ଏକ ପୁରୁଣା ପ୍ରଶ୍ନ

News Story - Posted on 2017-03-27

ବିନୟ ମହାପାତ୍ର

 

ଗଳ୍ପ ଟି କହିବା ଆଗରୁ ମୁଁ ପ୍ରଥମେ ଆପଣଙ୍କୁ ଚନ୍ଦ୍ର ମୋହନଙ୍କ ସହିତ ପରିଚୟ କରେଇ ଦିଏ। ଚନ୍ଦ୍ର ମୋହନ ନାମକ ଚରିତ୍ରଟି କୌଣସି ଏକ ସରକାରୀ ଅଫିସ ରେ କିରାଣୀ ଟିଏ, ଯିଏ ଆଗରୁ ଏତେ ଦୁର୍ବଳ ନଥିଲା। ମନରେ ତାର ବହୁତ ଜୋର ଥିଲା, କଥା କଥାରେ ସେ ଭାଗ୍ୟ କିମ୍ବା ଭଗବାନଙ୍କ ପ୍ରସଙ୍ଗ ଉଠଉ ନଥିଲା। ନିଜର ସୌଭାଗ୍ୟ ପାଇଁ ନିଜକୁ ଯେପରି ଖୁବ୍ ପାରିବାର ଭାବୁଥିଲା, ନିଜର ଦୂର୍ଭାଗ୍ୟ ପାଇଁ ସେମିତି ନିଜର ଅପାରଗତାକୁ ହିଁ ଦୋଷୀ କରୁଥିଲା। ହେଲେ ହଠାତ୍ ଚନ୍ଦ୍ର ମୋହନ ଏପରି ଦୁର୍ବଳ ହୋଇଗଲା, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କଥା କଥାକେ କହେ, ଛାଡ ଭାଗ୍ୟରେ ନଥିଲା, ଭାଗ୍ୟଂ ଫଳନ୍ତି ସର୍ବତ୍ରଃ, ନଃ ଚ ବିଦ୍ୟାଂ ନଃ ଚ ପୌରୁଷଃ, କିମ୍ବା ଭଗବାନ ଚାହୁଁ ନଥିଲେ ଏବଂ ଗୁଡାଏ ଦୀର୍ଘ ନିଶ୍ବାସ ହିଁ ଛାଡେ, ବିଶ୍ବାସ ହୁଏନା, ଇଏ କ’ଣ ସେଇ ଚନ୍ଦ୍ର ମୋହନ?

 

ବାହାଘର ପୂର୍ବର ଚନ୍ଦ୍ର ମୋହନ ଆଉ ପରର ଚନ୍ଦ୍ର ମୋହନ ଭିତରେ ଆକାଶ ପାତାଳର ଫରକ୍। ସତେ ଅବା, ଦିଗବିଜୟରେ ବାହାରିଥିବା ଚଣ୍ଡାଶୋକ ଧଉଳିର ପାଦଦେଶରେ ପହଞ୍ଚି ହଠାତ୍ ନିଃସ୍ବ ନିର୍ବିର୍ଯ୍ୟ ହୋଇ ଧର୍ମାଶୋକ ପାଲଟି ଯାଇଛି! ହଠାତ୍ ଦିନେ ତାର ମଥାରେ ଚନ୍ଦନ ଟିପାଟିଏ ଦେଖି ମୋ ପରି ଅନେକ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ, ତାର ଧର୍ମପତ୍ନୀ ଯେଉଁ ଗୁରୁଙ୍କର ଶିଷ୍ୟା ସେ ମଧ୍ୟ ସେହି ଗୁରୁଙ୍କର ଦୀକ୍ଷା ନେଇ ଯାଇଛି! ତା’ ପରଠାରୁ ଚନ୍ଦ୍ର ମୋହନର ଏ କାୟାକଳ୍ପ। କଥା କଥାକେ ସେହି ଗୁରୁଙ୍କର ଗୁଣ କୀର୍ତ୍ତନ, ମହିମା ବଖାଣ କରିବାକୁ ଲାଗିଲା, ଗୁରୁଙ୍କର ବେଶ୍‌ଗୁଡ଼ିଏ ବାଣୀ କଣ୍ଠସ୍ଥ, ମୁଖସ୍ଥ କରି ବ୍ୟାଖ୍ୟା କରିବାକୁ ଆରମ୍ଭ କରିଦିଏ। ତା’ର ଏପରି ଗୋଟିଏ ବିଶ୍ବାସ ଆସିଗଲା ଯେ ଏ ସଚରାଚର ବିଶ୍ବ ବ୍ରହ୍ମାଣ୍ଡରେ, ପ୍ରତି ମୁହୂର୍ତ୍ତରେ ଯାହାବି ଘଟୁଚି ବା ଘଟିବ, ସବୁ ସେଇ ତା’ର ଗୁରୁଙ୍କର ଅପାର କରୁଣାରୁ ହିଁ ଘଟିବ। ନହେଲେ କେଉଁ ମୁହୂର୍ତ୍ତରେ କିଛିନା କିଛି ବିଭ୍ରାଟ ଘଟି ଯାଆନ୍ତା!

