ହନୁମାନଙ୍କର ତନୁ, ମନ ଓ ଧନ

News Story - Posted on 2017-04-07

ଡ. ପ୍ରଦୀପ କୁମାର ଚୌଧୁରୀ

 

ଭକ୍ତର ସର୍ବସ୍ୱ ଧନ ହେଉଛି ନିଜର ଆରାଧ୍ୟ ପରମେଶ୍ୱର। ଭକ୍ତ କାୟା, ମନ, ବାକ୍ୟରେ ଈଶ୍ୱରଙ୍କ ଶ୍ରୀଚରଣରେ ସମର୍ପିତ। ପ୍ରକୃତ ଭକ୍ତ ଭଗବାନଙ୍କୁ ନିଜର ଆରାଧ୍ୟ ଏବଂ ଜୀବନର ଆଦ୍ୟ ଓ ଅନ୍ତିମ ଲକ୍ଷ୍ୟରୂପେ ନେଇଥାଏ। ଭଗବାନ ଭକ୍ତର ସବୁକିଛି, ସେ ସଂସାର ଭିତରେ ଥିଲେ ମଧ୍ୟ ସଂସାରର କୌଣସି ଭୌତିକ ଲାଳସା, କାମନାର ମାୟା କୁହୁକ ତାକୁ ତିଳେମାତ୍ର ପ୍ରଭାବିତ କରିପାରେ ନାହିଁ। ସେ ପଦ୍ମପତ୍ରରେ ଜଳ ସଦୃଶ ରହିଥାଏ। ଭକ୍ତ ହେବାକୁ ହେଲେ ଭଗବାନଙ୍କୁ ସର୍ବତ୍ର ଦୃଶ୍ୟମାନ କରିବାର ଆଧ୍ୟାତ୍ମିକ ଶକ୍ତି ନିଜ ଭିତରେ ପ୍ରକଟ କରିବାକୁ ହେବ। ଏହି ଶକ୍ତି ପ୍ରକଟ କରିବାକୁ ହେଲେ ଦରକାର ଗଭୀର ସମର୍ପଣ ଭାବ ଓ ଆମି ବିଶ୍ୱାସ। ଅବିଚଳିତ ସ୍ଥିତପ୍ରଜ୍ଞ ମନ ଓ ପୂର୍ଣ୍ଣ ତ୍ୟାଗଭାବ ସୃଷ୍ଟି କରେ ମନରେ ଭାବ, ଭାବରୁ ସୃଷ୍ଟି ହୁଏ ଭକ୍ତି, ଭକ୍ତିରୁ ସୃଷ୍ଟି ହୁଏ ଭଗବାନଙ୍କ ଅନନ୍ତ କରୁଣା ବା କୃପା। ସେହି ଭଗବତ‌୍‍ କୃପା ଭଗବାନଙ୍କ ରାସ୍ତା ଉନ୍ମୁକ୍ତ କରିଦିଏ ଏବଂ ଭଗବାନଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ଲାଭ କରିବର ସୌଭାଗ୍ୟ ମିଳେ। ଭକ୍ତର ଚତୁର୍ଦ୍ଦିଗ, ଚତୁଃକୋଣ, ଊର୍ଦ୍ଧ୍ୱ, ଅଧ ସମସ୍ତ ଦିଗରେ ସେ କେବଳ ଭଗବାନଙ୍କ ଅନିତ୍ୟ ରୂପଚିତ୍ରକୁ ହିଁ ଦେଖେ।

 

ଭକ୍ତ ପାଇଁ ଭଗବାନ ସବୁ କିଛି ଏପରିକି ସେ ମାତା, ପିତା, ବନ୍ଧୁ, ସଖା, ସହୋଦର ଏବଂ ସର୍ବୋତ୍ତମ ଦିଗ‌୍‍ଦର୍ଶକ ଗୁରୁ। ଭକ୍ତ ହୋଇ ଭଗବାନଙ୍କ ସାମାନ୍ୟ ଛବିରେ ହେଉ ଅବା କାଠ, ପଥର, ଧାତୁ କିମ୍ୱା ମୃଣୟ ମୂର୍ତ୍ତି ହେଉ ତା ମଧ୍ୟରେ ବି ସେ ଭଗବାନଙ୍କ ଦିବ୍ୟ ସତ୍ତା ଦେଖେ ଏବଂ ସର୍ବତ୍ର ଉପସ୍ଥିତି ଅନୁଭବ କରେ। ଭକ୍ତର ଏକମାତ୍ର ଧନମଣି ଓ ଧ୍ୟାନମାଳି ହେଉଛନ୍ତି ପରମପୁରୁଷ ଭଗବାନ। ନଦୀର ଯେପରି ଲକ୍ଷ୍ୟ ଥାଏ ସାଗରରେ ମିଶିଯାଇ ନିଜର ଆତ୍ମସତ୍ତାକୁ ସାଗରରେ ସହିତ ଏକକାର କରିଦେବା ଠିକ‌୍‍ ସେହିପରି ଭକ୍ତର ଏକମାତ୍ର ଲକ୍ଷ୍ୟ ହେଲା ନିଜକୁ ଲୀନ କରିଦେବା ଭଗବାନଙ୍କ ପାବନ ଶ୍ରୀଚରଣରେ। ତେଣୁ କଥାରେ ଅଛି ଭକ୍ତର ଗଣ୍ଠିଧନ ହେଲା ଭଗବାନ ଆଉ ଭଗବାନଙ୍କ ହୃଦ ଚନ୍ଦନ ହେଲା ଭକତ ଧନ। ଶ୍ରୀବତ୍ସର ପଦଚିହ୍ନକୁ ଶ୍ରୀହରି ନିଜର ହୃଦୟରେ ଧାରଣ କଲାଭଳି ଭକ୍ତରୂପକ ଧନକୁ ଭଗବାନ ସଦା ନିଜ ଗଳାର ମାଳି କରି ଧାରଣ କରିଥାନ୍ତି। ଭଗବାନଙ୍କ ଶ୍ରେଷ୍ଠ ଧନ ହେଲା ସମର୍ପଣ ଭକ୍ତ ଆଉ ଭକ୍ତର ଶ୍ରେଷ୍ଠ ଧନ ହେଲା ତା’ର ଇଷ୍ଟପୁରୁଷ ଭଗବାନ। ଭକ୍ତ କେଉଁଠି କିପରି ଥାଉନା କାହିଁକି ତା’ର ତନୁ, ମନ ସବୁ ଈଶ୍ୱରଙ୍କ ପାଖରେ ହିଁ ଥାଏ ଆଉ ଭଗବାନ କେଉଁଠି ଥାଆନ୍ତୁ ନା କାହିଁକି ସେ ସର୍ବଦା ଭକତର ପାଖେପାଖେ ଛାଇଭଳି ରହିଥାନ୍ତି।

