ଆଧ୍ୟାତ୍ମିକତା ହିଁ ଧର୍ମ ନିରପେକ୍ଷତା

News Story - Posted on 2017-04-10

ଧନଦାକାନ୍ତ ମିଶ୍ର

 

ଭିଏଚ‌୍‍ପିର ପୁରୁଣା ନେତ୍ରୀ ଓ ବିଜେପିର ବରିଷ୍ଠ ବିବାଦୀୟ ବ୍ୟକ୍ତିତ୍ୱ ସାଧ୍ୱୀ ପ୍ରାଚୀ ନିକଟରେ ଭାରତକୁ ମୁସଲିମ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଆମେରିକାର ଫ୍ଲୋରିଡା ରାଜ୍ୟର ଓର‌୍‍ଲାଣ୍ଡୋଠାରେ କିଛିଦିନ ତଳେ ଏକ ଆତତାୟୀର ଗୁଳିକାଣ୍ଡରେ ୫୦ ଜଣଙ୍କ ହତ୍ୟା ପୁଣି ଥରେ ଚରମପନ୍ଥୀ ଧାର୍ମିକ ହିଂସା ବିଷୟକୁ ଚଚ୍ଚାର୍କୁ ଆସିଛି। ଇତିମଧ୍ୟରେ ଧର୍ମ ନିରପେକ୍ଷତାକୁ ନେଇ କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ୱରେ ଏକ ଅଦ୍ଭୂତପୂର୍ବ ଆଲୋଡ଼ନ ସୃଷ୍ଟି ହୋଇଛି। ଧର୍ମାନ୍ଧ ମୌଳବାଦୀ ଭ୍ରାନ୍ତ ଜିହାଦୀ ଗୋଷ୍ଠୀ ଆଇଏସ‌୍‍ଆଇଏସ‌୍‍ର ହିଂସାତ୍ମକ ବର୍ବରତା ସବୁ ସୀମା ପାର କରି ସାରିଛି।

 

ଗୋଟିଏ ଦିଗରେ ଇଉରୋପର ବିଭିନ୍ନ ସମୃଦ୍ଧିଶାଳୀ ଓ ଶିକ୍ଷିତ ଦେଶମାନଙ୍କରୁ ଅଧିକରୁ ଅଧିକ ସଂଖ୍ୟାର ଯୁବକ ଯୁବତୀ ଏହି ମଧ୍ୟଯୁଗୀୟ ରକ୍ତତାଣ୍ଡବରେ ଯୋଗଦେବା ଯେତିକି ଆଶ୍ଚର୍ଯ୍ୟଜନକ, ଏହି ବର୍ବରତାର ଦ୍ୱାହି ଦେଇ ଏକ ନିର୍ଦ୍ଦିଷ୍ଟ ଧର୍ମାବଲମ୍ୱୀ ଜନସମୂହକୁ ଆତଙ୍କବାଦୀ କହିବାର ଅପଚେଷ୍ଟା ସେତିକି ନିନ୍ଦନୀୟ। ଏପରିକି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଅପ୍ରତ୍ୟାଶିତ ଭାବରେ ବିଜୟ ହାସଲ କରିଥିବା ରିପବ୍ଲିକାନ ଦଳର ପ୍ରାର୍ଥୀ ଡ଼ୋନାଲ୍ଡ ଟ୍ରମ୍ପ ଆମେରିକାରେ କିଛି ବର୍ଷ ପାଇଁ ମୁସଲିମ ଧର୍ମାବଲମ୍ୱୀଙ୍କ ପ୍ରବେଶ ଉପରେ କଟକଣା ଜାରୀ କରିବା କଥା କହିଲେଣି। ତେଣେ ଇଉରୋପରେ ଫ୍ରାନ‌୍‍ସ ଓ ବେଲଜିୟମରେ ଘଟିଥିବା ଆତଙ୍କବାଦୀ ନରସଂହାର ପରେ ସାରା ଇଉରୋପରେ ଧର୍ମ ନିରପେକ୍ଷତା ବିରୋଧୀ ଚିନ୍ତାଧାରା ବଢ଼ିବାରେ ଲାଗିଛି ଓ ବିଭିନ୍ନ ମୌଳବାଦୀ ଗୋଷ୍ଠୀମାନେ ଅଧିକରୁ ଅଧିକ ଜନସମର୍ଥନ ପାଇବାରେ ଲାଗିଛନ୍ତି।

