କପଡ଼ା କିଣାରେ ଯାଉଛି ୧୧,୫୮୪ କୋଟି!

News Story - Posted on 2017-03-27

ଓଡ଼ିଶାର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ବାର୍ଷିକ ହାରାହାରି ୧୧,୯୯୫ କୋଟି ଟଙ୍କା ମୂଲ୍ୟର ୧୦୮.୬୪ କୋଟି ବର୍ଗ ମିଟର କପଡ଼ା ଆବଶ୍ୟକ। ତେବେ ଏଥିମଧ୍ୟରୁ ରାଜ୍ୟ ଭିତରେ ମାତ୍ର ୪୧୦ କୋଟି ୪୭ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୩ କୋଟି ୩୬ ଲକ୍ଷ ବର୍ଗମିଟର କପଡ଼ା ଉତ୍ପାଦିତ ହେଉଛି। ଫଳରେ କପଡ଼ା ଉତ୍ପାଦନ କ୍ଷେତ୍ରରେ ସ୍ୱୟଂସମ୍ପୂର୍ଣ୍ଣ ନଥିବାରୁ ଓଡ଼ିଶା ରାଜ୍ୟ ବାହାରୁ ବାର୍ଷିକ ପ୍ରାୟ ୧୧,୫୮୪ କୋଟି ଟଙ୍କାର କପଡ଼ା ଆମଦାନୀ କରୁଛି। ବାର୍ଷିକ ଚାହିଦାର ୪ ପ୍ରତିଶତ କପଡ଼ା ବି ଓଡ଼ିଶାରେ ଉତ୍ପାଦିତ ହୋଇପାରୁନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଲୁଗାକଳରେ ବାର୍ଷିକ ହାରାହାରି ୧ କୋଟି ୮ ଲକ୍ଷ ବର୍ଗମିଟର ବସ୍ତ୍ର ଉତ୍ପାଦନ ହେଉଛି ଯାହାର ମୂଲ୍ୟ ୩୨ କୋଟି ୪୦ ଲକ୍ଷ ଟଙ୍କା। ଏହାଛଡ଼ା ରାଜ୍ୟରେ ବାର୍ଷିକ ପ୍ରାୟ ୩୭୮ କୋଟି ଟଙ୍କା ମୂଲ୍ୟର ୨.୨୮ କୋଟି ବର୍ଗ ମିଟର ହସ୍ତତନ୍ତ କପଡ଼ା ମଧ୍ୟ ଉତ୍ପାଦିତ ହୋଇଛି। ଓଡ଼ିଶାରେ ଯେତେ କପଡ଼ା ଉତ୍ପାଦିତ ହେଉଛି ସେଥିରୁ ମାତ୍ର ୮୭ ଲକ୍ଷ ଟଙ୍କାର ସାମଗ୍ରୀ ବିଦେଶକୁ ରପ୍ତାନି କରାଯାଉଥିବା ବେଳେ ଅନ୍ୟ ରାଜ୍ୟମାନଙ୍କୁ ବିଗତ ବର୍ଷରେ ପଠାଯାଇଛି ୭ କୋଟି ଟଙ୍କାର କପଡ଼ା। କପଡ଼ା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ୱୀ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ଯୋଜନାଗୁଡ଼ିକର ଲମ୍ୱା ତାଲିକା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।

 

ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସରକାର ସ୍ୱୀକାର କରିଛନ୍ତି ଯେ ଓଡ଼ିଶାରେ ଓଟିଏମ‌୍‍ ଓ ଆଉ ୧୨ଟି ସମବାୟ କଳତନ୍ତ ବୟନଶିଳ୍ପ ୟୁନିଟ‌୍‍ ଏବଂ ୧୩ଟି ସୂତାକଳ ବନ୍ଦ ହୋଇପଡ଼ିଛି। ୨୦୦୦ରୁ ୨୦୧୭ ବର୍ଷ ମଧ୍ୟରେ କଳତନ୍ତ ଓ ସୂତାକଳ ପ୍ରତିଷ୍ଠ ଲାଗି ରାଜ୍ୟରେ କୌଣସି ପୁଞ୍ଜି ବିନିଯୋଗ କରାଯାଇନାହିଁ। ଏ ପରିପ୍ରେକ୍ଷୀରେ କୌଣସି କର୍ମନିଯୁକ୍ତି ହୋଇନାହିଁ ଏବଂ ଉତ୍ପାଦନ କ୍ଷମତା ସୃଷ୍ଟି କରାଯାଇନାହିଁ ବୋଲି ବୟନଶିଳ୍ପ ମନ୍ତୀ ରୋକ‌୍‍ଠୋକ‌୍‍ ଭାବେ ଜଣାଇଛନ୍ତି।

