ସ୍ୱର୍ଣ୍ଣିମ ଓଡ଼ିଶା ପାଇଁ ଅନୁଚିନ୍ତା

News Story - Posted on 2017-03-24

ଡ଼. ଯଦୁମଣି ସାହୁ, ଆଧ୍ୟାପକ

 

ପୁଣ୍ୟ ଭୂମି ଓଡ଼ିଶାରେ ପ୍ରଭୁ ଜଗନ୍ନାଥ ସ୍ୱୟଂ ବାସ କରନ୍ତି। କିଂବଦନ୍ତି କହେ, ଭଗବାନ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ପରେ ତାଙ୍କର ଅର୍ଦ୍ଧଦଗ୍ଧ ଶରୀର ଦାରୁ ରୂପରେ ସମୁଦ୍ରରେ ଭାସିଭାସି ଶ୍ରୀକ୍ଷେତ୍ର ବେଳା ଭୁମିରେ ଲାଗିଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ତାହା ଉଦ୍ଧାର କରି ସେଥିରେ ଜଗନ୍ନାଥଙ୍କ ବିଗ୍ରହ ଗଢ଼ି ପୂଜା ଆରମ୍ଭ କରିଥିଲେ। ଭାରତ ବର୍ଷର ପୂର୍ବ ଉପକୂଳରେ ଅବସ୍ଥିତ ଏହି ରାଜ୍ୟର ନାମ ଓଡ଼ିଶା। ଅତୀତରେ ଉଡ଼୍ର, ଉତ୍କଳ, କଳିଙ୍ଗ , ତୋଷଳ, କୋଶଳ ଏବଂ କଙ୍ଗୋଦ ନାମରେ ଖଣ୍ଡ ବିଖଣ୍ଡିତ ଭାବେ ପରିଚିତ ହେବା ପରେ ୧୯୩୬ ମସିହା ଏପ୍ରିଲ ପହିଲାରୁ ଏହା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରିଛି। ୨୦୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନର ଶତବର୍ଷିକୀ ପାଳନ ହେବାକୁ ଯାଉଛି।

 

ପ୍ରତ୍ୟେକ ବର୍ଷ ଏପ୍ରିଲ‌୍‍ ପହିଲା ଆସିଲେ ଆମର ପ୍ରତିଷ୍ଠା, ସ୍ୱାଭିମାନ ସଫଳତା ଆଉ ସ୍ୱପ୍ନ ବିଷୟରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲେ। ବେଳେ ବେଳେ ଆତ୍ମ ପ୍ରଶଂସାରେ ଆମେ ଉତଫୁଲିତ ହୋଇପଡ଼ୁ। ବାସ୍ତବତା କିନ୍ତୁ ଆଲୋଚନାର ବର୍ଣ୍ଣନା ଠାରୁ ଅଲଗା। ଭାଷା, ସଂସ୍କୃତି, ଐତିହ୍ୟଠାରୁ ଆରମ୍ଭ କରି ଆମର ଜନଜୀବନ ଆଦି ସଂକଟରେ। ଦେଶ  ସ୍ୱାଧୀନ ହେବାର ୭୦ ବର୍ଷ ପରେ କୌଣସି ଓଡ଼ିଆ ଭାରତର ରାଷ୍ଟ୍ରପତି କିମ୍ୱା ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ପାଇପାରି ନାହାନ୍ତି। ପଡ଼ିଶା ରାଜ୍ୟ ପଶ୍ଚିମ ବଙ୍ଗରୁ ପ୍ରଣବ ମୁଖାର୍ଜୀ, ବିହାରରୁ ଡ଼ଃ ରାଜେନ୍ଦ୍ର ପ୍ରସାଦ, ମଧ୍ୟ ପ୍ରଦେଶରୁ ଶଙ୍କର ଦୟାଲ ଶର୍ମା ଏବଂ ଆନ୍ଦ୍ର ପ୍ରଦେଶରୁ ନୀଲମ ସଂଜୀବ ରେଡ଼‌୍‍ଡ଼ୀ, ଭି.ଭି. ଗିରି ଆଉ ପି.ଭି. ନରସଂିହ ରାଓ ଏସବୁ ପଦର ଅଧିକାରୀ ହୋଇପାରିଛନ୍ତି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ୪୫ ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାରୁ ଏପର୍ଯ୍ୟନ୍ତ କେହି ଯୋଗ୍ୟ ବିବେଚିତ ହୋଇପାରିନାହାନ୍ତି। ଇଂରେଜମାନଙ୍କ ଭାରତ ଅଭିଯାନରେ ଭାରତର ଶେଷ ସ୍ୱାଧୀନ ଦୁର୍ଗ ଓଡ଼ିଶା ୧୮୦୩ ମସିହାରେ ସେମାନଙ୍କର ଶାସନାଧୀନ ହେଲା। ଆମେ ଏଥିପାଇଁ ଏକ ବୀର ଜାତି ବୋଲି ଗର୍ବ କରୁ ମାତ୍ର ଦେଶରେ ବିହାର, ମରାଠା, ରାଜପୁତ, ପଞ୍ଜାବ ପ୍ରଭୃତି ରାଜ୍ୟ ନାମରେ ସାମରିକ ରେଜିମେଂଟ‌୍‍ ଥିବା ବେଳେ ଓଡ଼ିଆଙ୍କ ନାଁରେ କୌଣସି ରେଜିମେଂଟ ନାହିଁ। ଆମର କୌଣସି ବିଶ୍ୱସ୍ତରୀୟ ସହର ନାହିଁ। ୧୬୯୮ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ କଲିକତା ମହାନଗରୀ ପ୍ରତିଷ୍ଠା କଲା ବେଳକୁ ଓଡିଶାର ହରିପୁର ଠାରେ କେବଳ ଗୋଟିଏ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ।

