ଶିଳ୍ପାୟନ ଓ ଇପିକଲ

News Story - Posted on 2017-04-10

ଗୋପୀନାଥ ବାରିକ

 

(ଇପିକଲ ର ୪୩ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ)

ସ୍ୱାଧୀନତା ପ୍ରାପ୍ତିର ପ୍ରାୟ ତିନି ଦଶନ୍ଧି ପରର କଥା। ରାଉଲକେଲାରେ ଇସ୍ପାତ କାରଖାନା, ମହାନଦୀ ଉପରେ ବହୁମୁଖୀ ହୀରାକୁଦ ବନ୍ଧ ନିର୍ମାଣ ଓ ପାରାଦ୍ୱୀପ ବନ୍ଦର ଗୋଟାକ ପରେ ଗୋଟିଏ ପ୍ରତିଷ୍ଠା ହୋଇ ରାଜ୍ୟର କୃଷିଭିତ୍ତିକ ଅର୍ଥନୀତି ଓ ସାମନ୍ତବାଦୀ ସାମାଜିକ ବ୍ୟବସ୍ଥାରୁ ଏକ ଔଦ୍ୟୋଗିକ ଓ ସହରାଭିମୁଖୀ ବ୍ୟବସ୍ଥାକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ପରିବର୍ତ୍ତନ ହେବା ପାଇଁ ସୁଯୋଗ ସୃଷ୍ଟି କରି ସାରିଥିଲା। ଔଦ୍ୟୋଗିକ ବିକାଶ କ୍ଷେତ୍ରରେ ଓଡ଼ିଶାର ଇତିହାସ ଏତେ ସମୃଦ୍ଧ ନୁହେଁ। ରପ୍ତାନି ଶିଳ୍ପ ସହିତ ଓଡ଼ିଶାର ସାଂସ୍କୃତିକ ଓ ସାମାଜିକ ନିବିଡ଼ତା ଥିଲେ ମଧ୍ୟ ନୌବାଣିଜ୍ୟ କ୍ଷେତ୍ରରେ ଇଉରୋପର ସମୃଦ୍ଧି ଓ ବିସ୍ତାର ଏହି ସମ୍ଭାବନାକୁ ଏକ କିମ୍ୱଦନ୍ତିରେ ପରିଣତ କରିସାରିଥିଲା। ମଧୁବାବୁ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବିଜୁବାବୁ ଔଦ୍ୟୋଗିକ ବିକାଶକ୍ଷେତ୍ରରେ ମନୋନିବେଶ କରିଥିଲେ ମଧ୍ୟ ଦୁଇ ଜଣ ଯାକ କର୍ତ୍ତବ୍ୟର ଆହ୍ୱାନରେ ଶିଳ୍ପରୁ ଚାଲି ଆସିଥିଲେ ସମାଜକୁ ଭିନ୍ନ କ୍ଷେତ୍ରରେ ନେତୃତ୍ୱ ଦେବାପାଇଁ।

 

ବନ୍ଧ, ବନ୍ଦର ଓ କାରଖାନା -ଏହି ତିନୋଟିଯାକ ଉଦ୍ୟୋଗ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ହେବାପରେ ଖଣି, ଗମନାଗମନ, କୃଷି ଓ ଶକ୍ତି କ୍ଷେତ୍ରରେ ବ୍ୟାପକ ବିକାଶ ହେବା ସହିତ ଶିକ୍ଷାକୁ ଉତ୍ସାହିତ କରିଥିଲା। ଶିକ୍ଷାର ବିକାଶ ପରବର୍ତ୍ତୀ ପର୍ଯ୍ୟାୟରେ ନିଯୁକ୍ତର ସୁଯୋଗ ପାଇଁ ଆହ୍ୱାନ ଆଣିଲା। ଔଦ୍ୟୋଗିକ ବିକାଶ ଉପରେ ରାଜ୍ୟ ସରକାର ଅଧିକ ନିଷ୍ଠାବାନ ହେଲେ ଓ ଏହାର ପରିଣତ ସୂରୁପ ପ୍ରତିକ୍ରିୟା ହେଲେ ହେଲା ଇପିକଲ। ୧୯୭୩ ମସିହା ଏପ୍ରିଲ ୧୨ ତାରିଖରେ ସତ୍ୟନଗରରେ ଏକ ଭଡ଼ା ଘରୁ ଆରମ୍ଭ ହୋଇଥିବା ଏହି  ଅନୁଷ୍ଠାନ ଶହୀଦ ନଗର ଅଂଚଳରେ ନିର୍ମାଣ କରିଥିଲା ତା’ର ସୁଉଚ୍ଚ ଧବଳ ସୌଧ ଓ ୧୯୮୩ ମସିହା ଏପ୍ରିଲ ୧୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଏହା ଉଦ‌୍‍ଘାଟିତ ହୋଇ  ଇପିକଲ ହାଉସ‌୍‍ ନାମରେ ନାମିତ ହେଲା।