 

ବର୍ତ୍ତମାନ ବିଶ୍ୱରେ ଉଦାରପନ୍ଥୀ, ଆଧୁନିକ, ବିବିଧତାବାଦୀ, ଗଣତାନ୍ତ୍ରିକ ରାଷ୍ଟ୍ର ଓ ସମାଜର ପରିକଳ୍ପନା ଉପରେ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନବାଚୀ ଲାଗିବା ଆରମ୍ଭ ହୋଇ ସାରିଲାଣି। ଏହା ଏକ ବିପଦ ସଂଙ୍କେତ ବୋଲି ବହୁ ବୁଦ୍ଧିଜୀବୀ ଏକମତ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଧର୍ମ, ଧାର୍ମିକତା, ଧର୍ମ ନିରପେକ୍ଷତା ଓ ସର୍ବୋପରି ଆଧ୍ୟାତ୍ମିକତା ସମ୍ୱନ୍ଧରେ ବ୍ୟାପକ ଆଲୋଚନା ଓ ସ୍ପଷ୍ଟ ମତର ଆବଶ୍ୟକତା ରହିଛି। ମୋ ମତରେ ଆଧ୍ୟାତ୍ମିକତା ଓ ବ୍ୟାବହାରିକ ଧର୍ମ (ଯାହା ଆମ ଦୈନନ୍ଦିନ ଜୀବନକୁ ଏହାର ପ୍ରଚଳିତ ନୀତି ରୀତି ଦ୍ୱାରା ପ୍ରଭାବିତ କରେ) ମଧ୍ୟରେ ରହିଥିବା ଦ୍ୱନ୍ଦ୍ବ ଓ ସଂଶୟ ହିଁ ଆଜିର ବିତର୍କର ମୂଳ କାରଣ। ଯଦି ଆମେ ବିଭିନ୍ନ ଧର୍ମର ବାହ୍ୟ ପରିପାଟୀ ପଛରେ ନ ପଡ଼ି ଏହାର ମୂଳରେ ଥିବା ଆଧ୍ୟାତ୍ମିକତାକୁ ଅନୁଧ୍ୟାନ କରିବା ତା’ହେଲେ ସର୍ବଧର୍ମ ସମନ୍ୱୟ ଓ ଧର୍ମ ନିରପେକ୍ଷତାର କାଳଜୟୀ ବିଚାରକୁ ସହଜରେ ବୁଝିହେବ।

 

