୮ ଚିନିକଳରୁ ୬ ଅଚଳ

News Story - Posted on 2017-04-01

ଓଡ଼ିଶାରେ ଥିବା ୮ଟି ଚିନିକଳ ମଧ୍ୟରୁ ୬ଟି ଅଚଳ, ମାତ୍ର ୨ଟି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି। ମୋଟ‌୍‍ ୮ଟି ଚିନିକଳ ଭିତରୁ ୫ଟି ସମବାୟଭିତ୍ତିକ ଥିବା ବେଳେ ସେଥିରୁ ଆସିକା ଓ ବରଗଡ଼ର ସମବାୟ ଚିନି କଳ ଚାଲୁଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ସମବାୟ ଡା. ଦାମୋଦର ରାଉତ।

 

ସେ କହିଛନ୍ତି ଯେ ବଲାଙ୍ଗୀର ଜିଲ୍ଲାରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ, ନୟାଗଡ଼ ସମବାୟ ଚିନିଶିଳ୍ପ ଓ ବଡ଼ମ୍ୱା ସମବାୟ ଚିନିକଳ ଚାଲୁନାହିଁ। ଏଗୁଡ଼ିକ ଘରୋଇ ସଂସ୍ଥାକୁ ହସ୍ତାନ୍ତରିତ ହୋଇଛି। ତେବେ ଲକ୍ଷ୍ମୀପତି ବାଲାଜୀ ସୁଗାର ଓ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଭଳି ଘରୋଇ ସଂସ୍ଥା ସେମାନଙ୍କ ପରିଚାଳନାଗତ ଅକ୍ଷମତା ପ୍ରକାଶ କରି ଏହି ଚିନିକଳଗୁଡ଼ିକୁ ବନ୍ଦ ରଖିଛନ୍ତି।

 

ଢେଙ୍କାନାଳରେ ଥିବା ଶକ୍ତି ସୁଗାର୍ସ ଘରୋଇ ଚିନିକଳ ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ବେଳେ କଳାହାଣ୍ଡି ଜିଲ୍ଲା ନନ୍ଦନବଳ ଓ ରାୟଗଡ଼ାଠାରେ ଥିବା ଅନ୍ୟ ଦୁଇଟି ଚିନିକଳ ମଧ୍ୟ ବହୁ ବର୍ଷ ଧରି ବନ୍ଦ ରହିଛି। ତେବେ ବନ୍ଦ ରହିଥିବା ଚିନିକଳଗୁଡ଼ିକ ମଧ୍ୟରୁ ବିଜୟାନନ୍ଦ ସମବାୟ ଚିନିକଳ, ବଡ଼ମ୍ୱା ଚିନିକଳ ଓ ନୟାଗଡ଼ ଚିନିକଳକୁ ସେହି ଅଞ୍ଚଳର ଆଖୁଚାଷୀମାନଙ୍କ ସ୍ୱାର୍ଥରକ୍ଷା ଲାଗି ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଚାଲିଛି। ଏବେ ସମବାୟ ବିଭାଗ ଅଧୀନରେ ନୂତନ ଚିନିକଳ ପ୍ରତିଷ୍ଠା ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ଡା. ରାଉତ କହିଛନ୍ତି। ରାଜ୍ୟ ସରକାର ମେକ‌୍‍ ଇନ‌୍‍ ଓଡ଼ିଶା କନ‌୍‍କ୍ଲେଭ‌୍‍ କରି ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କଥା କହୁଥିବା ବେଳେ ଏଥିରେ ଗୋଟିଏ ହେଲେ କୃଷିଭିତ୍ତିକ ଶିଳ୍ପ କିମ୍ୱା ଚିନିକଳ ସ୍ଥାପନର ପ୍ରସ୍ତାବ ନାହିଁ। କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେଲେ ହିଁ ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟର ଆର୍ଥିକ ବିକାଶ ହୋଇପାରିବ ବୋଲି ବିଧାୟକ ଶ୍ରୀ ରାୟ କହିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top