ଓଡିଅା ଅାନ୍ଦୋଳନର ପ୍ରଥମ ଶହୀଦ

News Story - Posted on 2017-04-01

ଡକ୍ଟର ସୁବ୍ରତ କୁମାର ପୃଷ୍ଟି

 

ଭାରତର ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବରେ ଗଠିତ ହୋଇଥିବା ଓଡିଶାର ବୟସ 81 ହେଲା। ସେହିଭଳି ଓଡିଅା ଏକ ଗୌରବମୟ ପ୍ରାଚୀନ ମୌଳିକ ଭାଷା ଭାବରେ ଓଡିଅାଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ତୃତୀୟ ବର୍ଷ ଅତିକ୍ରମ କଲା।

 

ସ୍ବାଧୀନ ସଂଘୀୟ ଭାରତର ରାଜ୍ୟ ପୁନର୍ଗଠନ ପାଇଁ ଅାଦର୍ଶ ଥିବା ଓଡିଶାର 2500 ବର୍ଷର ଏହି ସମୃଦ୍ଧ ଭାଷା ଦକ୍ଷିଣପୂର୍ବ ଏସିଅା ପର୍ଯ୍ୟନ୍ତ ବ୍ୟାପ୍ତ ଥିବାର ସ୍ପଷ୍ଟ ପ୍ରମାଣ ମିଳେ। ଐତିହାସିକ ତଥ୍ୟ ଅନୁସାରେ ଓଡିଅା ଭାଷା ପାଇଁ ପ୍ରଥମ ରାଜନୈତିକ ପଟ୍ଟ ପରିବର୍ତ୍ତନ ହୁଏ ଏକାଦଶ ଶତାବ୍ଦୀରେ, ଯେତେବେଳେ ଦକ୍ଷିଣର ସାମନ୍ତରାଜା ଚୋଳଗଙ୍ଗ ଦେବ ସକଳୋତ୍କଳର ରାଜା ହୋଇ ଲୋକଭାଷା ଉଡ୍ର ବା ଓଡିଅାକୁ ପୁଣି ଥରେ ସଂସ୍କୃତ ସହିତ ରାଜଭାଷାର ମାନ୍ୟତା ଦେଲେ। ସେହିପରି ଦ୍ବିତୀୟ ପଟ୍ଟପରିବର୍ତ୍ତନ ପଂଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବଙ୍କ ଦ୍ବାରା ହୋଇ କେବଳ ଉଡ୍ର ବା ଓଡିଅା ଭାଷା ରାଜଭାଷାର ମାନ୍ୟତା ପାଇଲା। ତୃତୀୟ ଭାଷା ଅାନ୍ଦୋଳନ ହୋଇଥିଲା ଉନ୍ନବିଂଶ ଶତାବ୍ଦୀରେ, ଯେତେବେଳେ ଓଡିଅା ଅଂଚଳରେ ତେଲୁଗୁ, ହିନ୍ଦୀ ଓ ବଙ୍ଗଳାଭାଷାକୁ ରାଜଭାଷା ଭାବରେ ଘୋଷଣା କରାଗଲା।

 

ଦୁଃଖର କଥା ପ୍ରଥମ ଦୁଇ ଭାଷା ଅାନ୍ଦୋଳନର ବିସ୍ତୃତ ତଥ୍ୟ ନ ଥିବାବେଳେ ତୃତୀୟଟିର ତଥ୍ୟ ଅାମ ପାଖରେ ଗଚ୍ଛିତ ଥିଲେ ମଧ୍ୟ ଜାତି ବଦଳରେ ଜାତିଅାଣ ପ୍ରୀତି ଅଧିକ ଥିବାରୁ ଏହାର ସ୍ପଷ୍ଟ ଚିତ୍ର ଲୋକଲୋଚନକୁ ଅାସିପାରୁ ନାହିଁ।

 

ଓଡିଶାରେ ଇଂରେଜ ଶାସନର ଇତିହାସ ବେଶୀଦିନର ନୁହେଁ। ମୋଗଲ ଅଧିକୃତ ଓଡିଶାର 5 ଦଣ୍ଡପାଟ ମଧ୍ୟରୁ ଚିକାକୋଲ ଓ ରାଜମୁଣ୍ଡାରି ଦଣ୍ଡପାଟ 1726ରେ ସ୍ବତନ୍ତ୍ର ହାଇଦ୍ରାବାଦ ରାଜ୍ୟ ଗଠନ ହେବା ପରେ ଉତ୍ତର ସରକାର ନାମ ଗ୍ରହଣ କଲା। ଏହି ଅଂଚଳ ପ୍ରଥମେ ଫରାସୀ ଅଧୀନକୁ 1751ରେ ଓ 1754ରେ ଇଂରେଜ ଅଧୀକୃତ ହୋଇ ମାଡ୍ରାସ ସହିତ ମିଶିଲା। ଜଳେଶ୍ବର ଦଣ୍ଡପାଟ 1757ରେ ବଙ୍ଗଳା ସହିତ ମିଶିଲା। କଳାହାଣ୍ଡି, ସମ୍ବଲପୁର, ବସ୍ତର, ରାୟପୁର ଅାଦି ଅଂଚଳକୁ ଛୋଟନାଗପୁର କମିଶନର ଓ ପରେ 1863ରେ ମଧ୍ୟ ପ୍ରଦେଶ ସହ ମିଶିଲା। ତେବେ ମାଡ୍ରାସ ଅଧୀନସ୍ଥ ଓଡିଅା ଅଂଚଳ ବ୍ୟତୀତ ଅାଉ ସବୁ ଓଡିଅା ଅଂଚଳରେ ଓଡିଅା ଭାଷାରେ ସବୁ କାମ ହେଉଥିଲା। ଏହି ସମୟରେ ଚକରା ବିଶୋଇଙ୍କ ନେତୃତ୍ବରେ ଦେଖାଦେଇଥିବା କନ୍ଧ ବିଦ୍ରୋହ ଦମନରେ ବୌଦରାଜା ବିଫଳ ହେବାରୁ 1855ରେ ବୌଦର ଦକ୍ଷିଣ ଭାଗକୁ କନ୍ଧମାଳ ନାମକ ସ୍ବତନ୍ତ୍ର ତହସିଲ ସ୍ଥାପନ କରାଯାଇ ଇଂରେଜ ପ୍ରତ୍ୟକ୍ଷ ଶାସନରେ ରହିଲା। ଏହାର ବାଲିଗୁଡା ଉପଖଣ୍ଡ ସହ ନିକଟତମ ରାଜ୍ୟ ଘୁମୁସର ମାଡ୍ରାସ ଅଧୀନରେ ରହିଲା।

 

ବର୍ତ୍ତମାନର ନକସାଲ ଦମନ ଭଳି ସେହି ସମୟରେ ଏହି ଅଂଚଳର ଇଂରେଜ ବିରୋଧୀ ବିଦ୍ରୋହକୁ ଦୃଢଭାବରେ ଦମନ କରିବାପାଇଁ ମେରିଅା ପ୍ରଥା ବିଲୋପ ନାମକ ଏକ ଅଭିନବ କୌଶଳ ଗ୍ରହଣ କରାଗଲା। ଏହି ଦମନ ଦାୟିତ୍ବରେ ଥିବା ଇଂଲିଶ ଏଜେଣ୍ଟ ମାକନିଲଙ୍କ ଅତ୍ୟଧିକ ଅତ୍ୟାଚାରରେ ଅତିଷ୍ଠ ହୋଇ ତାଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥିଲା। ତାହାକୁ ବେଲଗୁଣ୍ଠାର ଜଣେ ଦଫାଦାର ଦୀନବନ୍ଧୁ ପଟ୍ଟନାୟକ କୌଶଳ କରି ବିଫଳ କରିଦେଲେ। ଏହି ଦୀନବନ୍ଧୁ ପଟ୍ଟନାୟକଙ୍କ ବିଷୟରେ କୁହାଯାଏ ଯେ, ବହୁ ଦିନରୁ ଅାଦିବାସୀ ଓ ଦଳିତ ମଧ୍ୟରେ ଥିବା ଦୀଘର୍ଦିନର ସହାବସ୍ଥାନକୁ ଭାଙ୍ଗିବାପାଇଁ ହିନ୍ଦୁ- ଖ୍ରୀଷ୍ଟିଅାନ ବିଭେଦକୁ ଅାୟୁଧ କରିଥିଲେ। କାରଣ ସେ ସମୟର କେତେକ ଶିକ୍ଷିତ ବ୍ୟକ୍ତି ଖ୍ରୀଷ୍ଟିଅାନ ହୋଇ କନ୍ଧମେଳିକୁ ଦିଗଦର୍ଶନ ଦେଉଥିଲେ। ପାଇକ ବିଦ୍ରୋହକୁ ଯେପରି ଛଳନା, ବିଶ୍ବାସଘାତକତା ଓ କୂଟନୀତି ପ୍ରୟୋଗ କରି ଚରଣ ପଟ୍ଟନାୟକଙ୍କ ମାଧ୍ୟମରେ ଦମନ କରିଦିଅାଗଲା ଠିକ ସେହିପରି କନ୍ଧ ବିଦ୍ରୋହକୁ ଦଫାଦାର ଦୀନବନ୍ଧୁ ପଟ୍ଟନାୟକ ଛଳନା, ବିଶ୍ବାସଘାତକତା ଓ କୂଟନୀତି ମାଧ୍ୟମରେ ଦମନ କରି ପୁରସ୍କାର ସ୍ବରୂପ ବିଶିପଡାର ପ୍ରଥମ ତହସିଲଦାର ନିଯୁକ୍ତ ହୋଇ ଇଂରେଜ ଅତ୍ୟାଚାରକୁ ଅଧିକ ପ୍ରୋତ୍ସାହିତ କଲେ। କନ୍ଧ ବିଦ୍ରୋହର ଦମନ ପାଇଁ ଇଂରେଜ, ତେଲେଙ୍ଗା କର୍ମଚାରୀ ଓ ଓଡିଅା ତହସିଲଦାର ଦୀନବନ୍ଧୁଙ୍କ ଷଡଯନ୍ତ୍ର ସମଗ୍ର କନ୍ଧମାଳ, ବାଲିଗୁଡା ଓ ଘୁମୁସର ଅଂଚଳରେ ଏକ ଅାତଙ୍କର ଛାୟା ଦେଖାଦେଲା।