 

ଇତିହାସ ପୃଷ୍ଠା ଲେଉଟାଇଲେ ଆମର ସଫଳତା ଅପେକ୍ଷା ବିଫଳତାର ମାତ୍ରା ଅଧିକ ଦେଖିବାକୁ ମିଳେ।  ଖ୍ରୀଷ୍ଟପୂର୍ବ ୨୬୧ର କଳିଙ୍ଗ ଯୁଦ୍ଧ ପରେ ମଗଧ ସମ୍ରାଟ ଚଣ୍ଡାଶୋକ ଧର୍ମାଶୋକର ବିଜୟ ଟିକା ପିନ୍ଧିଲେ ସତ କିନ୍ତୁ ଲକ୍ଷ ଲକ୍ଷ ଓଡ଼ିଆ ମା’ଭଉଣୀଙ୍କ ମଥାରୁ ସିନ୍ଦୁର ଟିକା ସବୁଦିନ ପାଇଁ ପୋଛି ଦେଇଥିଲେ। ଖ୍ରୀଷ୍ଟପୂର୍ବ ୧୭୧ କଳିଙ୍ଗ ସମ୍ରାଟ ଖାରବେଳ ଗଙ୍ଗାଠାରୁ ଗୋଦାବରୀ ଯାଏଁ ରାଜ୍ୟ ଜୟ କରିଥିଲେ ସତ ଏବେ କିନ୍ତୁ ଷଢ଼େଇକଳା, ଖରସୁଆଁ , ସୀମାଚଳମ‌୍‍ ପ୍ରଭୃତି ଅଂଚଳ ଓଡିଶା ସୀମାର ବାହାରେ। ବ୍ରିଟିଶ ଶାସନ କାଳରେ ଚରମ ଅବହେଳାର ପରିଣତି ସ୍ୱରୂପ ୧୮୬୬ର ନଅଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଓଡ଼ିଆ ପୋକମାଛି ଭଳି ମରିଗଲେ। ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁ ପରେ ଆଫଗାନ ଶାସକମାନେ ୨୪ ବର୍ଷ, ମୋଗଲମାନେ ୧୫୯ ବର୍ଷ , ମରହଟା ମାନେ ୫୨ ବର୍ଷ ଏବଂ ଇଂରେଜମାନେ ୧୩୩ ବର୍ଷ ସମୁଦାୟ ୩୬୮ ବର୍ଷ ଆମକୁ ପରାଧୀନ କରି ରଖିଥିଲେ।

