ଓଡିଆ ଭାଷାର ଆଗତ ଭବିଷ୍ୟ

News Story - Posted on 2017-04-02

ଡଃ ହେମନ୍ତ ମହାପାତ୍ର

 

ଓଡିଶା ସରକାର ଘୋଷଣା କରିଥିଲେ ଯେ ୨୦୧୬ ମସିହା ଅଗଷ୍ଟ ୧୬ ତାରିଖଠାରୁ ଓଡିଶାରେ ଓଡିଆ ଭାଷାରେ ଶାସନ କାର୍ଯ୍ୟ ଚାଲିବ। ଅନେକ ଆଶା ନେଇ ଓଡିଆମାନେ ଏହି ଘୋଷଣାକୁ ସ୍ୱାଗତ କଲେ। ଓଡିଆ ଭାଷାର ଗର୍ବଗୌରବକୁ ଜାଜ୍ଜ୍ବଲ୍ୟମାନ କରିବା ସପକ୍ଷରେ ଏହାଥିଲା ଏକ ଉଚିତ ପଦକ୍ଷେପ। ଏହାଦ୍ୱାରା ପ୍ରଶାସନ ସାଧାରଣ ଜନତାର ନିକଟବର୍ତ୍ତୀ ହେବ। କିନ୍ତୁ କେତେକ ବୁଦ୍ଧିଜୀବୀ ଏହାର କାର୍ଯ୍ୟକାରିତାକୁ ନେଇ ଆଶଙ୍କା ପ୍ରକାଶ କଲେ। ଓଡିଆ ଭାଷାକୁ ଅଣଦେଖା କରୁଥିବା ପକ୍ଷଙ୍କ ପାଇଁ ଦଣ୍ଡବିଧାନ କରିବାକୁ ଦାବି କଲେ। ସରକାରୀ ସ୍ତରରେ ଓଡିଆ ଭାଷାରେ କାମ ହେଉଛି କି ନାହିଁ, ଯଦି ହେଉଛି କେତେ ହେଉଛି, ଯଦି ନ ହେଉଛି କେଉଁଠି ହେଉ ନାହିଁ ଏସବୁ ଜାଣିବା ପାଇଁ କୌଣସି ସୁବିଧା ନାହିଁ। କିନ୍ତୁ ଏବେବି ଅନେକ ସରକାରୀ ବିଜ୍ଞାପନ ଇଂରାଜୀ ଭାଷାରେ ପ୍ରକାଶ ପାଉଛି। ଯାହା ଜଣାପଡୁଛି ସରକାରଙ୍କ ଘୋଷଣା ଠିକ‌୍‍ ଭାବରେ କାର୍ଯ୍ୟକାରୀ ହେଉନାହିଁ।

 

ଏ ପ୍ରବନ୍ଧରେ କିନ୍ତୁ ସରକାରୀ ଓଡିଆ ଭାଷା ସମ୍ପର୍କରେ ଅଧିକ ଆଲୋଚନା କରିବାର ଅଭିଳାଷ ନାହିଁ। ଓଡିଆ ସରକାରୀ ଭାଷା ହେଲେ ଓଡିଆ ଭାଷାର ମହତ୍ବ ବଢିବ, ସତକଥା। କିନ୍ତୁ ଓଡିଶା ଭାଷାର ସର୍ବାଙ୍ଗୀନ ଉନ୍ନତି ଓ ସୁରକ୍ଷା ପାଇଁ ଆମକୁ ଆହୁରି ଅନେକ କିଛି କରିବାକୁ ପଡିବ। ୨୦୦ ବର୍ଷରୁ ଅଧିକ ସମୟ ଇଂରାଜୀ ଓଡିଶାର ସରକାରୀ ଭାଷା ହୋଇରହିଛି। ଏହାଦ୍ୱାରା ଓଡିଆମାନଙ୍କର ଇଂରାଜୀ ଜ୍ଞାନର ଅଭିବୃଦ୍ଧି ହୋଇଛି କି? ଓଡିଆ ଜାତିର ଇଂରାଜୀ ଭାଷାରେ ପରିପକ୍ୱତା ଆସିଛି କି? ଯେଉଁ କିରାଣୀ ଓ ଅଧିକାରୀମାନେ ଦରଖାସ୍ତ, ଚିଠା, ଟିପ୍ପଣୀ ଇଂରାଜୀରେ ଲେଖୁଛନ୍ତି ସେମାନେ ଶୁଦ୍ଧ ଇଂରାଜୀରେ ଦଶଧାଡିଆ ପ୍ରବନ୍ଧଟିଏ ଲେଖିପାରିବେକି? ଓଡିଆ ଓଡିଶାର ରାଜଭାଷା ହେବା ଏକାନ୍ତ ବିଧେୟ। ଓଡିଆ ଭାଷାର ଏହା ସର୍ବନିମ୍ନ ଅଧିକାର। କିନ୍ତୁ ଓଡିଆ ରାଜଭାଷା ହେଲେ ସରକାରୀ କର୍ମଚାରୀ ଓ ଓଡିଶାର ସାଧାରଣ ଜନତାର ଓଡିଆ ଭାଷାରେ ଯେ ଆଶାତୀତ ବ୍ୟୁତ୍ପତି ଆସିଯିବ ଏକଥା ଭାବିବା ଭୁଲ।