 

ଏହି ସମୟରେ ଉପକୂଳ ଓଡିଶାରେ ଇଂରେଜ ସରକାରଙ୍କ ଦ୍ବାରା ନଅଙ୍କ ଦୁର୍ଭିକ୍ଷ ସୃଷ୍ଟି କରାଯାଇ ଦୁଇତୃତୀୟାଂଶ ଓଡିଅାଙ୍କୁ ପରୋକ୍ଷ ହତ୍ୟା କରିବା ସମଗ୍ର ଓଡିଅା ଜାତି ପାଇଁ ଏକ ସତର୍କ ଘଣ୍ଟି ଥିଲା। ପୁଣି ଓଡିଅାଙ୍କ ଅଭାବରେ ଓଡିଅା ପୁସ୍ତକ ଅଭାବର ଅାଳ ଦେଖାଇ ବଙ୍ଗ ଅଧୀନସ୍ଥ ଓଡିଶାର ହାତଗଣତି ନୂତନ ବିଦ୍ୟାଳୟରେ ଓଡିଅା ବଦଳରେ ବଙ୍ଗଳା ମାଧ୍ୟମ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ଦାବି ଅାଉ ଏକ ସାଂସ୍କୃତିକ ବିପଦର ସୂଚନା ଦେଉଥିଲା। ତେବେ ଉପକୂଳ ଓଡିଅାଙ୍କ ଦୃଢ ପ୍ରତିବାଦ ଯୋଗୁଁ  ତା 8.11.1869 ରିଖରେ କମିଶନର ରେଭେନ୍ସାଙ୍କ ଶିକ୍ଷା ସମ୍ପର୍କୀତ ଘୋଷଣାନାମା ଓଡିଶାରେ ଯିଏ ରହିବ ସେ ଓଡିଅା ପଢିବାକୁ ବାଧ୍ୟ ପ୍ରକାଶ ସହିତ ଏହି ନୂତନ ପ୍ରକାର ବିଦ୍ୟାଳୟ ପାଇଁ ଓଡିଅା ଭାଷାରେ ବିଭିନ୍ନ ପାଠ୍ୟପୁସ୍ତକ ରଚନାପାଇଁ ପ୍ରୋତ୍ସାହନ ଦିଅାଗଲା। ଫଳରେ ବହୁ ବଙ୍ଗଳାଭାଷା ଶିକ୍ଷକ ଓଡିଶା ଛାଡିଥିବାବେଳେ ନୂତନ ଭାବରେ ନିଯୁକ୍ତ ବାଲେଶ୍ବର ଜିଲ୍ଲାସ୍କୁଲର ବଙ୍ଗଳାଭାଷା ଶିକ୍ଷକ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ଜାନୁଅାରି 1870ରେ ‘ଉଡିୟା ଏକଟା ସ୍ବତନ୍ତ୍ର ଭାଷା ନୟେ’ ନାମକ ଦୁର୍ବଳ ଯୁକ୍ତିପୂର୍ଣ୍ଣ କ୍ଷୁଦ୍ର ପୁସ୍ତକ ରଚନା କଲେ ଯାହା କେବଳ ଶିରୋନାମା ଭିତରେ ରହିଗଲା।

