି ଶତ୍ରୁ ମଧ୍ୟ ହନୁମାନଙ୍କ ବୁଦ୍ଧି, ଜ୍ଞାନ, ଭକ୍ତି, ପ୍ରେମ ତଥା ଯୁଦ୍ଧ ବିଦ୍ୟା କୌଶଳରେ ଚକିତ ହୋଇ ହନୁମାନଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହେଲେ।

 

ହନୁମାନ ସବୁ ବିଦ୍ୟାରେ ସିଦ୍ଧହସ୍ତ ଥିଲେ ଏବଂ ପ୍ରବଳ ପରାକ୍ରମୀ ଯୋଦ୍ଧା ଥିଲେ। ତାତ୍ତ୍ୱିକ ଦୃଷ୍ଟିରେ ଦେଖିବାକୁ ଗଲେ ହନୁମାନ ଚାରୋଟି ଅକ୍ଷରର ସମାହାର। ଏହି ଚାରୋଟି ଅକ୍ଷର ଯଥା- ହ, ନୁ, ମା ଓ ନ। ଏହି ଚାରୋଟି ଅକ୍ଷରର ତାତ୍ତ୍ୱିକ ଅର୍ଥ ବୁଝିବାକୁ ଗଲେ ‘ହ’ ମାନେ ହରଣ କରନ୍ତି, ‘ନୁ’ ନୂତନତ୍ୱ ପ୍ରଦାନ କରନ୍ତି, ‘ମା’ ମାନେ ମାନଭଞ୍ଜନ ବା ଗର୍ବଗଞ୍ଜନ କରନ୍ତି, ‘ନ’ ମାନେ ନବ ଗ୍ରହର ପ୍ରତିନିଧିତ୍ୱ କରନ୍ତି ଓ ନବନିଧି ପ୍ରଦାନ କରନ୍ତି।

 

‘ହ’ ପ୍ରଥମ ଅକ୍ଷର। ‘ହ’ ମାନେ ହରଣ କରନ୍ତି- କ’ଣ ହରଣ କରନ୍ତି ? ବିଘ୍ନ, ବାଧା, ଘାତ ପ୍ରତିଘାତ, ପ୍ରତିବନ୍ଧକ, ବିପଦ, ଦୁଃଖ, ସଂକଟକୁ ହରଣ କରନ୍ତି। ହନୁମାନ ସମସ୍ତ ଘାତପ୍ରତିଘାତ ସଂକଟକୁ ହରଣ କରିବାରେ ସିଦ୍ଧହସ୍ତ। ରାମାୟଣରେ ପ୍ରଭୁ ରାମଚନ୍ଦ୍ରଙ୍କ ଘୋର ସଂକଟ ସମୟରେ ହନୁମାନ ସବୁକ୍ଷେତ୍ରରେ ସଂକଟହରଣ ଦାସ ରୂପେ ପରିଚୟ ପ୍ରଦାନ କରିଥିଲେ। ସୁଗ୍ରୀବଙ୍କ ମିତ୍ରର ସୂତ୍ରଧରଠାରୁ ଆରମ୍ଭ କରି ଲକ୍ଷ୍ମଣଙ୍କ ଶକ୍ତିଭେଦ, ପ୍ରଭୁ ରାମ ଓ ଲକ୍ଷ୍ମଣଙ୍କ ନାଗଫାଶ ବନ୍ଧନ, ଅହିରାବଣ ଠାରୁ ମୁକ୍ତି ପର୍ଯ୍ୟନ୍ତ ଏପରିକି ପ୍ରଭୁ ରାମଚନ୍ଦ୍ର ମାତାସୀତାଙ୍କ ପୁନର୍ମିଳନର ଏକ ବଳିଷ୍ଠ ଭୂମିକାରେ ଆବର୍ତ୍ତନ ହୋଇଥିଲେ ହନୁମାନ।

 

