ଅଳିଆ ଉଠେଇବାକୁ ଏତେ ଖର୍ଚ୍ଚ!

News Story - Posted on 2017-04-07

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ବାର୍ଷିକ ସର୍ବାଧିକ ୧,୮୯,୮୦୦ ଟନ‌୍‍ ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏ ବାବଦରେ ମହାନଗର ନିଗମ ବର୍ଷକୁ ଖର୍ଚ୍ଚ କରୁଛି ୬୧ କୋଟି ୨୧ ଲକ୍ଷ ୫୦ ହଜାର ଟଙ୍କା। ତେବେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ବାର୍ଷିକ ୫୧,୧୦୦ ମେଟ୍ରିକ‌୍‍ ଟନ‌୍‍ ପରିମାଣର ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏହି ନିଗମ ପରିମଳ ବ୍ୟବସ୍ଥା ପାଇଁ ବାର୍ଷିକ ୨୨ କୋଟି ୮ ଲକ୍ଷ ଟଙ୍କା ବ୍ୟୟ କରୁଛି। ୨୦୧୫-୧୬ ବର୍ଷରେ କଟକ ମହାନଗର ନିଗମ ଅଞ୍ଚଳରୁ ୫୮,୫୪୪ ମେଟ୍ରିକ‌୍‍ ଟନ‌୍‍ ଗାର୍ବେଜ‌୍‍ ଓ ୧,୦୫,୪୮୮ କ୍ୟୁବିକ‌୍‍ ମିଟର‌୍‍ ଡେବ୍ରିସ‌୍‍ ବାହାରିଥିବା ବେଳେ ଏଥିଲାଗି ଉକ୍ତ ବର୍ଷରେ ଖର୍ଚ୍ଚ ହୋଇଥିଲା ୧୭ କୋଟି ୫୪ ଲକ୍ଷ ଟଙ୍କା। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ।

 

ସେ କହିଛନ୍ତି ଯେ ଭୁବନେଶ୍ୱର ମହାନଗର ନିଗମ ୨୦୧୭-୧୮ ବର୍ଷରେ ୪୪ କୋଟି ୨୭ ଲକ୍ଷ ଟଙ୍କାର ହୋଲ୍ଡିଂ ଟିକସ ଆଦାୟ ଲାଗି ପ୍ରସ୍ତାବ ରଖିଥିବା ବେଳେ କଟକ ମହାନଗର ନିଗମ ୧୩ କୋଟି ଓ ବ୍ରହ୍ମପୁର ମହାନଗର ନିଗମ ୬ କୋଟି ୯୭ ଲକ୍ଷ ଟଙ୍କାର ହୋଲ୍ଡିଂ ଟିକସ ପାଇବେ ବୋଲି ଆଶା ରଖିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଭୁବନେଶ୍ୱର ମହାନଗର ନିଗମ ୨୦୧୧-୧୨ରୁ ୨୦୧୩-୧୩ ପର୍ଯ୍ୟନ୍ତ ତିନିବର୍ଷ ଧରି ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କା କରି ହୋଲ୍ଡିଂ ଟିକସ ଆଦାୟ କରିଥିବା ବେଳେ ୨୦୧୪-୧୫ ବର୍ଷରେ ୪୯ କୋଟି ହୋଲ୍ଡିଂ ଟିକସ ଆଦାୟର ଲକ୍ଷ୍ୟ ରଖି ମାତ୍ର ୨୫ କୋଟି ଟଙ୍କା ସଂଗ୍ରହ କରିଥିଲା। ୨୦୧୫-୧୬ ବର୍ଷରେ ଏହି ମହାନଗର ନିଗମ ୪୭ କୋଟି ୬୮ ଲକ୍ଷ ଟଙ୍କାର ହୋଲ୍ଡିଂ ଟିକସ ପାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ସଂଗ୍ରହ କରିଥିଲା ୨୩ କୋଟି ୮୯ ଲକ୍ଷ ଟଙ୍କା।

 