 

ଭାଷା ସମ୍ପର୍କୀତ ଏହି ବାଦବିବାଦ କେବଳ ନୂତନ ଭାବେ ପ୍ରତିଷ୍ଠିତ ଇଂରାଜୀ ବିଦ୍ୟାଳୟର ଶିକ୍ଷାର ମାଧ୍ୟମକୁ ନେଇ ହୋଇଥିଲେ ମଧ୍ୟ ସେ ସମୟର ଥିବା 100ଟି ସ୍କୁଲରେ ମୋଟ 10 ଜଣ ବି ଓଡିଅା ପିଲା ପଢୁ ନ ଥିଲେ। ଏହି ବିଦ୍ୟାଳୟର ସବୁ ଛାତ୍ର ଥିଲେ ବଙ୍ଗାଳୀ, ମରାଠୀ ଓ ମୁସଲିମ। ପୁଣି ଏହି ସମୟରେ ଓଡିଅାଭାଷାରେ ସରକାରୀ କାର୍ଯ୍ୟ ଚାଲୁଥିବାରୁ ତଥା ଏହି ବାଦବିବାଦରେ ଭାଷା ବଦଳରେ ଶିକ୍ଷାର ମାଧ୍ୟମକୁ ଗୁରୁତ୍ବ ଦିଅାଯାଇଥିବାରୁ ଓଡିଅାଭାଷା ବଦଳରେ କେବଳ ପାଠ୍ୟପୁସ୍ତକ ପ୍ରସ୍ତୁତି ବିଷୟକ ବିଶେଷ ଚର୍ଚ୍ଚା ଥିଲା।

 

ଅନ୍ୟପକ୍ଷରେ ଉତ୍ତର ସରକାର ବା ଘୁମୁସର ଅଂଚଳରେ ପ୍ରଶାସନିକ କାର୍ଯ୍ୟ ତେଲୁଗୁରେ ହେବା ଦ୍ବାରା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। କଚେରୀ ଲେଖାପଢା କାମ କରୁଥିବା ଚତୁର ଶିଷ୍ଟକରଣ ଓ ବମ୍ବାଳୀକରଣ ନିଜ ଜୀବିକାପାଇଁ ମାତୃଭାଷା ଓଡିଅା ଛାଡି ତେଲୁଗୁ ଶିଖିଲେ। ଏମାନଙ୍କ କଥିତ ଭାଷା ଓଡିଅା ମିଶା ତେଲୁଗୁ ହେଲା। ଏମାନେ ତେଲୁଗୁ କର୍ମଚାରୀମାନଙ୍କ ସହ ମିଶି ଓଡିଅାଙ୍କୁ ଅଧିକ ଶୋଷଣ କଲେ। ଇଂରେଜ ସହିତ ତେଲୁଗୁ କର୍ମଚାରୀ ଓ ଓଡିଅା ଗୁମାସ୍ତାଙ୍କ ଅତ୍ୟାଚାର ସହିତ ତାଳ ଦେଇ ବଙ୍ଗ ଅଧୀନସ୍ଥ ଓଡିଅାଙ୍କ ଦୟନୀୟ ସ୍ଥିତି ଦେଖିବାପରେ ମାଡ୍ରାସ ଅଧୀନସ୍ଥ ଶିକ୍ଷିତ ଓଡିଅାଙ୍କ ଚେତନା ଉଦୟ ଘଟିଲା। ଏଣେ ଅମାନୁଷିକ ଭାବରେ କନ୍ଧ ବିଦ୍ରୋହ ଦମନ ଏହି ଚେତନାକୁ ଅାହୁରି ଶକ୍ତିଶାଳୀ କରିଦେଲା।

 