 

ସେଦିନ ଚନ୍ଦ୍ର ମୋହନର ଶ୍ୟାମ ସୁନ୍ଦର ବାବୁଙ୍କ ସହ ଶୁଖିଲାଟାରେ ଝଗଡା ହୋଇଗଲା। କଥା ଏପରି ଗୁରୁତର ହେଲା, ସତେବା ଆସେମ୍ବ୍ଲି କି ପାର୍ଲିଆମେଣ୍ଟରେ ଚଉକି ଫିଙ୍ଗା କି ଚପଲ ଫିଙ୍ଗା ହେଉଛି! ଶେଷରେ ହାତାହାତି ପର୍ଯ୍ୟନ୍ତ କଥା ବଢିଗଲା। କଥା ସେମିତି କଛି ଗୁରୁତର ନଥିଲା। କଥା ପଡିଲା କି, ଚନ୍ଦ୍ର ମୋହନର ଗୁରୁ ବଡ ନା ଶ୍ୟାମ ସୁନ୍ଦର ବାବୁଙ୍କ ଗୁରୁ? ଏଇ କଥାରୁ ହାତାହାତି ମୁଥ ମରାମରି ପର୍ଯ୍ୟନ୍ତ ବଢିଗଲା। ଠିକ୍ ସମୟରେ ବଡବାବୁ ହସ୍ତକ୍ଷେପ କରି ନଥିଲେ ଅଫିସରେ ମିନି ମହାଭାରତ ଯୁଦ୍ଧଟିଏ ଘଟି ଯାଇଥାନ୍ତା, ତୃତୀୟ ବିଶ୍ବଯୁଦ୍ଧ ପାଇଁ ଆଉ ମାତ୍ର ମୁହୁର୍ତ୍ତେ ବାକିଥିଲା!

 

କଥା କ’ଣ ବୁଝୁ ବୁଝୁ ଜଣା ପଡିଲା କି ଚନ୍ଦ୍ର ମୋହନ ତାର ଗୁଋଙ୍କୁ ସ୍ବୟଂ ଈଶ୍ବର ସାବ୍ୟସ୍ତ କରି ଶ୍ୟାମ ସୁନ୍ଦର ବାବୁଙ୍କ ଗୁରୁ ତାଙ୍କର ଜଣେ ଅବତାର ଅର୍ଥାତ୍ ତା ଗୁରୁଙ୍କଠାରୁ ଶ୍ୟାମ ବାବୁଙ୍କ ଗୁରୁ ଛୋଟ ମାନେ ଜୁନିୟର ବାବା ପ୍ରମାଣିତ କରିବାକୁ ଯାଉଥିଲା। ହେଲେ ଏ କଥାକୁ ଶ୍ୟାମ ସୁନ୍ଦର ବରଦାସ୍ତ କେମିତି କରି ପାରି ଥାଆନ୍ତେ? ଯେତେ ହେଲେ ତାର ଗୁରୁଙ୍କର ଇଜ୍ଜତ୍ କା ସବାଲ, ହାଟ ମଝିରେ, ବିଚ୍ ବଜାରରେ ତା ଗୁରୁଙ୍କର ନାକ ନିଶ ତଳେ ପଡିଯିବନି? ଥ୍ୟାଙ୍କ ଗଡ୍, ଠିକ୍ ସମୟରେ ବଡବାବୁ ହସ୍ତକ୍ଷେପ କରି ଦେଲେ, ନହେଲେ କ’ଣ ଯେ ହୋଇଯାଇଥାନ୍ତା ଆଜି! ଶେଷରେ ବଡବାବୁ ସୁପ୍ରିମ କୋର୍ଟ ଆଦେଶ ଜାରି କରିଲା ପରି କହିଲେ, ଆମ ଦେଶ ଭାରତ ବର୍ଷ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ଏଠାରେ ସବୁ ଧର୍ମ ସବୁ ଗୁରୁ ବରାବର୍, କେହି ଛୋଟ ବା ବଡ ନୁହଁନ୍ତି। ତେଣୁ ସବୁ ଧର୍ମ ସବୁ ଗୁରୁଙ୍କୁ ସମାନ ସମ୍ମାନ ଦେବା ଜଣେ ଭଲ ନାଗରିକର କର୍ତ୍ତବ୍ୟ। ଏହା ଆମର ସମ୍ବିଧାନ କହୁଛି।