 

ବିଧି ବ୍ୟବସ୍ଥା ଅନୁଯାୟୀ ଓଡିଆ ଭାଷା ଆଗରୁ ଏକ ସରକାରୀ ଭାଷାଥିଲା। ତେବେ ଏହା ଏକ ଅଚଳ ଆଇନ ହୋଇ ପଡିରହିଥିଲା। ଓଡିଆର ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଆଇନକୁ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ପୁଣି ତାହା ଅଚଳ ହୋଇଯାଇଥିଲା। ବର୍ତ୍ତମାନର ଅମଲାତାନ୍ତ୍ରିକ ସରକାର ଏ ଆଇନକୁ କେତେଦୂର କାର୍ଯ୍ୟକାରୀ କରିବେ ତା’ହା ଦେଖିବାକୁ ବାକିରହିଲା। ଦେଖାଯାଉ ଅଣ ଓଡିଆ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଅହଙ୍କାରକୁ ଅବଦମିତ କରି ସରକାରୀ ସ୍ତରରେ ଓଡିଆଭାଷା କେତେ ଆଗକୁ ଯିବାକୁ ସମର୍ଥ ହେଉଛି?

 

ଓଡିଆ ଭାଷାର ସମସ୍ୟା କିନ୍ତୁ ଅଲଗା। ଅନେକଗୁଡିଏ କାରଣରୁ ଏହାର ଉତ୍ତରଣ ବାଧାପ୍ରାପ୍ତ ହେଉଛି। ବେଳେ ବେଳେ ଆଶଙ୍କାଜାତ ହେଉଛି ଓଡିଆ ଭାଷା ଆଉ ଲୋପ ପାଇଯିବନି ତ! ଏପରି ଆଶଙ୍କା ପୁରାପୁରି ଅମୂଳକ ନୁହେଁ। ଏହା ସତ ଯେ ଆଜିବି ଚାରି କୋଟି ଓଡିଆ ଓଡିଆ କହୁଛନ୍ତି। ତାର ଭିତରୁ ଅନେକ କଥିତ ଆଦିବାସୀ ଭାଷା ବି କହୁଛନ୍ତି। କିନ୍ତୁ ସମସ୍ୟା ସେଠି ନାହିଁ। ଇଂରାଜୀ ମାଧ୍ୟମ ସ୍କୁଲର ପାସ କରୁଥିବା ପିଲାମାନେ ଓଡିଆ କହିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି। ଦୁର୍ଭାଗ୍ୟବଶତଃ ସେମାନେ ହିନ୍ଦୀ ଓ ଇଂରାଜୀ ଭାଷାରେ ସେମାନଙ୍କର ଭାବବ୍ୟକ୍ତ କରୁଛନ୍ତି। ବହି ପଢିବାର ଅଭ୍ୟାସ କମୁଛି। ବୈଦ୍ୟୁତିକ ଗଣମାଧ୍ୟମମାନଙ୍କରେ ବିକୃତ ଓଡିଆରେ ଭାବ ବିନିମୟ ହେଉଛି। ଓଡିଆ ସଂଳାପରେ ଏତେ ହିନ୍ଦୀ ଓ ଇଂରାଜୀ ଶବ୍ଦ ରହୁଛି ଯେ କେବଳ ଓଡିଆ ଜାଣିଥିବା ଶ୍ରୋତା ତାକୁ ବୁଝିପାରୁ ନାହିଁ। ଅନେକ କବିତା ଲେଖାଯାଉଛି, ଗଳ୍ପ, ଉପନ୍ୟାସ, ନାଟକ ପ୍ରବନ୍ଧ ମଧ୍ୟ ଲେଖାଯାଉଛି। କିନ୍ତୁ ପାଠକ ନାହାଁନ୍ତି। ଓଡିଆମାନଙ୍କର ପଠନମାନସିକତା ନାହିଁ। କମ୍ପ୍ୟୁଟର ମାଧ୍ୟମରେ, ସ୍ମାର୍ଟ ମୋବାଇଲ ମାଧ୍ୟମରେ ଓଡିଆ ଇ-ସାହିତ୍ୟ ପ୍ରସାରଣ ପାଇଁ ଚେଷ୍ଟା ହେଲାଣି। କିନ୍ତୁ ତାହା ଏକ ସାର୍ବଜନୀନ ବ୍ୟବସ୍ଥା ହୋଇପାରିବକି?