 

ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଓଡ଼ିଶାର ୧୫ ଜଣ ବରପୁତ୍ର ମୁଖ୍ୟମନ୍ତ୍ରୀ ଭାବେ ଆମକୁ ରାଜନୈତିକ ନେତୃତ୍ୱ ଦେଇଛନ୍ତି। ସେମାନେ ହେଲେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ବିଶ୍ୱନାଥ ଦାସ, ଡ଼. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୈାଧୁରୀ, ବିଜୟାନନ୍ଦ ପଟ୍ଟନାୟକ, ବୀରେନ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗ ଏବଂ ନବୀନ ପଟ୍ଟନାୟକ। ଦୀର୍ଘସମୟ ଦାୟିତ୍ୱ ମଧ୍ୟରେ ନବୀନ ପଟ୍ଟନାୟକ ରହିଛନ୍ତି ୧୭ ବର୍ଷ , ଜାନକୀ ବଲ୍ଲଭ ପଟ୍ଟନାୟକ ୧୩ ବର୍ଷ ୫ମାସ, ଡ଼. ହରେକୃଷ୍ଣ ମହାତାବ ୧୦ ବର୍ଷ ୪ ମାସ ୨୫ ଦିନ ଏବଂ ବିଜୁ ପଟ୍ଟନାୟକ ୭ ବର୍ଷ ୩ ମାସ ୧୯ ଦିନ। ମହାଭାରତ ଯୁଗରୁ ଓଡ଼ିଆ ଶାସକମାନଙ୍କର ରାଜନୈତିକ ଦୂରଦୃଷ୍ଟି ଅଭାବ ଥିବା ଲକ୍ଷ୍ୟ କରାଯାଏ। ମହାଭାରତ ଯୁଦ୍ଧରେ କଳିଙ୍କ ସମ୍ରାଟ ଶତାୟୁ କୌରବ ପକ୍ଷରେ ରହି ଭୀମଙ୍କ ସଙ୍ଗେ ଯୁଦ୍ଧ କରି ନିହତ ହୋଇଥିବାର ଜଣାଯାଏ। ସ୍ୱାଧୀନତା ପରଠାରୁ ଆମର ସବୁବେଳେ ଅଭିଯୋଗ ଯେ କେନ୍ଦ୍ର ଆମକୁ ଅବହେଳା କରୁଛି। ଭାରତୀୟ ସଂଘୀୟ ବ୍ୟବସ୍ଥାରେ ସମ୍ୱିଧାନର ନିୟମ ଅନୁଯାୟୀ ରାଜ୍ୟର ଆର୍ଥିକ ପ୍ରାପ୍ୟ ଯାହା ପାଇବା କଥା ତାହା ତ ନିଶ୍ଚୟ ପାଇବା। ଅଧିକ ପାଇବାକୁ ଆଶା କଲେ ଦାତାର ମନ ଆଉ ହୃଦୟକୁ ଜିଣିବାକୁ ହେବ। ଆମର ବଡ଼ ଦୋଷ ହେଲା ବେଳେବେଳେ ଆମେ ମହାଭାରତୀୟ ସ୍ରୋତରେ ନମିଶି ଅଲଗା ବାଟ ଦେଖୁ। ଆମ ରାଜ୍ୟର ଶାସକମାନଙ୍କର କେନ୍ଦ୍ର ପ୍ରତି ଅସହଯୋଗ ମନୋବୃତ୍ତି ଦ୍ୱାରା ରାଜ୍ୟର ସ୍ୱର୍ଥରକ୍ଷା ପରିବର୍ତ୍ତେ ସ୍ୱାର୍ଥହାନୀ ହେଉଥିବା ମନେ ହୁଏ। ଏଣୁ  ରାଜ୍ୟ ରାଜନୀତିରେ ସେଇ ଦୂରଦୃଷ୍ଟିର ଅଭାବ ଏବେ ମଧ୍ୟ ପରିଲକ୍ଷିତ ହୁଏ।

 