 

ଅଶୀ ଦଶକରେ ତତ୍କାଳୀନ ସରକାରଙ୍କ ଦ୍ୱାରା ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ ବିଶେଷତଃ ପରବର୍ତ୍ତୀ ପର୍ଯ୍ୟାୟରେ ଜାନକୀ ବାବୁଙ୍କ ‘ହଜାରେ ଦିନରେ ହଜାରେ କୋଟି ଟଙ୍କାରେ ହଜାରେ ଶିଳ୍ପ ପ୍ରତିଷ୍ଠା’ ଘୋଷଣା ଇପିକଲ ପାଇଁ ଆଣିଥିଲା ଏକ ଆହ୍ୱାନ। ବହୁ ପ୍ରତିଷ୍ଠିତ ଉଦ୍ୟୋଗପତି ଆକର୍ଷିତ ହୋଇ ରାଜ୍ୟରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାକୁ ଆଗେଇ ଆସିଲେ ସେ ଆହ୍ୱାନକୁ ଗ୍ରହଣ କରି ନୂତନ ପିଢିର ଯୁବକ ଓ ଯୁବତୀ ଔଦ୍ୟୋଗିକ ବିକାଶରେ ସଫଳ ହେଲେ। ନିଯୁକ୍ତିର ସୁଯୋଗ ସୃଷ୍ଟି ହେଲା। ଇପିକଲ ଭାଗିଦାରୀରେ ଯୌଥ ଅନୁଷ୍ଠାନ ପ୍ରତିଷ୍ଠା ଆଜିର ବହୁ ଚର୍ଚ୍ଚିତ ପବ୍ଲିକ‌୍‍-ପ୍ରାଇଭେଟ ପାର୍ଟିସିପେସନର ସଫଳ ରୂପାୟନ ଇପିକଲ ସାକାର କରିଥିଲା ବହୁ ବର୍ଷ ପୂର୍ବରୁ।

 

ସ୍ୱାଧୀନତା ସଂଗ୍ରାମ ମୂଳତଃ ବିଦେଶୀ ପୁଞ୍ଜି ଓ ଏହାର ଶୋଷଣାଭିମୁଖୀ ବ୍ୟବସ୍ଥା ବିରୁଦ୍ଧରେ ଥିବା ବେଳେ ଜାତୀୟତାର ସଂରଚନା କରାଇ ଏହାର ଉନ୍ମେଷ ପ୍ରକିୟାକୁ ତ୍ୱରାନ୍ବତ କରିବାରେ ସହାୟକ ହୋଇଥିଲା। ଏହି ସଂଗ୍ରାମର ନିର୍ଯ୍ୟାସ ସ୍ୱାଧିନୋତ୍ତର ଅର୍ଥନୈତିକ ବ୍ୟବସ୍ଥା ଉପରେ ପଡ଼ିବା ସ୍ୱାଭବିକ ଥିଲା। ପ୍ରାକୃତିକ ସମ୍ୱଳର ସୁବିନିଯୋଗ ଓ ସୁଷମ ବଣ୍ଟନ ଆଭିମୁଖ୍ୟ ନେଇ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ କଟକଣା ଲାଗୁ କରିବାପାଇଁ ଆଇନ‌୍‍ ପ୍ରଣୟନ କରାଯାଇଥିଲା। ମୋଟା ମୋଟି ଭାବରେ ଶିଳ୍ପପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କର କ୍ଷମତା ସଂଙ୍କୁଚିତ ହୋଇ କେନ୍ଦ୍ରୀୟ ଯୋଜନାଭିମୁଖୀ ହୋଇ ପଡ଼ିଥିଲା। ପୁଞ୍ଜିର ସଂଙ୍କଟ, ଔଦ୍ୟୋଦଗିକ ଅନଭିଜ୍ଞତା  ଓ ବୈଷୟିକ ଜ୍ଞାନ ଉପରେ ପାରଙ୍ଗମତା ଅଭାବ ଯୋଗଁୁ, ବିଭିନ୍ନ ସମୟରେ ଘୋଷିତ ଶିଳ୍ପନୀତିରେ ପ୍ରୋତ୍ସାହନ ଓ ପ୍ରତିଶୃତି ଦିଆଯାଉଥିଲେ ମଧ୍ୟ ଆଶାନୁଯାୟୀ ଶିଳ୍ପବିକାଶ ଘଟି ପାରୁ ନଥିଲା।

 