 

ଏଇଠି ଆମେ ଓଡିଆ ଭାଷାର ସାମର୍ଥ୍ୟ ସମ୍ପର୍କରେ ଆଲୋଚନା କରିବା। ବର୍ତ୍ତମାନ ବିଶ୍ୱର ଜ୍ଞାନ ବିଜ୍ଞାନ ଏବଂ ସମସ୍ତ ମାନବିକ ଚିନ୍ତନକୁ ଅଭିବ୍ୟକ୍ତ କରିବାକୁ ଏହା ସମର୍ଥ ତ!!! ସବୁ ବିଡମ୍ୱନା ସତ୍ତ୍ୱେ ଓଡିଆ ସାହିତ୍ୟ ସମୃଦ୍ଧ। ଅବଶ୍ୟ ଏହି ସାହିତ୍ୟ ପ୍ରତି ପାଠକୀୟ ସମ୍ୱେଦନଶୀଳତା କମ। ଖାଲି ଲେଖା ହେଲେ ଚଳିବ ନାହିଁ, ଏହା ପଠନ ଯୋଗ୍ୟ ହେବା ଉଚିତ। ସାଧାରଣ ପାଠକଟିଏ ଗପଟିଏ ବା କବିତାଟିଏ ପଢି ତା’ର ରସ ଆସ୍ୱାଦନ କରିବାର ଅଛି।  ଖାଲି ବହି ଛପାଇ ଲେଖକ ତାକୁ ବୈଠକ ଖାନାରେ ରଖି ସେହି ବହିପାଇଁ ପୁରସ୍କାର ଯୋଗାଡରେ ବ୍ୟସ୍ତ ହେଲେ ଚଳିବ ନାହିଁ। ଅଧିକାଂଶ ସମୟରେ ଅବାଞ୍ଛିତ ପୁସ୍ତକମାନଙ୍କ ପାଇଁ ପୁରସ୍କାର ସଂଗୃହୀତ ହେଉଛି। ଏହାର ଏକ ଖରାପ ସନ୍ଦେଶ ଲୋକମାନଙ୍କ ପାଖକୁ ଯାଉଛି। ଯଦି ପୁରସ୍କାରପ୍ରାପ୍ତ ପୁସ୍ତକଟିର ଗୁଣବତ୍ତା ଏୟା...ପୁରସ୍କାର ପାଇନଥିବା ପୁସ୍ତକମାନେ କେଡେ ନିକୃଷ୍ଟ ହୋଇନଥିବେ! ଏପରି ଏକ ବଦ୍ଧମୂଳଧାରଣା ପାଠକମାନଙ୍କ ମଧ୍ୟରେ ସ୍ୱତଃ ଜାତ ହୁଏ। ଗୋଟିଏ ସାଧାରଣ ପାଠକ କାହୁଁ ଜାଣିବ ପୁରସ୍କାରଟିଏ, ଉପଢୌକନଟିଏ ପାଇଁ ଏଠାରେ କି ମୂଷିକ ଦୌଡ ଚାଲେ, କେତେ ଶେଣାରେ ପାଣିଉଠେ! ଜଣେ ଆତ୍ମାଭିମାନୀ ସୁଲେଖକ ସେ ପେଞ୍ଚପାଞ୍ଚରେ ନ ପଶି ପାରିବା ସ୍ୱାଭାବିକ। ସାହିତ୍ୟିକମାନେ ଆତ୍ମପ୍ରଚାରରେ ବେଶୀ ଆଗ୍ରହୀ, ଲେଖା ଅପେକ୍ଷା ମଞ୍ଚାସୀନ ହେବାରେ ଅଧିକ ଆମୋଦିତ!!