 

ସୂର୍ଯ୍ୟ ପୃଥିବୀକୁ ଆଲୋକିତ କରୁଥିବା ପରି ଭକ୍ତର ଶରୀର ଆତ୍ମାର ଆଲୋକ ଦ୍ୱାରା ଆଲୋକିତ। ଭକ୍ତି ଏକ ମାନସିକ ପ୍ରକ୍ରିୟା। ଏଥିରେ କେବଳ ମନ ରୂପକ ସାଗରରେ ସମର୍ପଣ ଭାବକୁ ମେରୁକରି ମନ୍ଥନ କଲେ ଈଶ୍ୱର କୃପା ଅମୃତ ରସ ନିର୍ଗତ ହୁଏ ତେଣୁ ଈଶ୍ୱର ମିଳନ୍ତି ନାହିଁ ପ୍ରାଚୁର୍ଯ୍ୟତାରେ କିମ୍ୱା ଧନରେ କେବଳ ମିଳନ୍ତି ପୂର୍ଣ୍ଣ ଆମି ସମର୍ପଣ ମନରେ। ଯେପରିକି ମାଛରଙ୍କା ପକ୍ଷୀ ଗଭୀର ଭାବରେ ଏକଲୟରେ ସ୍ଥିତପ୍ରଜ୍ଞ ହୋଇ ଲକ୍ଷ୍ୟ ରଖିଥାଏ ମାଛ ଉପରେ ଠିକ‌୍‍ ସେହିପରି ଭକ୍ତ ନିଜର ପରମେଶ୍ୱରଙ୍କ ଉପରେ ଲୟ ରଖିଥାନ୍ତି। ଭକ୍ତ ତନୁକୁ ଊର୍ଦ୍ଧ୍ୱକୁ ଯାଇ ମନକୁ, ମନରୁ ଊର୍ଦ୍ଧ୍ୱକୁ ଯାଇ ହୃଦୟକୁ, ହୃଦୟରୁ ଊର୍ଦ୍ଧ୍ୱକୁ ଯାଇ ଆତ୍ମାକୁ ଓ ଆତ୍ମାର ଊର୍ଦ୍ଧ୍ୱକୁ ଯାଇ ପରମାତ୍ମା ବା ପରମେଶ୍ୱରକୁ ସର୍ବଦା ଚିନ୍ତା କରିଥାଏ। ଈଶ୍ୱରଙ୍କ ଲମ୍ୱା ରାସ୍ତା ଝାଟିମାଟି ପାହାଡ଼ ପର୍ବତ ସଦୃଶ୍ୟ ଏସବୁ ପାର କରିବାକୁ ହେଲେ ନିଶ୍ଚଳ ଦୃଢ଼ ବିଶ୍ୱାସର ଆବଶ୍ୟକତା ରହିଛି ଏବଂ ଏହାକୁ କେବଳ ପାର କରିହେବ ହୃଦୟରୁ ଉଦ୍ରେକ ଭକ୍ତିରୂପକ ନାବର ସହାୟତାରେ। ତେଣୁ ଭକ୍ତି କ୍ଷରଣ ହେଲେ ଭାବ ପ୍ରକଟ ହୁଏ, ଭାବ ପ୍ରକଟ ହେଲେ ଭଗବାନଙ୍କ ସାନ୍ନିଧ୍ୟ ମିଳେ।

 