ନବେ ଦଶକ ପ୍ରାରମ୍ଭରେ ଏସମସ୍ତ ଅସୁବିଧାକୁ ହଟାଇ ଏକ ଶୈଳ୍ପିକ ବାତାବରଣ ସୃଷ୍ଟି କରିବା ସହ ବିଦେଶୀ ପୁଞ୍ଜୀ ଆକର୍ଷିତ କରିବା ପାଇଁ ଅର୍ଥନୈତିକ ବ୍ୟବସ୍ଥାର ଏକ ଢାଞ୍ଚାଗତ ପରିବର୍ତ୍ତନ କରିବା ପ୍ରୟାସ ଆରମ୍ଭ ହେଲା। ସୋଭିଏତ‌୍‍ ରୁଷିଆର ଅର୍ଥନୈତିକ ବ୍ୟବସ୍ଥାର ପରିବର୍ତ୍ତନ ଏପରିକି ବହୁ ସମାଜବାଦୀ ରାଷ୍ଟ୍ରମାନଙ୍କର ଆର୍ଥିକ ନୀତିର ବଜାରାଭିମୁଖୀ ଆଭିମୁଖ୍ୟ, ବିଶ୍ୱବାଣିଜ୍ୟ ସଂଗଠନର ଉତ‌୍‍ଥାନ ଓ ଗ୍ୟାଟ ଚୁକ୍ତି ଭଳି ବହୁ ଆନ୍ତର୍ଜାତିକ ଘଟଣାବଳୀ ଆଗରେ ଏକ ସଂଙ୍କୁଚିତ ଓ ନିବୁଜ ଅର୍ଥନୈତିକ ବ୍ୟବସ୍ଥାକୁ କ୍ରିୟାଶୀଳ କରି ରଖିବା ଆଉ ସମ୍ଭବପର ନଥିଲା।

 

ନବେ ଦଶକଠାରୁ ରାଜ୍ୟ ସରକାରଙ୍କ ମଧ୍ୟରେ ଶିଳ୍ପପ୍ରତିଷ୍ଠା ପାଇଁ ପ୍ରତିଯୋଗିତା, ବ୍ୟବସାୟରୁ ସରକାର ଦୂରେଇ ଯାଇ ଏକ ନିୟାମକ ଭୂମିକା ଗ୍ରହଣ କରିବା ଓ ସର୍ବୋପରି  ରାଜ୍ୟମାନଙ୍କର ଆନ୍ତର୍ଜାତିକ ସ୍ତରରେ ବୁଝାମଣା କରି ପୁଞ୍ଜି ଆକୃଷ୍ଟ କରିବା ଭଳି ପଦକ୍ଷେପ ଯୋଗଁୁ ଏକ ନୂତନ ସମ୍ଭାବନା ଶିଳ୍ପ ବିକାଶ କ୍ଷେତ୍ରରେ ଦେଖା ଦେଲା।

 

ଏହି ସମ୍ଭାବନାକୁ ସାକାର କରିବା ପାଇଁ ନବେ ଦଶକଠାରୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ବେଳେ ୨୦୦୪ ମସିହାରେ ଶିଳ୍ପ ସହାୟତା ଆଇନ ପ୍ରଣୟନ ଓ ‘ଏକ ବାତାୟନ’ ବ୍ୟବସ୍ଥା କରି ଓ ମଧ୍ୟମ ଓ ବୃହତ ଶିଳ୍ପପ୍ରତିଷ୍ଠା ନେଇ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣକରି ଇପିକଲକୁ ଦାୟିତ୍ୱ ଦିଆଯାଇଥିବା ଯୋଗଁୁ ଶିଳ୍ପାୟନ କ୍ଷେତ୍ରରେ ସଫଳତା ଇପିକଲ କାର୍ଯଦକ୍ଷତା ଉପରେ ସ୍ୱାଭାବିକ ଭାବରେ ନିର୍ଭରଶୀଳ ହୋଇପଡ଼ିଲା। କୋଇଲା, ଲୌହ, ମାଙ୍ଗାନିଜ, କ୍ରୋମ ଓ ବକ୍ସାଇଟ ଇତ୍ୟାଦି ଖଣିଜ ପଦାର୍ଥର ଉପଲବ‌୍‍ଧତା ସହ ୪୮୦ କି.ମି ବ୍ୟାପ୍ତ ସାମୁଦ୍ରିକ ଉପକୂଳ, ତାପଜ, ଧାତବ ଓ ବନ୍ଦର ଭିତ୍ତିକ ଉତ୍ପାଦନ ଓ ରପ୍ତାନୀ ଶିଳ୍ପପ୍ରତିଷ୍ଠା ପାଇଁ ସୁଯୋଗ ରଖିଛି। ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ପୂର୍ବରେ ପଶ୍ଚିମମବଙ୍ଗ ଓ ଝାରଖଣ୍ଡ, କେନ୍ଦ୍ରାଞ୍ଚଳରେ ଛତିଶଗଡ଼ ଆଦି ରାଜ୍ୟଗୁଡ଼ିକ ଯୋଗାଯୋଗର ସୁଯୋଗ ଥିବାଯୋଗଁୁ ଦେଶର ପ୍ରାୟ ଏକତୃତୀୟାଂଶ ଲୋକସଂଖ୍ୟା ସହିତ ରାଜ୍ୟ ଯୋଡ଼ି ହୋଇରହିଛି। ସାମୁଦ୍ରିକ ଜଳ ପଥରେ  ଇଉରୋପ, ମିଆଁମାର, ଥାଇଲାଣ୍ଡ, କାମ୍ୱୋଡ଼ିଆ, ଫିଲପାଇନସ‌୍‍ ଓ ଚାଇନା ସମେତ ବହୁ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ସହ ଯୋଗା ଯୋଗ ଯୋଗଁୁ ବ୍ୟବସାୟିକ ସଂପର୍କ ପ୍ରତିଷ୍ଠା ହୋଇପାରିବା ସମ୍ଭାବନା ରହିଛି।

