ଦୁଇ ସଂଗାତ କଥା

News Story - Posted on 2017-03-22

ମାୟାଧର ନାୟକ

 

ଦୁର୍ନୀତି ଓ କଳାଧନ ଦୁଇସଂଗାତ। ଜଣେ ରାଜାପୁଅ ତ ଜଣେ ମନ୍ତ୍ରୀପୁଅ। କଟୁଆଳପୁଅ ଆଉ ସାଧବପୁଅ ଖଣ୍ଡେଦୂରରେ ଥାଇ ଏ ଦିହିଁଙ୍କ ସେବାରେ ଲାଗିବାକୁ ରାତି ଅନିଦ୍ରା। ନା, ପଚାରନ୍ତୁ ନାହିଁ - ଏ କଟୁଆଳପୁଅ କିଏ କିମ୍ୱା ସେ ସାଧବପୁଅଟିର ଦେଶ କେଉଁଠି? ଆପଣମାନେ ବିଜ୍ଞ, ବିଚାରବନ୍ତ, ବିଚକ୍ଷଣ। କେଉଁ କଥାରେ ଅବାବେମାଲୁମ‌୍‍ ଆପଣ?

 

ଆମ ସମାଜର ସଭାଜନମାନେ ସୁଜନମାନଙ୍କୁ କେବଳ ମନକର୍ଣ୍ଣ ଦେଇ ଶୁଣିବାକୁ କହିଆସିଛନ୍ତି। ଅର୍ଥାତ‌୍‍ ଶୁଣିବାଲୋକେ ସୁଜନେ ଆଉ ବୋଲିବାଲୋକେ ସଭାଜନେ। ଏଇ ପାଲା ଚାଲିଆସିଛି ପରମ୍ପରାକ୍ରମେ। ପାଳିଆମାନେ ଏଇ ପରମ୍ପରା ପାଳିଆସିଛନ୍ତି ପୁରୁଷପୁରୁଷ ଧରି। ବାକି ଯେଉଁ ବିରାଟ ଅଂଶ ରହିଗଲେ ଏଭଳି ବୋଲିବା-ବଖାଣିବା-ଶୁଣିବା ପାଲାର ବାହାରେ - ସେମାନେ ଅଭାଜନ। ସେମାନେ କେବଳ କାମଧନ୍ଦା କରିବେ - ମୁଣ୍ଡଝାଳ ତୁଣ୍ଡରେ ମାରି ଆମ ପାଇଁ ଘରବାଡ଼ି, ବାଗବଗିଚା କରିବେ - ଆମ ଭଣ୍ଡାର ଭରିବେ - ହଳ ଧରିବେ - କଳ ଚଳାଇବେ - ବନ୍ଧୁକ ଧରି ଆମ ବନ୍ଦଫାଟକ ଆଉ ତାରବାଡ଼ ପାଖରେ ପହରା ଦେବେ।

 

ସୁଜନ ଓ ଅଭାଜନମାନଙ୍କ ମଝିରେ ସଭାଜନ। ଏମାନେ ଏବେ ସୁଜନମାନଙ୍କୁ ଶୁଣାଉଛନ୍ତି ଦୁର୍ନୀତି ଓ କଳାଧନ ପାଲା ଆଉ ଅଭାଜନମାନଙ୍କୁ ଆଗାମୀ କାଲିର ସୁନା ରାଇଜ ଗପ। ସଭାଜନମାନଙ୍କୁ ବେଶ‌୍‍ ଭଲଭାବରେ ଜଣା ଯେ କହି ଜାଣିଲେ କଥା ସୁନ୍ଦର। ସେମାନଙ୍କ କାର୍ଯ୍ୟଘେନା ସୁନ୍ଦର କଥାଗୁଡ଼ାକୁ ପ୍ରୀତିକର ଭାବରେ ପରଷିଯିବା ପାଇଁ ସାରାଦେଶରେ ଅଛି କେତେ ପ୍ରକାର ପ୍ରଚାରଯନ୍ତ୍ର। ସେ କଥାଗୁଡ଼ାକ ଦଖଲ କରିଥାଏ ଖବର କାଗଜର ପ୍ରଥମ ପୃଷ୍ଠା, ବିଭିନ୍ନ ଟିଭି ଚ୍ୟାନେଲ‌୍‍ର ରଙ୍ଗିଲ‌୍‍ ରିଲ‌୍‍, ବ୍ରେକିଂ ନିଉଜ‌୍‍ଠାରୁ ଆରମ୍ଭ କରି ବିଶେଷ ସାକ୍ଷାତକାର ପର୍ଯ୍ୟନ୍ତ କେତେ ପର୍ଯ୍ୟାୟ ଦେଇ ସେ ସୁନ୍ଦର କଥାର ସ୍ୱରଶବ୍ଦ ଯାଇ ପହଞ୍ଚିଯାଏ ଅଭାଗା ଅଭାଜନମାନଙ୍କ ଅପନ୍ତରାରେ !