ଭକ୍ତର ଦୁର୍ଦ୍ଦିନ ଆଉ ସୁଦିନ, ସୁଖ ଆଉ ଦୁଃଖ, ସଫଳତା ଆଉ ବିଫଳତା, ପ୍ରତିକୂଳ ଆଉ ଅନୁକୂଳ, ଜୟ ଓ ପରାଜୟ ସବୁ ସମାନ କାରଣ ସେ ନିଜକୁ ଆଉ ନିଜର ସମସ୍ତ କର୍ମ ସହ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସବୁ ଭଗବାନଙ୍କ ପଦାରବିନ୍ଦରେ ସମର୍ପି ଦେଇଛି। ତେଣୁ କଥାରେ ଅଛି ଭକ୍ତ ପାଖରେ କାଳର କରାମତି କିମ୍ୱା ଗ୍ରହ ଚକ୍ରର କୌଣସି କର୍ତ୍ତୃତ୍ୱ ନଥାଏ। ପାର୍ଥିବ ଜଗତର ଚୁମ୍ୱକୀୟ ଆକର୍ଷଣ ଶକ୍ତି ଜଗତର ସବୁ ଜଡ଼ ଓ ଜୀବନ ଚକ୍ରକୁ ପ୍ରଭାବିତ କରେ ଏବଂ ଏପରିକି ଈଶ୍ୱର ଅବତାରୀ ମହାମାନବମାନେ ମଧ୍ୟ ଏଥିରୁ ନିବୃତ୍ତ ହୋଇନାହାନ୍ତି। କେବଳ ଭକ୍ତ କୁ ହିଁ ଏହି ଚକ୍ର ପ୍ରଭାବିତ କରିପାରେ ନାହିଁ। ରାମାୟଣରେ ଭକ୍ତ ଶିରୋମଣି ହନୁମାନ ପ୍ରଭୁ ଶ୍ରୀରାମଙ୍କ କୃପା ଆଶୀର୍ବାଦ ଫଳରେ ସେ କୌଣସି ଠାରେ ପତିତ ହେବା କି ପରାଜୟ ସ୍ୱୀକାର କରିବା କି କ୍ଷତବିକ୍ଷତ ହୋଇ ଆଘାତ ହେବାର କୌଣସି ଦୃଷ୍ଟାନ୍ତ ନାହିଁ। ତେଣୁ କୁହାଯାଏ ଭକ୍ତ ଭଗବାନଙ୍କ ଠାରୁ ଶତଗୁଣରେ ଶକ୍ତିଶାଳୀ। ଏହାର ଦୃଷ୍ଟାନ୍ତ ଯୁଗେଯୁଗେ ରହିଛି। ଭକ୍ତିର ଅନ୍ତଃସ୍ରୋତ ଏତେ ପ୍ରଭାବଶାଳୀ ଯେ ସେ ପଥରକୁ ବି ତରଳାଇ ଦେଇପାରେ। ଭକ୍ତି ଉଦ୍ରେକ ପାଇଁ କୌଣସି ପ୍ରକାର ମାଧ୍ୟମ ବା ଭାଷାର ଆବଶ୍ୟକତା ନାହିଁ। ତେଣୁ କଥାରେ ଅଛି, ଭାଗ୍ୟ ଓ ଭଗବାନଙ୍କ କ୍ଷେତ୍ରରେ ପାର୍ଥିବ ଜଗତର କୌଣସି ଭାଷାର ଆବଶ୍ୟକତା ହୁଏ ନାହିଁ। କେବଳ ହୃଦୟର ଭାଷା ହିଁ ଆବଶ୍ୟକତା ରହିଛି। ଜଳନ୍ତା ଅଗ୍ନି ଯେପରି ନିଜର ବାଧକ ସାଜିଥିବା ଅନ୍ଧକାରକୁ ଦୂର କରେ ଠିକ‌୍‍ ସେହିପରି ଭକ୍ତ ନିଜ ହୃଦୟରେ ବ୍ରହ୍ମରୂପକ ପରମେଶ୍ୱରଙ୍କୁ ବସାଇଦେଲେ ବ୍ରହ୍ମତେଜରେ ସମସ୍ତ ଅଜ୍ଞାନ ରୂପକ ଅନ୍ଧକାର ଏବଂ ସମସ୍ତ ବାଧକ ସାଜୁଥିବା ପ୍ରତିକୂଳ ବିଘ୍ନ ସମୂହର ସମୂଳ ବିନାଶ ହୁଏ।

 

