ପାଠୁଆ, ଅପାଠୁଆ, କୁପାଠୁଆ

News Story - Posted on 2017-03-27

ପରଂବ୍ରହ୍ମ ତ୍ରିପାଠୀ

 

ଜଣେ ଅପାଠୁଆକୁ ଆଉ ଜଣେ କୁପାଠୁଆ। ଚାଲିଛି ଯୁକ୍ତିତର୍କ, ବାକ ବିତଣ୍ଡା। ଦୁହେଁ କହୁଛନ୍ତି, ଆମେ ଠିକ ଆଉ ଏଯାଏଁ ଯାହା ହେଇଛି ଆମେ କେବଳ ଆମେ ହିଁ ତାହା କରିଛୁ। ପାଖରେ ଅଳ୍ପ ହେଲେ ବି କିଛି ପାଠୁଆ ଲୋକ ଅଛନ୍ତି। ହେଲେ ଯୁକ୍ତି ଥମିବାର ନାଁ ନେଉନି। ବରଂ କିଛି ସମୟ ପରେ ଦେଖିଲା ବେଳକୁ ସେ ପାଠୁଆ ପଞ୍ଝାକ ବି ବାଣ୍ଟି ହେଇଗଲେ ନିଜ ସୁବିଧା ଅନୁସାରେ। ଦଳେ ଅପାଠୁଆଙ୍କ ପଟେ, ଆଉ ଦଳେ କୁପାଠୁଆଙ୍କ ପଟେ। ବାସ, ଏବେ ଆରମ୍ଭ ହେଇଗଲା ମହାଭାରତ। ମୁଥ ପରେ ମୁଥ, ବିଧା ଚାପୁଡ଼ା।

 

ମୁଁ କେଉଁ ଜାଗାର କଥା କହୁଛି କହିଲେ? ଆପଣଙ୍କ ଗାଁ କଥା? ହେଇ ପାରେ! ଭୁବନେଶ୍ବର କଥା। ହଁ ମ, ସେଠି ବି ସେମିତି! ଦିଲ୍ଲୀ କଥା କି? ଏମିତି ଘଟଣାଟେ ପରା ଦୁଇ ତିନ ଦିନ ତଳେ ହେଇଥିଲା! ସେକଥା ଛାଡ଼ନ୍ତୁ ମ! ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ପରା ଏବେ ସେଇ ଏକ କଥା। ଏ ବାତାବରଣକୁ ଆପଣ ଯେଉଁ ନା ଦିଅନ୍ତୁ ନ କାହିଁକି, ସମଗ୍ର ବିଶ୍ବର ଆଜି ଏଇ ସମସ୍ୟା, କେଉଁଠି ଅଧିକ ତ କେଉଁଠି କମ। କେତେ ଜୋରରେ ପାଟି କରି କେମିତି ସାମ୍ନା ଲୋକର ପାଟି ବନ୍ଦ କରିହେବ- ଚାଲିଛି ସେଇ ବିକଳ ପ୍ରତିଯୋଗିତା। ଯୁବରାଣୀ ଡାଏନାଙ୍କ କଥା ମନେ ଅଛି? ମରିବାର କିଛିଦିନ ପୂର୍ବରୁ ସେ କହିଥିଲେ, ଏ ବିଶ୍ବର ସବୁଠାରୁ ବଡ ଶତ୍ରୁ ହେଉଛି ଅପାଠୁଆ ଓ କୁପାଠୁଆଙ୍କ ବାକବିତଣ୍ଡାରେ ସୃଷ୍ଟି ହେଉଥିବା ଅସହିଷ୍ଣୁତାର ବାତାବରଣ।

 

