ନିଜକୁ କାହିଁକି ହତ୍ୟା କରୁଛି ଚାଷୀ?

News Story - Posted on 2017-03-22

ସୂର୍ଯ୍ୟମଣି ମିଶ୍ର

 

୨୦୧୫ ବର୍ଷରେ ରାଜ୍ୟର ୨୦୦ ଚାଷୀ ସରକାରୀ ଅବହେଳା ଯୋଗୁ ନିଜକୁ ନିଜେ ହତ୍ୟା କଲେ। ଏହାକୁ ସରକାରୀ ହତ୍ୟା କହିଲେ ଭୁଲ ହେବ ନାହିଁ। ଚାଷୀ ଆତ୍ମହତ୍ୟା (ସରକାରୀ ଭାବେ) ଗତ ୧୭ ବର୍ଷ ମଧ୍ୟରେ ୩ ହଜାରରୁ ଅଧିକକୁ ବୃଦ୍ଧି ପାଇଛି। ତେବେ ଚାଷୀ ନିଜକୁ ନିଜେ କାହିଁକି ହତ୍ୟା କରୁଛି? ଏହାର ପ୍ରମୁଖ କାରଣ ହେଲା- ତା’ ଜମିରେ ଉତ୍ପାଦିତ ହେଉଥିବା ସାମଗ୍ରୀ ନଷ୍ଟ ହେଉଛି। ଏହି କ୍ଷତି ତା’ର ବର୍ଷକର ବଞ୍ଚିବାର ଆଶାକୁ ଚୁର‍୍‌ମାର‍୍‌ କରୁଛି।

 

ସରକାର ଜମିକୁ ଜଳ ଦେବା ପାଇଁ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏହା ମଧ୍ୟରେ ୬ଟି ପଞ୍ଚବାର୍ଷିକୀ ଯୋଜନା ଶେଷ ହୋଇଛି। ଓଡ଼ିଶାରେ ୧୯୭୬-୭୭ ମସିହାରେ ସେଚାଞ୍ଚଳ ବିକାଶ (ସିଏଡି) ଯୋଜନା ମାଧ୍ୟମରେ ଚାଷଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୨୦୦୧-୦୨ରେ ଏହି ଯୋଜନାରେ ୪୫୧.୧୯ ଲକ୍ଷ ଟଙ୍କା ବ୍ୟୟ ହେଲା। ୨୦୦୧-୦୨ ଦୁଇଟି ଆର୍ଥିକ ବର୍ଷରେ ଜଳଛାୟା ଉନ୍ନୟନ କାର୍ଯ୍ୟାବଳୀରେ ୧୯.୦୨ ଲକ୍ଷ ଟଙ୍କା ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନା ଅନୁଯାୟୀ ଜଳସେଚନ ପାଇଁ ବ୍ୟୟ କରିଥିଲେ। ଇଣ୍ଡୋ-ଡାନିସ‍୍‌ ବ୍ୟାପକ ଜଳଛାୟା ଉନ୍ନୟନ ପ୍ରକଳ୍ପ କୋରାପୁଟରେ ୧୯୯୩-୯୪ରେ କାର୍ଯ୍ୟକାରୀ ହୋଇଥିଲା। ୨୦୦୧-୦୨ରେ ଏହି ଉନ୍ନୟନ ପ୍ରକଳ୍ପ ଯୋଜନାରେ ୧୦୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହିପରି ୧୯୬-୯୭ରେ ଆରମ୍ଭ ହୋଇଥିବା ତ୍ୱରାନ୍ୱିତ ଜଳସେଚନ ଉପକୃତ କାର୍ଯ୍ୟକ୍ରମ, ୧୯୭୪-୭୫ରେ ଆଗୁଆ ଅଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ, ୧୯୮୭ରେ ସହଭାଗୀ ଜଳସେଚନ ପ୍ରକଳ୍ପ ଭଳି ଜଳସେଚନ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା।

 

୨୦୦୧-୦୨ରେ ରାଜ୍ୟ ସରକାର ବିଜୁ କୃଷକ ବିକାଶ ଯୋଜନା ଆରମ୍ଭ କରି ଏ ବାବଦରେ ୨୦୦ ଲକ୍ଷ ଟଙ୍କା ଜଳସେଚନ ପାଇଁ ବ୍ୟୟବରାଦ କରିଥିଲେ। ଏହିପରି ତ୍ୱରାନ୍ୱିତ ଜଳସେଚନ ହିତ ଯୋଜନା (ଏଆଇଡିପି) ମଧ୍ୟ କାର୍ଯ୍ୟକାରୀ ହୋଇଥିଲା। ଏହାସହ ପାରମ୍ପରିକ ଗତ କୃଷି ବିକାଶ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ଓଡ଼ିଶା ଜଳଛାୟା ଉନ୍ନୟନ ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଭଳି ୧୦ରୁ ଅଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୬-୧୭ରେ ସରକାର ନିଜେ ସ୍ୱୀକାର କରିଛନ୍ତି ଯେ ୧୯୮ଟି ବ୍ଲକରେ ୩୫ ପ୍ରତିଶତ ଜମି ଜଳସେଚିତ ହୋଇପାରି ନାହିଁ। ସର୍ଭେ ରିପୋର୍ଟରେ ସରକାର ସୂଚନା ଦେଇଛନ୍ତି, ମୋଟ ୫୪.୭୪ ଲକ୍ଷ ହେକ୍ଟର ଚାଷଜମି ମଧ୍ୟରୁ ଖରିଫରେ ୩୬.୭୧ ଲକ୍ଷ ହେକ୍ଟର ଏବଂ ରବିରେ ୧୮.୩ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚନର ସୁବିଧା ପାଉଛି। ଏହା ସରକାରଙ୍କ ରିପୋର୍ଟ। କିନ୍ତୁ ବାସ୍ତବତା ହେଲା ଏବେ ବି ମୋଟ ୩୧୪ ବ୍ଲକ୍ ମଧ୍ୟରୁ ଅଧାରୁ ଅଧିକ ବ୍ଲକର ମୋଟ ଚାଷ ଜମି ମଧ୍ୟରୁ ୨୦% ଜମି ମଧ୍ୟ ଜଳସେଚିତ ନୁହେଁ।

 

ଦୀର୍ଘ ୪୫ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଜଳସେଚନ ଯୋଜନା ବିଭିନ୍ନ ନାଆଁରେ କାର୍ଯ୍ୟକାରୀ ହେଉଛି। କିନ୍ତୁ ଏବେ ବି ମୋଟ ଚାଷଜମି ମଧ୍ୟରