ଏନଆରଇଜିଏ-କର୍ମଜୀବୀଙ୍କ ଜୀବନରେଖା

News Story - Posted on 2017-03-31

ଶମ୍ଭୁନାଥ ଚୌଧୁରୀ

 

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମାଂଚଳ ନିଯୁକ୍ତି ଯୋଜନା (ଏମଜିଏନଆରଇଜିଏ) ଆରମ୍ଭ ହେବା ପରଠାରୁ ଅନେକ ବାଟ ଅତିକ୍ରମ କରିସାରିଛି ଏବଂ ଲକ୍ଷଲକ୍ଷ ଜନସାଧାରଣଙ୍କ ଜୀବନରେଖା ପାଲଟିଛି। ଅଣଦକ୍ଷତା ସମ୍ପନ୍ନ ଓ ଶାରୀରିକ ପରିଶ୍ରମ କରିବାକୁ ରାଜି ଥିବା ପ୍ରତ୍ୟେକ ଗ୍ରାମୀଣ ପରିବାରର ବ୍ୟକ୍ତିଙ୍କୁ ଏକ ଆର୍ଥିକ ବର୍ଷରେ ଅତିକମରେ ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ପ୍ରଦାନ କରିବା ପାଇଁ ୨୦୦୫ ସେପ୍ଟେମ୍ୱର ୭ ତାରିଖରେ ଏହି ଅଧିନିୟମର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସାମାଜିକ ଭାଗିଦାରିତା, ଲିଙ୍ଗଗତ ସମାନତା, ନିଷ୍ପକ୍ଷ ବିକାଶ ଆଦି ମହାତ୍ମାଗାନ୍ଧୀ ଏନଆରଇଜିଏର ପ୍ରତିଷ୍ଠା ସ୍ତମ୍ଭ।

 

ସଫଳତା

 

୨୦୧୫-୧୬ ଆର୍ଥିକ ବର୍ଷରେ ୨୩୫ କୋଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇ ଥିଲା ଯାହାକି ଗତ ୫ ବର୍ଷ ତୁଳନାରେ ସର୍ବାଧିକ। ୨୦୧୬-୧୭ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୪.୮ କୋଟି ପରିବାରଙ୍କୁ କାର୍ଯ୍ୟପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟାରେ ୨୦୦ କୋଟି ଦିବସର କାର୍ଯ୍ୟ ସୁଯୋଗ ସୃଷ୍ଟି କରାଯାଇଛି। ମୋଟ ନିଯୁକ୍ତିର ଶତକଡା ୫୬ ପ୍ରତିଶତ କାର୍ଯ୍ୟ ଦିବସ ମହିଳାମାନଙ୍କ ପାଇଁ ସୃଷ୍ଟି କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଏହା ହେଉଛି ମହିଳାମାନଙ୍କର ସର୍ବାଧିକ ଭାଗିଦାରିତା।

 

ଆରମ୍ଭ ଦିନଠାରୁ ଏହି କାର୍ଯ୍ୟକ୍ରମରେ ମୋଟ ୩,୭୬, ୫୪୬ କୋଟି ଟଙ୍କା ବ୍ୟୟ ହୋଇଛି ଏବଂ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ୪୮,୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହା ହେଉଛି ଏମଜିଏନଆରଇଜିଏରେ ଏପର୍ଯ୍ୟନ୍ତର ସର୍ବାଧିକ ବ୍ୟୟ ବରାଦ। ୨୦୧୬-୧୭ ଆର୍ଥିକ ବର୍ଷରେ ଏବେ ସୁଦ୍ଧା ୫୧,୯୦୨ ଟଙ୍କା ଖର୍ଚ୍ଚ ହୋଇସାରିଲାଣି ଏବଂ ଯୋଜନା ଆରମ୍ଭ ହେବା ଦିନଠାରୁ ଏହା ସର୍ବାଧିକ।

 

ପ୍ରତିବର୍ଷ ହାରାହାରି ୨୫ରୁ ୩୦ ଲକ୍ଷ କାର୍ଯ୍ୟ ଶେଷ ହୋଇଥାଏ (୨୦୧୩-୧୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ)। ମାତ୍ର ଏହାର ବିରୋଧକ୍ରମରେ ୨୦୧୬-୧୭ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ସୁଦ୍ଧା ୫୧.୩ ଲକ୍ଷ କାର୍ଯ୍ୟ ସମାପ୍ତ ହେଲାଣି। କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ପ୍ରଥମଥର ଲାଗି ଜଳ ସଂରକ୍ଷଣ ପାଇଁ ସୁସଂଗତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

 

ଜଳ ସଂରକ୍ଷଣ ମିଶନ

 

ଏମଜିଏନଆରଇଜିଏ ଅଧୀନରେ ପ୍ରାକୃତିକ ସମ୍ପଦ ପରିଚାଳନା (ଏନଆରଏମ) ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା (ପିଏମକେଏସୱାଇ) ଏବଂ ଏକୀକୃତ ଜଳବିଭାଜନ କାର୍ଯ୍ୟକ୍ରମ (ଆଇଡବ୍ଲୁଏମପି)ରେ ନୂଆ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ନେଇ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରୁଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏନଆରଏମ (ପ୍ରାକୃତିକ ସମ୍ପଦ ପରିଚାଳନା) କାର୍ଯ୍ୟରେ ଏବେ ସୁଦ୍ଧା ମୋଟ ବ୍ୟୟ ବରାଦର ଶତକଡା ୬୩ ପ୍ରତିଶତ ଖର୍ଚ୍ଚ ହୋଇସାରିଲାଣି। ୨୦୧୩-୧୪ ଆଥିର୍କ ବର୍ଷରେ ଏହା ପ୍ରାୟ ଶତକଡା ୪୮ ପ୍ରତିଶତ ପାଖାପାଖି ଥିଲା। ଜିଓଏମଜିଏନଆରଇଜିଏ ହେଉଛି ଏକ ପଥପ୍ରଦର୍ଶକ ପଦକ୍ଷେପ। ଏହି ପଦକ୍ଷେପ ମାଧ୍ୟମରେ ଅନ୍ତରୀକ୍ଷ ଜ୍ଞାନକୌଶଳକୁ ବ୍ୟବହାର କରି ଉନ୍ନତ ଯୋଜନା ପ୍ରସ୍ତୁତି, ଫଳପ୍ରଦ କାର୍ଯ୍ୟକାରିତା ଏବଂ ସ୍ୱଚ୍ଛତା ବୃଦ୍ଧି ପାଇଁ ଏମଜିଏନଆରଇଜିଏ ଅଧୀନରେ ସୃଷ୍ଟି କରାଯାଇଥିବା ସମସ୍ତ ସମ୍ପଦକୁ ଜିଓ-ଟ୍ୟାଗିଂ କରିହେବ।

 

ଏହି ପଦକ୍ଷେପ ୨୦୧୬-୧୭ ଆର୍ଥିକ ବର୍ଷରେ ଗ୍ରହଣ କରାଯାଇଛି ଏବଂ ପାଖାପାଖି ୬୫ ଲକ୍ଷ ସମ୍ପତ୍ତିକୁ ଜିଓ-ଟ୍ୟାଗ କରାଯାଇ ଜନସାଧାରଣଙ୍କୁ ଅଧିକାର ପ୍ରଦାନ କରାଯାଇଛି।

 

ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର

 

ଅନୁଦାନ ପ୍ରବାହର କ୍ରିୟାବିଧିକୁ ଆହୁରି ବ୍ୟବସ୍ଥିତ କରିବା ଲାଗି ଏବଂ ମଜୁରୀ ପ୍ରଦାନରେ ବିଳମ୍ୱତାକୁ ଦୂର କରିବା ପାଇଁ ଗ୍ରାମାଂଚଳ ବିକାଶ ମନ୍ତ୍ରଣାଳୟ ୨୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଜାତୀୟ ବୈଦ୍ୟୁତିକ ଅନୁଦାନ ପରିଚାଳନା ପଦ୍ଧତି (ଏନଇଏଫଏମଏସ)ର ପ୍ରୟୋଗ କରୁଛି। ଶତକଡା ପ୍ରାୟ ୯୬ ପ୍ରତିଶତ ଏମଜିଏନଆରଇଜିଏ ଶ୍ରମିକଙ୍କ ବ୍ୟାଙ୍କ/ଡାକଘର ଖାତାରେ ଇଲେକ୍ଟ୍ରୋନିକ ଅନୁଦାନ ପରିଚାଳନା ପଦ୍ଧତି (ଇଏଫଏମଏସ) ମାଧ୍ୟମରେ ମଜୁରୀ ପ୍ରଦାନ କରାଯାଉଛି। ୨୦୧୩-୧୪ ଆଥିର୍କ ବର୍ଷରେ ବୈଦ୍ୟୁତିକ ପଦ୍ଧତିରେ ମାତ୍ର ଶତକଡା ୩୭ ପ୍ରତିଶତ ମଜୁରୀ ପ୍ରଦାନ କରାଯାଇଥିଲା। ଏବେ ସୁଦ୍ଧା ୮.୯ କୋଟି ସକ୍ରିୟ ଶ୍ରମିକ ସେମାନଙ୍କର ଆଧାର ସଂଖ୍ୟାକୁ ଏନଆରଇଜିଏସ ସଫ‌୍‍ଟ-ଏମଆଇଏସରେ ପଞ୍ଜୀକୃତ କରିଛନ୍ତି। ଜାନୁଆରୀ ୨୦୧୪ ସୁଦ୍ଧା ଏହି ସଂଖ୍ୟା ଥିଲା ମାତ୍ର ୭୪ ଲକ୍ଷ। ଏପର୍ଯ୍ୟନ୍ତ ୪.୨୫ କୋଟି ଶ୍ରମିକ ଆଧାର ଆଧାରିତ ପ୍ରାପ୍ୟ ଗ୍ରହଣ ପଦ୍ଧତି (ଏବିପିଏସ) ପାଇଁ ସମର୍ଥ ହୋଇଗଲେଣି।

 

ସୁଶାସନ ସମ୍ୱନ୍ଧୀୟ ପଦକ୍ଷେପ

 

୨୦୧୬-୧୭ ଆର୍ଥିକ ବର୍ଷରେ ଜବକାର୍ଡ ଯାଂଚ ଏବଂ ନବୀକରଣ କାର୍ଯ୍ୟ ହାତକୁ ନିଆଯାଇଥିଲା ଏବଂ ଏହି ଅଭିଯାନରେ ଶତକଡା ୭୫ ପ୍ରତିଶତ ସକ୍ରିୟ ଜବକାର୍ଡର ନବୀକରଣ/ ଯାଂଚ କରାଯାଇଥିଲା। ପୂର୍ବରୁ ବିତରଣ କରାଯାଇଥିବା ଆଦେଶନାମା ଗୁଡିକୁ ଏଏମସ ଜାରି କରାଯାଇ ୨୦୧୬-୧୭ ଆଥିର୍କ ବର୍ଷରେ ଏମଜିଏନଆରଇଜିଏକୁ ସରଳୀକୃତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ୨୦୧୭-୧୮ ଆଥିର୍କ ବର୍ଷ ପାଇଁ ମଧ୍ୟ ଏଏମସି ଜାରି କରାଯିବ।

 

ପୂର୍ବରୁ ଗ୍ରାମପଂଚାୟତମାନଙ୍କରେ ହାରାହାରି ୨୨ଟି ଗଣନାପତ୍ର ବ୍ୟବହାର କରାଯାଉଥିଲା। ମାତ୍ର ବର୍ତମାନ ଏହାକୁ ହ୍ରାସ କରାଯାଇଛି ଏବଂ ୭ଟି ସରଳୀକୃତ ଗଣନା ପତ୍ରରେ ସବୁ ହିସାବପତ୍ର ରଖାଯାଇ ପାରୁଛି। ଏପର୍ଯ୍ୟନ୍ତ ୨.୦୫ ଲକ୍ଷ ଗ୍ରାମପଂଚାୟତ ଏହାକୁ ଗ୍ରହଣ କରିସାରିଲେଣି। ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଏକ ପ୍ରଶିକ୍ଷିତ ଯାଂଚକାରୀ ସମ୍ପ୍ରଦାୟ ସୃଷ୍ଟି କରାଯାଇ ଆଭ୍ୟନ୍ତରୀଣ ଯାଂଚ ବ୍ୟବସ୍ଥା ସମ୍ପନ୍ନ ପଦ୍ଧତି ସୃଷ୍ଟି ଦିଗରେ ଏହି କାର୍ଯ୍ୟକ୍ରମ ଗତିକରୁଛି।

 

ନୂତନ ଉପାୟ ଏବଂ ଭଲ ଅଭ୍ୟାସ ଆଦାନପ୍ରଦାନ ନିଶ୍ଚିତ କରିବା ଲାଗି ପ୍ରକ୍ରିୟା ସ୍ୱରୂପ ମନ୍ତ୍ରଣାଳୟ ଏକ ଆନ୍ତଃରାଜ୍ୟ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ତାମିଲ ନାଡୁ, ରାଜସ୍ଥାନ, ମେଘାଳୟ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ ଆଦି ଗସ୍ତ କରିସାରିଛନ୍ତି। ପ୍ରଥମ ଥର ପାଇଁ ମୂଳଦୁଆ ସ୍ତର ଲାଗି ପିଏମଜିଏସୱାଇ ନିଦ୍ଦେର୍ଶାବଳୀ ଆଧାରରେ ପ୍ରଥମ ଥର ପାଇଁ ଅଣ ପିଏଜିଏସୱାଇ ରାସ୍ତାଗୁଡ଼ିକ ଲାଗି ନିଦ୍ଦେର୍ଶାବଳୀ ଜାରି କରାଯାଇଛି। ଭବିଷ୍ୟତରେ ପିଏମଜିଏସୱାଇ ସ୍ତରରେ ଉନ୍ନତି ଅଣାଯାଇ ସମ୍ପତିଗୁଡ଼ିକୁ ସୁଦୃଢ଼ କରାଯିବାର ସମ୍ଭାବନା ରହିଛି। ୨୦୧୫-୧୬ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ଏମଜିଏନଆରଇଜିଏର ପ୍ରଦର୍ଶନ ସମ୍ୱନ୍ଧୀୟ ବିବରଣୀ ପ୍ରକାଶ ପାଇଥିଲା ଏବଂ ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ପୁନର୍ବାର ପ୍ରକାଶ ପାଇବ।

 

(ଲେଖକ ପିଆଇବି ନୂଆଦିଲ୍ଲୀର ଜଣେ ଅଧିକାରୀ )


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top