ବର୍ବାଦ ହେଲା ୧୪,୩୮୨ କୋଟି!

News Story - Posted on 2017-04-05

ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଏଯାବତ‌୍‍ ଓଡ଼ିଶାରେ ୧୪,୩୮୨ କୋଟି ଟଙ୍କା ବରାଦ ହେଲାଣି। କେନ୍ଦ୍ର ସରକାର ୨୦୦୧ ମସିହାରୁ ଏହି ଅଭିଯାନ ଆରମ୍ଭ କରିବା ପରଠାରୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ବିକାଶ ଲାଗି ଏଯାବତ‌୍‍ ପାଖାପାଖି ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ସର୍ବଶିକ୍ଷା ଅଭିଯାନ ଯୋଜନା ଲାଗି ଏଯାବତ‌୍‍ କେନ୍ଦ୍ର ସରକାର ଓଡ଼ିଶାକୁ ୮,୫୨୨ କୋଟି ୭୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ଏ ବାବଦରେ ରାଜ୍ୟ ସରକାର ତାଙ୍କ ଅଂଶଧନ ବାବଦକୁ ଦେଇଛନ୍ତି ୪,୯୦୮ କୋଟି ୩୫ ଲକ୍ଷ ଟଙ୍କା। ତ୍ରୟୋଦଶ ଅର୍ଥ କମିଶନ ସର୍ବଶିକ୍ଷା ଅଭିଯାନ ପାଇଁ ୫୮୦ କୋଟି ଟଙ୍କା ଓଡ଼ିଶାକୁ ଯୋଗାଇଥିବା ବେଳେ ବ୍ୟାଙ୍କ ସୁଧ ଓ ଅନ୍ୟାନ୍ୟ ବାବଦରେ ଏହି ଅଭିଯାନର ଆକାଉଣ୍ଟକୁ ମିଳିଛି ୩୭୧ କୋଟି ୨୮ ଲକ୍ଷ ଟଙ୍କା।

 

ଗଣଶିକ୍ଷା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ସର୍ବଶିକ୍ଷା ଅଭିଯାନ ଯୋଜନା ଆରମ୍ଭରୁ ଏଯାବତ‌୍‍ ଓଡ଼ିଶା ପାଇଁ ୧୪,୩୮୨ କୋଟି ୩୬ ଲକ୍ଷ ଟଙ୍କା ବରାଦ ହୋଇଥିବା ବେଳେ ସେଥିମଧ୍ୟରୁ ୧୨,୯୭୧ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ସରିଛି ଓ ଆଉ ୧୦୪୭ କୋଟି ୭୪ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦିଆଯାଇଛି।

 

ଏତେ ଟଙ୍କା ଖର୍ଚ୍ଚ ସତ୍ତ୍ବେ ଓଡ଼ିଶାର ସବୁ ଶିଶୁ ସ୍କୁଲ ମାଟି ମାଡ଼ି ନାହାନ୍ତି। ରାଜ୍ୟରେ ଏବେ ବି ନିରକ୍ଷରଙ୍କ ସଂଖ୍ୟା ୧ କୋଟି ଉପରେ। ତେବେ ଏ ଅର୍ଥ କ’ଣ ବରବାଦ ହେଲା ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।

 

ପୂର୍ବରୁ ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର ଯେଉଁ ବିସ୍ତୃତ ତଥ୍ୟ ଦେଇଥିଲେ ସେଥିରୁ ରାଜ୍ୟରେ ଥିବା ୩୪,୨୩୮ଟି ପ୍ରାଥମିକ ଓ ୧୭,୭୨୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୨୯,୯୪୪ଟି ପ୍ରାଥମିକ ଓ ୧୧,୭୪୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ଲାଗି ବଖରାଏ କରି ଶ୍ରେଣୀ ଗୃହ ନଥିବା ବେଳେ ୩୨,୫୫୩ ପ୍ରାଥମିକ ଓ ୧୨,୪୬୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲାଗି ପ୍ରତି ଶ୍ରେଣୀ ପାଇଁ ଜଣେ କରି ଶିକ୍ଷକ ନାହାନ୍ତି। ଏହାଛଡ଼ା ୩୩୮ଟି ବିଦ୍ୟାଳୟର ଆଦୌ ନିଜସ୍ୱ ଘର ନାହିଁ। ବ୍ୟାପକ କେନ୍ଦ୍ରୀୟ ସହାୟତା ସତ୍ତ୍ବେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଥିବାରୁ ଏକ ବିବୃତ୍ତିରେ ବିଧାୟକ ଶ୍ରୀ ରାୟ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଅନ୍ତତଃପକ୍ଷେ ରାଜ୍ୟର ସବୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ଲାଗି ବଖରାଏ କରି ଓ ଜଣେ କରି ଶିକ୍ଷକ ବ୍ୟବସ୍ଥା କରିବା ସହିତ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ପ୍ରାଥମିକ ସ୍ତରରୁ ପିଲାମାନଙ୍କର ମୂଳଦୁଆ ଯେପରି ମଜବୁତ‌୍‍ ହେବ ସେ ଦିଗରେ ସରକାରଙ୍କ ସମେତ ଦଳମତ ନିର୍ବିଶେଷରେ ସମସ୍ତେ କାମ କରିବାକୁ ନିବେଦନ କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top