୧୧୫ ଶୀତଳ ଭଣ୍ଡାରରୁ ୮୦ ବନ୍ଦ

News Story - Posted on 2017-04-01

ରାଜ୍ୟରେ ଥିବା ୧୧୫ଟି ଶୀତଳ ଭଣ୍ଡାର ମଧ୍ୟରୁ ମାତ୍ର ୩୫ଟି ସଚଳ ଥିବା ବେଳେ ୮୦ଟି ଅଚଳ। ଶୀତଳ ଭଣ୍ଡାର ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ଡା. ଦାମୋଦର ରାଉତ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ସେ କହିଛନ୍ତି ଯେ ରାଜ୍ୟରେ ଥିବା ୧୧୫ଟି ଶୀତଳ ଭଣ୍ଡାର ଭିତରୁ ୨୨ଟି ସରକାରୀ ଓ ୯୩ଟି ବେସରକାରୀ। ଏଗୁଡ଼ିକର ମୋଟ‌୍‍ ସଂରକ୍ଷଣ କ୍ଷମତା ୩,୧୩,୩୨୫ ମେଟ୍ରିକ‌୍‍ ଟନ‌୍‍। ଏହି ସରକାରୀ ଶୀତଳ ଭଣ୍ଡାରଗୁଡ଼ିକ ମଧ୍ୟରୁ ୧୮ଟି ସମବାୟଭିତ୍ତିକ ଥିବା ବେଳେ ଆଉ ୪ଟି ଉଦ୍ୟାନ ନିର୍ଦ୍ଦେଶକଙ୍କ ଅଧୀନରେ ରହିଛି। ଏ ସମସ୍ତ ଶୀତଳ ଭଣ୍ଡାର ଭିତରୁ ମାତ୍ର ୩୫ଟି ଚାଲୁଥିବା ବେଳେ ଏହାର ସଂରକ୍ଷଣ କ୍ଷମତା ୧,୬୮,୬୮୦ ମେଟ୍ରିକ‌୍‍ ଟନ‌୍‍ ରହିଛି। ଅନ୍ୟ ୮୦ଟି ଶୀତଳ ଭଣ୍ଡାର ଅଚଳ ହୋଇପଡ଼ିଛି। ସଂରକ୍ଷଣ କ୍ଷମତାର ପୂର୍ଣ୍ଣ ବିନିଯୋଗ ନ ହେବା, ପୁରୁଣା ଯନ୍ତ୍ରପାତି ଯୋଗୁ ଅଧିକ ବିଦ୍ୟୁତ‌୍‍ ଖର୍ଚ୍ଚ, ବିଦ୍ୟୁତ‌୍‍ ଦେୟ ଖିଲାପୀ, ପରିଚାଳନାଗତ ତ୍ରୁଟି ଓ କ୍ରମାଗତ କ୍ଷତି ଯୋଗୁ ଅନେକ ବର୍ଷ ଧରି ଏହି ଶୀତଳ ଭଣ୍ଡାରଗୁଡ଼ିକ ବନ୍ଦ ରହିଛି।

 

ରାଜ୍ୟରେ ଥିବା ୧୮ଟି ସମବାୟ ଶୀତଳ ଭଣ୍ଡାର ମଧ୍ୟରୁ ମାତ୍ର ୫ଟି ସଚଳ ଯାହାର ସଂରକ୍ଷଣ କ୍ଷମତା ୧୮,୫୦୦ ମେଟ୍ରିକ‌୍‍ ଟନ‌୍‍। ଅବଶିଷ୍ଟ ୧୩ଟି ସମବାୟ ଶୀତଳ ଭଣ୍ଡାର ଅଚଳ ହୋଇ ବର୍ଷ ବର୍ଷ ଧରି ପଡ଼ିରହିଛି, ଯାହାର ସଂରକ୍ଷଣ କ୍ଷମତା ଥିଲା ୧୭,୩୩୦ ମେଟ୍ରିକ‌୍‍ ଟନ‌୍‍। ଏହି ଅଚଳ ସମବାୟ ଶୀତଳ ଭଣ୍ଡାରଗୁଡ଼ିକ ମଧ୍ୟରୁ ୧୦ଟିକୁ ସହଭାଗିତା ଭିତ୍ତିରେ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଆଉ ୨୬ଟି ନୂତନ ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି। ଏହାଫଳରେ ଆଉ ୧,୧୩,୫୦୦ ମେଟ୍ରିକ‌୍‍ ଟନ‌୍‍ର ଅତିରିକ୍ତ ସଂରକ୍ଷଣ କ୍ଷମତା ସୃଷ୍ଟି ହୋଇପାରିବ।

