ଜଳସେଚନ - ଓଡ଼ିଶା ବହୁ ପଛରେ

News Story - Posted on 2017-03-23

ଓଡ଼ିଶାରେ ଉତ୍ପାଦିତ ଖାଦ୍ୟଶସ୍ୟର ମାତ୍ର ୨୯.୫ ପ୍ରତିଶତ ଜଳସେଚିତ ଜମିରେ ଫଳୁଥିବା ବେଳେ ପଞ୍ଜାବରେ ଏହି ହାର ୯୮.୪ ଓ ମରୁଭୂମିର ରାଜ୍ୟ ରାଜସ୍ଥାନରେ ଏହା ୩୯.୫ ପ୍ରତିଶତ ରହିଛି। ଓଡ଼ିଶାରେ ଉତ୍ପାଦିତ ପ୍ରମୁଖ ଫସଲ କେତେ ପ୍ରତିଶତ ଜଳସେଚିତ ଜମିରୁ ଆସୁଛି ସେ ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲିପ ରାୟ ପଚାରିଥିବା ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ଦେଇଥିବା ପରିସଂଖ୍ୟାନରୁ ଏହା ଜଣାପଡ଼ିଛି।

 

ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟର ଯେଉଁ ତୁଳନାତ୍ମକ ଚିତ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ସେଥିରେ ହରିଆନାରେ ଫଳୁଥିବା ପ୍ରମୁଖ ଫସଲର ୮୯ ଭାଗ ଜଳସେଚିତ ଜମିରୁ ଆସୁଥିବା ବେଳେ ଉତ୍ତରପ୍ରଦେଶରେ ୭୮.୨, ବିହାରରେ ୬୮.୫, ପଶ୍ଚିମବଙ୍ଗରେ ୬୩.୧, ତାମିଲନାଡ଼ୁରେ ୫୮.୨, ଗୁଜୁରାଟରେ ୪୬.୯ ଓ ଆନ୍ଧ୍ରପ୍ରଦେଶରେ ୪୫.୯ ପ୍ରତିଶତ ପ୍ରମୁଖ ଶସ୍ୟ ଉତ୍ପାଦିତ ହେଉଛି ଜଳସେଚିତ ଜମିରୁ।

 

ଓଡ଼ିଶାରେ ଯେତେ ଚାଉଳ ଉତ୍ପାଦିତ ହେଉଛି ତାହାର ମାତ୍ର ୩୪ ପ୍ରତିଶତ ଜଳସେଚିତ ଜମିରୁ ଫଳୁଥିବା ବେଳେ ଡାଲିର ୫.୮ ପ୍ରତିଶତ ଓ ତୈଳବୀଜର ୧୭.୪ ପ୍ରତିଶତ ଜଳସେଚିତ ଜମିରୁ ଆସୁଛି। ତେବେ ଓଡ଼ିଶାରେ ଯେତେ ଆଖୁ ଉତ୍ପାଦିତ ହେଉଛି ସେ ସବୁ ଜଳସେଚିତ ଜମିରେ ହେଉଛି। ସରକାରଙ୍କ ପ୍ରଦତ୍ତ ଏହି ପରିସଂଖ୍ୟାନରୁ ଓଡ଼ିଶାରେ ଜଳସେଚନ ବ୍ୟବସ୍ଥା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କେତେ ପଛରେ ପଡ଼ିଛି ତାହା ସହଜରେ ଅନୁମେୟ ବୋଲି ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top