୬୩୯ ଖ୍ରୀଷ୍ଟାଦ୍ଦରେ ଚୀନ ପରିବ୍ରାଜକ ହୁଏନ-ସା କଳିଙ୍ଗର ଲୋକମାନଙ୍କ ସମ୍ପର୍କରେ ସୁଚିନ୍ତିତ ମତ ପ୍ରକାଶ କରିଛନ୍ତି। ‘ଏହାର ଲୋକମାନେ ଥିଲେ ରୁକ୍ଷ ଏବଂ ଅଦମ୍ୟ। ସେମାନେ ଦେଖିବାକୁ ସୁନ୍ଦର ଥିଲେ ଏବଂ ଧର୍ମ ବିଶ୍ୱାସ ସେମାନଙ୍କ ମଧ୍ୟରେ ଭରି ରହିଥିଲା। ସେମାନେ ଶୀଘ୍ର ଏବଂ ସ୍ପଷ୍ଟ ରୂପେ କଥା କହି ପାରୁଥିଲେ। ସେମାନେ ମଧ୍ୟ ଭାରତର ଲୋକମାନଙ୍କ ଠାରୁ ବ୍ୟବହାରରେ ପୃଥକ ଥିଲେ। ଉଡ଼୍ରର ଲୋକମାନେ ଦୀର୍ଘକାୟ, କୃଷ୍ଣବର୍ଣ୍ଣ ଏବଂ ହିଂସାପରାୟଣ ଥିଲେ।’ ଏବେ କିନ୍ତୁ ଦୃଶ୍ୟପଟ୍ଟ ଅଲଗା। ଯୁଆଡେ଼ ଦେଖିବ ଖାଲି ମାଳମାଳ ବଡ଼ପେଟଧାରୀ ମୋଟା ମୋଟା ମଣିଷ। ସମାଜରେ ପରିଶ୍ରମ କାତରତା, ମଦ, ଫାଷ୍ଟଫୁଡ଼ର ପ୍ରଭାବ ବୃଦ୍ଦି ପାଉଥିବାରୁ ଓଡ଼ିଆ ଯୁବକର ଚିତ୍ର ଆଜି ବଦଳି ଯାଉଛି। ବେରୋଜଗାର ସ୍ଥିତି ସେମାନଙ୍କୁ ଲକ୍ଷ୍ୟଭ୍ରଷ୍ଟ କରି ଦେଉଛି। ଶିକ୍ଷା, କଳା, କ୍ରୀଡ଼ା ପ୍ରତି ଆଗ୍ରହ ନାହିଁ। ଶସ୍ତା, ଆଦର୍ଶହୀନ ରାଜନୀତିର ଶିକାର ହେବାର କୁଣ୍ଠାବୋଧ ନାହିଁ। ଏପ୍ରକାରର ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଜଣେ  ସଚ୍ଚୋଟ, ସାହାସୀ, ତ୍ୟାଗୀ , ଜ୍ଞାନୀ ,ଭଦ୍ର ପ୍ରଜାବସିଳ ନେତୃତ୍ୱ ଓଡ଼ିଶା କେବେ ଓ କାହାଠାରୁ ପାଇ ପାରିବ ?

 