 

ତେବେ ଖାଲି କ’ଣ ସାହିତ୍ୟର ସମ୍ଭାରକୁ ନେଇ ଭାଷା ବଞ୍ଚିବ? ଭାଷା ସମର୍ଥ ବୋଲି ଜଣାପଡେ ଯେତେବେଳେ ଜ୍ଞାନ, ବିଜ୍ଞାନ, ସାହିତ୍ୟ, ଇତିହାସ, ରାଜନୀତି, ବାଣିଜ୍ୟ, ଚିକିତ୍ସା ବିଜ୍ଞାନ ସବୁ ବିଷୟରେ ଭାଷା ଅଭିବ୍ୟକ୍ତ କରିବାରେ ସମର୍ଥ ହୁଏ। ତେଣୁ ଓଡିଆରେ ପାଠ୍ୟପୁସ୍ତକ ରଚନା ହେବା ନିହାତି ଆବଶ୍ୟକ। ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଓଡିଆରେ ଲେଖାଯାଉଛି। ପିଲାଏ ପଢୁଛନ୍ତି। ଅବଶ୍ୟ ଆଜିକାଲି ଇଂରାଜୀ ମାଧ୍ୟମ ଶିକ୍ଷାପ୍ରତି ଆଗ୍ରହ ବଢିଛି। ତେଣୁ କିଛି କିଶୋର କିଶୋରୀ ଓଡିଆରେ କଥାବାର୍ତ୍ତା କରୁଛନ୍ତି ସିନା ଲେଖା ପଢା କରୁନାହାନ୍ତି। ସବୁଠାରୁ ଅନ୍ତର୍ଦାହର ବିଷୟ ହେଲା ସେମାନେ ଓଡିଆ ନ ଜାଣିଥିବାରୁ ଗର୍ବ ଅନୁଭବ କରୁଛନ୍ତି। ଓଡିଶାର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଓଡିଆ ଭାଷାକୁ କଡାକଡି ପଢାଇବାର ଅଛି। ଚାକିରି କ୍ଷେତ୍ରରେ ଓଡିଆ ମାଧ୍ୟମକୁ ବ୍ୟବହାର କରିବାର ଅଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡିଆଭାଷାରେ ପାଠ୍ୟପୁସ୍ତକ ରଚନା। ସରକାର ପରିଚାଳିତ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ଉଦ୍ୟମ ଏ କ୍ଷେତ୍ରରେ ପର୍ଯ୍ୟାପ୍ତ ହେଉନାହିଁ। ଉତ୍କୃଷ୍ଟ ଓଡିଆ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଏହି ସଂସ୍ଥାପାଖରେ ପାଣ୍ଠିର ଅଭାବ। ସଠିକ ଲେଖକଙ୍କର ଚୟନ ହେଉନାହିଁ। ଭାଷା ସମୃଦ୍ଧ ହେବ ଯଦି ସେହି ଭାଷାମାଧ୍ୟମରେ ବିଭିନ୍ନ ଜ୍ଞାନ ବିଜ୍ଞାନର ପୁସ୍ତକ ରଚନା ହୋଇପାରିଲା। ବିଶ୍ୱପ୍ରସିଦ୍ଧ ପୁସ୍ତକମାନଙ୍କର ଓଡିଆରେ ଅନୁସୃଜନ ମଧ୍ୟ ଓଡିଆ ଭାଷାକୁ ସମୃଦ୍ଧ ଓ ଅଧିକ ଗ୍ରହଣୀୟ କରିବ। ଉଚ୍ଚସ୍ତରରେ ପାଠ୍ୟପୁସ୍ତକ ଗୁଡିକ ଯେତେ ଉତ‌୍‍କୃଷ୍ଟ ହେବ, ଯେତେ ପାଠଯୋଗ୍ୟ ହେବ ଭାଷା ସେତେ ଋଦ୍ଧିମନ୍ତ ହେବ ପାଠ୍ୟପୁସ୍ତକ ପ୍ରକାଶ ପାଇଁ ଏକ ଅଭିଯାନ ଚାଲୁ-ଉଭୟ ସରକାରୀ ଓ ବେସରକାରୀ ସ୍ତରରେ।