ଚମଟା ଗୋରା ଦେଖାଯିବା କ’ଣ ଜଣେ ଲୋକକୁ କଳା କିମ୍ବା ବାଦାମୀ ରଙ୍ଗର ଲୋକଠାରୁ ଅଧିକ ଜ୍ଞାନୀ ବା କାର୍ଯ୍ୟଦକ୍ଷ କରିଦିଏ? ଏହାର କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ। ହେଲେ କିଛି ବଡ଼ପାଟିଆ ଏପରି ଜ୍ଞାନ ଦେଇ ଚାଲିଛନ୍ତି କେଜାଣି କେତେ ଶତାବ୍ଦୀ ଧରି।  ସେ ମୋ ଧର୍ମର ନୁହେଁ, ଏଇଟା କ’ଣ ମତେ ଅଧିକାର ଦେଉଛି ସାମ୍ନା ଲୋକଟାକୁ ମାରିଦେବାକୁ ବା ଅପମାନିତ କରିବାକୁ? କିନ୍ତୁ ଏ ହତ୍ୟା ଓ ଅପମାନର ବିଷମ ବଳୟ ଥମିବାର ନାଁ ନେଉନି। ଥମିବ ବା କେମିତି, ଯାହା ଚାଲିଛି ପରା ବଡ଼ପାଟିଆଙ୍କ କାମ। ଧର୍ମଗ୍ରନ୍ଥ ନାଁରେ ଖେଳା ଯାଉଛି ରକ୍ତର ହୋଲି। ହେ ବଡ ପଟିଆମାନେ, ଛାତିରେ ହାତ ରଖି କହିଲ, ନିଜେ କେବେ ପଢିଛ ଏ ଧର୍ମଗ୍ରନ୍ଥ ସବୁ? ଦେଖେଇପାରିବ କେଉଁଠି ଲେଖା ହେଇଛି ଯେ ଧର୍ମ ନାଁରେ ଉନ୍ମାଦତା ଓ ଆତଙ୍କରାଜର ବାତାବରଣ ସୃଷ୍ଟି କରିବାକୁ? ନିଜେ ତ ଧର୍ମଗ୍ରନ୍ଥ ବିଷୟରେ ଅପାଠୁଆ ନହେଲେ କୁପାଠୁଆ, କାହିଁକି ଖେଲିଚାଲିଛ ନିରୀହ ଲୋକଙ୍କ ସହ, କାହିଁକି ବିଷ ଭର୍ତ୍ତି କରୁଛ ଯୁବ ମାନସରେ? 

 

ଦଳେ ବଡ଼ ପାଟିରେ କହୁଛନ୍ତି, ଏ ପୋଥି ପୁରାଣ ସବୁ ମନଗଢା କଥା, କିଛି ସତ୍ୟତା ନାହିଁ। ଆଉ ଦଳେ ତା’ଠୁ ବଡ଼ ପାଟିରେ କହୁଛନ୍ତି ଦୁନିଆର ଆରମ୍ଭ ପରା ଏଇ ପୋଥି ପୁରାଣରୁ। ସବୁଠୁ ମଜା କଥା କଥାଟି କ’ଣ ଜାଣିଛନ୍ତି? ଏ ଦୁଇ ବଡ଼ ପଟିଆଙ୍କ ଭିତରୁ ଅନେକ କେବଳ ପୋଥି ପୁରାଣ ନାଁ ହିଁ ଶୁଣିଛନ୍ତି। ଅନେଶୋତ ଭାଗ ବଡ଼ ପାଟିଆ କେବେ ଏହାକୁ ଓଲଟେଇ ଭିତରକୁ ଯାଇନାହାନ୍ତି। ଯିଏ ଯାଇନି ସିଏ ତ ଏମିତି କହିବ। ହେଲେ ଯେଉଁମାନେ ଭିତରକୁ ଯାଇଛନ୍ତି ସେମାନେ କାହିଁକି ରହସ୍ୟଜନକ ଭାବେ ଚୁପ ଅଛନ୍ତି?