ଓଡ଼ିଆ ଆମର ମାତୃଭାଷା। ଆଜି ଶିକ୍ଷାର ପ୍ରସାର ଫଳରେ ସମସ୍ତ ମା’ ପ୍ରାୟ ଶିକ୍ଷିତା ଏବଂ ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚଶିକ୍ଷିତା। ଇତିହାସର ବାଧ୍ୟବାଧକତା ହେଉ ଅବା ଆବଶ୍ୟକତା ଦୃଷ୍ଟିରୁ ହେଉ ହିନ୍ଦୀ  ଏବଂ ଇଂରାଜୀର ଯଥେଷ୍ଟ ପ୍ରଭାବ ଆମ ଉପରେ ରହିଛି। ଭଲ ଇଂରାଜୀ କହିପାରୁଥିବା ପିଲାଟିର ନିଯୁକ୍ତି କ୍ଷେତ୍ରରେ ପ୍ରଥମ ଚାହିଦା ରହୁଛି। ଏବଂ ନିଜ ବୃତ୍ତିରେ ଅଧିକ ସଫଳ ହେଉଥିବା ଦେଖାଯାଉଛି। ଆନ୍ତର୍ଜାତିକ ସ୍ତରରେ ନିଜକୁ ପ୍ରକାଶ କରିବା ପାଇଁ ଇଂଗ୍ରାଜୀ ଏକ ସହଜ ମାଧ୍ୟମ। କରିବା ହିନ୍ଦୀ ଆମର ରାଷ୍ଟ୍ରଭାଷା ଯାହାକୁ ଅଧିକାଂଶ ଭାରତୀୟ ବୁଝନ୍ତି। ଓଡ଼ିଶା ବାହାରେ ପାଦ ଦେଲେ ହିନ୍ଦୀ ଏବଂ ଇଂରାଜୀର ଗୁରୁତ୍ୱ କେତେ ତାହା ବୁଝି ହୁଏ। ଏଣୁ ହିନ୍ଦୀ ଏବଂ ଇଂରାଜୀ ପ୍ରତି ଆଦର କିଛି ଦୋଷାବହ ନୁହେଁ। କିନ୍ତୁ  ଓଡ଼ିଆ ଶିଖିବା ପାଇଁ ଆମେ ବିମୁଖ ହେଲେ ଆମର ମାତୃଭାଷା ସବୁଦିନ ପାଇଁ ଲୋପ ପାଇଯିବ। ଶିକ୍ଷାନୁଷ୍ଠାନରେ କୌଣସି ଭାଷାକୁ ବାଧ୍ୟତାମୂଳକ କରିବା ବିପକ୍ଷରେ ଭାରତର ସୁପ୍ରିମ କୋର୍ଟ ରାୟ ଦେଇଥିଲେ ହେଁ ଆମକୁ ମାତୃଭାଷାର ସୁରକ୍ଷା ପାଇଁ ଚିନ୍ତା କରିବାକୁ ପଡ଼଼ିବ। ଏଣୁ ତ୍ରିଭାଷୀ ଶିକ୍ଷା ପ୍ରତି ଗଭୀର ଆନ୍ତରୀକତା ରହିଲେ ଆମର ମାତୃଭାଷା ବଂଚିବା ସହିତ ହିନ୍ଦୀ, ଇଂରାଜୀରେ ପଟୁତା ଲାଭ କରି ବିଶ୍ୱମାନବ ଭାବେ ଆମେ ମୁଣ୍ଡଟେକି ଚାଲିପାରିବା।

 

କଥାରେ ଅଛି ଓଡ଼ିଶାରେ ବାର ଦିନେ ତେର ପର୍ବ। ପର୍ବ ଅନୁଯାୟୀ ମଧ୍ୟ ଖାଦ୍ୟ ବ୍ୟବସ୍ଥା କାହିଁ କେଉଁ ଯୁଗରୁ ଚଳି ଆସିଛି। ଘାଂଟ ତରକାରୀ, ଡ଼ାଲମା, ମାଛମହୁର, ଛେନାପୋଡ଼, ଚୁଡ଼ାଘସା ଆଦି ନାନା ପ୍ରକାର ପିଠାପଣା ଓଡ଼ିଆ ଘରର ନିଜସ୍ୱ ଖାଦ୍ୟ। ଏସବୁ ଧୀରେ ଧୀରେ କମି କମି ଆସୁଛି। ସକାଳ ଜଳଖିଆରେ ମାଡ଼୍ରାସି ଦୋସା, ଇଡ଼ଲି, ସମ୍ୱର ତ ଉପର ବେଳା ଚାଉମିନ‌୍‍ , ପିଜା, ବର୍ଗର। ରାତ୍ର ଭୋଜନରେ ପଂଜାବୀ ରୁଟି ତଡ଼କା ସାଙ୍ଗକୁ ମୋଗଲାଇ ବଟର ଚିକେନ‌୍‍ ଏବେ ଓଡିଆ ଘରେ ନିତିଦିନିଆ ଖାଦ୍ୟ ହୋଇଗଲାଣି। ସହର ଯାଗାରେ ଆଉ ଧୋତି ପିନ୍ଧା ଲୋକ ଦେଖିବାକୁ ମିଳୁ ନାହାନ୍ତି। ସମୟ ସ୍ରୋତରେ ସଂସ୍କୃତି ପରମ୍ପରା ତ ନିଶ୍ଚୟ ପ୍ରଭାବିତ ହେବ, ତଥାପି ଆମର ଖାଦ୍ୟ ଏବଂ ପୋଷାକ ବଂଚି ରହିବା ପାଇଁ ଆମେ ଆଶା କରିବା। ପ୍ରତ୍ୟେକ ଓଡ଼ିଆ ଝିଅବୋହୁ ଖଣ୍ଡିଏ ସମ୍ୱଲପୁରୀ ପାଟଶାଢ଼ୀ ପାଖରେ ରଖନ୍ତୁ ଏବଂ ସମୟ ସୁଯୋଗ ଦେଖି ପିନ୍ଧନ୍ତୁ। ପର୍ବ ଅନୁଯାୟୀ ଓଡ଼ିଆ ଘରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବାକୁ ଭୁଲନ୍ତୁ ନାହିଁ। ପ୍ରତ୍ୟେକ ଓଡ଼ିଆ ପ୍ରତିଦିନ ଅନ୍ତତଃ ଓଡ଼ିଆ ଖବର କାଗଜଟିଏ ପଢ଼ନ୍ତୁ ଏବଂ ରେଡ଼ିଓରୁ ଓଡ଼ିଆ ସମ୍ୱାଦ ଏବଂ ଗୀତ ଶୁଣନ୍ତୁ।