ପ୍ରତ୍ୟେକ ଧର୍ମର ମୂଳ ତତ୍ତ୍ୱକୁ ବୁଝିବାକୁ ହେଲେ, ତାହାର ଉତ୍ସକୁ ଯିବାକୁ ହେବ ଓ ଉକ୍ତ ଧର୍ମର ପ୍ରବର୍ତ୍ତକଙ୍କ ଜୀବନ, ବାଣୀ ଓ ଉପଦେଶ ଆଦିକୁ ଅନୁଧ୍ୟାନ କରିବାକୁ ହେବ। କେବଳ ସନାତନ ‘ହିନ୍ଦୁ’ ଧର୍ମକୁ ଛାଡ଼ିଦେଲେ ଅନ୍ୟ ସବୁ ଗୁରୁତ୍ବପୂର୍ଣ୍ଣ ଧର୍ମର ନିର୍ଦ୍ଦିଷ୍ଟ ଉତ୍ପତ୍ତି, ପ୍ରତିଷ୍ଠାତା ତଥା ଧର୍ମଗ୍ରନ୍ଥ ଆଦି ରହିଛି। ସନାତନ ହିନ୍ଦୁ ଧର୍ମର ଉତ୍ପତ୍ତି ବୈଦିକ ଯୁଗର ଅଦ୍ୟଭାଗର ଇତିହାସରେ ଏକ ପ୍ରକାର ଅବଲୁପ୍ତ କହିଲେ ଅତ୍ୟୁକ୍ତି ହେବନାହିଁ। ବିଶ୍ୱର ଏହା ଏକମାତ୍ର ଧର୍ମ ଯାହାର କେହି ନିର୍ଦ୍ଦିଷ୍ଟ ସଂସ୍ଥାପକ ବା ପ୍ରତିଷ୍ଠାତା ନଥିଲେ, ଯାହାର କୌଣସି ସର୍ବମାନ୍ୟ ଧର୍ମଗ୍ରନ୍ଥ ନାହିଁ ଏବଂ ଯାହା ଏକ ସଂମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଦର୍ଶନରୁ ହିଁ ସୃଷ୍ଟି ହୋଇଥିଲା।

 

ବାସ୍ତବରେ ଏହା ଏକ ନିର୍ଦ୍ଦିଷ୍ଟ ଐତିହାସିକ ଯୁଗର, ନିର୍ଦ୍ଦିଷ୍ଟ ଭୌଗୋଳିକ ତଥା ସାମାଜିକ ପରିବେଶରୁ ସୃଷ୍ଟି ହୋଇଥିବା ଜୀବନ ଶୈଳୀ ବା ଦର୍ଶନ କହିଲେ ଅତ୍ୟୁକ୍ତି ହେବନାହିଁ। ଯଦି ବେଦ ଓ ଉପନିଷଦକୁ ସନାତନ ଧର୍ମର ମୂଳ ଗ୍ରନ୍ଥାବଳୀ ବୋଲି ଧରାଯାଏ, ତାହେଲେ ଆଜିର ପ୍ରଚଳିତ ବ୍ୟବହାରିକ ହିନ୍ଦୁ ଧର୍ମର ରୀତି ନୀତି ସହ ବୈଦିକ ଆଧ୍ୟାତ୍ମିକତାର ଏକ କ୍ଷୀଣ ମାତ୍ର ସମ୍ପର୍କ ରହିଛି। ବୈଦିକ ସନାତନ ଧର୍ମର କ୍ରମଶଃ ଅଧଃପତନ ଓ ବ୍ରାହ୍ମଣବାଦ ତଥା ଋଢ଼ିବାଦୀ ରୀତି ନୀତିର ଅତିରିକ୍ତ ପ୍ରଚଳନରୁ ସୃଷ୍ଟି ସାମାଜିକ ବ୍ୟଭିଚାର ଜନ୍ମ ଦେଇଥିଲା ସଂସ୍କାରମୁଖୀ ବୌଦ୍ଧ ଓ ଜୈନ ଧର୍ମକୁ। ଏ ସବୁ ଧର୍ମ ପ୍ରଭାବରେ ଯେତେବେଳେ ହିନ୍ଦୁଧର୍ମର ଲୋକପ୍ରିୟତାରେ ଅବନତି ଘଟିଲା - ସେତେବେଳେ ଆବିର୍ଭାବ ହେଲେ ଆଦି ଶଙ୍କାରାଚାର୍ଯ୍ୟ, ରାମାନନ୍ଦ ଓ ପରେ ଶଙ୍କର ଦେବ ଓ ଚୈତନ୍ୟ ଆଦି ମହାପୁରୁଷମାନେ ଯେଉଁମାନଙ୍କ ପାଇଁ ହିନ୍ଦୁଧର୍ମର ମୂଳ ଆଧ୍ୟାତ୍ମିକତା ଓ ଦର୍ଶନ ପୁଣି ଅଗ୍ରାଧିକାର ପାଇପାରିଥିଲା। ଆଧୁନିକ ଯୁଗରେ ଗୁରୁ ନାନକ, ରମଣ ମହର୍ଷି, ଦୟାନନ୍ଦ, ଶ୍ରୀ ଅରବିନ୍ଦ, ରାମକୃଷ୍ଣ ପରମହଂସ, ବିବେକାନନ୍ଦଙ୍କ ପରି ପ୍ରତିଭା ଏହି ସଂସ୍କାର ଧର୍ମୀ ଚିନ୍ତାଧାରାକୁ ଆହୁରି ପ୍ରଚାର ପ୍ରସାର କରିପାରିଥିଲେ। ଆଧ୍ୟାତ୍ମିକ ସଂସ୍କାର ସହିତ ସାମାଜିକ ସଂସ୍କାର ପାଇଁ ରାଜା ରାମମୋହନ ରାୟ, ସନ୍ଥ ଜ୍ଞାନେଶ୍ୱର, ମହାତ୍ମା ଫୁଲେଙ୍କ ଠାରୁ ଆରମ୍ଭ କରି ବାବାସାହେବ ଆମ୍ୱେଦକର ଓ ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ସନାତନ ହିନ୍ଦୁ ଧର୍ମର ମାନବବାଦୀ, ଉଦାର ପରମ୍ପରା ସବୁକୁ ବଳିଷ୍ଠ କରିବା ସଙ୍ଗେ ସଙ୍ଗେ ଏହାର କୁସଂସ୍କାର ଓ ଅପସଂସ୍କୃତିକୁ ଦୂର କରି ଏକ ସୁସ୍ଥ, ଜାତିପ୍ରଥାମୁକ୍ତ, ସହନଶୀଳ, ଉଦାରଚେତା ସାମାଜ ସୃଷ୍ଟି କରିବାରେ ଆପ୍ରାଣ ଉଦ୍ୟମ କରିଛନ୍ତି।