 

କିନ୍ତୁ କଥା ଏତିକିରେ ସମାପ୍ତ ହେଲା ନାହିଁ। ଚାରିଟା ବେଳ ଟି-ବ୍ରେକରେ କଥାଟିକୁ ନେଇ ଚା କପ୍‌ରେ ଏକ ମୃଦୁ ଝଡ ଉଠିଲା, ଏକ ଲଘୁ ବ୍ୟକ୍ତିଙ୍କ ସଭାପତିତ୍ବରେ। ସେ ହେଲେ ସୁଧାଂଶୁ ଶେଖର, ନୂଆ, ସିଧା କଲେଜରୁ ବାହାରି ଏଲ୍‌ଡି କ୍ଲର୍କ ପୋଷ୍ଟରେ ଜଏନ୍ କରିଛନ୍ତି ପିଛିଲା ଛ ମାସ ହେଲା। ଚଙ୍ଗଚଙ୍ଗିଆ ଗଜା ଭେଣ୍ଡିଆ ଟିଏ। ବଡ ପାଟିଟାଏ କରି କହିଲା ଏଇ ଆମର ଯେଉଁ ଧର୍ମ, ବାବା ଫାବା, ଦର୍ଶନ, ଶାସ୍ତ୍ର ଏ ସବୁ ଶଳା ଗୋଟେ ଫାର୍ସ। ଶଳା ସବୁ ଯାକ ବାବା, ଗୋଟ ଗୋଟେ ଭଣ୍ଡ ନହେଲେ ମେଜିସିଆନ୍, ଶଳେ ଏମିତି ନହେଲେ ଶୂନ୍ୟରୁ କଦଳୀ ଖସେଇବା କି ହାତ ମୁଠାରୁ ବିଭୂତି କି ସିନ୍ଦୁର ବାହାର କରିବା, ପ୍ରସାଦ ସେବନ କରେଇ ବାଞ୍ଝ ସ୍ତ୍ରୀଙ୍କୁ ଗର୍ଭବତୀ କରେଇ ଦେବା କେତେ ଅଜବ କଥା! ୟା ଠାରୁ ଭଲ ମେଜିକ୍ ତ ପି ସି ସରକାର ଜୁନିୟର ଦେଖେଇ ପାରିବ! ଶଳେ ଧର୍ମ ଧର୍ମ କହି ଗୋଟାଏ ତାମସା ଚଳେଇ ଛନ୍ତି, ଧର୍ମର ଦୋକାନ ଚଳେଇ କୋଟି କୋଟି ଟଙ୍କାରେ ଖେଳୁଛନ୍ତି। ଗୋଟାଏ ଲୀଳା ଚଲେଇଛନ୍ତି! ଆମ ଲୋକେ ସରଳ କି ଧର୍ମଭୀରୁ ନୁହଁନ୍ତି, ନିହାତି ବୋକା କହିଲେ ଭୂଲ ହେବନି। ଶଳେ ହିନ୍ଦୁ ମୁସଲମାନ କହି ଭାରତ-ପାକିସ୍ଥାନ କରି ଦେଲେ। ଏବେ ଗୁରୁ ଗୁରୁ କରି ଲୋକଙ୍କଠୁ ଲୋକଙ୍କୁ ଅଲଗା କରୁଛନ୍ତି!

 

ତା’ ପରେ ପରେ ଆରମ୍ଭ ହେଲା ଅସଲ ହଟ୍ ଟପିକ୍ ଟା, ଭଗବାନ ଅଛନ୍ତି କି ନାହିଁ, ପୁଣି ଗୋଟିଏ ବିବାଦାଷ୍ପଦ ପ୍ରଶ୍ନ, ମଞ୍ଜି ଆଗ ନା ଗଛ, ଅଣ୍ଡା ଆଗ ନା ମୁର୍ଗୀ, ଏକ ଅସମାଧିତ ପ୍ରଶ୍ନ। ଭଗବାନ ଯଦି ନାହାନ୍ତି ତେବେ ଗୁରୁବାଦର ସୃଷ୍ଟି କାହିକି? ମୃତ୍ୟୁ ପରେ ମଣିଷ ଆଉ ଥରେ ଜନ୍ମ ହୁଏକି ନାହିଁ? ମଲା ପରେ ମୁକ୍ତି ଅଥବା ନର୍କ ଗମନ? ମଲା ପରେ କ’ଣ ହୁଏ କିଏ ଦେଖିଛି? କ’ଣ ହୁଏ ଅବା ନାହିଁ?