ହନୁମାନ ଶୈଶବ ଅବସ୍ଥାରେ ବାଳସୂର୍ଯ୍ୟଙ୍କୁ ସୁନ୍ଦର ଫଳ ମନେକରି ଭକ୍ଷଣ କରିଥିଲେ। ଏହି ସମୟରେ ସାରା ସୃଷ୍ଟି ଅନ୍ଧକାର ହେଲା। ସମସ୍ତ ଦେବଦେବୀ ସଂକଟ ମଣିଲେ। ପରିଶେଷରେ ଇନ୍ଦ୍ରଙ୍କ ବଜ୍ରାଘାତରେ ହନୁମାନ ସୂର୍ଯ୍ୟଙ୍କୁ ନିଜ ମୁଖରୁ ମୁକ୍ତି ଦେଲେ। ହନୁମାନ ଇନ୍ଦ୍ରଙ୍କ ଆଘାତରେ ମୂର୍ଚ୍ଛିତ ହେଲେ, ହନୁମାନଙ୍କ ପିତା ପବନ ରୋଷ କରି ବାୟୁର ଚଳାଚଳ ବନ୍ଦ କରିଦେଲେ। ସକଳ ଜୀବଜଗତ ଘୋର ସଂକଟରେ ରହିଲେ, ଏହି ସଂକଟରୁ ଉଦ୍ଧାର ନିମନ୍ତେ ସବୁ ଦେବଦେବୀ ପବନଦେବଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ବାଳ ହନୁମାନଙ୍କୁ ଆଶୀର୍ବାଦ ପ୍ରଦାନ କଲେ। ବାୟୁ କହିଲେ ହନୁମାନଙ୍କ ଅଧୀନରେ ବାୟୁ ଚଳାଚଳ କରିବ ଏବଂ ଏହାଙ୍କ ଗତି ବାୟୁଠାରୁ କ୍ଷୀପ୍ର ହେବ। ଇନ୍ଦ୍ର କହିଲେ ବଜ୍ରଠାରୁ ହନୁମାନଙ୍କ ଶରୀର ଶକ୍ତିଶାଳୀ ହେବ। ବଜ୍ର ହନୁମାନଙ୍କୁ କିଛି କରିପାରିବ ନାହିଁ, ସେ ‘ବଜ୍ରାଙ୍ଗୀ’ ନାମରେ ପରିଚିତ ହେବେ। ବରୁଣ କହିଲେ ସକଳ ଜଳ ହନୁମାନଙ୍କ ଅଧୀନରେ ରହିବ। କୁବେର କହିଲେ ହନୁମାନ ସମସ୍ତ ଐଶ୍ୱର୍ଯ୍ୟର ଅଧିକାରୀ ହେବେ। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର କହିଲେ ହନୁମାନ ଅଜୟ, ଅମର ଓ ଚିରଞ୍ଜିବୀ ହେବେ। ମାତା ପାର୍ବତୀ, ଲକ୍ଷ୍ମୀ, ସରସ୍ୱତୀ କହିଲେ ତ୍ରିଭୁବନରେ ହନୁମାନ ଖ୍ୟାତ ହେବେ, ମହାଜ୍ଞାନୀ, ମହାବୁଦ୍ଧି, ଶକ୍ତିଶାଳୀ, ଶତ୍ରୁଜିତ୍ ଓ ପରାକ୍ରମୀ ହେବେ।

 

