ମୁଖ୍ୟମନ୍ତ୍ରୀଙ୍କ ମନେ ରହୁନି!

News Story - Posted on 2017-03-28

 

ଓଡ଼ିଶାରେ ପ୍ରବାହିତ କୋଏଲ‌୍‍ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡ ସରକାର ଗୁମ‌୍‍ଲାଠାରେ କାଡ୍ରି ଡ୍ୟାମ‌୍‍ ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ରାଞ୍ଚିଠାରେ ବାସୁକୀ ଡ୍ୟାମ‌୍‍ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି। ତେବେ ୪ ବର୍ଷ ତଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ନଦୀର ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ ୪୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ଏଯାବତ‌୍‍ ଏଠାରେ କାମ ଆରମ୍ଭ ହୋଇନାହିଁ।

 

ଏ ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ‌୍‍ ନଦୀରେ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୦୯.୦୭.୨୦୧୩ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ପ୍ରସ୍ତାବିତ ବ୍ୟାରେଜ‌୍‍ ପାଇଁ ଘରୋଇ ଜମି ଅଧିଗ୍ରହଣରେ ସମସ୍ୟା ଉପୁଜିବାରୁ ବ୍ୟାରେଜ‌୍‍ ଅନ୍ୟତ୍ର ନିର୍ମାଣ ପାଇଁ ସ୍ଥିର ହୋଇଛି। ଏଥିଲାଗି ବୈକୁଣ୍ଠ ଘାଟଠାରୁ ୨ କିମି ତଳକୁ ଥିବା ହମିର‌୍‍ପୁର ନିକଟରେ ଆନୁଷଙ୍ଗିକ ସର୍ଭେ ଓ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସମ୍ପୂର୍ଣ୍ଣ ହେବା ପରେ ଟେଣ୍ଡର ପ୍ରକ୍ରିୟା କରାଯାଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।

 

ପୂର୍ବରୁ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା କୋଏଲ‌୍‍ ନଦୀର ଏହି ପ୍ରକଳ୍ପର ଆନୁମାନିକ ଅଟକଳ ୪୪୬ କୋଟି ଟଙ୍କା ଥିଲା ଓ ତାହାର ପ୍ରଶାସନିକ ଅନୁମୋଦନ ମଧ୍ୟ ମିଳିଥିଲା। ତେବେ ବିଶେଷ ଅନୁଧ୍ୟାନ କରି ଏହି ପ୍ରକଳ୍ପକୁ ବ୍ରିଜ‌୍‍-କମ‌୍‍-ବ୍ୟାରେଜ‌୍‍ ବଦଳରେ ପିକ‌୍‍-ଅପ‌୍‍-େୱୟାର କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାର ସର୍ଭେ, ଡିଜାଇନ‌୍‍ ଆଦି କାମ ଶେଷ ହେଲେ ପୁନଶ୍ଚ ଅଟକଳ ମୂଲ୍ୟ ଆକଳନ କରାଯାଇ ପ୍ରକଳ୍ପ କାମ ଆରମ୍ଭ ହେବ। ଏହି ବ୍ୟାରେଜ‌୍‍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭିନ୍ନ ଭିନ୍ନ ବକ୍ତବ୍ୟ ଦେଉଥିବାରୁ ବିଧାୟକ ଶ୍ରୀ ରାୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ଇସ୍ପାତ ନଗରୀ ରାଉରକେଲାରେ ଉତ୍କଟ ପାନୀୟ ଜଳ ସମସ୍ୟାକୁ ଆଖିଆଗରେ ରଖି କୋଏଲ‌୍‍ ବ୍ୟାରେଜ‌୍‍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ବେଳେ ୪ ବର୍ଷ ଧରି ଏହି ପ୍ରକଳ୍ପ ପାଇଁ ଖଣ୍ଡିଏ ହେଲେ ଇଟା ଯୋଡ଼ାଯାଇ ନାହିଁ। ଖରାଦିନେ ଇସ୍ପାତ ନଗରୀବାସୀ ପାନୀୟ ଜଳ ପାଇଁ ଆଉଟୁପାଉଟୁ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ କାମ ହେଉନାହିଁ। ନଦୀ ଭିତରେ ବ୍ୟାରେଜ‌୍‍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଆବଶ୍ୟକ ବୋଲି ଏବେ ସରକାର ଯୁକ୍ତି ବାଢୁଥିବାରୁ ବିଧାୟକ ଶ୍ରୀ ରାୟ କ୍ଷୋଭ ପ୍ରକାଶ କରିଛନ୍ତି। ଝାଡ଼ଖଣ୍ଡ ସରକାର କୋଏଲ‌୍‍ ନଦୀ ଉପରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ‌୍‍ ନିର୍ମାଣ କରି ଚାଲୁଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା ବ୍ୟାରେଜ‌୍‍ କାମ କିନ୍ତୁ ୪ ବର୍ଷ ଧରି ନ ହେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଆଉ ଅଧିକ ଦିନ ଇସ୍ପାତ ନଗରୀବାସୀଙ୍କ ଧୈର୍ଯ୍ୟ ପରୀକ୍ଷା ନ କରିବାକୁ ଚେତାଇ ଦେଇଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top