 

ଖ୍ରୀଷ୍ଟାଦ୍ଦ ୧୫୮୨ରେ ଏହି ଐତିହାସିକ ବିବର୍ତ୍ତନ ମଧ୍ୟରେ ସମ୍ରାଟ ଆକବର ଦୀନ‌୍‍-ଇ-ଲାହି ପ୍ରବର୍ତ୍ତନ କରିଥିଲେ, ଯାହାକି ତତ୍କାଳୀନ ପ୍ରଚଳିତ ଧର୍ମମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଚିନ୍ତାଧାରା ସବୁର ମିଶ୍ରଣରୁ ଉତ୍ପନ୍ନ ହୋଇଥିଲା। ସନ୍ଥ କବୀରଙ୍କର ମହାନ‌୍‍ ଜୀବନ ଆଦର୍ଶ ଓ ବାଣୀ ଯାହାକି ଏକାଧାରରେ ହିନ୍ଦୁ, ମୁସଲମାନ‌୍‍ ଓ ଶିଖ‌୍‍ଙ୍କୁ ଉଦ‌୍‍ବୁଦ୍ଧ କରି ଆସିଛି ଓ ରାମକୃଷ୍ଣ ପରମହଂସଙ୍କର ପ୍ରସିଦ୍ଧ ପରୀକ୍ଷା ଯେଉଁଥିରେ ସେ ସାଧାରଣ ଲୋକଙ୍କ ଶିକ୍ଷା ପାଇଁ ହିନ୍ଦୁ, ମୁସଲିମ‌୍‍ ଓ ଖ୍ରୀଷ୍ଟିୟାନ ଧର୍ମର ବାହ୍ୟ ପରିପାଟୀକୁ ଭିନ୍ନ ଭିନ୍ନ ସମୟରେ ଗ୍ରହଣ କରି ମଧ୍ୟ ସେଇ ଗୋଟିଏ ଆଧ୍ୟାତ୍ମିକ ଅଭିଜ୍ଞତା ଅନୁଭବ କରିବାରେ ସଫଳ ହୋଇଥିଲେ, ତାହା ପ୍ରମାଣ କରେ ଯେ ଆଧ୍ୟାତ୍ମିକ ସ୍ତରରେ ସବୁ ଧର୍ମର ଲକ୍ଷ୍ୟ ଗୋଟିଏ ଯଦିଓ ରାସ୍ତା ଅଲଗା ହୋଇପାରେ। ଆଧ୍ୟାତ୍ମିକ ସାଧନାର ମହାନ‌୍‍ ପ୍ରବର୍ତ୍ତକମାନଙ୍କର ଧର୍ମଯାଜକମାନେ ପରବର୍ତ୍ତୀ ସମୟରେ ସେମାନଙ୍କ ପଥଭ୍ରଷ୍ଟ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କୁ ବାନ୍ଧି ରଖନ୍ତି କୌଳିକ ରିତିନୀତିରେ ଯାହାକୁ ନେଇ ସୃଷ୍ଟି ହୁଏ ସଂପ୍ରଦାୟମାନଙ୍କ ମଧ୍ୟରେ ଅଯଥା, ଦ୍ୱନ୍ଦ ଓ କଳହ। ଏହାର ଫାଇଦା ଉଠାନ୍ତି ସ୍ୱାର୍ଥନ୍ୱେଷୀ ରାଜନୈତିକ ବ୍ୟକ୍ତିମାନେ।