ହନୁମାନ ରାମାୟଣରେ ରାମଙ୍କ ପ୍ରତ୍ୟେକ ଆପଦ ବିପଦ ସମୟର ରକ୍ଷାକାରୀ ଏବଂ ସମସ୍ତ ସଂକଟର ରକ୍ଷାକାରୀ ରୂପେ ବିଦ୍ୟମାନ। ବର୍ତ୍ତମାନ ଆମେ ଏହି କଳିଯୁଗରେ ସବୁକ୍ଷଣରେ ଦୁଃଖ, ବିପଦ ଦେଇ ଗତିକରୁଛୁ। ଦୁର୍ଘଟଣା ତଥା ସଂକଟ ପ୍ରତିକ୍ଷଣରେ ଲାଗିରହିଛି। ଏହିପରି ଘୋର ଅନ୍ଧକାରରୁ ମୁକ୍ତି ଦେଇ ଆଲୋକର ସନ୍ଧାନ ଦେଉଥିବା ବ୍ୟକ୍ତିତ୍ୱ ହିଁ ହନୁମାନ। ହନୁମାନଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ, ପୂଜାପାଠ, ଚାଳିଶାପାଠରେ ବ୍ୟକ୍ତି କଳିଯୁଗର ସମସ୍ତ ପ୍ରକାର ଆପଦ ବିପଦ ତଥା ଦୁର୍ଘଟଣାରୁ ମୁକ୍ତି ପାଇବ। ଏଥିରେ ତିଳେହେଲେ ସନ୍ଦେହ ନାହିଁ। ମହାଭାରତ ଯୁଦ୍ଧରେ ହନୁମାନ ଅର୍ଜୁନଙ୍କ କପିଧ୍ୱଜ ରଥର ଧ୍ୱଜାରେ ବିରାଜମାନ କରି ପାଣ୍ଡବମାନଙ୍କ ସମସ୍ତ ଆପଦ ବିପଦକୁ ହରଣ କରୁଥିଲେ। ତେଣୁ ହନୁମାନଙ୍କ ଅନ୍ୟନାମ ବିଘ୍ନ, ଦୁଃଖ, ଦୁର୍ଘଟଣା, ଆପଦ ବିପଦ ‘ହରଣକାର’।

 

ହନୁମାନ ଶବ୍ଦର ଦ୍ୱିତୀୟ ଅକ୍ଷର ‘ନୁ’। ‘ନୁ’ ମାନେ ନୂତନତ୍ୱ ପ୍ରଦାନକାରୀ। ହନୁମାନ ଦୁଃଖ ହରଣକରି ନୂତନତ୍ୱ ପ୍ରଦାନ କରିବାରେ ସିଦ୍ଧହସ୍ତ। ସୁଗ୍ରୀବଙ୍କୁ ରାମଙ୍କ ସହ ମିତ୍ରତା କରାଇ ବଳୀର ପରାଜୟ ଓ ମୃତ୍ୟୁ ପରେ ରାଜ୍ୟାଭିଷେକ, ରାଜ୍ୟ ପ୍ରଦାନ କରିବା ତଥା ବିଭୀଷଣକୁ ରାବଣର ମୃତ୍ୟୁ ପରେ ଲଙ୍କାର ରାଜସିଂହାସନ, ରାଜପଦ ପ୍ରଦାନ କରିବା, ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ପୁନର୍ମିଳନର ସୂତ୍ରଧର ସାଜି ଅଯୋଧ୍ୟାକୁ ନୂତନ ଦିଗ୍‌ଦର୍ଶନ ତଥା ପ୍ରଭୁଙ୍କ ନୂତନ ଜୀବନର ପରିକଳ୍ପନା ହନୁମାନଙ୍କ ବିନା ଅସମ୍ଭବ ପ୍ରତିପାଦନ ହୁଏ। ହନୁମାନ ବ୍ୟକ୍ତିଙ୍କୁ ସମସ୍ତ ବିପଦରୁ ରକ୍ଷା କରି ନୂତନ ଜୀବନ ପ୍ରଦାନ କରି ସୁଖ ସମୃଦ୍ଧିର ସଞ୍ଜିବନୀ ପ୍ରଦାନ କରିପାରୁଥିବା ଏକ ମହାନ‍୍‌ ବ୍ୟକ୍ତିତ୍ୱ।

 