 

ଅପାଠୁଆ ଓ କୁପାଠୁଆଙ୍କ ଭିତରର  ଏ ଲଢେଇ ଆଜିର ନୁହେଁ। ଇତିହାସ ସାକ୍ଷୀ ଅଛି, ଏ ଲଢେଇ ଚାଲି ଆସିଛି ସଭ୍ୟତାର ଆରମ୍ଭରୁ। ଏହି କଥାଟି କହିଲା ବେଳେ ପାଠ ସହ କୌଣସି ଡିଗ୍ରୀକୁ ଯୋଡି଼ବାର ଆବଶ୍ୟକତା ଅଛି ବୋଲି ମୁଁ ବ୍ୟକ୍ତିଗତ ଭାବେ ଭାବେ ନାହିଁ। ଯେଉଁ ଦେଶ ଶ୍ରୁତିର ପରମ୍ପରାରେ ନିଜ ସଭ୍ୟତା ଓ ଐତିହ୍ୟ ଗଢ଼ିଛି, ସେଠି କୌଣସି ଡିଗ୍ରୀ ଯେ ଜଣକୁ ଅଧିକ ଜ୍ଞାନୀ କରିଦିଏ ମୁଁ ସେ କଥାରେ ଏକମତ ହେଇପାରେନି। ତା ଛଡା ବିଶ୍ବର ଭଲ ଭଲ ବିଶ୍ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଇଥିବା ଅନେକ ଏହି ଅପାଠୁଆ ଓ କୁପାଠୁଆ ଶ୍ରେଣୀଭୁକ୍ତ ହେବାର ନଜିର ମଧ୍ୟ ଆଦୌ ବିରଳ ନୁହେଁ। କୁପାଠୁଆ ଓ ଅପାଠୁଆଙ୍କର କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ, ଲିଙ୍ଗ ବା ଦେଶ ନାହିଁ। ଏମାନେ ସର୍ବବ୍ୟାପୀ, ମଉକା ମିଳିଲା ମାନେ ଖପରା ମାରନ୍ତି ସ୍ଥିର ପୋଖରୀ ପାଣିକୁ। ପୋଖରୀ ଯାକ ଖେଳିଯାଏ ଲହର, ଆଉ ଉଭୟ ପୋଖରୀ କୂଳରେ ବସି ମଜା ନିଅନ୍ତି। ଆଉ ଏବେ ଏମାନଙ୍କ କାମ ସହଜ କରିଛି ସାମାଜିକ ଗଣମାଧ୍ୟମ। ଭିଏତନାମର ଚିତ୍ରକୁ ଆସାମ ନାଁ ଦେଇ, କାହା ଦେହରେ କାହା ମୁଣ୍ଡ ଯୋଡି, ଅର୍ଥର ଅନର୍ଥ କରି, ଏମାନେ ତିଆରୁଛନ୍ତି ବିଷର ବଳୟ। ଆମେ ବି ପିଇ ଯାଉଛେ ସେମାନଙ୍କ କଥା ଆଉ ସୋସିଆଲ ମେଡିଆ ପୋଷ୍ଟିଙ୍ଗ ସବୁକୁ।

 

ଅପାଠୁଆ ଓ କୁପାଠୁଆଙ୍କ ଭିତରେ ଏ ଲଢେଇ ଚାଲିଥିଲା ଓ ଚାଲିବ। ହେଲେ, ସଭ୍ୟତାର ସନ୍ଧିକ୍ଷଣରେ ସେତେବେଳେ ହିଁ ଭୟାନକ ମୋଡ଼ ଆସେ ଯେବେ ପାଠୁଆମାନେ ନିଜ ଜାଣତ ବା ଅଜାଣତରେ ଉପରୋକ୍ତ ଦୁଇ ପକ୍ଷରୁ ଗୋଟିଏ ପକ୍ଷରେ ପକ୍ଷଭୁକ୍ତ ହୁଅନ୍ତି। ଇତିହାସରେ ଏପରି ନଜିର ଅନେକ, ଆଉ ଏକଥା ମଧ୍ୟ ସେତିକି ସତ୍ୟ ଯେ ପକ୍ଷଭୁକ୍ତ ହେବାକୁ ଇତିହାସ ନୀରବରେ ବା ଅସହାୟତାରେ ଗ୍ରହଣ କରିଥାଇ ପାରେ, ହେଲେ କେବେ ବି ସ୍ବୀକାର କରିନି ବା କ୍ଷମା ମଧ୍ୟ ଦେଇନି।

 

ନାଉଗାଁ ହାଟ, ଜଗତସିଂହପୁର

09717302205


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top