 

ଓଡ଼ିଶାକୁ କପଡ଼ା ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ୱୀ କରିବା ପାଇଁ ୧୯୪୬ ମସିହାରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ପ୍ରତିଷ୍ଠିତ ହୋଇଥିବା ଚୌଦ୍ୱାରର ଓଟିଏମ‌୍‍ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଅମଳରେ ବନ୍ଦ ହୋଇଥିବା ବେଳେ ଏହାକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ସରକାର ଆଦୌ ପଦକ୍ଷେପ ନେଉନଥିବା ବିଜୁ ବାବୁଙ୍କ ସ୍ମାରକୀ ପ୍ରତି ବିଜେଡି ସରକାରଙ୍କ ଚରମ ଅପମାନ ବୋଲି ବିଧାୟକ ଶ୍ରୀ ରାୟ କ୍ଷୋଭର ସହ ଏକ ବିବୃତ୍ତିରେ କହିଛନ୍ତି। ଓଡ଼ିଶାରେ ପ୍ରଚୁର କପା ଉ୍ୱାଦିତ ହେଉଥିବା ବେଳେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଚାଷୀଙ୍କୁ ଶୋଷି ଶସ୍ତାରେ କପା ନେଇ ଯାଉଛନ୍ତି। ଅଥଚ ବୟନ ଶିଳ୍ପ ଓ ହସ୍ତତନ୍ତ ପାଇଁ ଆବଶ୍ୟକ ହେଉଥିବା ସୂତାରୁ ଓଡ଼ିଶାରେ ଗୋଟିଏ ମିଟର‌୍‍ ବି ଉତ୍ପାଦିତ ହେଉନାହିଁ।

 

ସମସ୍ତ ସୂତାକଳ ବନ୍ଦ ରହିବା ସହିତ ୧୨ଟି ସମବାୟ କଳତନ୍ତ, ବୟନଶିଳ୍ପ ଓ ଓଟିଏମ‌୍‍କୁ ବନ୍ଦ କରିଦେଇ ରାଜ୍ୟ ସରକାର ବସ୍ତୁତଃ ଓଡ଼ିଶାର କପା ଚାଷୀମାନଙ୍କୁ ପ୍ରତାରିତ କରିବା ସଙ୍ଗେ ସଙ୍ଗେ କପଡ଼ା କ୍ଷେତ୍ରରେ ରାଜ୍ୟକୁ ପରମୁଖାପେକ୍ଷୀ କରି ରଖିଛନ୍ତି ବୋଲି ଶ୍ରୀ ରାୟ ଅଭିଯୋଗ କରିବା ସଙ୍ଗେ ସଙ୍ଗେ ସୂତା ଓ ଲୁଗାକଳଗୁଡ଼ିକୁ ବନ୍ଦ କରିଦେଇ ରାଜ୍ୟ ସରକାର କପଡ଼ା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ୱୀ କରିବା ଲାଗି ଶୂନ୍ୟରେ ଯୋଜନା କରି କେବଳ ରାଜକୋଷରୁ ବ୍ୟାପକ ଅର୍ଥ ବରବାଦ କରାଉଛନ୍ତି। ଓଡ଼ିଶାର ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ସୂତା ଓ ଲୁଗାକଳମାନ ଚାଲୁ କରାଗଲେ ବ୍ୟାପକ କର୍ମନିଯୁକ୍ତି ସହିତ ରାଜ୍ୟର ଅର୍ଥନୀତି ସମୃଦ୍ଧ ହୋଇପାରିବ ବୋଲି ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top