ଭକ୍ତନିଜର ପରମେଶ୍ୱରଙ୍କୁ ପତ୍ର, ଫୁଲ, ଫଳ ଓ ଜଳ ଅର୍ପଣ କରି ନିଜର ସମସ୍ତ ଗୁହାରି କରେ। ଭୌତିକ ଦୃଷ୍ଟିକୋଣରୁ ଜଣେ ସାଧାରଣ ଭକ୍ତ ବୁଝେ ପତ୍ର ମାନେ ବୃକ୍ଷର ପତ୍ର ଯଥା ବେଲପତ୍ର, ତୁଳସୀପତ୍ର, ଦୂବ, ବରକୋଳି ପତ୍ର ଇତ୍ୟାଦି। ସେହିପରି ଫଳମାନେ ଭୌତିକ ଜଗତର ଦୃଶ୍ୟମାନ ବୃକ୍ଷର ଫଳସମୂହକୁ ବୁଝାଏ। ସେହିପରି ଫୁଲମାନେ ବିଭିନ୍ନ ବୃକ୍ଷର, ବିଭିନ୍ନ ମହକର ପାର୍ଥିବ ଜଗତର ଫୁଲକୁ ବୁଝାଏ ଓ ଜଳମାନେ ବିଭିନ୍ନ ପବିତ୍ର ନଦୀର ଜଳକୁ ଅଭିଷେକ ବା ସ୍ନାନକୁ ବୁଝାଏ। କିନ୍ତୁ ଏହା ପ୍ରକୃତ ସମର୍ପିତ ଭକ୍ତର ଆତ୍ମଜ୍ଞାନ କ୍ଷେତ୍ରରେ ଏହାର ପରିଭାଷା ଭିନ୍ନ ଏବଂ ଏହାଠାରୁ ବହୁ ଊର୍ଦ୍ଧ୍ୱରେ। ପତ୍ର ଅର୍ଥାତ‌୍‍ ‘କରପତ୍ର’ ବା ପ୍ରଭୁ ବା ପରମେଶ୍ୱରଙ୍କ ଶ୍ରୀଚରଣରେ କର ଯୋଡ଼ି ଆତ୍ମନିବେଦନ ବା ସମର୍ପଣ। ଦ୍ୱିତୀୟ କଥା ହେଲା ଫୁଲ ବା ପୁଷ୍ପ ତାହା ହେଲା ହୃଦୟର ‘ଭକ୍ତିପୁଷ୍ପ’ ବା ‘ଭକ୍ତିକୁସୁମ’। ଫଳ ହେଲା ଦୁଇ ପ୍ରକାର, ପ୍ରାରବ୍ଧ ପାପ ଓ ପୂଣ୍ୟ ବା କୁକର୍ମ ଓ ସୁକର୍ମ ଫଳକୁ ମହାପ୍ରଭୁଙ୍କ ଶ୍ରୀଚରଣରେ ଭକ୍ତି ନୈବେଦ୍ୟ ଦେଇଦେବା। ଆଉ ଜଳ ହେଲା ଏହା କୌଣସି ପବିତ୍ର ନଦୀର ଜଳ ନୁହେଁ ତାହାହେଲା ଭଗବାନ ଆମକୁ ଦେଇଥିବା ଚକ୍ଷୁର ଜଳ ବା ଆଖି ପାଣିରେ ଭଗବାନଙ୍କ ଅପାଦ ପାଦକୁ ଧୋଇଦେବା। ଏହାଦ୍ୱାରା ଭଗବାନଙ୍କୁ ପ୍ରାପ୍ତି କରିବାର ମାର୍ଗ ସ୍ୱତଃପ୍ରବୃତ ଭାବେ ଉନ୍ମୁକ୍ତ ହୋଇଯାଏ। ତେଣୁ କଥାରେ ଅଛି ଭାଗ୍ୟ ଓ ଭଗବାନଙ୍କ କ୍ଷେତ୍ରରେ କୌଣସି ପାର୍ଥିବ ଭାଷାର ଆବଶ୍ୟକତା ନାହିଁ କେବଳ ହୃଦୟ ଭାଷାର ଆବଶ୍ୟକତା ରହିଛି।

 

ଭକ୍ତି ଓ ଭକ୍ତ ସଂପର୍କରେ ଭଗବାନ ଶ୍ରୀକୃଷ୍ଣ ଗୀତାରେ ପ୍ରିୟ ଶିଷ୍ୟ ଅର୍ଜୁନଙ୍କୁ ବୁଝାଇ କହିଛନ୍ତି, ହେ! ମୋର ପ୍ରିୟ ଭକ୍ତ, ତୁମେ ଶୁଣ ମୋତେ ଯେଉଁମାନେ ପାର୍ଥିବ ଜଗତରୁ ଊର୍ଦ୍ଧ୍ୱକୁ ଯାଇ ଚିନ୍ତା କରନ୍ତି ଓ ଜୀବନ ଥିବା ଅବସ୍ଥାରେ ଶରୀରକୁ ସ୍ଥାଣୁ ମନେକରି ଭାବନା କରନ୍ତି ସେମାନଙ୍କ ପାର୍ଥିବ ଶରୀର ନଶ୍ୱର ହେଲେ ବି ଆତ୍ମା ଅବିନଶ୍ୱର। ଆତ୍ମା ସର୍ବଦା ଯାଜ୍ଜ୍ବଲ୍ୟମାନ ଓ ସଚେତନ। ସେମାନେ ମୋତେ ସରଳ ଭାବରେ ଚିହ୍ନିପାରନ୍ତି। ଶରୀର ସରଳ ଓ ଅପରପକ୍ଷେ ଆତ୍ମା ଜଟିଳ। ଏହାକୁ ବୁଝିବା ଏତେ ସହଜ ନୁହେଁ। ଆତ୍ମଜ୍ଞାନ ବିନା ଆତ୍ମାକୁ ଚିହ୍ନିହେବ ନାହିଁ। ଆତ୍ମକୁ ଜାଣିବା ପାଇଁ ଆତ୍ମଜ୍ଞାନ ଏକମାତ୍ର ମାଧ୍ୟମ। ଥରେ ଆତ୍ମଜ୍ଞାନ ଆସିଗଲେ ମରଣଶୀଳ ପାର୍ଥିବ ଶରୀର ନ୍ୟୂନ ହୋଇଯାଏ ଏବଂ ଅବିନଶ୍ୱର ଆତ୍ମସତ୍ତା ପ୍ରକାଶିତ ହୁଏ।