 

ଓଡ଼ିଶା ଏକ ଗରିବ ରାଜ୍ୟ। ଗରିବ ହୋଇ ରହିବା ଆମର ଦେହ ସୁହା ହୋଇଗଲାଣି। କାଗଜ କଲମରେ  ମୁଣ୍ଡପିଛା ଆୟ ଯେତେ ଦେଖେଇଲେ ସୁଦ୍ଧା ବାସ୍ତବତା କିନ୍ତୁ ଭିନ୍ନ। ପିଲାକୁ ଛେଉଣ୍ଡ କରି ବିକ୍ରି କରିବା, ଭୋକରେ ମରିବା, ବେରୋଜଗାର ହେବା, ଭିକ୍ଷାବୃତ୍ତି  କରିବା ଆଜି ସୁଦ୍ଧା ଲୋପ ପାଇଲାଣି। ଆମକୁ ଗରିବ କହିଲେ ଆମକୁ ଯେତେ ବାଧୁନି ବେଶି ବାଧୁଛି ସେହିମାନଙ୍କୁ ଆମକୁ ଯେଉଁମାନେ ଗରିବ କରି ରଖିଛନ୍ତି। ଲୋକମାନେ ଗରିବ ରହିଲେ ରାଜନୀତି କରିବା ସୁବିଧା ଜନକ। ଅଭାବ, ଆତୁରତା ସହିତ ଖେଳିବା ସହଜ। ଆମେ କ’ଣ ସତରେ କୃଷିରେ ଆମିନିର୍ଭରଶୀଳ ? ଯଦି ଏଠା ଠିକ‌୍‍ ତାହାଲେ ଫୁଲଠାରୁ ତେଲ ପର୍ଯ୍ୟନ୍ତ କଦଳୀ ଠାରୁ କମଳା ପର୍ଯ୍ୟନ୍ତ ଆମେ ବାହାର ରାଜ୍ୟ ଉପରେ କାହିଁକି ନିର୍ଭର କରୁଛେ ? ଆଜି ରାଜ୍ୟର ସବୁ ଡ଼ାକ୍ତରଖାନାରେ ଡ଼ାକ୍ତର ଅଛନ୍ତି ନା ପ୍ରତି ସ୍କୁଲରେ ଶିକ୍ଷକ ଅଛନ୍ତି! ପ୍ରକୃତି ଆମକୁ ସବୁ ଦେଇଛି। ସୁଦୀର୍ଘ ବେଳାଭୂମି, ସୁଉଚ୍ଚ ପର୍ବତମାଳା, ଘଂଚ ଆରଣ୍ୟାନୀ, ସ୍ରୋତସ୍ୱିନୀ ନଦନଦୀ, ପ୍ରଚୁର ଖଣିଜ ସମ୍ପଦ। ଏଣୁ ଦାରିଦ୍ର୍ୟର କାରଣ କଣ ନିଜେ ଆମିସମୀକ୍ଷା କରିବା ଆବଶ୍ୟକ। ୨୦୩୬ରେ ପାଦ ଦେବାର ବହୁ ଆଗରୁ ଜନସାଧାରଣଙ୍କୁ  ସମସ୍ତ ମୈାଳିକ ସୁବିଧା ଯୋଗାଇ ଦେଲେ ଆମ ସ୍ୱାଭିମାନକୁ କିଛି ଆଶ୍ୱସ୍ତି ମିଳନ୍ତା। ରାଜକୋଷର ଅପବ୍ୟୟ, ଦୁର୍ନୀତି ଠକାମି, ନିରୀହମାନଙ୍କୁ ହତ୍ୟା ବନ୍ଦ ହେବା ଅତ୍ୟନ୍ତ ଜରୁରୀ। ଆମ ପ୍ରତିଷ୍ଠାର ପରିଚୟ ଏଇଆ ଯେ ଅଧିକାଂଶ ଭାରତୀୟ ଓଡ଼ିଶାକୁ ଜାଣନ୍ତି ନାହିଁ। କେବଳ ପୁରୀ କହିଲେ କିଛି ଲୋକ ବୁଝନ୍ତି।