 

ସଂପ୍ରତି ଦୁର୍ନୀତି ଓ କଳାଧନ - ଏ ଦୁଇ ସଂଗାତ କଥା ରାଜ୍ୟରୁ ରାଷ୍ଟ୍ର ଯାଏଁ ହଇଚଇ ପକାଇଦେଲାଣି। ଭାରତବର୍ଷ ଭଳି ଗୋଟିଏ ଜନସଂଖ୍ୟାସମୃଦ୍ଧ ଦେଶକୁ ମନକଥା କହିବେ ବୋଲି ଡିଣ୍ଡିମ‌୍‍ ପିଟି ସଭାଜନମାନେ ସୁଜନମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଉଛନ୍ତି, ଅଭାଜନମାନଙ୍କ ପାଇଁ ସୁନେଲି ଭବିଷ୍ୟତର ସ୍ୱପ୍ନ ସମ୍ୱନ୍ଧରେ ସୂଚନା ଦେଉଛନ୍ତି। କହୁଛନ୍ତି ଯେ ଦୁର୍ନୀତି ଓ କଳାଧନ ଯୋଗୁ ଦେଶ ଆଜି ଦେବାଳିଆ ଅର୍ଥନୀତିର ଶିକାର, ଦେଶବାସୀ ଦାରିଦ୍ର୍ୟ, ଦୁର୍ନୀତି, ଦୁଃସ୍ଥିତିର ଦୁଃସ୍ଥ ଦାସଦାସୀ ! ଏ ଅବସ୍ଥା ରହିବ ନାହିଁ, ଦେଶରୁ ଦୁର୍ନୀତି ହଟାଇଦେବା, ବିଦେଶରୁ କଳାଧନ ଉଦ୍ଧାର କରିଆଣିବା - ଖାଲି ଟିକିଏ ଧୈର୍ଯ୍ୟ ଧରି କଷ୍ଟ ସହିଯିବା କେଇଟାଦିନ - ସେଇ ଦିନଯାଏଁ ସହିଯିବାକୁ ପଡ଼ିବ କିଛିଟା ଦୁଃଖ କଷଣ।

 