‘ମା’ ହନୁମାନ ଶବ୍ଦର ତୃତୀୟ ଅକ୍ଷର। ‘ମା’ ମାନେ ମାନଭଞ୍ଜନ କରନ୍ତି ବା ଗର୍ବଗଞ୍ଜନ କରନ୍ତି। ହନୁମାନ ଗର୍ବଗଞ୍ଜନ କରିବାରେ ସିଦ୍ଧହସ୍ତ। ରାବଣ ଭଳି ପରାକ୍ରମୀ ଦିଗ୍‌ବିଜୟୀ ମହାଯୋଦ୍ଧାର ଗର୍ବକୁ ଛୋଟ ମର୍କଟ କିପରି ଧୂଳିସାତ୍ କରିପାରେ ଏହାର ଦୃଷ୍ଟାନ୍ତ ହିଁ ହନୁମାନ। ଲଙ୍କାକୁ ପୋଡ଼ି ଛାରଖାର କରିଦେବା ସହ ରାବଣସେନାର ବହୁ ମାୟାବୀ ଯୋଦ୍ଧାଙ୍କୁ ପରାସ୍ତ କରି ରାବଣଙ୍କୁ ଲଜ୍ଜିତ କରିପାରୁଥିବା ଏହି ମର୍କଟ ହିଁ ‘ହନୁମାନ’। ‘ବ୍ରହ୍ମ ବୈବର୍ତ୍ତ ପୁରାଣ’ ରେ ହନୁମାନଙ୍କ ପ୍ରସଙ୍ଗକୁ ଉଲ୍ଲେଖ କରି ହନୁମାନଙ୍କ ମୁଖ ନିଃସୃତ ବାକ୍ୟକୁ ଉଦ୍ଧାର କରାଯାଇଛି - ହନୁମାନ କହୁଛନ୍ତି ‘ମୋ ସାମ୍ନାରେ ଏହି ବିରାଟ ଲଙ୍କା ଏକ ମର୍କଟ ଛୁଆ ସମାନ, ଏହି ବିଶାଳ ସମୁଦ୍ର ମୂତ୍ର ସମାନ, ଏହି ବିରାଟ ଭୂଖଣ୍ଡ ଛୋଟ ପାତ୍ର ସଦୃଶ୍ୟ ଏବଂ ରାବଣର ସେନାସବୁ ପିମ୍ପୁଡିଦଳ ଭଳି।’

 

ଅନ୍ୟ ଦୃଷ୍ଟାନ୍ତରେ ଦେଖିବାକୁ ଗଲେ ହନୁମାନ ସତ୍ୟଭାମାଙ୍କ ମାନଭଞ୍ଜନ ଓ ସୁଦର୍ଶନଙ୍କ ଗର୍ବଗଞ୍ଜନ କରିଥିଲେ। ସତ୍ୟଭାମା ନିଜର ସୌନ୍ଦର୍ଯ୍ୟକୁ ନେଇ ମନରେ ଅସହ୍ୟ ଅହଂକାରୀ ଥିଲେ। ପ୍ରଭୁ ଶ୍ରୀକୃଷ୍ଣ ଏହା ଜାଣି ସତ୍ୟଭାମାଙ୍କ ଗର୍ବଗଞ୍ଜନ ଉପାୟ ଚିନ୍ତା କରି ହନୁମାନଙ୍କୁ ସତ୍ୟଭାମା ବିରାଜମାନ କରୁଥିବା କକ୍ଷକୁ ନିମନ୍ତ୍ରଣ କଲେ। ହନୁମାନ ପ୍ରଭୁ ରାମରୂପୀ କୃଷ୍ଣଙ୍କ ନିକଟରେ ମାତା ସୀତାଙ୍କୁ ନ ଦେଖି ଚକିତ ହୋଇପଡିଲେ। ପ୍ରଭୁ କହିଲେ ପାଖରେ ମାତା ସୀତା ବସିଛନ୍ତି ତାଙ୍କୁ ପ୍ରଣିପାତ କର। ହନୁମାନ କହିଲେ ଏହାଙ୍କଠାରେ ମାତାଙ୍କର କୌଣସି ସୌନ୍ଦର୍ଯ୍ୟ ଅଛି ନା ମାତାଙ୍କର ଗୁଣସତ୍ତାର କିଞ୍ଚିତ ଲକ୍ଷଣ ଅଛି ? ଏଥିରେ ସତ୍ୟଭାମା ନିଜକୁ ଅପମାନିତ ମନେକରି ନିଜର ଅହଂକାର ତ୍ୟାଗକଲେ।

 