 

ଧର୍ମ ଓ ଆଧ୍ୟାତ୍ମିକତାକୁ ବହୁ ଆଗରୁ ପରସ୍ପର ସ୍ଥାନରେ ବିଭିନ୍ନ ସନ୍ଦର୍ଭରେ ଅଦଳ ବଦଳ  କରି ବ୍ୟବହାର କରାଯାଇଛି। ଯଦିଓ ପ୍ରଚଳିତ ଆଧୁନିକ ଧର୍ମମାନଙ୍କର ସଂସ୍ଥାପକମାନେ ଆଧ୍ୟାତ୍ମିକତା ଦ୍ୱାରା ପ୍ରେରିତ ହେଇଥିଲେ, ପରବର୍ତ୍ତୀ ସମୟରେ ସେମାନଙ୍କ ବାଣୀକୁ ଏକ ସଂଗଠିତ, ସାଂପ୍ରଦାୟିକ ଓ ବ୍ୟବହାରିକ ଧର୍ମର ରୂପ ଦିଆଯାଇଛି। ଯେପରିକି ବୈଦିକ ଦର୍ଶନରୁ ବ୍ରାହ୍ମଣବାଦୀ ହିନ୍ଦୁ ଧର୍ମ, ମହମ୍ମଦଙ୍କ ଚିନ୍ତାଧାରାରୁ ମୁସଲିମ‌୍‍ଧର୍ମ, ଯୀଶୁଖ୍ରୀଷ୍ଟ ବା ଗୌତମ ବୁଦ୍ଧଙ୍କ ଆଧ୍ୟାତ୍ମିକ ଉପଲବ‌୍‍ଧିର ପ୍ରଚାରରୁ ଯଥାକ୍ରମେ ଖ୍ରୀଷ୍ଟିୟାନ‌୍‍ ଓ ବୌଦ୍ଧ ଧର୍ମର ସୃଷ୍ଟି। ପ୍ରତ୍ୟେକ ଧର୍ମରେ ପୁଣି ପରବର୍ତ୍ତୀ ସମୟରେ ବିଭିନ୍ନ ଗୋଷ୍ଠୀର ଓ ମତବାଦର ଜନ୍ମ ଯେପରିକି ହିନ୍ଦୁ ଧର୍ମର ଶାକ୍ତ, ଶୈବ ଓ ବୈଷ୍ଣବ ବାଦ, ଇସ‌୍‍ଲାମ‌୍‍ର ସିଆ ଓ ସୁନ୍ନୀ ତଥା ଖ୍ରୀଷ୍ଟିୟାନ ଧର୍ମର କାଥୋଲିକ ଓ ପ୍ରୋଟେଷ୍ଟାଣ୍ଡ ଇତ୍ୟାଦି। ଏସବୁ ବିଭାଜନ ପଛରେ ନିର୍ଦ୍ଦିଷ୍ଟ ଧର୍ମ ପ୍ରଚାରକଙ୍କ ମୂଳ ତତ୍ତ୍ୱର ଭିନ୍ନ ଭିନ୍ନ ବ୍ୟାଖ୍ୟା ଓ ଅନେକ ସମୟରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ପାଇଁ ପ୍ରତିଯୋଗିତା ସ୍ପଷ୍ଟ। ପରେ ଏହା ଗୋଷ୍ଠୀ ସଂଘର୍ଷରୁ ଯୁଦ୍ଧ ପର୍ଯ୍ୟନ୍ତର ସୂତ୍ରପାତ କରିଛି। ତେଣୁ ଅନେକ ଧର୍ମର ଯୁବଗୋଷ୍ଠୀ ଆଜି ସଂଗଠିତ ଧର୍ମ ଅନୁଷ୍ଠାନ ସବୁ ପ୍ରତି ସମ୍ପୂର୍ଣ୍ଣ ବିମୁଖ ହେଲେଣି ।

