ସରକାର ପାଠ ପଢ଼ିନାହାନ୍ତି କି?

News Story - Posted on 2017-04-04

ପ୍ରକାଶ ପାଇଛି ଦେଶର ୧୦୦ ସର୍ବୋତ୍ତମ ଉଚ୍ଚଶିକ୍ଷା ସଂସ୍ଥାଙ୍କ ତାଲିକା। କେନ୍ଦ୍ର ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଇଥିବା ଏହି ତାଲିକାରେ ଓଡ଼ିଶାର ୪ଟି ସଂସ୍ଥାଙ୍କ ନାମ ଅଛି। ସେଥିରେ ଓଡ଼ିଶା ସରକାରଙ୍କ ପରିଚାଳିତ କୌଣସି ଶିକ୍ଷା ସଂସ୍ଥାଙ୍କ ନାମ ନାହିଁ। ତାଲିକାର ଏକ ନମ୍ୱର ସ୍ଥାନରେ ଅଛି ବେଙ୍ଗାଲୁରୁର ଇଣ୍ଡିଆନ ଇନ‌୍‍ଷ୍ଟିଚ୍ୟୁଟ ଅଫ‌୍‍ ସାଇନ୍ସ ଏବଂ ଦୁଇ ନମ୍ୱର ତାଲିକାରେ ଅଛି ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ।

 

ଗୁଣାତ୍ମକ ଶିକ୍ଷାର ବିଭିନ୍ନ ମାପଦଣ୍ଡ ବ୍ୟବହାର କରି କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଦେଶର ସର୍ବୋତ୍ତମ ଏକ ଶତ ଉଚ୍ଚ ଶିକ୍ଷା ସଂସ୍ଥାଙ୍କ ନାମ ତାଲିକା ଘୋଷଣା କରିଛି। ତାଲିକାର ୩୩ତମ ସ୍ଥାନରେ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ), ୪୬ତମ ସ୍ଥାନରେ ରାଉରକେଲାର ନ୍ୟାସନାଲ ଇନ‌୍‍ଷ୍ଟିଚ୍ୟୁଟ‌୍‍ ଅଫ‌୍‍ ଟେକ୍ନୋଲୋଜି(ଏନଆଇଟି), ୬୬ତମ ସ୍ଥାନରେ ଭୁବନେଶ୍ୱରର ଇଣ୍ଡିଆନ ଇନ‌୍‍ଷ୍ଟିଚ୍ୟୁଟ ଅଫ‌୍‍ ଟେକ୍ନୋଲୋଜି(ଆଇଆଇଟି) ଏବଂ ୭୯ତମ ସ୍ଥାନରେ ଭୁବନେଶ୍ୱରର କଳିଙ୍ଗ ଇନ‌୍‍ଷ୍ଟିଚ୍ୟୁଟ ଅଫ‌୍‍ ଇଣ୍ଡଷ୍ଟ୍ରିଆଲ‌୍‍ ଟେକ୍ନୋଲୋଜି(କିଟ‌୍‍) ରହିଛନ୍ତି। ଉଭୟ ସୋଆ ଓ କିଟ‌୍‍ ଘରୋଇ ବିଶ୍ୱବିଦ୍ୟାଳୟ ହୋଇଥିଲାବେଳେ ଏନଆଇଟି ଓ ଆଇଆଇଟି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ଓଡ଼ିଶା ସରକାରଙ୍କ ପରିଚାଳିତ କୌଣସି ବିଶ୍ୱବିଦ୍ୟାଳୟ ବା କଲେଜ‌୍‍ ଏହି ତାଲିକାରେ ନାହିଁ।

 

ତାଲିକାର ପ୍ରଥମ ସ୍ଥାନରେ ଅଛି ବେଙ୍ଗାଲୁରୁରୁ ଆଇଆଇଏସସି ଓ ଦ୍ୱିତୀୟରେ ଦିଲ୍ଲୀର ଜେଏନୟୁ। ଜେଏନୟୁ ଦକ୍ଷିଣପନ୍ଥୀ ଉଗ୍ରବାଦୀମାନେ ବାମପନ୍ଥୀ ଉଗ୍ରବାଦୀଙ୍କ ଏନ୍ତୁଡ଼ିଶାଳ ଭାବେ ବର୍ଣ୍ଣନା କରାଯାଏ।

 