ଶୁଣିବାକୁ ଭଲ ଲାଗେ ସୁଜନମାନଙ୍କୁ। କହିବାକୁ ଭଲ ଲାଗେ ସଭାଜନ ସକଳଙ୍କୁ। କଷ୍ଟ କିନ୍ତୁ ସହିବାକୁ ପଡ଼ିଥାଏ ଅଭାଜନମାନଙ୍କୁ ହିଁ! କାରଣ ସେମାନଙ୍କର କହିବାକୁ ସୁଯୋଗ ନ ଥାଏ କି ଶୁଣିବାକୁ ସମୟ ନ ଥାଏ। କାରଣ ସେମାନେ ବିଦେଶ ଗସ୍ତ କରନ୍ତି ନାହିଁ, ଫାଇଭ‌୍‍ଷ୍ଟାର‌୍‍ର ଫେଷ୍ଟିଭାଲ‌୍‍ରେ ଯୋଗ ଦିଅନ୍ତି ନାହିଁ, ପିକ‌୍‍ନିକ‌୍‍ ଯାଆନ୍ତି ନାହିଁ, ସେମିନାର‌୍‍ରେ ପେପର‌୍‍ ଚିଲାନ୍ତି ନାହିଁ, ଘୋଡ଼ାଦୌଡ଼ରେ ବାଜି ପକାନ୍ତି ନାହିଁ, ଗଲ‌୍‍ଫ‌୍‍-କ୍ରିକେଟ‌୍‍-ବ୍ୟାଡ‌୍‍ମିଣ୍ଟନ‌୍‍-ଟେନିସ‌୍‍ କେଳନ୍ତି ନାହିଁ, ଟସ‌୍‍ ପକାଇ ହେଡ‌୍‍ଟେଲ‌୍‍ ଡାକନ୍ତି ନାହିଁ, ଟଙ୍କା ଫୋପାଡ଼ି ସୁନାବିସ୍କୁଟ‌୍‍ ସଞ୍ଚନ୍ତି ନାହିଁ, ମୋଟାମୋଟା ବହି ମଝିରେ ମୟୂରଚନ୍ଦ୍ରିକା ଗୁଂଜିଗାଂଜି ସୋକେଶ‌୍‍ ସଜାନ୍ତି ନାହିଁ - ଇତ୍ୟାଦି ଅନେକ କ୍ରିୟାକଳାପ ସହିତ ସାମିଲ‌୍‍ ହୁଅନ୍ତି ନାହିଁ। ମାତ୍ର ଏଇ ଅଭାଜନମାନେ ହିଁ ହେଉଛନ୍ତି ସଭାଜନ ସକଳଙ୍କ ରାଷ୍ଟ୍ରାୟତ୍ତ ଭୋଟ‌୍‍ବ୍ୟାଙ୍କ‌୍‍ଗୁଡ଼ିକର ଫିକ‌୍‍ସ‌୍‍ଡ‌୍‍ ଡିପୋଜିଟ‌୍‍ - ଯେଉଁ ଡିପୋଜିଟ‌୍‍ ବା ଜମାଟଙ୍କାର ବଢ଼ନ୍ତି ସୁଧର ସୁଅରେ ସଭାଜନମାନଙ୍କର ସୁଖସ୍ନାନ ରାଜନୈତିକ ଦୃଷ୍ଟିରୁ ବେଶ‌୍‍ ସ୍ୱାସ୍ଥ୍ୟକର। ୯୦ ଭାଗ ଅଭାଜନ ନ ହେଲେ ଭାଗେ ସଭାଜନଙ୍କ ଶାସନ-ଆସନ ଟଳମଳ। ହେଲେ ଏଇ ୯୦ ଭାଗକୁ ନେଇ ଯେଉଁ ଗଣତନ୍ତ୍ର, ସେଇ ୯୦ ଭାଗର ଗଣତନ୍ତ୍ରକୁ ନୁହେଁ – ୯ ଭାଗ ମତଲବୀ ମୁନାଫାଖୋର‌୍‍ ମହାଜନଙ୍କ ଗୌଣତନ୍ତ୍ରକୁ ହିଁ ଅଗ୍ରାଧିକାର ଦେଇଥାନ୍ତି ଭାଗେ ସଭାଜନ। କାହିଁକି ଓ କିପରି ଦେଇଥାନ୍ତି, ତାହା ଆଉଏକ ପ୍ରସଙ୍ଗ। କିନ୍ତୁ ଏହା ଏଯାବତ ସତ୍ୟ ଯେ ଏହି ୯ ଭାଗ ମହାଜନବର୍ଗ ଦେଶରେ ଦୁର୍ନୀତି ଓ କଳାଧନର ପାହାଡ଼ ଠିଆ କରେଇଥାନ୍ତି – ୧ ଭାଗକ ସଭାଜନମାନଙ୍କୁ ସିଂହାସନରେ ବସେଇ। ବିଭିନ୍ନ ରାଜନୈତିକ ଦଳକୁ ମହାଜନବର୍ଗ ଦେଉଥିବା ବେହିସାବୀ ବିତ୍ତର ଭେଟି ବା ମୋଟା ଅଙ୍କର ଚାନ୍ଦା କ’ଣ କଳାଧନର କଣିକାଏ କୈବଲ୍ୟ ନୁହେଁ ? ବିନିମୟରେ ମହାଜନବର୍ଗ ପ୍ରତି ସଭାଜନଙ୍କ ଅଲିଖିତ ସର୍ତ୍ତଭିତ୍ତିକ ଗୋପନ ପୃଷ୍ଠାପୋଷକତା ପ୍ରଦର୍ଶନ କଣ ନିତ୍ୟପରିବର୍ତ୍ତିତ ଓ ନବ୍ୟପରିକଳ୍ପିତ ଶିଳ୍ପନୀତି ଦ୍ୱାହିରେ ଦୁର୍ନୀତିର ଦୃଷ୍ଟାନ୍ତ ନୁହେଁ ?