ସେହିପରି କଟକ ମହାନଗର ନିଗମ ୨୦୧୨-୧୩ ବର୍ଷରେ ୬ କୋଟି ୩୦ ଲକ୍ଷ ଟଙ୍କାର ହୋଲ୍ଡିଂ ଟିକସ ଆଦାୟ ପାଇଁ ଲକ୍ଷ୍ୟ ରଖି ମାତ୍ର ୨ କୋଟି ୮୪ ଲକ୍ଷ ଟଙ୍କା ଆଦାୟ କରିଥିବା ବେଳେ ବର୍ଷକୁ ବର୍ଷକୁ ଏହି ପରିମାଣ ବୃଦ୍ଧି ପାଇ ୨୦୧୬-୧୭ ବର୍ଷ ଲାଗି ୧୦ କୋଟି ଟଙ୍କାର ହୋଲ୍ଡିଂ ଟିକସ ଆଦାୟ ଲାଗି ଲକ୍ଷ୍ୟ ଥିବା ବେଳେ ଆଦାୟ ହୋଇଛି ମାତ୍ର ୮ କୋଟି ୫୫ ଲକ୍ଷ ଟଙ୍କା। ବ୍ରହ୍ମପୁର ମହାନଗର ନିଗମ ଏ ବର୍ଷ ୬ କୋଟି ୯୭ ଲକ୍ଷ ଟଙ୍କାର ହୋଲ୍ଡିଂ ଟିକସ ଆଦାୟ ପାଇଁ ସଜବାଜ ହେଉଥିବା ବେଳେ ୨୦୧୬-୧୭ ବର୍ଷରେ ୬ କୋଟି ୩୯ ଲକ୍ଷ ଟଙ୍କାର ହୋଲ୍ଡିଂ ଟିକସ ପ୍ରସ୍ତାବ ରଖି ଆଦାୟ କରିଥିଲା ୪ କୋଟି ୮ ଲକ୍ଷ ଟଙ୍କାର। ଏଠାରେ ଉଲ୍ଲେଖନୀୟ ଯେ ବ୍ରହ୍ମପୁର ମହାନଗର ନିଗମ ୨୦୧୨-୧୩ ବର୍ଷ ପାଇଁ ୫ କୋଟି ଟଙ୍କାର ହୋଲ୍ଡିଂ ଟିକସ ଆଦାୟ ଲାଗି ଲକ୍ଷ୍ୟ ରଖିଥିବା ବେଳେ ସଂଗ୍ରହ କରିଥିଲା ୨ କୋଟି ୫୩ ଲକ୍ଷ ଟଙ୍କାର।

 

୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ ବଳକା ବଜେଟ‌୍‍ ବ୍ୟବସ୍ଥା କରିଥିବା ବେଳେ କଟକ ଓ ବ୍ରହ୍ମପୁର କିନ୍ତୁ ସରକାରଙ୍କୁ ଦେଇଥିବା ବଜେଟ‌୍‍ ପ୍ରସ୍ତାବ ନିଅଣ୍ଟିଆ ରହିଛି। ଉକ୍ତ ବର୍ଷ ଲାଗି ଭୁବନେଶ୍ୱର ମହାନଗର ନିଗମ ଯେଉଁ ବଜେଟ‌୍‍ ପ୍ରସ୍ତାବ ଦେଇଛି ସେଥିରେ ୩୩୩,୬୮,୬୮,୧୧୧ ଟଙ୍କା ଆୟ ଦର୍ଶାଯାଇଥିବା ବେଳେ ବ୍ୟୟ ପାଇଁ ରହିଛି ୩୨୮,୯୭,୧୪,୪୦୬ ଟଙ୍କା। ସେହିପରି କଟକ ମହାନଗର ନିଗମା ୨୦୧୭-୧୮ ବର୍ଷରେ ୨୭୫,୯୮,୦୦,୨୬୦ ଟଙ୍କା ଅ।ୟ କରି ୨୭୪,୮୫,୦୦,୮୦୦ ଟଙ୍କା ବ୍ୟୟ କରିବେ ବୋଲି ବଜେଟ‌୍‍ ପ୍ରସ୍ତାବରେ ଦର୍ଶାଇଛି। ତେବେ ବ୍ରହ୍ମପୁର ମହାନଗର ନିଗମର ଉକ୍ତ ବର୍ଷ ଲାଗି ୧୮୬,୯୦,୯୬,୩୫୦ କୋଟି ଟଙ୍କାର ଆୟ ପ୍ରସ୍ତାବ ଥିବା ବେଳେ ବ୍ୟୟ ପାଇଁ ଲକ୍ଷ୍ୟ ରହିଛି ୨୧୫,୧୦,୩୭,୩୭୪ ଟଙ୍କା। ମନ୍ତ୍ରୀଙ୍କ ଏହି ଉତ୍ତରରେ ରାଉରକେଲା ଓ ସମ୍ୱଲପୁର ମହାନଗର ନିଗମର ବଜେଟ‌୍‍ ପ୍ରସ୍ତାବ କିନ୍ତୁ ସ୍ଥାନ ପାଇନାହିଁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top