ଲା ନିନା ଗଲା, ଆସିବ ଏଲ‌୍‍ ନିନୋ!

News Story - Posted on 2017-03-25

ଚଳିତ ବର୍ଷ ଏଲ ନିନୋ ପ୍ରଭାବରୁ ମୁକ୍ତ ରହିବ ଭାରତ। ଆସନ୍ତା ମୌସୁମୀ ଚାରି ମାସର ଶେଷ ଆଡ଼କୁ ଏଲ ନିନୋ ଆସିବ ବୋଲି ଅନୁମାନ କରାଯାଉଛି। ସେତେବେଳକୁ ବର୍ଷା ଋତୁ ସରି ସରି ଆସୁଥିବ। ତେଣୁ ଭାରତରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ଅନୁମାନ କରୁଛନ୍ତି ପାଣିପାଗ ବିଭାଗର ବିଶେଷଜ୍ଞ।

 

ମୌସୁମୀ ସାଧାରଣତଃ ଭାରତର ଦକ୍ଷିଣ ଉପକୂଳ କେରଳରେ ଜୁନ ପହିଲା ସୁଦ୍ଧା ପହଂଚିଥାଏ ଓ ରାଜସ୍ଥାନ ଦେଇ ସେପ୍ଟେମ୍ୱର ଅଧାଅଧିରୁ ବିଦାୟ ନିଏ। ଭାରତର ୨ ଲକ୍ଷ କୋଟି ଡଲାର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କୃଷି ମୁଖ୍ୟତଃ ମୌସୁମୀ ନିର୍ଭରଶୀଳ। ଏ ବର୍ଷ ଏଲ‌୍‍ ନିନୋ ଜୁଲାଇ ପରେ ଆସିବାର ସମ୍ଭାବନା ଥିବାରୁ ଆମେ ଏ ନେଇ ଆଦୌ ବ୍ୟସ୍ତ ହେବୁ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିଦ୍ଦେର୍ଶକ କେଜେ ରମେଶ। ଜୁଲାଇ ପରେ ଏଲ‌୍‍ ନିନୋ ଆସିଲେ ମୌସୁମ ବିଳମ୍ୱିତ ହେବାର ନାହିଁ କି ବୃଷ୍ଟିପାତ ଉପରେ ଏହାର ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ। କାରଣ ସେତେବେଳକୁ ମୌସୁମୀ ବର୍ଷା ସମଗ୍ର ଭାରତକୁ ବ୍ୟାପି ସାରିଥିବ।

 

ଚଳିତ ମାସ ପ୍ରାରମ୍ଭରେ ଆମେରିକା ସରକାରଙ୍କର ପାଣିପାଗ ବିଭାଗ କହିସାରିଛି ଯେ ଲା ନିନା ପ୍ରଭାବ ଫେରି ଯାଇଛି ଓ ଆଗକୁ ଏଲ‌୍‍ ନିନୋ ପ୍ରଭାବ ଅନୁଭୂତ ହେବାର ଅଛି। ଜାପାନା ଓ ଅଷ୍ଟ୍ରେଲିଆର ବିଶେଷଜ୍ଞମାନେ ମଧ୍ୟ କହିସାରିଲେଣି ଯେ ଏ ବର୍ଷ ଶେଷ ଭାଗରେ ଏଲ‌୍‍ ନିନୋ ଆସିବାର ୪୦-୫୦ ପ୍ରତିଶତ ସମ୍ଭାବନା ରହିଛି।

 

ପୂର୍ବ ଓ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରର ଉପରିଭାଗ ଜଳ ଉତ୍ତପ୍ତ ହେବା ପ୍ରକ୍ରିୟାକୁ ଏଲ‌୍‍ ନିନୋ କୁହାଯାଏ। ଏହି ପ୍ରକ୍ରିୟା ପ୍ରାୟତଃ କିଛି କିଛି ବର୍ଷ ଅନ୍ତରରେ ଘଟିଥାଏ। ଏହାର ପ୍ରଭାବରେ ମରୁଡ଼ି, ସ୍ୱଳ୍ପ ବୃଷ୍ଟିପାତ, ଅଗ୍ନିକାଣ୍ଡ ଓ ବନ୍ୟା ପରି ପ୍ରାକୃତିକ ଦୁର୍ବିପାକ ଅନୁଭୂତ ହେବାର ସମ୍ଭାବନା ଥାଏ। ଲା ନିନା ପ୍ରଭାବରେ ଅଧିକ ବର୍ଷା ହୋଇଥାଏ। କିନ୍ତୁ ଗତ ମୌସୁମୀରେ ଭାରତରେ ଲା ନିନା ପ୍ରଭାବ ପଡ଼ିବ ଓ ପ୍ରବଳ ବର୍ଷା ହେବ ବୋଲି ପୂର୍ବରୁ ଅନୁମାନ କରାଯାଇଥିଲେ ବି ହାରାହାରି ବୃଷ୍ଟିପାତ ହୋଇଥିଲା ବୋଲି କହିଛନ୍ତି ରମେଶ। ବିଷୁବ ମଣ୍ଡଳୀୟ ପ୍ରଶାନ୍ତ ମହାସାଗର ଜଳ ଅସ୍ୱାଭାବିକ ଭାବେ ଶୀତଳ ରହିବା ପ୍ରକ୍ରିୟାକୁ ଲା ନିନା କୁହାଯାଏ। ଏହା ପ୍ରତି ଦୁଇରୁ ସାତ ବର୍ଷ ଭିତରେ ଅନୁଭୂତ ହୋଇଥାଏ। ଏଲ‌୍‍ ନିନୋ ତୁଳନାରେ ଲା ନିନା ସାଧାରଣତଃ କମ‌୍‍ କ୍ଷତିକାରକ।

 

ଭାରତରେ ଚାରି ମାସିଆ ମୌସୁମୀ ଋତୁରେ ୫୦ ବର୍ଷର ହାରାହାରି ହିସାବରେ ୮୯ ସେଣ୍ଟିମିଟର ବୃଷ୍ଟିପାତର ୯୬-୧୦୪ ପ୍ରତିଶତ ବର୍ଷା ହୋଇଥାଏ। ଏହି ଋତୁରେ ହିଁ ଭାରତର ମୋଟ ବୃଷ୍ଟିପାତର ୭୦ ପ୍ରତିଶତ ବର୍ଷା ହୋଇଥାଏ। ମୌସୁମୀ ଉପରେ ଭାରତ ୨୬.୩ କୋଟି କୃଷକ ନିର୍ଭର କରିଥାନ୍ତି। ବର୍ଷା ଉପରେ ନିର୍ଭର କରି ଭାରତର ଅଧିକାଂଶ ଚାଷୀ ଧାନ, ଆଖୁ, ମକା, କପା ଓ ସୋୟାବିନ ଆଦି ଫସଲ ଫଳାଇଥାନ୍ତି।

 

୨୦୧୬ ମସିହାରେ ହାରାହାରି ବର୍ଷା ହେବା ପୂର୍ବରୁ ଦୁଇ ବର୍ଷ ଧରି ଭାରତରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତ ଶତାବ୍ଦୀରେ ଏଭଳି ପରିସ୍ଥିତି ମାତ୍ର ଚତୁର୍ଥ ଥର ପାଇଁ ଦେଖାଯାଇଥିଲା। ଏହା ଫଳରେ ଅନେକ କୃଷକ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top