 

ଦ୍ୱିତୀୟ କଥା କହିଛନ୍ତି ‘କର୍ମଯୋଗ’। ମୋ ଭକ୍ତ, ଫଳର କୌଣସି ଆଶା ନରଖି ସେ ସଦାସର୍ବଦା ନିଜକର୍ମରେ ପୂର୍ଣ୍ଣ ମନୋନିବେଶ କରିଥାଏ। କର୍ମର ଫଳ ମୁଁ ହିଁ ଓ ଏହାର ପରିଣାମ ମୁଁ ହିଁ। ତୃତୀୟ କଥା ହେଲା ଶାଶ୍ୱତ ପ୍ରେମ ଅର୍ଥାତ‌୍‍ କାମନା ବିରହିତ ପ୍ରେମ ବା ଭଲ ପାଇବା ହିଁ ନଶ୍ୱର ପ୍ରେମ ଏବଂ ଚିରନ୍ତନ ବା ଚିରସବୁଜ। ଯେଉଁ ଭକ୍ତ ବା ଆଶ୍ରିତ ଏ ତିନୋଟି ବିଷୟ ଯଥା ଆତ୍ମା, କର୍ମ ଏବଂ ପ୍ରେମର ନିଗୂଢ଼ ତତ୍ତ୍ୱ ବୁଝି ମୋତେ ଭଲପାଏ ସେ ମୋତେ ସହଜରେ ପାଇପାରେ। ଏ ସଂପର୍କରେ ରାମାୟଣରେ ଏକ ସୁନ୍ଦର କାହାଣୀ ଅଛି।

 

ଯେତେବେଳେ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଲଙ୍କା ଜୟ କରି ଅଯୋଧ୍ୟା ଫେରିଲେ ସେତେବେଳେ ରଘୁବଂଶର କୂଳଗୁରୁ ବଶିଷ୍ଠ ମହର୍ଷି ପ୍ରଶ୍ନ କରିଥିଲେ ପ୍ରକୃତରେ ରାବଣକୁ ମାରିଛି କିଏ? ଚାରି ଜଣ ନିଜେ ନିଜ ଉପରେ ଗୁରୁତ୍ୱ ଦେଇ ଦାବି କଲେ ଯେ ରାବଣକୁ ମୁଁ ମାରିଛି। ରାମ କହିଲେ ରାବଣ ମୋ ହାତରେ ମରିବାକୁ ଚାହିଁଲା ତେଣୁ ମୁଁ ମାରିଛି। ସୀତା କହିଲେ, ‘ସୀତା ହରଣ ରାବଣ ମରଣ’। ଏହି ଉକ୍ତିରେ ରାବଣ ମୋତେ ହରଣ କରିବାରୁ ସେ ମଲା। ସେହିପରି ଲକ୍ଷ୍ମଣ କହିଲେ, ମୁଁ ଯଦି ବାର ବର୍ଷ ଆହାର ନିଦ୍ରା ତଥା ମୈଥୁନ ତ୍ୟାଗ କରିନଥାନ୍ତି ତେବେ ଇନ୍ଦ୍ରଜିତ (ମେଘନାଦ)କୁ କେହି ମାରି ପାରିନଥାନ୍ତେ। ତେବେ ରାବଣ କାହିଁକି ଯୁଦ୍ଧକୁ ଆସି ମରିଥାନ୍ତା? ତେଣୁ ରାବଣ ମରିବାର କାରଣ ମୁଁ। ହନୁମାନ କହିଲେ ଯେ ରାବଣ ବର ପାଇଥିଲା ନର ଓ ବାନର ହାତରେ ମରିବ। ପ୍ରଭୁ ନର ଓ ମୁଁ ବାନର ମିଶିବାରୁ ରାବଣ ମଲା।

 

ଦ୍ୱନ୍ଦରେ ପଡ଼ିଲେ ଗୁରୁ ବଶିଷ୍ଠ। ତେଣୁ ସେ କୌଣସି ସିଦ୍ଧାନ୍ତ ନେଇ ନ ପାରି ଚାରିଜଣଙ୍କୁ ଚାରୋଟି ପ୍ରଶ୍ନ ପଚାରିଲେ। ଯଥା- ସଂସାରରେ ସବୁଠାରୁ ବଡ଼ ‘ଧନ’ କ’ଣ? ସଂସାରରେ ସବୁଠାରୁ ବଡ଼ ‘ବଳ’ କ’ଣ? ସଂସାରରେ ସବୁଠାରୁ ବଡ଼ ‘ଦୀପ’ କ’ଣ? ସଂସାରରେ ସବୁଠାରୁ ବଡ଼ ‘ରସ’ କ’ଣ?