 

ଓଡିଶାର ଅଧିକାଂଶ ଛାତ୍ରଛାତ୍ରୀ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପଢନ୍ତି। ସେଠାରେ ଦକ୍ଷ ଓଡିଆଭାଷା ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ। ସେଥିପାଇଁ କଲେଜ ସ୍ତରରେ ଓ ପ୍ରଶିକ୍ଷଣ ମହାବିଦ୍ୟାଳୟ ମାନଙ୍କରେ ଭାଷା ଓ ସାହିତ୍ୟ ଶିକ୍ଷାକୁ କଡାକଡି କରାଯିବାର ଆବଶ୍ୟକତା ଅଛି। ମହାବିଦ୍ୟାଳୟସ୍ତରରେ ଓଡିଆ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦିଅନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶୁଦ୍ଧ ତ ଶୁଦ୍ଧ କାମଚଳା ଓଡିଆ ବି ଲେଖିପାରୁନାହାନ୍ତି। ସ୍ନାତକୋତ୍ତରରେ ଓଡିଆ ମାଧ୍ୟମରେ ଲେଖିବାର ସୁଯୋଗ ନାହିଁ। ଏମ‌୍‍.ଫିଲ ଓ ପିଏଚଡି ସନ୍ଦର୍ଭ ମଧ୍ୟ ଓଡିଆରେ ଲେଖିବାର ବ୍ୟବସ୍ଥା ନାହିଁ। ଏମିତିକି ବିଷୟ ଭିତ୍ତିକ ଗବେଷଣା ପତ୍ରିକାମାନଙ୍କରେ ବି ଓଡିଆରେ ଲେଖିବାର ପ୍ରାବଧାନ ନାହିଁ।

 

ଓଡିଆ ଭାଷାର ପ୍ରସାରଣ କ୍ଷେତ୍ରରେ ଓଡିଆ ସମ୍ୱାଦପତ୍ରମାନେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି। ବେଳେ ବେଳେ ଲାଗେ ସେହିମାନେ ହିଁ ଓଡିଆ ଭାଷାକୁ ଆଗକୁ ନେବେ। ଏ କ୍ଷେତ୍ରରେ ପତ୍ର ପତ୍ରିକାମାନଙ୍କର ଯୋଗଦାନ ଆଶାନୁରୂପ ନୁହେଁ। ନିୟମିତ ପ୍ରକାଶ ପାଉଥିବା ପତ୍ରିକାମାନଙ୍କର ସଂଖ୍ୟା ଅତିମାତ୍ରାରେ କମ। ପ୍ରକାଶନ ସଂସ୍ଥାମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସାହିତ୍ୟ ବ୍ୟତୀତ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ଜ୍ଞାନ ବିଜ୍ଞାନ ସମ୍ୱଳିତ ପୁସ୍ତ ପ୍ରକାଶିତ ହେବାର ଆବଶ୍ୟକ ଅଛି। ସେଗୁଡିକ ଉତ‌୍‍କୃଷ୍ଟ ରୁଚିର ଓ ଆକର୍ଷଣୀୟ ହେବା ବିଧେୟ।

 