ସୁଦର୍ଶନ ପ୍ରଭୁଙ୍କ ଅସ୍ତ୍ର ହିସାବରେ ରହି ନିଜେ ଗର୍ବିତ  ଥିଲେ। ଏହି ଗର୍ବକୁ ଗଞ୍ଜନ କରିବା ପାଇଁ ଶ୍ରୀକୃଷ୍ଣ ସୁଦର୍ଶନଙ୍କୁ ହନୁମାନଙ୍କୁ ଡାକିବା ପାଇଁ ପଠାଇଥିଲେ। ହନୁମାନ ହିମାଳୟର ଏକ ଗିରି କନ୍ଦରରେ ଧ୍ୟାନରତ ରହିଥିଲେ। ହନୁମାନଙ୍କ ଧ୍ୟାନ ଭଗ୍ନ କରି ସୁଦର୍ଶନ ନିଜେ ପ୍ରକାଶ କଲେ, ‘ବିଷ୍ଣୁଙ୍କ ଏକମାତ୍ର ଆୟୁଧ କୃଷ୍ଣଙ୍କ ଆଜ୍ଞାରେ ତୁମକୁ ଡାକିବା ପାଇଁ ଆସିଅଛି’। ହନୁମାନ କହିଲେ ମୋର ପ୍ରଭୁ ରାମଙ୍କ ଛଡା ମୁଁ କାହାକୁ ଜାଣିନାହିଁ, ତେଣୁ ତୁମ ଆଦେଶ ମୁଁ ପାଳନ କରିବାକୁ ବାଧ୍ୟ ନୁହେଁ। ଏଥିରେ ଉତକ୍ଷିପ୍ତ ହୋଇ ସୁଦର୍ଶନ ହନୁମାନଙ୍କୁ କହିଲେ, ତୁମେ ଆସିବ ନା ମୋତେ ତୁମକୁ ଉଠାଇ ନେବାକୁ ବାଧ୍ୟ କରିବ? ହନୁମାନ କହିଲେ ତୁମେ ଯଦି ପାରିବ ତାହା ହେଲେ ଉଠାଇ ନିଅ। ସୁଦର୍ଶନ ଶତଚେଷ୍ଟା କରି ମଧ୍ୟ ହନୁମାନଙ୍କୁ ତିଳେ ହେଲେ ଘୁଞ୍ଚାଇ ପାରି ନ ଥିଲେ। ଏଥିରେ ନିଜେ ଲଜ୍ଜିତ ହୋଇ ସୁଦର୍ଶନ ଶ୍ରୀକୃଷ୍ଣଙ୍କ ନିକଟରେ ଦଣ୍ଡାୟମାନ ହେଲେ। ଶ୍ରୀକୃଷ୍ଣ ସୁଦର୍ଶନଙ୍କୁ କହିଲେ, ତୁମେ ବର୍ତ୍ତମାନ ଯାଇ କୁହ ପ୍ରଭୁ ରାମ ଡାକୁଛନ୍ତି, ସେ ଆସିବେ। ସୁଦର୍ଶନ ଯାଇ ହନୁମାନଙ୍କୁ ଏହା ଜଣାଇବା ପରେ ହନୁମାନ ଭାବ ବିଭୋର ହୋଇ ପ୍ରଭୁଙ୍କ ଦର୍ଶନ ନିମନ୍ତେ ଦଉଡି଼ ଆସିଲେ। ଏଥିରେ ସୁଦର୍ଶନଙ୍କ ଅହଂକାର ଦ୍ୱିଗୁଣିତ ହେଲା। ସେ ହନୁମାନଙ୍କ ପଥ ଓଗାଳିଲେ। ହନୁମାନ ଏଥିରେ ଉତକ୍ଷିପ୍ତ ହୋଇ ସୁଦର୍ଶନଙ୍କୁ ଚାରି ଖଣ୍ଡରେ ପରିଣତ କରି ନିଜ ମୁଖରେ ରଖି ପ୍ରଭୁଙ୍କ ନିକଟରେ ଦଣ୍ଡାୟମାନ ହେଲେ ଓ ପ୍ରଭୁଙ୍କ ନିକଟରେ ସୁଦର୍ଶନଙ୍କୁ ନିଜ ମୁଖରୁ ପ୍ରକଟ କଲେ। ସୁଦର୍ଶନ ଏଥିରେ ଲଜ୍ଜିତ ହେଲେ ଏବଂ ନିଜର ଚକ୍ରାକାର ପରିତ୍ୟାଗ କରି ଖମ୍ୱ ଆକାର ଭାବରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଦଣ୍ଡାୟମାନ ହେଲେ। ଶ୍ରୀକ୍ଷେତ୍ରର ଉତ୍ତର ଦ୍ୱାର କୋଇଲି ବୈକୁଣ୍ଠ ନିକଟରେ ଏକ ତପସ୍ୟାରତ ହନୁମାନ ବିରାଜମାନ। ଏହି ହନୁମାନଙ୍କ ଆଠଟି ଭୁଜ ଅଛି। ଚାରୋଟି ଭୁଜରେ ସୁଦର୍ଶନ ଚକ୍ରର ଚାରୋଟି ଅଂଶକୁ ଧରି ବିରାଜମାନ।