 

ପ୍ରଭୁ ଶ୍ରୀରାମ କୁଳଗୁରୁଙ୍କ ଏହି ଚାରୋଟି ପ୍ରଶ୍ନର ଉତ୍ତର ରଖି କହିଲେ, ଧାନ୍ୟ ଧନାନ୍ୱିତଂ ନାନ୍ୟ ଧନମ‌୍‍ (ଧାନ), ଭାତୃ ବଳାନ୍ୱିତଂ ନାନ୍ୟ ବଳମ‌୍‍ (ଭାଇବଳ), ଚନ୍ଦ୍ର ଦ୍ୱିପାନ୍ୱିତଂ ନାନ୍ୟ ଦୀପମ‌୍‍ (ଚନ୍ଦ୍ର), ଇକ୍ଷୁ ରସାମୃତଂ ନାନ୍ୟ ରସମ‌୍‍ (ଆଖୁ)। ଅର୍ଥାତ - ‘ଧାନ’ ଠାରୁ ବଡ଼ ଧନ ନାହିଁ, ‘ଭାଇ’ ଠାରୁ ବଡ଼ ବଳ ନାହିଁ, ‘ଚନ୍ଦ୍ର’ ଠାରୁ ବଡ଼ ଦୀପ ନାହିଁ ଆଉ ‘ଆଖୁ’ ଠାରୁ ମିଠା ରସ ଆଉ ନାହିଁ।

 

ଶ୍ରୀରାମଙ୍କ ଉତ୍ତର ଶୁଣି ଭ୍ରାତା ଲକ୍ଷ୍ମଣ କହିଲେ ଭାଇ ଆପଣଙ୍କ ଉତ୍ତର ଠିକ‌୍‍ ନୁହେଁ। ଏବେ ମୋ ଠାରୁ ଉତ୍ତର ଶୁଣନ୍ତୁ, ସ୍ୱର୍ଣ୍ଣ ଧନାନ୍ୱିତଂ ନାନ୍ୟ ଧନମ‌୍‍ (ସୁନା), ବାହୁ ବଳାନ୍ୱିତଂ ନାନ୍ୟ ବଳମ‌୍‍ (ବାହୁବଳ), ଚକ୍ଷୁ ଦ୍ୱୀପାନ୍ୱିତଂ ନାନ୍ୟ ଦୀପମ‌୍‍ (ଚକ୍ଷୁ), ଜିହ୍ୱା ରସାମୃତଂ ନାନ୍ୟ ରସମ‌୍‍ (ଜିହ୍ୱାରସ)। ଅର୍ଥାତ‌୍‍ - ଧାନକୁ ପୋକ ଖାଇଯାଇପାରେ, ନିଆଁ ପୋଡ଼ି ପାଉଁଶ କରିଦେଇପାରେ। ଏହା କିଛି ଦିନ ରହିଲାପରେ ନଷ୍ଟ ହୋଇଯାଇପାରେ କିନ୍ତୁ ‘ସୁବର୍ଣ୍ଣ’ ନଷ୍ଟ ହୋଇପାରେ ନାହିଁ। ନିଆଁରେ ପୋଡ଼ିଲେ ଆହୁରି ଜାଜ୍ଜୁଲ୍ୟମାନ ହୁଏ। ଭାଇ ପାଖରେ ଥିବା ବଳ ଠାରୁ ‘ନିଜ ପାଖରେ ଥିବା ବଳ’ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଚନ୍ଦ୍ରର ଆଲୋକ ଅଛି, କିନ୍ତୁ ତାକୁ ଦେଖିବାକୁ ଯଦି ‘ଚକ୍ଷୁ’ ନଥିବ ସେଇ ଆଲୋକର କିଛି ମୂଲ୍ୟ ନାହିଁ ତେଣୁ ‘ଚକ୍ଷୁ’ ହେଉଛି ଚନ୍ଦ୍ର ଠାରୁ ବଡ଼ ଆଲୋକ ପ୍ରଦୀପ। ଆଖୁ ଯେତେ ମିଠା ହେଉନା କାହିଁକି ତାର ରସ ଗ୍ରହଣ କରିବାକୁ ଯଦି ‘ଜିହ୍ୱା’ ନଥିବ ତେବେ ତାହା ମୂଲ୍ୟହୀନ।

 

ଏହା ଶୁଣି ମାତା ସୀତା କହିଲେ, ହେ ଲକ୍ଷ୍ମଣ ତୁମର ଉତ୍ତର ବି ଯଥାର୍ଥ ନୁହେଁ । ଏବେ ମୋ ଉତ୍ତର ଶୁଣ, ଧର୍ମ ଧନାନ୍ୱିତଂ ନାନ୍ୟ ଧନମ‌୍‍ (ଧର୍ମ), ଦୈବୀ ବଳାନ୍ୱିତଂ ନାନ୍ୟ ବଳମ‌୍‍ (ଦୈବିଶକ୍ତି), ଜ୍ଞାନ ଦୀପାନ୍ୱିତଂ ନାନ୍ୟ ଦୀପମ‌୍‍ (ଜ୍ଞାନଦୀପ), ନାମ ରସାମୃତ ନାନ୍ୟ ରସମ‌୍‍ (ନାମରସ)। ଅର୍ଥାତ‌୍‍ - ‘ଧର୍ମ’ ସମତୁଲ୍ୟ ବଡ଼ ଧନ ସଂସାରରେ ନାହିଁ । ତେଣୁ ‘ଧର୍ମ’ ହିଁ ସଂସାରର ଶ୍ରେଷ୍ଠ ଧନ। ‘ଦୈବୀବଳ’ଠାରୁ ଶ୍ରେଷ୍ଠ ବଳ ନାହିଁ। ତେଣୁ ସଂସାରର ସବୁଠାରୁ ବଡ଼ ବଳ ହେଲା ଦୈବୀ ବଳ। ‘ଜ୍ଞାନଦୀପ’ ଠାରୁ ଶ୍ରେଷ୍ଠ ଦୀପ ନାହିଁ। ତେଣୁ ଜ୍ଞାନ ହିଁ ସଂସାରର ଶ୍ରେଷ୍ଠ ଦୀପ। ଠିକ‌୍‍ ସେହିପରି ଭଗବାନଙ୍କ ନାମ ରସ ଠାରୁ ଶ୍ରେଷ୍ଠ ରସ ସଂସାରରେ ନାହିଁ। ତେଣୁ ନାମ ରସ ହିଁ ସଂସାରର ବଡ଼ ରସ।

