ଓଡ଼ିଶା ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼!

News Story - Posted on 2017-03-27

ଜାତୀୟ ହକି ଦଳରେ ଏବେ ଓଡ଼ିଶାର ୧୨ ଜଣ ଖ୍ୟାତି ସମ୍ପନ୍ନ କ୍ରୀଡ଼ାବିତ‌୍‍ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର। କେବଳ ସେତିକି ନୁହେଁ ଏଯାବତ‌୍‍ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ୬୧ ଜଣ ହକି ଖେଳାଳି ଓଡ଼ିଶା ଦେଇଥିବା ବେଳେ ଏମାନଙ୍କ ଭିତରୁ ୬୦ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର। ଏହା ସତ୍ତ୍ବେ ବି ସୁନ୍ଦରଗଡ଼ ଜିଲ୍ଲାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ହକି ମ୍ୟାଚ‌୍‍ ହେଉନାହିଁ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କ୍ରୀଡ଼ା ଓ ଯୁବସେବା ରାଜ୍ୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ଜାତୀୟ ଓ ରାଜ୍ୟ ସ୍ତରର ମହିଳା ଓ ପୁରୁଷ ହକି ଟିମ‌୍‍ରେ ଏବେ ଓଡ଼ିଶାର କେଉଁମାନେ ଖେଳୁଛନ୍ତି ଏବଂ ଏଯାବତ‌୍‍ ଓଡ଼ିଶାର କେଉଁ କେଉଁ ହକି ଖେଳାଳି ଆନ୍ତର୍ଜାତିକ ମ୍ୟାଚ‌୍‍ ଖେଳିଲେଣି ଓ ସେମାନଙ୍କ ମଧ୍ୟରୁ କେଉଁମାନେ ସୁନ୍ଦରଗଡ଼ ଜିଲ୍ଲାର ବୋଲି ପ୍ରଶ୍ନ ପ୍ରଚାରିବା ସହିତ ବିଧାୟକ ଶ୍ରୀ ରାୟ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ହକି ଖେଳାଳି ଥିବା ବେଳେ ଭୁବନେଶ୍ୱର ପରିବର୍ତ୍ତେ ରାଉରକେଲାରେ ଜାତୀୟ ଓ ଅନ୍ତର୍ଜାତୀୟ ହକି ମ୍ୟାଚ‌୍‍ମାନ ଆୟୋଜନ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

 

ତେବେ ଏହାର ଉତ୍ତରରେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ହକି ଖେଳାଳି ଥିବାରୁ ହକି ଖେଳକୁ ପ୍ରୋତ୍ସାହନ ଦେବା ନିମନ୍ତେ ରାଉରକେଲା କ୍ରୀଡ଼ା ଛାତ୍ରାବାସ ପରିସରରେ ୨ ଗୋଟି, ରାଉରକେଲା ଇସ୍ପାତ ଏକାଡେମୀ ହକି ଷ୍ଟାଡିୟମ‌୍‍ ଓ ସୁନ୍ଦରଗଡ଼ ସାଇ ଛାତ୍ରାବାସ ପରିସରରେ ଗୋଟିଏ ଏହିପରି ମୋଟ‌୍‍ ୪ଟି ଆଷ୍ଟ୍ରୋଟ୍ରପ‌୍‍ ହକି ପଡ଼ିଆ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ହକି ମ୍ୟାଚ‌୍‍ ଆୟୋଜନ ଲାଗି ପ୍ରୟାସ ଜାରି ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

 

କ୍ରୀଡ଼ାମନ୍ତ୍ରୀ ଦେଇଥିବା ତାଲିକାରେ ଉଲ୍ଲେଖ କରିଛନ୍ତି ଯେ ଲିଲିମା ମିଞ୍ଜ‌୍‍, ଦୀପ‌୍‍ଗ୍ରେସ‌୍‍ ଏକ୍କା, ନମିତା ଟୋପୋ, ସୁନିତା ଲାକ୍ରା, ଅନୁପା ବାର୍ଲା, ପୁନମ‌୍‍ ବାର୍ଲା, ବୀରେନ୍ଦ୍ର ଲାକ୍ରା, ଦୀପ‌୍‍ସାନ‌୍‍ ତିର୍କୀ, ଆନନ୍ଦ ଲାକ୍ରା, ନିଲମ‌୍‍ ସଞ୍ଜିବ‌୍‍ ଖେସ‌୍‍, ମାରିଆନା କୁଜ୍ରୁ ଓ ରସ୍ମିତା ମିଞ୍ଜ‌୍‍ଙ୍କ ଭଳି ହକି ଖେଳାଳିମାନେ ପୁରୁଷ ଓ ମହିଳା ଦଳର ବିଭିନ୍ନ ବର୍ଗରେ ଜାତୀୟ ଦଳକୁ ପ୍ରତିନିଧିତ୍ୱ କରୁଛନ୍ତି। ଏମାନଙ୍କ ମଧ୍ୟରୁ ରଶ୍ମିତା ମିଞ୍ଜ‌୍‍ ଦେବଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ସମସ୍ତ ଜାତୀୟସ୍ତରର ହକି ଖେଳାଳି ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର।

 

ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ ଏଯାବତ‌୍‍ ଓଡ଼ିଶାରେ ୬୧ ଜଣ ହକି ଖେଳାଳି ଆନ୍ତର୍ଜାତୀୟ ମ୍ୟାଚ‌୍‍ ଖେଳିଛନ୍ତି । ଏମିତିକି ୫ ଜଣ ମଧ୍ୟ ଅଲିମ୍ପିକରେ ଭାଗ ନେଇଛନ୍ତି। ଏହି ହକି ଖେଳାଳିଙ୍କ ମଧ୍ୟରୁ ଦୁଇ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହି ୬୧ ଜଣ ଆନ୍ତର୍ଜାତୀୟ ସ୍ତରର ହକି ଖେଳାଳିମାନଙ୍କ ମଧ୍ୟରୁ ୨୬ ଜଣ ପୁରୁଷ ଥିବା ବେଳେ ୩୪ ଜଣ ହେଉଛନ୍ତି ମହିଳା। ଏହି ୬୧ ଜଣଙ୍କ ମଧ୍ୟରୁ ରୋସନ‌୍‍ ମିଞ୍ଜ‌୍‍ଙ୍କୁ ଛାଡ଼ିଦେଲେ ଅନ୍ୟ ୬୦ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛନ୍ତି।

 

ଜାତୀୟ ଓ ଆନ୍ତର୍ଜାତୀୟ ହକି ସମେତ ରାଜ୍ୟ ଦଳରରେ ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ଯଥେଷ୍ଟ ରହିଥିବା ବେଳେ ସେଠାକାର ଯୁବ ଓ ଛାତ୍ର ହକି ଖେଳାଳିମାନଙ୍କୁ ଉତ୍ସାହିତ କରିବା ଲାଗି ରାଉରକେଲାରେ ଆନ୍ତର୍ଜାତୀୟ ଓ ଜାତୀୟ ହକି ମ୍ୟାଚ‌୍‍ ମାନ ଆୟୋଜନ କରିବା ଏବଂ ହକି ଖୋଳାଳିମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ବିଧାୟକ ଶ୍ରୀ ରାୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top