ଏହି ସମୟରେ 1864ରେ ଭେଙ୍କଟେଶ୍ବର ଦେଓ ବାଲିଗୁଡା ଅଧୀନସ୍ଥ କାଟିଙ୍ଗିଅା ଜମିଦାରି ଦାୟିତ୍ବ ନେଲେ। ଜଣେ ଦୂରଦ୍ରଷ୍ଟା, ସ୍ବାଭିମାନୀ ଓ ସ୍ବାଧୀନଚେତା ବ୍ୟକ୍ତି ଭାବରେ ସେ ଅନୁଭବ କଲେ ଯେ, ଓଡିଅାଭାଷୀ ଅଂଚଳକୁ ଏକ ଶାସନାଧୀନ ନ କଲେ ତଥା ଏହି ମାଟିର ଉତ୍ତରପିଢୀ ମାତୃଭାଷାରେ ଶିକ୍ଷା ନ ପାଇଲେ ଐତିହ୍ୟସମ୍ପନ୍ନ ଓଡିଶାର ଅସ୍ତିତ୍ବ ଲୋପ ପାଇଯିବ। ଏଥିପାଇଁ ସେ ଓଡିଅା ଭାଷା ଅାନ୍ଦୋଳନ ଅାହ୍ବାନ ଦେଇଥିଲେ। ଏହା ହିଁ ଥିଲା ପ୍ରକୃତରେ ଓଡିଅା ଭାଷା ଅାନ୍ଦୋଳନର ପ୍ରଥମ ସ୍ବର, ଯାହା ଶୁଭିଥିଲା ସୂଦୂର କନ୍ଧମାଳ ମାଟିରୁ। ନିଜ ଚିନ୍ତନକୁ ସାକାର କରିବାପାଇଁ ସେ ଦାନିଏଲ ମହାନ୍ତି, ବଳରାମ ମହାରଣା, ରସୁଲକୁଣ୍ଡାର ଦୀନବନ୍ଧୁ ମହାନ୍ତି, ପୁରୁଷୋତ୍ତମପୁର ସବରେଜିଷ୍ଟାର ନରସିଂହ ଦାସ, କନକତୁରୁର ଜନାର୍ଦ୍ଦଦ୍ଦନ ଦାସ ପ୍ରମୁଖଙ୍କ ସମ୍ପୂର୍ଣ୍ଣ ସହଯୋଗ କ୍ରମେ 1868ରେ ଗଢିଲେ ଗଞ୍ଜାମ ହିତବାଦିନୀ ସଭା। ସେ ହେଲେ ଏହାର ସର୍ବସମ୍ମତ ସଭାପତି ଓ ଉଇଲିୟମ ମହାନ୍ତି ଏହାର ସମ୍ପାଦକ।

 

ଦକ୍ଷିଣ- ପଶ୍ଚିମ ଓଡିଶାର ସମସ୍ତ ଦେଶୀୟ ରାଜା, ଜମିଦାର, ଲେଖକ, ମାତୃଭାଷାପ୍ରେମୀ ଶିକ୍ଷିତ ଓଡିଅା, ଛୋଟବଡ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନର ସଦସ୍ୟମାନଙ୍କ ସହ ଯୋଗାଯୋଗ ସ୍ଥାପନ କରି ଭେଙ୍କଟେଶ୍ବର ଗଞ୍ଜାମ ହିତବାଦିନୀ ସଭାର ପ୍ରଥମ ବୈଠକ 14/9/1870ରେ ରସୁଲକୁଣ୍ଡା ବା ଭଞ୍ଜନଗରଠାରେ ଅାୟୋଜନ କଲେ। ଏହି ସଭାପକ୍ଷରୁ ଓଡିଅାଭାଷୀ ଅଂଚଳରେ ଓଡିଅାଭାଷା ପ୍ରଚଳନ ପାଇଁ ମାନ୍ଦ୍ରାଜ ସରକାରଙ୍କୁ ସ୍ମାରକପତ୍ର ଦେବା ସହିତ ‘ମହରଗ ବେଳେ ଗାଈ ଓ ବିପତ୍ତି ବେଳେ ଭାଇ’ ଡାକ ବଚନ ଅନୁରୂପେ ଉତ୍କଳର ଭାଇମାନେ ମାନ୍ଦ୍ରାଜ ଅଧୀନସ୍ଥ ହତଭାଗ୍ୟ ଓଡିଅାଙ୍କୁ ରକ୍ଷା କରନ୍ତୁ ବୋଲି ସଦସ୍ୟ ଜନାର୍ଦ୍ଦାଦ୍ଦନ ଦାସ ଉତ୍କଳଦୀପିକା (22/10/1870)ମାଧ୍ୟମରେ ଉପକୂଳ ନେତୃବୃନ୍ଦଙ୍କୁ ଅାକୁଳ ପ୍ରାର୍ଥନା କଲେ।

