ଓଓଏ, ଓସିଏରେ ବେହେରାରାଜ୍‌ ଶେଷ!

News Story - Posted on 2017-04-04

ଓଡ଼ିଶା ଅଲିମ୍ପିକ ଆସୋସିଏସନର ଜମି ଜବରଦଖଲ ବେଆଇନ ଘୋଷଣା କରିଛନ୍ତି ସୁପ୍ରିମ କୋର୍ଟ। ତୁରନ୍ତ ଏହି ଜମିକୁ ନିଜ କବ୍ଜାକୁ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହା ସହିତ ଏହି ଜମିରେ ତିଆରି ହୋଇଥିବା ଦୋକାନ ଘର ଓ ବାରବାଟୀ ପ୍ୟାଲେସର ଭଡ଼ା କେଳେଙ୍କାରୀର ସିବିଆଇ ତଦନ୍ତ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କର ଏହି ନିର୍ଦ୍ଦେଶ ଓଡ଼ିଶା ଅଲିମ୍ପିକ ଆସୋସିଏସନ ସାଧାରଣ ସଂପାଦକ ଆଶୀର୍ବାଦ ବେହେରାଙ୍କ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। କୋର୍ଟଙ୍କର ଏହି ନିର୍ଦ୍ଦେଶ ପରେ ଉଭୟ ଓଡ଼ିଶା ଅଲିମ୍ପିକ ଆସୋସିଏସନ ଓ ଓଡ଼ିଶା କ୍ରିକେଟ ଆସୋସିଏସନରେ ଆଶୀର୍ବାଦ ବେହେରାଙ୍କ ଦୁର୍ନୀତିପୂର୍ଣ୍ଣ ଶାସନର ଅନ୍ତ ହୋଇଛି ବୋଲି ବିଶ୍ବାସ କରାଯାଉଛି।

 

ବିଚାରପତି ଦୀପକ ମିଶ୍ର ଓ ପିସି ପନ୍ଥଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏ ସଂପର୍କରେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲଙ୍କ ରିପୋର୍ଟକୁ ଗ୍ରହଣ କରିଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏସନର ଏହି ଜମିରେ ୨୩ଟି ଦୋକାନ ଘର ଓ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଏଥିରୁ ବର୍ଷବର୍ଷ ଧରି ଭଡ଼ା ଆଦାୟ କରାଯାଉଛି। ରାଜ୍ୟ ରାଜସ୍ୱ ପ୍ରଶାସନ ଏସବୁ ଘରର ଭଡ଼ା ଆଦାୟ କରିବା ସହିତ ଏହାକୁ ମରାମତି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରାୟ ବିରୋଧରେ କୌଣସି ଭଡ଼ାଟିଆ ଏହିସବୁ ଦୋକାନ ଘର ଓ କଲ୍ୟାଣ ମଣ୍ଡପ ନେଇ କୌଣସି ପ୍ରକାର ମକଦ୍ଦମା କରିପାରିବେ ନାହିଁ ବୋଲି ମଧ୍ୟ ସୁପ୍ରିମ କୋର୍ଟ କହିଛନ୍ତି। ତେବେ ସରକାର ଯଦି ଚାହିଁବେ ଏହି ସଂପତ୍ତିର ପରିଚାଳନା ପାଇଁ କାହା ସହିତ ସାନି ଚୁକ୍ତି କରିବା ଦରକାର ତାହା କରାଯାଇ ପାରିବ ବୋଲି କୋର୍ଟ ଅନୁମତି ଦେଇଛନ୍ତି।

 

ଏହି ମାମଲାରେ ସୁପ୍ରିମ କୋର୍ଟ ଓଡ଼ିଶା ଅଲିମ୍ପିକ ଆସୋସିଏସନର ସାଧାରଣ ସଂପାଦକ ଆଶୀର୍ବାଦ ବେହେରାଙ୍କ ଆଚରଣକୁ ଭର୍ତ୍ସନା କରିବା ସହିତ ଆସୋସିଏସନ ନିର୍ବାଚନରେ ସେ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି କହିଛନ୍ତି। କୋର୍ଟ ମଧ୍ୟ ଏହି କଲ୍ୟାଣ ମଣ୍ଡପ ବା ବାରବାଟୀ ପ୍ୟାଲେସର ପରିଚାଳନା ପାଇଁ ଓଡ଼ିଶା ଅଲିମ୍ପିକ ଆସୋସିଏସନ ଓ ଇନକନ ଆସୋସିଏଟ୍ସ ମଧ୍ୟରେ ହୋଇଥିବା ଚୁକ୍ତିକୁ ରଦ୍ଦ କରିଦେଇଛନ୍ତି। ଇନକନ ଆସୋସିଏଟସର ଅଂଶୀଦାର ହେଲେ ଆଶୀର୍ବାଦଙ୍କ ପୁଅ। ବାରବାଟୀ ପ୍ୟାଲେସରୁ ସେ ହିଁ ଭଡ଼ା ଆଦାୟ କରୁଥିଲେ।

 