 

ରାଜ୍ୟ ସ୍ଥାପନାର ଶତବାର୍ଷିକୀ ପାଳନ ପୂର୍ବରୁ ନିମ୍ନରେ କେତେକ ଅନୁଚିନ୍ତା ଉପସ୍ଥାପନା କରାଯାଇଛି। ରାଜ୍ୟ ସଂସଦରେ ଏକ ସଦନୀୟ ବ୍ୟବସ୍ଥା ଥିବାରୁ ଆମର କେବଳ ବିଧାନସଭା ରହିଛି ଯାହାର ସଭ୍ୟ ସଂଖ୍ୟା ୧୪୭ ଏବଂ ଏହା ଏକ ରାଜନୈତିକ ଗୃହ ହୋଇରହିଛି। ଆମର ଦ୍ୱିତୀୟ ସଦନ ବା ବିଧାନ ପରିଷଦ ନାହିଁ। ସମାଜରେ ରାଜନୀତି ବ୍ୟତିତ ଓଡ଼ିଶାର ବିକାଶରେ ଅନ୍ୟାନ୍ୟ କ୍ଷେତ୍ରର ବୁଦ୍ଧିଜୀବୀମାନଙ୍କର ଅବଦାନ ରହିଛି। ସେମାନଙ୍କର ଅବଦାନକୁ ସାମ୍ୱିଧାନିକ ସ୍ୱୀକୃତି ଦେବା ପାଇଁ ବିଧାନ ପରିଷଦର ବ୍ୟବସ୍ଥା ରାଜ୍ୟ ପାଇଁ ସହାୟକ ହେବ। ଓଡ଼ିଶାର ଐତିହ୍ୟକୁ ସମୃଦ୍ଧ କରିବାକୁ ହେଲେ ଜଣେ କିମ୍ୱା ଦୁଇଜଣ ବରପୁତ୍ରଙ୍କର ସ୍ମୃତି ରକ୍ଷା ପାଇଁ ଚେଷ୍ଟା ନ କରି ଏକ ଶତ ବାର୍ଷିକୀ ସଂଗ୍ରାହାଳୟ ନିର୍ମାଣ ହେଲେ ସେଠାରେ ରାଜନୀତିଠାରୁ ଆରମ୍ଭ କରି ଅମର ଶହୀଦ‌୍‍, ସ୍ୱାଧୀନତା ସଂଗ୍ରାମୀ, ସମାଜ ସେବୀ, ଐତିହାସିକ, ଶିକ୍ଷାବିଦ‌୍‍, ବୈଜ୍ଞାନିକ, ଚିକିସିକ, ସାହିତ୍ୟିକ, ସାମ୍ୱାଦିକ, ଚିତ୍ର ଶିଳ୍ପୀ, ଭାସ୍କର୍ଯ୍ୟଶିଳ୍ପି, ନୃତ୍ୟଶିଳ୍ପୀ ସଂଗୀତ ଶିଳ୍ପି, ଅଭିନେତା, କ୍ରିଡାବିତ ପ୍ରଭୃତି ସବୁ କ୍ଷେତ୍ରର ବରପୁତ୍ର ମାନଙ୍କର ସ୍ମୃତି ସାଇତା ହୋଇ ରଖା ଯାଇପାରିବ। ନଦୀଜଳର ଅବାଧ ଅପଚୟ ରୋକିବା ପାଇଁ ବଡ଼ବଡ଼ ନଦୀ ବନ୍ଧ ନିର୍ମାଣ କଲେ ଆମେ କୃଷି ଏବଂ ଶକ୍ତିରେ ଆତ୍ମନିର୍ଭରଶୀଳ ହୋଇପାରିବା। ଉଭୟ ଭାରି ଶିଳ୍ପ ଏବଂ କୁଟୀର ଶିଳ୍ପ ଉପରେ ଗୁରୁତ୍ୱ ରଖିଲେ ଆମେ ନିଯୁକ୍ତି ସୃଷ୍ଟି କରିପାରିବା। ଓଡିଶାର ପ୍ରାଚୀନ କଳା ଭାସ୍କର୍ଯ୍ୟର ସୁରକ୍ଷା ପାଇଁ ଏକ ଭିନ୍ନ ସୂର୍ଯ୍ୟ ମନ୍ଦିର ନିର୍ମାଣର ଆବଶ୍ୟକତା ରହିଛି। ପର୍ଯ୍ୟଟନ ଦୃଷ୍ଟିରୁ ଓଡିଶାକୁ ସରସ ସୁନ୍ଦର କରି ଗଢ଼ି ତୋଳିବାକୁ ହେବ। ସିଙ୍ଗାପୁର ଓ ଦୁବାଇ ଭଳି ଛୋଟ ଛୋଟ ରାଜ୍ୟ ପର୍ଯ୍ୟଟନରୁ ଆଜି ପ୍ରାଚୁର୍ଯ୍ୟ ଲାଭ କରି ପାରିଛନ୍ତି।