 

ଏହି ବୈଠକର ସଫଳତା ପରେ ଭାଷା ଅାନ୍ଦୋଳନକୁ ଶକ୍ତିଶାଳୀ କରିବାପାଇଁ 1872ରେ ବଙ୍ଗଳା ଓ ମାଡ୍ରାସ ଅଧୀନରେ ଥିବା ଓଡିଅା ରାଜା, ଜମିଦାର ଓ ବୁଦ୍ଧିଜୀବୀଗଣଙ୍କୁ ଏକତ୍ର କରିବା ଉଦ୍ଦେଶ୍ୟରେ ଗଞ୍ଜାମ ବଦଳରେ ଓଡିଅା ହିତାବାଦିନୀ ସଭା ନାମ ପରିବର୍ତ୍ତନ କଲେ ଓ ଏହାର ସମ୍ପାଦକ ରହିଲେ ନିଜେ ଭେଙ୍କଟେଶ୍ବର ଦେଓ। ଏହି ସଭା ପକ୍ଷରୁ କାଳିପଦ ବନ୍ଦୋପାଧ୍ୟାୟଙ୍କ ହାତରେ ବ୍ରିଟିଶ ମହାରାଣୀଙ୍କ ନିକଟକୁ 4 ଦଫା ସମ୍ବଳିତ ଦାବିପତ୍ର ପଠାଇଥିଲେ। ଦାବିଗୁଡ଼ିକ ଥିଲା- 1. ଗଞ୍ଜାମବାସୀଙ୍କୁ ଓଡିଅା ଭାଷା ଓ ଲିପିରେ ଯୋଗାଯୋଗ କରିବାପାଇଁ ଅନୁମତି ଦିଅାଯାଉ, 2. ସମସ୍ତ ସରକାରୀ କାଗଜପତ୍ର, ରେକର୍ଡ ଅାଦି ଓଡିଅାରେ ଲେଖାଯାଉ, 3. ସମସ୍ତ ବିଦ୍ୟାଳୟରେ ଓଡିଅା ମାଧ୍ୟମରେ ଶିକ୍ଷା ଦିଅାଯାଉ ଓ 4. ଓଡିଅା ଭାଷାରେ ସମସ୍ତ ପରୀକ୍ଷା ଦେବାପାଇଁ ବିଦ୍ୟାର୍ଥୀଙ୍କୁ ଅନୁମତି ଦିଅାଯାଉ। ହିତବାଦିନୀ ସଭାର ଦାବୀ ସିଧାସଳଖ ବ୍ରିଟିଶ ମହାରାଣୀଙ୍କ ନିକଟରେ ପହଂଚିବା ଫଳରେ ତାଙ୍କରି ଅାଦେଶ ବଳରେ 4/3/1872ରିଖରେ ସରକାରୀ ଅାଦେଶ ଦ୍ବାରା ଓଡିଅାଭାଷା ପୁନଃ ପ୍ରଚଳନ ହେଲା।

 