 

ଏହା ଶୁଣି ଭକ୍ତ ଶିରୋମଣି ହନୁମାନ କହିଲେ, ଆପଣ ତିନିଜଣଙ୍କର ଉତ୍ତର ଠିକ‌୍‍ ନୁହେଁ। ଏବେ ମୋର ଉତ୍ତର ଶୁଣନ୍ତୁ ହେ ଗୁରୁ ଶ୍ରେଷ୍ଠ ବଶିଷ୍ଠ। ହନୁମାନଙ୍କ ଉତ୍ତର, ରାମ ଧନାନ୍ୱିତଂ ନାନ୍ୟ ଧନମ‌୍‍ (ରାମ), ରାମ ବଳାନ୍ୱିତଂ ନାନ୍ୟ ବଳମ‌୍‍ (ରାମ), ରାମ ଦୀପାନ୍ୱିତଂ ନାନ୍ୟ ଦୀପମ‌୍‍ (ରାମ), ରାମ ରସାମୃତଂ ନାନ୍ୟ ରସମ‌୍‍ (ରାମ)। ଅର୍ଥାତ‌୍‍ ପ୍ରଭୁ ‘ଶ୍ରୀରାମ’ଙ୍କ ଠାରୁ ବଡ଼ ଧନ, ‘ଶ୍ରୀରାମ’ଙ୍କ ଠାରୁ ବଡ଼ ବଳ, ଶ୍ରୀରାମଙ୍କ ଠାରୁ ବଡ଼ ଦୀପ କିମ୍ୱା ଶ୍ରୀରାମଙ୍କ ଠାରୁ ବଡ଼ ରସ ସଂସାରରେ ଆଉ କିଛି ନାହିଁ। ତେଣୁ କେବଳ ଶ୍ରୀରାମ ହିଁ ସଂସାରର ଶ୍ରେଷ୍ଠ ଧନ, ଶ୍ରେଷ୍ଠ ବଳ, ଶ୍ରେଷ୍ଠ ଦୀପ ଆଉ ଶ୍ରେଷ୍ଠ ରସ। ତାଙ୍କ ଠାରୁ ବଡ଼ ଏ ସଂସାରରେ ଆଉ କିଏ ନାହିଁ। ତେଣୁ ମୋର ପ୍ରଭୁ ଶ୍ରୀରାମ ହିଁ ମୋର ସମସ୍ତ ପ୍ରଶ୍ନର ଉତ୍ତର, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି।

 

ପ୍ରଭୁ ରାମ ମୋର ସର୍ବସ୍ୱ। ସେ ସବୁ କରାନ୍ତି ଓ କରନ୍ତି। ମାତ୍ର ଏସବୁର ସମସ୍ତ ଶ୍ରେୟ ନିଜେ ନନେଇ ନିଜର ଭକ୍ତକୁ ଦେଇ ଥାଆନ୍ତି। ଏଣୁ ରାବଣ ମରିବାର ସମସ୍ତ ଶ୍ରେୟ ପ୍ରଭୁଙ୍କର। କାରଣ ସହସ୍ର ଯୋଜନ ଦୂର ସମୁଦ୍ର ପାର ହୋଇ ଲଙ୍କାରେ ପହଂଚି ସୀତାଙ୍କର ସନ୍ଧାନ ପାଇବା କେବେ ବି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ବିନା ସଂଭବ ହୋଇନଥାନ୍ତା। ଦ୍ୱିତୀୟରେ ପ୍ରଭୁଙ୍କ ନାମ ଲିଖିତ ସମସ୍ତ ପ୍ରସ୍ତର ଖଣ୍ଡ ସମୁଦ୍ରରେ ଭାସିବାରୁ ସେତୁବନ୍ଧ ସମୁଦ୍ରରେ ବନ୍ଧା ହୋଇ ଆମେ ସମସ୍ତେ ଲଙ୍କାରେ ପ୍ରବେଶ କରିପାରିଲେ ଏବଂ ରାବଣଙ୍କୁ ମାରି ଲଙ୍କା ଜୟ କରିବା ସଂଭବ ହୋଇପାରିଲା। ଏ ସମସ୍ତ ଶ୍ରେୟ ମୋର ପ୍ରଭୁ ଶ୍ରୀରାମଙ୍କର ହିଁ। ମୁଁ କେବଳ ନିମିତ୍ତ ମାତ୍ର। ରାମ ଭକ୍ତ ହନୁମାନ ନିଜର ପ୍ରଭୁ ଶ୍ରୀରାମଙ୍କୁ ନିଜର ଗୁରୁ, ପିତା, ମାତା, ସଖା, ବନ୍ଧୁ, ସହୋଦର ପ୍ରଭୁ ଓ ପରମେଶ୍ୱର ଏବଂ ସର୍ବସ୍ୱ ମନେକରି ତାଙ୍କ ଶ୍ରୀଚରଣରେ ଦାସ ଭଳି ସମର୍ପିତ।