 

ଆମେରିକାରେ ପ୍ରାୟ ୧୯୬୦ ମସିହାରେ ଅନେକ ନିଜକୁ ଧର୍ମବିଶ୍ୱାସୀ ନକହି ବରଂ ଆଧ୍ୟାତ୍ମିକବାଦୀ ବୋଲି ପରିଚୟ ଦେବାକୁ ଆରମ୍ଭ କଲେ। ଯେଉଁଠି ଧର୍ମ ନିରପେକ୍ଷତାକୁ ଏକ ନାସ୍ତିକ ମନୋବୃତ୍ତି ସଙ୍ଗେ ତୁଳନା କରାଯାଇପାରିବ, ସେଠି ଆଧ୍ୟାତ୍ମବାଦୀମାନଙ୍କୁ ଜଡ଼ବାଦୀ -ନାସ୍ତିକ ନକହି ଏକ ଉଚ୍ଚତର ମାନବିକତା ଓ ନିଜ ଭିତରର ମଣିଷ ପଣିଆର ସାରାଂଶ ସାଙ୍ଗରେ ଯୋଡ଼ି ହୋଇଥିବା ମଣିଷ ଭାବରେ ଦେଖିବାକୁ ହେବ। ଏକ ପରିସଂଖ୍ୟାନରୁ ଜଣାପଡେ଼ ଯେ ୨୦୦୭ରେ ଯେଉଁଠି ଆମେରିକାରେ ମାତ୍ର ୧୫% ଲୋକେ ନିଜକୁ କୌଣସି ଧର୍ମାବଲମ୍ୱୀ  ନୁହନ୍ତି ବୋଲି କହୁଥିଲେ, ୨୦୧୨ ବେଳେକୁ ସେହିମାନଙ୍କ ସଂଖ୍ୟା ୨୦%ରେ ପହଞ୍ଚିଥିଲା ଏବଂ ଏହା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। କିନ୍ତୁ ଏମାନେ ସମସ୍ତେ ନାସ୍ତିକ ନୁହନ୍ତି କାରଣ ଏମାନଙ୍କ ଭିତରୁ ଅଧିକାଂଶ ନିଜକୁ ଆଧ୍ୟାତ୍ମିକ ବୋଲି ଚିହ୍ମଟ କରନ୍ତି। ତିରିଶ ବର୍ଷରୁ କମ‌୍‍ ବୟସର ଯୁବବର୍ଗରେ ଏମାନଙ୍କ ସଂଖ୍ୟା ପ୍ରାୟ ୩୫%। ଏହି ଆଧ୍ୟାତ୍ମବାଦୀଙ୍କ ଭିତରେ ଅନେକ ଭଗବତ‌୍‍ ଶକ୍ତିରେ ବିଶ୍ୱାସ କରନ୍ତି ଓ ପରିବେଶ ତଥା ପ୍ରକୃତିକୁ ଭଲ ପାଆନ୍ତି। ଉତ୍ତର ଆମେରିକା ଓ ୟୁରୋପର ଏହି ପ୍ରକାର କ୍ରମବର୍ଦ୍ଧିଷ୍ଣୁ ଚିନ୍ତାଧାରା ପଛରେ ଭାରତୀୟ ଦାର୍ଶନିକ ଜିଦ୍ଦୁ କ୍ରିଷ୍ଣମୂର୍ତ୍ତିୀ ଓ ଜାପାନୀ ବୌଦ୍ଧ ଦାର୍ଶନିକ ଡ଼ି.ଟି. ସୁଜୁକିଙ୍କ ପରି ଅନେକଙ୍କ ବିଶେଷ ପ୍ରଭାବ ରହିଛି। ଏହି ଚିନ୍ତାଧାରାରେ ଉଦ‌୍‍ବୁଦ୍ଧ ମାନବବାଦୀ ଉଦାରଚେତା ଲୋକେ ସିଧାସଳଖ ଭଗବତ‌୍‍ ବିଶ୍ୱାସୀ ଓ ପାରମ୍ପାରିକ ଢ଼ଙ୍ଗରେ ଧାର୍ମିକ ପ୍ରବୃତ୍ତିର ନହେଲେ ମଧ୍ୟ ପ୍ରାୟ ପ୍ରକୃତି ଓ ପରିବେଶକୁ ଭଲ ପାଇଥାନ୍ତି, ସାମାଜିକ ସମାନତା, ଲିଙ୍ଗଗତ ସମାନତା, ଅହିଂସା , କଳା ଓ ସଙ୍ଗୀତ ମାଧ୍ୟମରେ ନିଜର ଆଧ୍ୟାତ୍ମିକତାକୁ ଖୋଜିବାରେ ଆଗ୍ରହ ଦେଖାଇଥାନ୍ତି।

 

