୮୨୧ରୁ ନ୍ୟାକ୍‌ ପାଇଛନ୍ତି ୧୬୫

News Story - Posted on 2017-04-05

ଓଡ଼ିଶାରେ ୮୨୧ଟି ଉଚ୍ଚଶିକ୍ଷାନୁଷ୍ଠାନ ରହିଥିବା ବେଳେ ସେଥିରୁ ମାତ୍ର ୧୬୫ଟିର ନ୍ୟାକ‌୍‍ ମାନ୍ୟତା ରହିଛି। ଏ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରୁ ମାତ୍ର ଗୋଟିଏ ବିଶ୍ୱବିଦ୍ୟାଳୟ ‘ଏ’ ପ୍ଲସ‌୍‍ ଗ୍ରେଡ‌୍‍ ପାଇଥିବା ବେଳେ ୫ଟି ବିଶ୍ୱବିଦ୍ୟାଳୟ ଓ ୯ଟି କଲେଜର ‘ଏ’ ଗ୍ରେଡ‌୍‍ ମାନ୍ୟତା ଅଛି। ବିଧାୟକ ଦିଲିପ ରାୟ ଏକ ତାରକା ଚିହ୍ନିତ ପ୍ରଶ୍ନର ସିଧାସଳଖ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଦେଇଥିବା ପରିସଂଖ୍ୟାନରୁ ଏହା ଜଣାପଡ଼ିଛି।

 

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୧୧ଟି ସରକାରୀ ଓ ୪ଟି ବେସରକାରୀ ବିଶ୍ୱବିଦ୍ୟାଳୟ ଥିବା ବେଳେ ୫୧ଟି ସରକାରୀ ଓ ୬୪୨ଟି ଅନୁଦାନପ୍ରାପ୍ତ ବେସରକାରୀ କଲେଜ ରହିଛି। ରାଜ୍ୟର କଲେଜଗୁଡ଼ିକ ମଧ୍ୟରୁ ମାତ୍ର ୧୫୪ଟିର ନ୍ୟାକ‌୍‍ ମାନ୍ୟତା ଅଛି। ଏଥିମଧ୍ୟରୁ ମୋଟେ ୯ଟି କଲେଜର ‘ଏ’ ଗ୍ରେଡ‌୍‍ ନ୍ୟାକ‌୍‍ ମାନ୍ୟତା ଥିବା ବେଳେ ୧୨୫ଟିର ‘ବି’ ଗ୍ରେଡ‌୍‍ର ତିନି ପ୍ରକାରର ନ୍ୟାକ‌୍‍ ମାନ୍ୟତା ଅଛି। ଏହାଛଡ଼ା ଆଉ ୨୨ଟି କଲେଜର ନ୍ୟାକ‌୍‍ ମାନ୍ୟତା ଗ୍ରେଡ‌୍‍ ରହିଛି ‘ସି’।

 

ମନ୍ତ୍ରୀ ପୁଣି ଉଲ୍ଲେଖ କରିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନିଟକରେ ‘ଏ’ ପ୍ଲସ‌୍‍ ଗ୍ରେଡ‌୍‍ର ନ୍ୟାକ‌୍‍ ମାନ୍ୟତା ମିଳିଥିବା ବେଳେ କଟକର ଜାତୀୟ ଆଇନ‌୍‍ ବିଶ୍ୱବିଦ୍ୟାଳୟ, ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ‘ଏ’ ଗ୍ରେଡ‌୍‍ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ‘ବି’ ପ୍ଲସ‌୍‍ ଗ୍ରେଡ‌୍‍ର ନ୍ୟାକ‌୍‍ ମାନ୍ୟତା ମିଳିଛି। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ନ୍ୟାକ‌୍‍ ଅଟୋନୋମସ‌୍‍ କଲେଜ ଭାବେ ‘ଏ’ ଗ୍ରେଡ‌୍‍ର ନ୍ୟାକ‌୍‍ ମାନ୍ୟତା ଦେଇଛନ୍ତି। ବେସରକାରୀ କଲେଜଗୁଡ଼ିକ ମଧ୍ୟରେ ସେଞ୍ଚୁରିଆନ‌୍‍ ବିଶ୍ୱବିଦ୍ୟାଳୟର ନ୍ୟାକ‌୍‍ ମାନ୍ୟତା ରହିଛି। ଏହାଛଡ଼ା କିଟ‌୍‍ ଓ ସୋଆ ବିଶ୍ୱବିଦ୍ୟାଳୟର ମଧ୍ୟ ‘ଏ’ ଗ୍ରେଡ୍‌ ନ୍ୟାକ‌୍‍ ମାନ୍ୟତା ଥିବା ଜଣାପଡ଼ିଛି।

 

ଯେଉଁ କଲେଜଗୁଡ଼ିକର ‘ଏ’ ଗ୍ରେଡ‌୍‍ର ନ୍ୟାକ‌୍‍ ମାନ୍ୟତା ରହିଛି ସେଗୁଡ଼ିକ ହେଲା ଭଦ୍ରକ ସ୍ୱୟଂଶାସିତ କଲେଜ, ଶୈଳବାଳା ଡିଗ୍ରୀ କଲେଜ, ଖଲ୍ଲିକୋଟ ସ୍ୱୟଂଶାସିତ କଲେଜ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ, ବିଜେବି ସ୍ୱୟଂଶାସିତ କଲେଜ, ରାଜଧାନୀ ଡିଗ୍ରୀ କଲେଜ, ପ୍ରାଣନାଥ ସ୍ୱୟଂଶାସିତ କଲେଜ, ରମାଦେବୀ ମହିଳା ସ୍ୱୟଂଶାସିତ କଲେଜ ଓ ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜ।

 

ବ୍ୟାପକ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ବର୍ଷ ବର୍ଷ ଧରି ଖାଲି ପଡ଼ିବା ଫଳରେ ସଂଖ୍ୟାଧିକ ଉଚ୍ଚ ଶିକ୍ଷାନୁଷ୍ଠାନର ଓଡ଼ିଶାରେ ନ୍ୟାକ‌୍‍ ମାନ୍ୟତା ନଥିବାରୁ ରାଜ୍ୟ ‘ରୁଷା’ ଓ ‘ୟୁଜିସି’ ସମେତ ବ୍ୟାପକ ପରିମାଣର ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଦାନ ହରାଉଥିବା ଘେନି ବିଧାୟକ ଶ୍ରୀ ରାୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିଯୋଗୁ ଓଡ଼ିଶାରେ ଉଚ୍ଚଶିକ୍ଷା ଓ ଗବେଷଣା କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି ଏବଂ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନ ଆଶାନୁରୂପ ହେଉନାହିଁ। ରାଜ୍ୟ ସରକାର ତୁରନ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିରେ ଉନ୍ନତି ଆଣିବା ସହିତ ଆଗାମୀ ଗ୍ରୀଷ୍ମାବକାଶ ମଧ୍ୟରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ଲାଗି ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top