 

ରାଜସ୍ୱ ବୁଦ୍ଧି ନିଯୁକ୍ତିର ସୁଯୋଗ ସୃଷ୍ଟି, ଜୀବନ ଧାରଣ ମାନ ଓ ରାଜ୍ୟର ସାମଗ୍ରିକ ବିକାଶ ଘଟାଇବା ଶିଳ୍ପବିକାଶର ଲକ୍ଷ୍ୟ। ହେଲେ, ଶିଳ୍ପ ପ୍ରତିଷ୍ଠା ଏକ ‘ବହୁ ସଂଘାତ’ ପ୍ରକିୟା। ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ, ବର୍ଜ୍ୟବସ୍ତୁ ପରିଚାଳନା, ଜଳର ଆବଶ୍ୟକତା ପ୍ରଦୂଷଣ, ପୁନର୍ବାସ, ଭିତ୍ତିଭୂମି ଉପରେ ଚାପ, ଶକ୍ତି ଉପଲବଧ‌୍‍ତା ଓ ନିଯୁକ୍ତି ଭଳି ବହୁ ସଂଘାତକୁ ମୁକାବିଲା କରି ପାରିଲେ ଏକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ସମ୍ଭବପର ହୋଇପାରିଥାଏ। ତ୍ୱରାନ୍ୱିତ ପଦକ୍ଷେପ ନେଇ ଏହି ସବୁ ସମସ୍ୟାର ସମାଧାନ ପାଇଁ ‘ଏକକ ବାତ୍ୟାୟନ’ ବ୍ୟବସ୍ଥା ପରିକଳ୍ପନା କରାଯାଇଥିଲେ ମଧ୍ୟ ପ୍ରତ୍ୟେକ ପର୍ଯ୍ୟାୟରେ ଜଣା କିମ୍ୱା ଅଜଣା ସଂଘାତଗୁଡ଼ିକୁ ପ୍ରତିହତ କରି କ୍ଷେତ୍ରୀୟ ସ୍ତରରେ ସହଯୋଗୀୟ ବାତାବରଣ ସୃଷ୍ଟି କରିବାରେ ଇପିକଲର ଭୂମିକା ଗୁରୁତ୍ୱପୂର୍ଣ୍ଣ।

 

ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟୋଗପତିମାନଙ୍କୁ ଆକର୍ଷିତ କରିବାକୁ ଇପିକଲ କର୍ତ୍ତୃପକ୍ଷ ଯେଉ ଁସବୁ ପଦକ୍ଷେପ ନେଇଛନ୍ତି, ତାର ସୁଫଳ ଅନୁଭବ ଜଣା ଗଲାଣି।

 

ଆଉ ମାତ୍ର ଛଟି ବର୍ଷ ପରେ ଇପିକଲ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ। ୨୦୨୩ ମସିହା ଶିଳ୍ପାୟନ ଭଳି ଏକ ନିରନ୍ତର ପ୍ରକ୍ରିୟାରେ ଆଲୋକ ବର୍ତ୍ତିକା ହୋଇଥାଉ। ଆଗକୁ ଯିବାବେଳେ ଏହି ଆଲୋକରେ ଆଲୋକିତ ପଥକୁ ଦେଖାଯାଉ। ଅର୍ଦ୍ଧଶତାବ୍ଦୀର ସମ୍ଭାବନା ଓ ବାସ୍ତବତାକୁ ସାମନା କରିବା ପାଇଁ ସମସ୍ତ ଉଦ୍ଦୀପନା ଓ ନିଷ୍ଠାପର ଉଦ୍ୟମ ରହୁ।

 

ମୋ-୯୧୭୮୦୨୭୯୧୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top