ଉପରୋକ୍ତ ଆଲୋଚନାର ସନ୍ଦର୍ଭରେ ଦେଖିଲେ ବିଶ୍ୱସ୍ତରରେ ଚାଲିଥିବା କଠୋରପନ୍ଥୀ ଧର୍ମ ଦ୍ୱାରା ପ୍ରେରିତ ଆତଙ୍କବାଦ ଅଥବା ଏକ ବହୁମତବାଦ ବିରୋଧୀ ସଂସ୍କୃତି ଦ୍ୱାରା ପ୍ରେରିତ ରାଜନୈତିକ ସାଂପ୍ରଦାୟିକତା ଯେ ମନୁଷ୍ୟର ସ୍ୱାଭାବିକ ଆଧ୍ୟାତ୍ମିକ ଚରିତ୍ରର ପରିପନ୍ଥୀ ଏଥିରେ ସନ୍ଦେହ ନାହିଁ। ବିଶେଷ କରି ଯଦିଓ ଆମ ଦେଶରେ ଧର୍ମ ଓ ଆଧ୍ୟାତ୍ମର ବିଭେଦ ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ ଯେଉଁମାନେ ଆଧ୍ୟାତ୍ମିକ ମାର୍ଗର ପ୍ରତୀକ ଗୌରିକ ବସ୍ତ୍ର ଓ ଅନ୍ୟାନ୍ୟ ବାହ୍ୟ ଆଡ଼ମ୍ୱରକୁ ବ୍ୟବହାର କରି ଧାର୍ମିକ ଅସହିଷ୍ଣୁତା ସୃଷ୍ଟି କରୁଛନ୍ତି ସେମାନେ ଯେ ଜାଣିଶୁଣି ରାଜନୈତିକ ଅଭିସନ୍ଧି ରଖି ଏପରି କରୁଛନ୍ତି ଏଥିରେ ସନ୍ଦେହ ନାହିଁ। ଏଥିରେ ଏହି ଗୋଷ୍ଠୀ ଅନେକାଂଶରେ ସଫଳ ହୋଇଛନ୍ତି, ତାର ଏକମାତ୍ର କାରଣ ହେଲା ଉଦାରଚେତା ଆଧ୍ୟାତ୍ମବାଦୀ ଧର୍ମନିରପେକ୍ଷତାକୁ ତାର ଉପଯୁକ୍ତ ପ୍ରୟୋଗ ନ କରି କେବଳ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥପାଇଁ ଅପପ୍ରୟୋଗ- ଯାହା ଅଳ୍ପସଂଖ୍ୟକ ତୁଷ୍ଟୀକରଣ ରାଜନୀତି ଭାବରେ ସହଜରେ ଧରା ପଡ଼ିଯାଏ ଓ ସଂାପ୍ରଦାୟିକ ଶକ୍ତିମାନଙ୍କୁ ଆହୁରି ବଳଶାଳୀ କରିବାରେ ସାହାଯ୍ୟ କରେ।

 

ଏହି ପରିପ୍ରେକ୍ଷୀରେ ସ୍ୱାମୀ ବିବେକାନନ୍ଦଙ୍କର ପ୍ରସିଦ୍ଧ ଚିକାଗୋ ଭାଷଣ ସ୍ମରଣୀୟ। ସର୍ବଧର୍ମ ସମନ୍ୱୟର ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ ପ୍ରତ୍ୟେକ ଧର୍ମ ଏକ ନଦୀ ପରି ଯାହାର ଉତ୍ସ ଭିନ୍ନ ଓ ରାସ୍ତା ସିଧା ବା ଅଙ୍କା ବଙ୍କା ହୋଇଥିଲେ ମଧ୍ୟ ଶେଷରେ ଏହା ସମୁଦ୍ରରେ ହିଁ ମିଶେ - ସେହିପରି ପ୍ରତ୍ୟେକ ଧର୍ମ ଭଗବାନଙ୍କ ପାଖକୁ ରାସ୍ତା ଦେଖାଇ ଥାଏ। ବିନୋବା ଭାବେ ଧର୍ମ ନିରପେକ୍ଷତାର ଚାରୋଟି ନିୟମ ପାଳନ କରୁଥିଲେ। ସେଗୁଡ଼ିକ ହେଲା- ୧. ସ୍ୱଧର୍ମ ପ୍ରତି ନିଷ୍ଠା, ୨. ଅନ୍ୟଧର୍ମର ଆଦର, ୩. ନିଜ ଧର୍ମର ସୁଧାର ଓ ୪. ଅଧର୍ମର ବିରୋଧ।

 

ଏହା ଆମ ସମସ୍ତଙ୍କ ପାଇଁ ଏକ ମାପକାଠିର କାମ କରିପାରିବ ଓ ସାଂପ୍ରଦାୟିକତାରୁ ଆଧ୍ୟାତ୍ମିକତା ଆଡକୁ ବାଟ ଦେଖାଇପାରିବ।

 

୬୭, ସୂର୍ଯ୍ୟନଗର, ଭୁବନେଶ୍ୱର

ମୋ- ୯୪୩୭୫୧୩୦୮୦


ପ୍ରତିକ୍ରିୟା

Devdas Mohanty - Email: mohantydevdas@gmail.com - Posted on 2017-04-11 13:15:52

Good one, Congrats Dhanada

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top