ଓଡିଶାକୁ ଖୋଜି ଖୋଜି ବାଟବଣା

News Story - Posted on 2017-04-04

 ମୃତ୍ୟୁଞ୍ଜୟ ବେହେରା

 

ତମେ ମାପିଚୁପି ଚିହ୍ନ ଦେଇ ଯାଇଥିବା

ଜାଗା ଖଂଡକ ଛଡା

ଆଉ କୋଉଠି କ’ଣ ଅଛି ହୋ ସାଆନ୍ତେ !

 

ଅଛନ୍ତି କି ମୁରବି ସାଜି

ଠେକା ପିନ୍ଧି ବାହାରି ପଡୁଥିବା

ମଧୁ ବାରିଷ୍ଟର ଭଳି ଜଣେ,

ନା ଲୁହକୁ ପୋଛି ଦେଉ ଦେଉ

ନିଜେ କାନ୍ଦି ପକାଉଥିବା ଦାସ ଆପଣେ?

 

ମୁଁ ତ ଏବେ ବାଟ ଭୂଲିଯାଉଛି ଛକ ଜାଗାରେ-

ଯୋଉ ଆଡେ ବିଜୁବାବୁ ହାତ ଦେଖାଇଛନ୍ତି

ସେ ଆଡକୁ ପାଦ ବଢେଇଲା ବେଳକୁ

ସେଇଟା ବିମାନ ବନ୍ଦର ପଡିଆ,

ବିଦେଶକୁ ଯିବାର ଠିକଣା

ଓଡିଶାକୁ ଖୋଜି ଖୋଜି ମୁଁ ଏବେ ବାଟବଣା।

 

ତୁମେ ତ ଠିକଣା ଦେଇଥିଲ-

ତାଳ ତମାଳ ଘେରା ଗାଁ . .ଝୋଟିଚିତାର ଘର,

ଭାଗବତ ଟୁଙ୍ଗିରୁ ଶୁଭୁଥିବ ଓଡିଶୀ କୀର୍ତ୍ତନ,

ସଞ୍ଜବତୀ ଜାଳୁଥିବ ଓଡିଆଣି ବୋହୂ,

ରୋଷଘରୁ ଆସୁଥିବ ମଂଡା ଆଉ ଚକୁଳିର ବାସ୍ନା,

ପାନ ବଟୁଆ ଖୋଲି ବସିଥିବେ ଅଜା ଆଇ,

ଅତିଥିଙ୍କ ପାଇଁ ପିଣ୍ଢାରେ ଥିବ ପାଣି ଢାଳେ,

ଦୋଳିରେ ଝୁଲୁଥିବ କୁନିଝିଅ ତଅପୋଇ।

ହେଲେ ଖୋଜି ପାଉନାହିଁ ହୋ ସାଆନ୍ତେ

କେଉଁଠି ଅଛି ସେମିତି ଓଡିଆ ଅସ୍ମିତା,

ଓଡିଆର ହୃଦୟ ଓ ଓଡିଆ ଗାଁର ଠିକଣା।

ଓଡିଶାକୁ ଖୋଜି ଖୋଜି ମୁଁ ଏବେ ବାଟବଣା।

 

ଓଡିଶା ବୋଲି ଯାହା ଦେଖିଲି

ତାହା ତ ରାଜପଥର ପ୍ରଜ୍ଞାପନ ମେଢ,

ସଂଗ୍ରହାଳୟରେ ସଂରକ୍ଷିତ ପାଇକ ପୁଅର ଖଂଡା,

ଠେସ ଦେଇ ଛିଡା ହୋଇଥିବା ଭଗ୍ନ କୋଣାର୍କ,

ମହାପ୍ରସାଦ ଦେଇ ଲୁଟୁଥିବା ବଡଦେଉଳ ପଂଡା!

 

ରେବତୀକୁ ଚିହ୍ନି ନଥିବା ଓଡିଆ ସାହିତ୍ୟିକ,

ବର୍ଣ୍ଣବୋଧ ଜାଣି ନଥିବା ଓଡିଆ ଦାୟାଦ,

ଜୟଦେବକୁ ଭୁଲିଯାଇଥିବା ଓଡିଶୀ ନୃତ୍ୟଶିଳ୍ପୀ,

ସୁରଟକୁ କାମ ଖୋଜି ବାହାରିଥିବା ଧର୍ମପଦ।

 

ଓଡିଶା ବୋଲି ଯାହା ଜାଣିଲି

ତାହା କଳାହାଂଡିର ଦାରିଦ୍ର୍ୟ . .ବଲାଙ୍ଗିରର ଦାଦନ,

ବିସ୍ଥାପିତ କୋରାପୁଟର କାନ୍ଦୁରା ମୁହଁ,

କନ୍ଧମାଳ ଓ ମାଲକାନଗିରିରେ ମାଓ ଆତଙ୍କ,

ବରଗଡରେ ଆତ୍ମହତ୍ୟା କରୁଥିବା ଚାଷୀପୁଅ,

ସ୍ମାର୍ଟସିଟିର ସ୍ୱପ୍ନରେ ରାହାଗିରିରେ ମାତିଥିବା ରାଜଧାନୀ,

ଗାଁଆ ଛାଡି ସହରକୁ ଛୁଟିଥିବା ଲୋକଙ୍କର ସୁଅ।

 

ଭ୍ରମରେ ପଡିଗଲି ହୋ ସାଆନ୍ତେ

ତୁମେ ଶୁଣାଇଥିବା କାହାଣୀ . . କିମ୍ୱଦନ୍ତୀ ନା ଇତିହାସ?

ତମେ ଚିହ୍ନାଇଥିବା ଓଡିଶା ବର୍ତ୍ତମାନ ନା ବିସ୍ମୃତ?

କୋଉଠି ଅଛି ଓଡିଆ ଅସ୍ମିତା ଆଉ ଓଡିଶା ଠିକଣା?

ଓଡିଶାକୁ ଖୋଜି ଖୋଜି ମୁଁ ଏବେ ବାଟବଣା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top