କେନ୍ଦ୍ର ସରକାରଙ୍କ ନ୍ୟାସନାଲ ବ୍ୟୁରୋ ଅଫ‌୍‍ ଆକ୍ରେଡିଟେସନ ତରଫରୁ ଶିକ୍ଷାଦାନ, ଶିକ୍ଷା ସମ୍ୱଳ, ଫଳାଫଳ, ଚିନ୍ତାଧାରା, ବ୍ୟାପକତା ଓ ଗବେଷଣା ଆଦିକୁ ମାପଦଣ୍ଡ ଭାବେ ଗ୍ରହଣ କରାଯାଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହିସବୁ ମାପଦଣ୍ଡ ଆଧାରରେ ମୋଟ ୫ ପ୍ରକାର ସର୍ବୋତ୍ତମ ଶିକ୍ଷା ସଂସ୍ଥା ତାଲିକା ପ୍ରକାଶ ପାଇଛି। ସର୍ବୋତ୍ତମ ଶିକ୍ଷା ସଂସ୍ଥା, ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ, ସର୍ବୋତ୍ତମ ଇଂଜିନିଅରିଂ ଶିକ୍ଷାନୁଷ୍ଠାନ, ସର୍ବୋତ୍ତମ ପରିଚାଳନା ଶିକ୍ଷାନୁଷ୍ଠାନ ଓ ସର୍ବୋତ୍ତମ ପାର୍ମାସୀ ଶିକ୍ଷାନୁଷ୍ଠାନ ଆଦି ପାଞ୍ଚଟି ତାଲିକା ହୋଇଛି।

 

ଆଆଇଏସସି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ଏକ ନମ୍ୱର ତାଲିକାରେ ଥିବାବେଳେ ଅହମଦାବାଦର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ‌୍‍ ମ୍ୟାନେଜମେଣ୍ଟ ପରିଚାଳନା ତାଲିକାରେ ଏକ ନମ୍ୱର ସ୍ଥାନ ହାସଲ କରିଛି। ମାଡ୍ରାସର ଆଇଆଇଟି ଇଂଜିନିଅରିଂ ଏବଂ ଦିଲ୍ଲୀର ଜାମିଆ ହମଦର୍ଦ ଫାର୍ମାସୀ ଶିକ୍ଷା କ୍ଷେତ୍ରରେ ଏକ ନମ୍ୱର ସ୍ଥାନ ହାସଲ କରିଛନ୍ତି। ସେହିପରି ଦିଲ୍ଲୀର ମିରାଣ୍ଡା ହାଉସ‌୍‍ ଦେଶର ଶ୍ରେଷ୍ଠ କଲେଜର ମାନ୍ୟତା ଅର୍ଜନ କରିଛି।

 

ଓଡ଼ିଶା ସରକାରଙ୍କ ପରିଚାଳିତ କୌଣସି ଶିକ୍ଷା ସଂସ୍ଥା ଏହି ତାଲିକାରେ ନରହିବା ରାଜ୍ୟ ସରକାରଙ୍କ ଅପାରଗତା ଓ କୁଶାସନର ଅନ୍ୟ ଏକ ପ୍ରମାଣ ଉପସ୍ଥାପନ କରୁଛି। ଏକଦା ଭାରତବର୍ଷରେ ନାଁ କମେଇଥିବା ରେଭେନ୍ସା କଲେଜ ଓ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜ୍ୟ ସରକାରଙ୍କ ଅଧୀନସ୍ତ ପ୍ରାୟ ସମସ୍ତ ବିଶ୍ବ ବିଦ୍ୟାଳୟ ଓ କଲେଜର ରାଜନୀତିକରଣ ତଥା ଦୁର୍ନୀତି ଯୋଗୁଁ ଚରମ ଅଧୋଗତିର ସମ୍ମୁଖୀନ ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ବର୍ଷ ବର୍ଷ ଧରି ଶିକ୍ଷା ଓ ପରିଚାଳନା ସଂପର୍କୀତ କର୍ମଚାରୀ ସଂକଟ ଲାଗି ରହିଛି। କୁପରିଚାଳନା ହେତୁ ସବୁ ସଂସ୍ଥାରେ ଧର୍ମଘଟ, ସବୁଠି ଗୁଣ୍ଡାରାଜ ଓ ଅରାଜକତା। ଜଣାପଡ଼ୁଛି ଯେମିତି ଖୋଦ ଓଡ଼ିଶା ସରକାରରେ ଶିକ୍ଷା ଓ ସଂସ୍କାରର ଘୋର ଅଭାବ ରହିଛି। ସେଥିପାଇଁ ସେମାନେ ରାଜ୍ୟର ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ସୁବିଧା ଯୋଗାଇଦେବାରେ ବିଫଳ ହୋଇଚାଲିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top