 

ହନୁମାନ ଶବ୍ଦର ଶେଷ ଅକ୍ଷର ‘ନ’। ‘ନ’ ମାନେ ହନୁମାନ ନବଗ୍ରହଙ୍କ ପ୍ରତିନିଧିତ୍ୱ କରନ୍ତି। ତୁଳସୀ ଦାସଙ୍କ ଭାଷାରେ ହନୁମାନ ଅଷ୍ଟସିଦ୍ଧି ଓ ନବନିଧି ଦାତା। ନବନିଧି ପ୍ରଦାନ କରିବାରେ ହନୁମାନ ଏକମାତ୍ର ବିରଳ ଦେବତା। ତୁଳସୀ ଦାସଙ୍କ ଭାଷାରେ ହନୁମାନଙ୍କୁ ପୂଜା କଲେ ସର୍ବଦେବଦେବୀଙ୍କ ଆଶୀର୍ବାଦ ସହ ସବୁପ୍ରକାର ସିଦ୍ଧି ସହ ନବନିଧି ପ୍ରାପ୍ତି ହୋଇଥାଏ। ହନୁମାନ ନବଗ୍ରହଙ୍କର ଅଧିଷ୍ଠାତ୍ର, ରବିଙ୍କର ତେଜତ୍ୱ, ଚନ୍ଦ୍ରଙ୍କର ସୌନ୍ଦର୍ଯ୍ୟ, ନିର୍ମଳମନ ଓ ଭକ୍ତିର ପ୍ରତୀକ, ମଙ୍ଗଳଙ୍କର କଠୋରତା ପ୍ରତୀକ, ବୁଧଙ୍କର ବୁଦ୍ଧି, ପାଣ୍ଡିତ୍ୟର ସୂଚକ, ବୃହସ୍ପତିଙ୍କ ପ୍ରଜ୍ଞା, ଜ୍ଞାନର ପ୍ରତୀକ, ଶୁକ୍ରଙ୍କର କଳାର ପ୍ରତୀକ। ଶନିଙ୍କର ଦୃଢତା ଓ କଠୋରତାର ପ୍ରତୀକ, ରାହୁଙ୍କର ପ୍ରଚଣ୍ଡତ୍ୱର ପ୍ରତୀକ ଏବଂ କେତୁଙ୍କ ମାୟାର ପ୍ରତୀକ। ତେଣୁ ହନୁମାନ ନବଗ୍ରହଙ୍କ ପ୍ରତିପାଦନ କରୁଥିବା କିମ୍ୱା ନବଗ୍ରହଙ୍କ ସମାହାରରେ ଏକ ପ୍ରତିଷ୍ଠିତ ଦେବତା।

 

ହନୁମାନଙ୍କୁ ପୂଜା ଆରାଧନା ମାଧ୍ୟମରେ ସକଳ ବିଘ୍ନ ଆପଦ ବିପଦ ହରଣ ହେବା ସହ ସମସ୍ତ ପ୍ରକାର ସିଦ୍ଧି ପ୍ରାପ୍ତି ଘଟି ବ୍ୟକ୍ତି ସୁଖ ସମୃଦ୍ଧି ପାଏ।

 

ଭିଏ ୩୪/୪, ୟୁନିଟ‍୍‌-୨

ଭୁବନେଶ୍ୱର, ମୋ: ୯୪୩୭୨୮୪୨୧୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top