 

ଏହି ଦୃଷ୍ଟିରୁ ଦୁର୍ନୀତି ଓ କଳାଧନ ବିରୋଧରେ ମଞ୍ଚରେ ଯେତେଯାହା ରାଜନୈତିକ ଯୁଦ୍ଧଘୋଷଣା ଶୁଣାଗଲେ ବି ସେସବୁ ଟିଣଖଣ୍ଡାର ଟାଇଁ ଟାଇଁ ! ଛାୟାଯୁଦ୍ଧର ମାୟା ମାତ୍ର ! ଏ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଧୁନାତନ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତ ଦୁର୍ନୀତି ଓ କଳାଧନର ମୂଳପୋଛ ପାଇଁ ମୁଷ୍ଟି ଉତ୍ତୋଳନ କରିଆସିଛନ୍ତି । କିନ୍ତୁ ସେ ଶପଥପାଠର ଶବ୍ଦସବୁ କଂସାରୀ ଘରର ପାରାଭାଡ଼ି ଆଗରେ କୁଲା ଢାଉଁ ଢାଉଁ ଛଡ଼ା ଆଉ କ’ଣ ହୋଇପାରିଲା ? ଦେଶ ତା’ର ସତୁରି ବର୍ଷର ସ୍ୱାଧୀନତା ପରେ ଆଜି ବି ସେଇ ପୁରୁଣା ପାଲା ଶୁଣିଚାଲିଛି - ଦୁର୍ନୀତି ଏବେ ସଭାଜନମାନଙ୍କର ଏକାନ୍ତ ଗୋପନୀୟ ସମର୍ଥିତ ନୀତି ହୋଇପଡ଼ିଥିବାବେଳେ କଳାଧନ କାୟାବିସ୍ତାର କରିସାରିଲାଣି ଦେଶରୁ ବିଦେଶବ୍ୟାପୀ ।

 

ଯାହା ମନେହୁଏ, ଏ ଦେଶରୁ ଦୁର୍ନୀତି ଓ କଳାଧନର ବିଲୋପ ହେଉ ବୋଲି ପ୍ରକୃତ ପକ୍ଷରେ କେହି ଚାହୁନାହାନ୍ତି। ନା ସରକାର ନା ଦରବାର ନା ଦପ୍ତର ନା ଅନୁଷ୍ଠାନ ନା ଆୟୋଗ ନା କମିଟି ନା କମିଶନ‌୍‍ - କେହି ବି ନିଷ୍ଠାପର ଭାବରେ ଚାହୁନାହାନ୍ତି ! ଏପରିକି ସିନେମାହଲ‌୍‍ରେ ଜାତୀୟ ସଂଗୀତ ଶୁଣୁଥିବା ଏ ଦେଶର ଜନଗଣମନ ମଧ୍ୟ ଦୁର୍ନୀତି ଓ କଳାଧନକୁ ଲୋକକାହାଣୀର ଦୁଇସଂଗାତ ପରି ମାନିନେଇଛି। ଯଦି ସମସ୍ତେ ସତରେ ଚାହୁଥାନ୍ତେ, ତା’ହେଲେ କଣ ଏ ଭୂଭାରତବର୍ଷରେ ଆଜି ବି ଦିଲ୍ଲୀ ଆଉ ଦୂର କି ପଲ୍ଲୀ ଆଉ ପର ହୋଇ ରହିଥାନ୍ତା ?