ଓଡିଅା ଭାଷାରେ ସରକାରୀ କାମପାଇଁ ବ୍ରିଟିଶ ମହାରାଣୀଙ୍କ ନିର୍ଦ୍ଦେଶ ଠିକ ଭାବରେ କାର୍ଯ୍ୟକାରୀ ନ ହେବାରୁ ବ୍ରହ୍ମପୁର ଜିଲ୍ଲା ପାଠଶାଳାରେ 29/7/1873ରେ ଓଡିଅା ହିତବାଦିନୀ ସଭାର ଗୁରୁତ୍ବପୂର୍ଣ୍ଣ ବୈଠକ ବସି ଏହାର ତୀବ୍ର ପ୍ରତିବାଦ କରାଗଲା। ଭାଷା ଅାନ୍ଦୋଳନ ଶକ୍ତିଶାଳୀ ହେଉଥିବାରୁ ଉଭୟ ଇଂରେଜ ଓ ତେଲୁଗୁ କର୍ମଚାରୀ ଅାତଙ୍କିତ ହୋଇ ଉଠିଲେ। ଯେକୌଣସି ଉପାୟରେ ଓଡିଅା ହିତବାଦିନୀ ସଭାକୁ ଭାଙ୍ଗିବା ସହିତ ଭେଙ୍କଟେଶ୍ବର ଦେଓଙ୍କ ପ୍ରଭାବ ହ୍ରାସ ପାଇଁ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କଲେ। ତହସିଲଦାର ଦୀନବନ୍ଧୁ ପଟ୍ଟନାୟକଙ୍କ ଚକ୍ରାନ୍ତରେ କନ୍ଧନେତା ପର୍ଶୁରାମ କହଁର ଓ ବ୍ରିଟିଶ ଏଜେଣ୍ଟ ଫୋର୍ବେସଙ୍କ ସାକ୍ଷ୍ୟଦ୍ବାରା କାଟିଙ୍ଗିଅା ଜମିଦାରୀରୁ ଭେଙ୍କଟେଶ୍ବର ଦେଓଙ୍କୁ 25.4.1874ରେ ଉଚ୍ଛେଦ କରାଗଲା। ଭାଷାକୁ ନେଇ ଏକ ଗଣବିଦ୍ରୋହର ସ୍ବପ୍ନ ଦେଖୁଥିବା ଅନ୍ଧାରୀ ମୁଲକର ସେହି ମାଟିପ୍ରାଣ ସଂସ୍କୃତି ସଂସ୍କାରକ ଭେଙ୍କଟେଶ୍ବର ଦେଓଙ୍କ ଅର୍ଥନୈତିକ ସ୍ବାଧୀନତାକୁ ସଂକୁଚିତ କରାଯାଇ ମାତ୍ର ବାର୍ଷିକ 50 ଟଙ୍କାର ପେନସନ ଦିଅାଗଲା। ସମ୍ପତ୍ତି ଚାଲିଗଲା ପରେ ନିରୁପାୟ ଭେଙ୍କେଟେଶ୍ବର ଓଡିଅା ଅାନ୍ଦୋଳନକୁ ଗତିଶୀଳ କରାଇ ନ ପାରିବାରେ ମ୍ରିୟମାଣ ହୋଇ 1883ରେ ଯୁବ ବୟସରେ ଅକାଳ ମୃତ୍ୟୁଲାଭ କଲେ। ଭାଷା ଓ ସଂସ୍କୃତିକୁ ନେଇ ଇଂରେଜ ଶାସକଙ୍କ ବିରୁଦ୍ଧରେ ପ୍ରଥମକରି ସମଗ୍ର ଓଡିଶାରେ ଅାରମ୍ଭ ହୋଇଥିବା ପ୍ରତିବାଦର ସ୍ବରକୁ ଚାପି ଦିଅାଗଲା। ତେବେ ତାଙ୍କ ଦ୍ବାରା ଗଠିତ ଭାରତର ପ୍ରଥମ ରାଜନୈତିକ ସଂଗଠନ ଓଡିଅା ହିତବାଦିନୀ ସଭା ସମୟକ୍ରମେ ସମଗ୍ର ଓଡିଶାବାସୀଙ୍କୁ ଏକତ୍ର କରି ଗଞ୍ଜାମ ସମ୍ମିଳନୀ ଓ ଉତ୍କଳ ସମ୍ମିଳନୀକୁ ଜନ୍ମ ଦେଇଥିଲା।

 

ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ ପାଳନ ଅବସରରେ ଓଡିଅାଭାଷା ଓ ଜାତିପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଥିବା ଭେଙ୍କଟେଶ୍ବର ଦେଓଙ୍କୁ ଓଡିଶା ସରକାର ଓଡିଅା ଭାଷାର ପ୍ରଥମ ଶହୀଦ ଭାବରେ ଘୋଷଣା ପୂର୍ବକ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ଅାବଶ୍ୟକ।

 

ସଦସ୍ୟ ସଚିବ, ଓଡିଅା ଅଧ୍ୟୟନ ଓ ଗବେଷଣା ସଂସ୍ଥା

 ଏ-164, ଶହୀଦ ନଗର, ଭୁବନେଶ୍ବର-7

ଦୂରଭାଷ- 9090465758


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top