 

ଓଡିଆ ଏକ ସ୍ୱତନ୍ତ୍ର ଜାତି। ଆମେ କୌଣସି ପ୍ରକାରେ ପଂଜାବୀ ବା ତାମିଲ ହୋଇପାରିବା ନାହିଁ। ସଂସ୍କୃତି, ଶାରୀରିକ ଗଠନର ପାର୍ଥକ୍ୟ ଆମ ମଧ୍ୟରେ ନିଶ୍ଚିତ ରହିବ। ଗୋଟିଏ ମା’ର ସନ୍ତାନମାନଙ୍କ ମେଧ୍ୟର ଭିନ୍ନତା ପରିପ୍ରକାଶ ହେଲାଭଳି ଆମେ ଭାରତମାତାର କେବଳ ଏକ ଭିନ୍ନ ସନ୍ତାନ। ଗତକାଲି ଯେଉଁମାନେ ଥିଲେ ଆଜି ସେମାନେ ନାହାନ୍ତି। ଆଜି ଯିଏ ଅଛି ଆସନ୍ତା କାଲି ସେ ନଥିବେ। କିନ୍ତୁ ରାଜ୍ୟ ଆମ ସବୁଦିନ ପାଇଁ ରହିଥିବ ଏବଂ ଆମର ଉତ୍ତର ପୁରୁଷମାନଙ୍କର ପ୍ରତିପୋଷଣ କରିଚାଲିଥିବ। ଏଣୁ ପ୍ରତ୍ୟେକ ଓଡିଶାବାସୀ ଏକ ସୁନାର ଓଡିଶା ନିର୍ମାଣ ପାଇଁ ଆଗେଇ ଆସିଲେ ଉତ୍କଳ ଜନନୀର ହୃତଗୌରବ ଫେରି ଆସିବ। 

 

ମୋ :୯୪୩୮୬୭୬୭୯୪


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top