ଆମେମାନେ ଯେଉଁ ସମୟ ଦେଇ ଗତି କରୁଛେ ତାହା ଆଞ୍ଚଳିକ ଭାଷାମାନଙ୍କ ପାଇଁ ଏକ କଷ୍ଟକର ସମୟ। ଗପ କବିତା ଆଗରୁ ଥିଲା ସମୟ କଟାଇବାର ଏକ ମାଧ୍ୟମ। ସମୟ ବି କଟୁଥିଲା, ସାହିତ୍ୟ ରସରେ ଆମୋଦ ବି ମିଳୁଥିଲା। ବର୍ତ୍ତମାନ କିନ୍ତୁ ସମୟ ନାହିଁ, ସମୟ କଟାଇବାର ବାଧ୍ୟବାଧ୍ୟକତା ନାହିଁ। ଲୋକମାନଙ୍କ ହାତକୁ ଆସିଛି ଫେସବୁକ, ଟୁଇଟର, ହ୍ୱାଟସଆପ ଥିବା ମୋବାଇଲ ଫୋନ। ସମୟ କଟାଇବାର ଅଲଗା ଅଲଗା ମାଧ୍ୟମ। କାମଦାମ ସାରି ବା କାମ କଲାବେଳେ ଗୃହଲକ୍ଷ୍ମୀମାନେ, କିଶୋର କିଶୋରୀ ଯୁବକ ଯୁବତୀମାନେ ମୋବାଇଲ ଫୋନ ଧରି ବସୁଛନ୍ତି। ମାନସିକ କସରତ କରିବାକୁ କା ପାଖରେ ବେଳ ନାହିଁ କି କାହାର ଇଚ୍ଛା ନାହିଁ। ସାହିତ୍ୟ ପ୍ରତି ଏହା ଏକ ବଡ ଆହ୍ୱାନ। ନୂଆ ନୂଆ ବ୍ୟସ୍ତରହିବାର ମାଧ୍ୟମ, ନୂଆ ନୂଆ ଆମୋଦ ପ୍ରମୋଦର ମାଧ୍ୟମ। ପାରମ୍ପରିକ ସାହିତ୍ୟ ସ୍ୱତଃ ଅବହେଳିତ। ସେଇଥିପାଇଁ କବିଟିଏ ତା କବିତାକୁ ଫେସ ବୁକ‌୍‍ରେ ଛାଡୁଛି। ଗ୍ରୁପ ଗଢୁଛି। ପାଠ୍ୟପୁସ୍ତକମାନଙ୍କର ସ୍ଥାନ ମଧ୍ୟ େୱବସାଇଟମାନେ ନେଇସାରିଲେଣି। କେଉଁ ବିଷୟରେ ଜାଣିବାକୁ ଅଛି ତ ଉଇକିପିଡିଆ ଅଛି, ଆହୁରି କେତେ କଣ େୱବସାଇଟ। ବାସ... ହାତମୁଠାରେ ଜ୍ଞାନର ଗନ୍ତାଘର।

 

ଏହି ସବୁ ପରିସ୍ଥିତିକୁ ସାମ୍ନାକରି ଭାଷା ବଞ୍ଚିବ। ଭାବ ପରିପ୍ରକାଶର କାମ ଇଂରାଜୀ ଭାଷାର ଏକଚାଟିଆ ହୋଇଯିବନି! ଭାଷା (ଓଡିଆ) ବଞ୍ଚିବାର ଆବଶ୍ୟକତା ଅଛି। ଭାଷା ବିଲୁପ୍ତ ହେଲେ ଓଡିଆ ଅସ୍ମିତା ମଧ୍ୟ ବିଲୁପ୍ତ ହୋଇଯିବ। ତେଣୁ ଆମର ଭାଷାକୁ ଆମକୁ ଅଧିକ ରୁଚିଶୀଳ କରିବାକୁ ହେବ। ଏଥିରେ ବିବିଧତା ଭରିଦେବାକୁ ହେବ। ଦ୍ୱିଧାହୀନ ହୋଇ ଉତ୍ତରପିଢିକୁ ଓଡିଆରେ ଶିକ୍ଷାଦେବାକୁ ହେବ। ଭାଷା ସପକ୍ଷରେ ଏକ ସାଂସ୍କୃତିକ ଆନ୍ଦୋଳନ ହେବାର ଅଛି। ସାହିତ୍ୟକୁ କବଳିତ କରି ସାମାଜିକ ଫାଇଦା ହାସଲ କରୁଥିବା ଭାଷା ମାଫିଆମାନଙ୍କ ହାତରୁ ଓଡିଆ ସାହିତ୍ୟକୁ ଉଦ୍ଧାର କରି ଏହାକୁ ସାର୍ବଜନୀନ କରିବାକୁ ହେବ। ଓଡିଆ ସାହିତ୍ୟ ପ୍ରତି ଓଡିଆମାନଙ୍କର ଅନୁରକ୍ତି ସୃଷ୍ଟି କରିବାକୁ ହେବ।

 

୨୩, ଏକାମ୍ର ଭିଲ୍ଲା, ଜୟଦେବ ବିହାର, ଭୁବନେଶ୍ୱର - ୧୫


ପ୍ରତିକ୍ରିୟା

hemanta mohapatra - Email: hemantamohapatra@gmail.com - Posted on 2017-04-05 07:58:45

thanks Debendra babu

debasrita - Email: saisrita@gmail.com - Posted on 2017-04-05 08:02:44

powerful article

bijoy ojha - Email: bijoyojhahph@gmail.com - Posted on 2017-04-05 08:11:13

????? ??????? ???? ???????? ???

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top