ରେକର୍ଡ଼ ନିମ୍ନରେ ମେରୁ ତୁଷାର

News Story - Posted on 2017-03-25

ଆର୍କଟିକ ଓ ଆଣ୍ଟାର୍କଟିକା ଅଂଚଳରେ ସାଗର ତୁଷାର ରେକର୍ଡ଼ ନିମ୍ନ ସ୍ତରକୁ ଖସିଯାଇଛି। ଆମେରିକାର ନାସା ଏବଂ ଏହାର ସହଯୋଗୀ ଏନଏସଆଇଡିସିର ବୈଜ୍ଞାନିକମାନେ ଏହି ଆକଳନ କରିଛନ୍ତି। ସେମାନଙ୍କ ମତରେ ୧୯୭୯ ମସିହାରେ ଉପଗ୍ରହ ଜରିଆରେ ଆର୍କଟିକ ଓ ଆଣ୍ଟାର୍ଟିକା ବରଫ ପରିମାଣ ଆକଳନ କରାଯିବା ପରଠୁଁ ଚଳିତ ବର୍ଷ ଏହି ସ୍ତର ସର୍ବନିମ୍ନ ସ୍ତରକୁ ଖସି ଯାଇଛି।

 

ଆମେରିକାର ନାସା ଓ ନାସା ସହଯୋଗୀ ଜାତୀୟ ତୁଷାର ଓ ବରଫ ତଥ୍ୟ କେନ୍ଦ୍ର ବା ଏନଏସଡିଆଇସିର ବୈଜ୍ଞାନିକମାନେ ଉପଗ୍ରହ ତଥ୍ୟ ଅନୁଶୀଳନ କରି କହିଛନ୍ତି ଯେ ଚଳିତ ବର୍ଷ ଫେବୃଆରୀ ମାସରେ ମେରୁ ଅଂଚଳର ମୋଟ ବରଫ ୧୬.୨୧ ନିୟୁତ ବର୍ଗ କିଲୋମିଟର ଅଂଚଳ ଆଚ୍ଛାଦନ କରିଥିଲା। ୧୯୮୧-୨୦୧୦ ମଧ୍ୟରେ ମେରୁ ଅଂଚଳର ମୋଟ ବରଫ ଆଚ୍ଛାଦନ ହାରାହାରିଠାରୁ ଏହା ୨ ନିୟୁତ ବର୍ଗ କିଲୋମିଟର କମ। ଅର୍ଥାତ ଏହି ସମୟ ମଧ୍ୟରେ ମେକ୍ସିକୋ ଆକାରର ବରଫ ନଷ୍ଟ ହୋଇଯାଇଛି।

 

ନାସା ତରଫରୁ ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ଏକ ବିବୃତିରେ ବୈଜ୍ଞାନିକ ୱାଲ୍ଟ ମେଇଅର କହିଛନ୍ତି ଯେ ବିଶ୍ୱ ତାପନ କାରଣରୁ ଆଣ୍ଟାର୍କଟିକା ବରଫ ଆଚ୍ଛାଦନ ଦ୍ରୁତ କ୍ଷୟ ପାଉଥିବା କାରଣରୁ ଏପରି ହୋଇଛି। ତେବେ ପ୍ରତି ବର୍ଷ ମାର୍ଚ୍ଚ ଅଧାରୁ ସେପ୍ଟେମ୍ୱର ଅଧା ପର୍ଯ୍ୟନ୍ତ ଆର୍କଟିକ ଓ ଆଣ୍ଟାର୍କଟିକା ଅଚଂଳର ବରଫ ତରଳୁଥିବାବେଳେ ବେଳେ ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ବରଫାଂଚଳର କ୍ଷେତ୍ରଫଳ ବୃଦ୍ଧି ପାଇଥାଏ। ଏହି ସମୟରେ ଏ ଅଚଂଳର ତାପମାତ୍ରା ଯଥେଷ୍ଟ ପରିମାଣରେ ହ୍ରାସ ପାଇଥାଏ।

 

ଚଳିତ ବର୍ଷ ମାର୍ଚ୍ଚ ୭ ତାରିଖରେ ମେରୁ ଅଚଂଳର ବରଫ ଆଚ୍ଛାଦନ ୧୪.୪୨ ନିୟୁତ ବର୍ଗ କିଲୋମିଟର ଥିବା ଆକଳନ କରାଯାଇଛି। ଏହା ୨୦୧୫ ମସିହାରେ ରେକର୍ଡ଼ କରାଯାଇଥିବା ବରଫ ଆଚ୍ଛାଦନଠାରୁ ୯୭ ହଜାର ବର୍ଗ କିଲୋମିଟର କମ। ୧୯୮୧-୨୦୧୦ ମଧ୍ୟରେ ଆକଳନ କରାଯାଇଥିବା ହାରାହାରି ବରଫ ଆଚ୍ଛାଦନଠାରୁ ମଧ୍ୟ ଏହା ୧.୨୨ ନିୟୁତ ବର୍ଗ କିଲୋମିଟର କମ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top