 

ସଭା ମଝିରେ ଚନ୍ଦ୍ର ମୋହନ ତା’ର କ୍ଷୁଦ୍ର ଭାଷଣରେ ଯାହା କହିଲା, ତାହାର ସାର ମର୍ମ ହେଲା, ଭଗବାନ ଅଛନ୍ତି, ନିରାକାର, ଅଦୃଶ୍ୟ, ସ୍ପର୍ଶରୁ ବହୁ ଦୂର, କେବଳ ଅନୁଭବର ଜିନିଷ, ଏବଂ ଭକ୍ତ ପ୍ରହଲ୍ଲାଦ ଉପାଖ୍ୟାନଟିକୁ ସଂକ୍ଷିପ୍ତରେ ବର୍ଣନା କରି କହି ଦେଲା, ଭଗବାନ ସର୍ବତ୍ର ବିଦ୍ୟମାନ।

 

ଶ୍ୟାମ ସୁନ୍ଦର କିନ୍ତୁ କଥାଟାକୁ ମଝିରେ କାଟି କହି ଉଠିଲେ ଭଗବାନ ନିରାକାର ନୁହନ୍ତି। ଆମ ଗୁରୁଜୀ ହିଁ ହେଉଠନ୍ତି ସାକ୍ଷାତ ପରମେଶ୍ବର, ସବୁ ଅସମ୍ଭବକୁ ସମ୍ଭବ କରି ପାରିବାର ଚମତ୍କାରୀ କ୍ଷମତା ଥିବା ଗୁରୁ ହିଁ ଭଗବାନ!

 

ସୁଧାଂଶୁ ଶେଖରର ଧୈର୍ଯ୍ୟର ବନ୍ଧ ଯେମିତି ଭାଙ୍ଗିବ ଭାଙ୍ଗିବ ହେଉଥିଲା, ସିଏ ଆଉ ସମ୍ଭାଳି ନପାରି ହଠାତ୍ ଠିଆ ହୋଇ ପଡିଲା, କହିଲା, ଭଜବାନ ଫଗବାନ କିଛି ନୁହେଁ ହୋ, ଭଗବାନ ଆଉ ଭୁତ ଏକା କଥା, ଯାହାକୁ କେବେ କିଏ ନା ଦେଖିଛି ନା ଛୁଇଁଛି, ଖାଲି ଗୁଲି ଗପରେ ବଢେଇ ଚଢେଇ କହିବା ପାଇଁ ଗୋଟିଏ ବିଷୟ! ଭଗବାନଙ୍କର ଦୁଇରୁ ଆରମ୍ଭ କରି ଶହ ଶହ ମୁଣ୍ଡ, ଆଠ ଦଶୁଟା ହାତ କ’ଣ କ’ଣ ସବୁ ଧରିଥିବେ, ପଦ୍ମ ଫୁଲରୁ ଆରମ୍ଭ କରି ଖଣ୍ଡା ତଲୁଆର ଯାଏ! ଏଇ ସବୁ କିମ୍ଭୂତ କିମାକାର ଅଦ୍ଭୂତ କଳ୍ପନା, ପିଲାଙ୍କୁ ଡରେଇବାକୁ ଭୁତ, ଆଉ ବଡଙ୍କୁ ଡରେଇବା ପାଇଁ ଭଗବାନ! ସବୁ କଥାର ସାର ହେଲା ଭଲ କାମ କର, ଅନ୍ୟକୁ ଈର୍ଷା, ହିଂସା, ଛଳ କପଟ କର ନହିଁ, ନିଜେ ସୁଖରେ ଖୁସିରେ ରୁହ, ଅନ୍ୟକୁ ସୁଖରେ ରହିବାକୁ ଦିଅ। ଅସଲ କଥା ହେଲା ମାନବିକତା ଓ ମାନବ ଧର୍ମ। ମଣିଷକୁ ଭଲ ପାଅ, ଜାତି, ଧର୍ମ, ବର୍ଣ, ପୁରୁଷ କି ସ୍ତ୍ରୀ ଭୁଲି ମଣିଷକୁ ଭଲ ପାଅ, ସେମାନଙ୍କ ସୁଖରେ ଖୁସି ହୁଅ ଦୁଃଖରେ ସମଭାଗୀ ହୁଅ, ସମ୍ବେଦନଶୀଳ ହୁଅ, ଭଗବାନ କୁହ କି ଗୁରୁ- ଏସବୁ ଏକ ଅବଲମ୍ବନ ମାତ୍ର। ଏଇଆ ହେଉଛି ଧର୍ମ, ମୋ ପାଇଁକି ତ ଧର୍ମ ଏଇଆ, ବାକି ତୁମେ ତୁମର ଡିସାଇଡ କର!