 

ହନୁମାନ ଏପରି ଏକ ଭକ୍ତ ସେ ସାମାନ୍ୟ ମର୍କଟ ରୂପରେ ଲୀଳା କରି ନିଜର ପ୍ରଭୁ ଭକ୍ତିର ପରିଚୟ ଦେଇ ଯେଉଁ ପରାକାଷ୍ଠା ସାରାଜଗତକୁ ଦେଖାଇଛନ୍ତି। ଏହା କେବଳ ବିରଳ ନୁହେଁ ଏହା ମହା ବିସ୍ମୟ ମଧ୍ୟ। ହନୁମାନଙ୍କ ଏହି ପରାକାଷ୍ଠାରେ ସ୍ୱୟଂ ପ୍ରଭୁ ଶ୍ରୀରାମଚନ୍ଦ୍ର ମଧ୍ୟ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ହନୁମାନ ଏପରି ଏକ ଦୃଷ୍ଟାନ୍ତ ଯିଏକି ମର୍କଟରୁ ଶ୍ରୀରାମଙ୍କ ସେବକ, ସେବକରୁ ଜଣେ ସମର୍ପିତ ଭକ୍ତ ଏବଂ ଭକ୍ତରୁ ସମସ୍ତ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତି କରି ରୂପାନ୍ତରିତ ହୋଇଥିବା ପୂର୍ଣ୍ଣବ୍ରହ୍ମସ୍ୱରୂପ। ତେଣୁ ହନୁମାନଙ୍କୁ କୁହାଯାଏ ଭକ୍ତ ଓ ଭଗବାନଙ୍କର ଐକ୍ୟ ସମନ୍ୱୟ ସ୍ୱରୂପ। ତେଣୁ ହନୁମାନଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ଦୈବିଶକ୍ତିର ଆଶୀର୍ବାଦ ମିଳିଥାଏ।

 

ଜଣେ ବ୍ରହ୍ମସ୍ୱରୂପ ହନୁମାନଙ୍କ ପଦାରବିନ୍ଦରେ ନିଜକୁ ଏବଂ ନିଜ ଜୀବନଚକ୍ରର ସମସ୍ତ ଭାବକୁ ସମର୍ପିତ କରିଦେଲେ ହନୁମାନଙ୍କ କୃପା ମନ୍ଦାକିନୀର ସ୍ରୋତ ଛୁଟିବ ଏବଂ ହନୁମାନଙ୍କ କୃପା ଅଚିରେ ପ୍ରାପ୍ତି ହେବ। ତେଣୁ ହନୁମାନ ଭକ୍ତଙ୍କ ନିମନ୍ତେ ତାହାହିଁ ସଂସାରର ଶ୍ରେଷ୍ଠ ଧନ, ଶ୍ରେଷ୍ଠ ବଳ, ଶ୍ରେଷ୍ଠ ଦୀପ ଏବଂ ଶ୍ରେଷ୍ଠ ରସ ହେବା ଉଚିତ‌୍‍। ଏହି ଭାବ ଥରେ ତନୁ, ମନ, ହୃଦୟ ଓ ଆତ୍ମାରେ ପ୍ରକଟ ହୋଇଗଲେ ହନୁମାନଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ଲାଭ କରାଯାଇପାରିବ। ତେଣୁ ହନୁମାନଭକ୍ତର ତନୁ, ମନ, ଧନ, ଜୀବନ ଆଉ ସବୁକିଛି ହିଁ ନିଜର ପରମେଶ୍ୱର ସର୍ବଶକ୍ତିମାନ ହନୁମାନ। ତେଣୁ ଏବେ ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେଇ ହନୁମାନଙ୍କୁ ଏକ ମନ, ଏକ ହୃଦୟରେ, ଏକ ଆମିାରେ ଆତ୍ମନିବେଦନ କରି ଆମ ଭିତରେ ଥିବା ଅହଂକାର, ସ୍ୱାର୍ଥ, ଘୃଣା, ପରଚର୍ଚ୍ଚା, ପରନିନ୍ଦା, ଅସହିଷ୍ଣୁତା ଓ ମିଥ୍ୟାର କୁହେଳିକା ବଳୟରୁ ଊର୍ଦ୍ଧ୍ୱକୁ ଯାଇ ଆମେ ହନୁମାନଙ୍କ ଶ୍ରୀଚରଣରେ ନିଜକୁ ସମର୍ପଣ କରି ନିଜକୁ ଧନ୍ୟ ମନେ କରିବା।

 

ଭିଏ ୩୪/୪, ୟୁନିଟ‍୍‌-୨,

ଭୁବନେଶ୍ୱର, ମୋ: ୯୪୩୭୨୮୪୨୧୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top