 

ଯଦି ଦୁର୍ନୀତିର ମୂଳ କାଟିବାକୁ ପଡେ଼, ତେବେ ଏକ ଦଳମୁକ୍ତ ରାଜନୀତିର ଶୁଭଦେଇ ଭାରତବର୍ଷରେ ବ୍ୟକ୍ତିତ୍ୱଭିତ୍ତିକ ରାଜନୀତିର ଯୁଗନିର୍ମାଣ ଏକାନ୍ତ ପ୍ରୟୋଜନ। ମାତ୍ର ନ୍ୟସ୍ତସ୍ୱାର୍ଥ ମହାଜନ ଓ ଅସ୍ତବ୍ୟସ୍ତ ସଭାଜନମାନଙ୍କ ମିଳିତଚକ୍ରର ମନ୍ତ୍ରଣାକକ୍ଷରେ ଏପରି ପ୍ରସ୍ତାବକୁ କ’ଣ କେବେ ବିଚାରକୁ ନିଆଯାଇପାରିବ ?

 

ଯଦି କଳାଧନର ଖେଳ ଖତମ‌୍‍ କରିବା ଦରକାର, ତା’ହେଲେ ମଞ୍ଚରୁ ସ୍ୱଚ୍ଛଭାଷଣର ସଂଳାପ ନୁହେଁ - ଭାରତର ପ୍ରତି ଘରୁ ତୀବ୍ର ହୁଇସିଲ‌୍‍ର ଆବାଜ ଶୁଭିବା ନିତାନ୍ତ ଜରୁରୀ। ଭାରତୀୟ ଜନନୀ-ଭଗିନୀ-ଜାୟା-ତନୟାବର୍ଗ ନିଜନିଜ ପରିବାରକୁ ଆସୁଥିବା ଆୟବହିର୍ଭୂତ ଗୋଟିଏ ବି ଟଙ୍କାକୁ ଯେଉଁଦିନ ଏରୁଣ୍ଡିବନ୍ଧ ଏପଟକୁ ପ୍ରବେଶାଧିକାର ନ ଦେଇ ପ୍ରତିବାଦ କରିବାର ସାହସିକ ସଂକଳ୍ପ ଶୁଣାଇପାରିବେ, ସେଇଦିନଠାରୁ ହିଁ ଆରମ୍ଭ ହେବ କଳାଧନର ଶେଷଦିନ ! କିନ୍ତୁ ଚହଲା ପାଣିକୁ ପାଦ ବଢ଼ାଇବାକୁ ଚଙ୍କୁ ନ ଥିବା ସୁଜନବର୍ଗ ଓ କୁଟିଳ ଅର୍ଥକୁବେରତନ୍ତ୍ରର ନିରୁପାୟ ନିରବ ଖାତକ ପାଲଟିଯାଉଥିବା ଅଭାଜନବର୍ଗ କଣ ହାଣ୍ଡିଶାଳର ଏ ବିପ୍ଳବକୁ ଭୋଟ‌୍‍ ଦେଇପାରିବେ ?

 

ଏ ଦୁଇଟି ପ୍ରଶ୍ନ ଅନୁତ୍ତରିତ ଥିବାଯାଏଁ ଦୁର୍ନୀତି ଓ କଳାଧନ ରଜାପୁଅ ଓ ମନ୍ତ୍ରୀପୁଅ ପରି ଦୁଇସଂଗାତ ହୋଇ ଆମ ମନଅରଣ୍ୟରେ ମୃଗୟାମତ୍ତ ରହିଥିବେ - ଏହା ଶତପ୍ରତିଶତ ନିଃସନ୍ଦେହ।

 

ଯାଜପୁର ରୋଡ‌୍‍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top