 

ଚନ୍ଦ୍ର ମୋହନ କୌଣସି ସାଧୁଙ୍କର ପ୍ରବଚନ ଶୁଣିଲା ପରି ଏକଲୟରେ ସୁଧାଂଶୁ ବାବୁଙ୍କ କଥା ପିଇ ଯାଉଥିଲେ, ଜଣେ ଦାର୍ଶାନିନୀକ ପରି ନାକ ଓପରେ ଦୁଇ ଆଙ୍ଗୁଠି ରଖି ଊର୍ଦ୍ଧ୍ବମୁଖରେ କିଛି ସମୟ ସିଲିଂ ଫ୍ୟାନକୁ ଚାହିଁ ରହିଲେ, ସତେ ଯେପରି କିଛି ମନେ ପକଉଛନ୍ତି, କ’ଣ ଭାବି ହଠାତ୍ ଠିଆ ହୋଇଗଲେ। ପୁଣି କହିଲେ, ବୁଝିଲେ ସୁଧାଂଶୁ ବାବୁ, ଆପଣ ପିଲା ଲୋକ, ଧର୍ମ ଆଉ ଦର୍ଶନ ଉପରେ ଆପଣଙ୍କର କ’ଣ ଅନୁଭବ ଅଛି? କ’ଣ ଜାଣିଛନ୍ତି ଆମର ସଂସ୍କୃତି, ଗୀତା, ଭାଗବତ, ବେଦ, ପୁରାଣ ଉପରେ? ଭାଗବତ କହେ, ବିଶ୍ବାସେ ମିଳଇ ହରି, ତର୍କେ ବହୁ ଦୂର। ଭଗବତ୍ ସଂପର୍କୀତ କୌଣସି ଆଲୋଚନାରେ ତର୍କର ସ୍ଥାନ ନାହିଁ। ସତେ ଅବା ଚନ୍ଦ୍ରମୋହନ ସବୁ ଠିକ୍ ଶୁଣି, ସବୁ ଠିକ୍ ବୁଝିଲେ ବି ନିଜର ମତ ପରିବର୍ତ୍ତନ କରିବାକୁ କୁଣ୍ଠିତ ହେଉଥିଲେ, କିମ୍ବା ସେ ଇଚ୍ଛା କରି ମଧ୍ୟ ଗୁରୁଦ୍ରୋହୀ ହେବା ଭୟରେ ସୁଧାଂଶୁ ବାବୁଙ୍କ କଥା ମାନି ନେବାକୁ ପ୍ରସ୍ତୁତ ନଥିଲେ। ତେଣୁ ତର୍କର ନାଆରେ ବସି ଏଇ ଆଲୋଚନାରୁ ପଳେଇ ଯିବାକୁ ଚାହୁଁଥିଲେ। ଟି-ବ୍ରେକ ସମୟ ସମାପ୍ତ ହୋଇ ସାରିଥିଲା। ଅନ୍ତତଃ ସମସ୍ତେ ନିଜ ନିଜ ସିଟ୍‌କୁ ଫେରି ଗଲେ। କିନ୍ତୁ ମୁଁ ତଥାପି ଭାବୁଥିଲି, ସତ ଆଉ ଠିକ୍ କଥା କିଏ କହୁଥିଲା? ସୁଧାଂଶୁ ନା ଚନ୍ଦ୍ର ମୋହନ? ମୋତେ ତ ଉତ୍ତର ମିଳୁନି, ଆପଣଙ୍କୁ ଯଦି ମିଳି ଯାଏ ମୋତେ ନିଶ୍ଚୟ କହିବେ, ଧନ୍ୟବାଦ୍!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top