 

ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଅଧୀନରେ ଥିବା ବିଭିନ୍ନ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ୧୧ଟି ନୂତନ ବହୁମୁଖୀ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଥିବା ସମବାୟ ମନ୍ତ୍ରୀ ସୂଚାଇଛନ୍ତି। ଏହାଛଡ଼ା ଅଚଳ ଶୀତଳ ଭଣ୍ଡାରଗୁଡ଼ିକୁ ସଚଳ କରିବା ପାଇଁ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ସାଧାରଣ ଅଞ୍ଚଳ ପାଇଁ ସର୍ବାଧିକ ୧୧୦ ଲକ୍ଷ ଟଙ୍କା ଓ ଅନୁସୂଚିତ ଅଞ୍ଚଳ ପାଇଁ ସର୍ବାଧିକ ୧୪୦ ଲକ୍ଷ ଟଙ୍କାର ରିହାତି ଦେବାକୁ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ସୂଚାଇଛନ୍ତି। ଏହାଛଡ଼ା ନୂତନ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସାଧାରଣ ଅଞ୍ଚଳମାନଙ୍କରେ ୫୫ ପ୍ରତିଶତ ବା ସର୍ବାଧିକ ୨୨୦ ଲକ୍ଷ ଟଙ୍କା ଓ ଅନୁସୂଚିତ ଅଞ୍ଚଳମାନଙ୍କରେ ୭୦ ପ୍ରତିଶତ ବା ସର୍ବାଧିକ ୨୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଶୀତଳ ଭଣ୍ଡାରଗୁଡ଼ିକୁ ବିଦ୍ୟୁତ‌୍‍ ଦେୟ ଉପରେ ୬ ବର୍ଷ ପାଇଁ ରିହାତି ଦେବାର ବ୍ୟବସ୍ଥା ରହିଛି ବୋଲି ସମବାୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

 

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ କୃଷକଙ୍କ ସମସ୍ୟା ବଢ଼ି ବଢ଼ି ଚାଲୁଥିବା ବେଳେ କୃଷି ଉପେକ୍ଷିତ ହୋଇ ରହିଛି ଯାହାର ସିଧାସଳଖ ପ୍ରମାଣ ହେଉଛି ରାଜ୍ୟରେ ଦୁଇତୃତୀୟାଂଶ ଶୀତଳ ଭଣ୍ଡାର ଅଚଳ ହୋଇପଡ଼ିବା। କୃଷିର ସମନ୍ୱିତ ବିକାଶ ପାଇଁ ଜଳସେଚନ, ଉନ୍ନତମାନର ବିହନ ଯୋଗାଣ, ସହଜ କୃଷି ଋଣ, ସବୁ କୃଷକଙ୍କୁ ବୀମାଭୁକ୍ତ କରିବା, ଯାନ୍ତ୍ରିକ କୃଷିର ପ୍ରସାର, କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ଉତ୍ପାଦିତ କୃଷି ସାମଗ୍ରୀର ଉପଯୁକ୍ତ ବିପଣନ ଓ ସଂରକ୍ଷଣ ସହିତ ମାଗଣାରେ କୃଷି ପାଇଁ ବିଦ୍ୟୁତ‌୍‍ ଯୋଗାଣ କରାଯାଇପାରିଲେ କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ଆର୍ଥିକ ବିକାଶ ହୋଇପାରିବ ବୋଲି ଏକ ବିବୃତ୍ତିରେ ବିଧାୟକ ଶ୍ରୀ ରାୟ କହିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top