ଓଡ଼ିଶା ହାଇକୋର୍ଟ ଏ ନେଇ ପୂର୍ବରୁ ଦେଇଥିବା ରାୟ ବିରୋଧରେ ଓଡ଼ିଶା ଅଲିମ୍ପିକ ଆସୋସିଏସନ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ଜମି ଜବରଦଖଲ ଉଚ୍ଛେଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ମଧ୍ୟ ଏହାର ତଦନ୍ତ କରିବା ପାଇଁ ରାଜ୍ୟ କ୍ରାଇମ ବ୍ରାଞ୍ଚ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

 

ସୂଚନାଯୋଗ୍ୟ ଯେ ବାରବାଟୀ ଦୁର୍ଗ ନିକଟରେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାର ଓଡ଼ିଶା ଅଲିମ୍ପିକ ଆସୋସିଏସନକୁ ୨୦ ଏକର ଜମି ଲିଜ‌୍‍ ଦେଇଥିଲେ। ପରେ ଷ୍ଟାଡିୟମକୁ ଲାଗି ରହିଥିବା ଆଉ ୨ ଏକର ସରକାରୀ ଜମିକୁ ଅଲିମ୍ପିକ ଆସୋସିଏସନ ଜବରଦଖଲ କରିଥିଲା। ୧୯୮୬ ମସିହାରେ ଅଲିମ୍ପିକ ଆସୋସିଏସନ ଏହି ଜମିକୁ ଇନକନ ଆସୋସିଏଟ୍ସକୁ ସବଲିଜ‌୍‍ ଦେଇଥିଲା। ଏହି ଜବରଦଖଲ ଜମିରେ ବାରବାଟୀ ପ୍ୟାଲେସ ଓ ୨୩ ଦୋକାନ ଘର ନିର୍ମାଣ କରାଯାଇଥିଲା। ଏହାକୁ ଭଡ଼ା ଦେଇ ଗତ ଦୁଇ ଦଶନ୍ଧି ମଧ୍ୟରେ କୋଟିକୋଟି ଟଙ୍କା ଆଦାୟ କରାଯାଇଛି। ଏବେ ଏହାର ତଦନ୍ତ କରିବ ସିବିଆଇ।

 

ବର୍ଷ ବର୍ଷ ଧରି ଏହି ବେଆଇନ କାରବାର ଚାଲିଥିଲେ ମଧ୍ୟ ୨୦୦୦ ମସିହାରେ ରାଜ୍ୟ ସରକାର ଏହାକୁ ଉଚ୍ଛେଦ କରିବାକୁ ନୋଟିସ ଜାରି କରିଥିଲେ। ତେବେ ଓଡ଼ିଶା ଅଲିମ୍ପିକ ଆସୋସିଏସନ ଏହା ବିରୋଧରେ ତଳ କୋର୍ଟରେ ଏକ ମକଦ୍ଦମା କରି ୨୦୦୨ ମସିହାରେ ନିଜ ସପକ୍ଷରେ ଏକ ରାୟ ହାସଲ କରିଥିଲେ। ତଳ କୋର୍ଟର ଏହି ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଏହି ଜମି କାରବାରକୁ ବେଆଇନ ଘୋଷଣା କରିବା ସହିତ ଦୋକାନ ଘର ଓ ବାରବାଟୀ ପ୍ୟାଲେସ ଦଖଲ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କର ଏହି ରାୟ ବିରୋଧରେ ଅଲିମ୍ପିକ ଆସୋସିଏସନ ସୁପ୍ରିମ କୋର୍ଟରେ ଆବେଦନ କରିଥିଲା।

 

କ୍ରୀଡ଼ା ରାଜନୀତି ସହିତ ଜଡ଼ିତ ଆଶୀର୍ବାଦ ବେହେରା ଓଡ଼ିଶା ଅଲିମ୍ପିକ ଆସୋସିଏସନର ସାଧାରଣ ସଂପାଦକ ଭାବେ ଏହିସବୁ ଜାଲିଆତି କରିଥିବା ସୁପ୍ରିମ କୋର୍ଟଙ୍କ ରାୟରୁ ସାବିତ ହୋଇଯାଇଛି। ଓଡ଼ିଶା ଅଲିମ୍ପିକ ଆସୋସିଏସନ ବାରବାଟୀ ଷ୍ଟାଡିୟମକୁ ଓଡ଼ିଶା କ୍ରିକେଟ ଆସୋସିଏସନକୁ ହସ୍ତାନ୍ତର କରିଛି। ଓଡ଼ିଶା କ୍ରିକେଟ ଆସୋସିଏସନର ମଧ୍ୟ ସଂପାଦକ ଥିଲେ ଆଶୀର୍ବାଦ। ସୁପ୍ରିମ କୋର୍ଟଙ୍କର ଅନ୍ୟ ଏକ ରାୟ ବଳରେ ସେ ସେହି ପଦ ହରାଇଛନ୍ତି। ଏବେ ଅଲିମ୍ପିକ ଆସୋସିଏସନର ପଦ ମଧ୍ୟ ଯିବ।

 

ଓସିଏରେ ତାଙ୍କ ଅଧ୍ୟକ୍ଷତାର ପ୍ରାୟ ୫୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶ ପାଇସାରିଛି। ଏହା ଉପରେ ଏବେ ବିସିସିଆଇର ସ୍ବତନ୍ତ୍ର ଅଡିଟ ଚାଲିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top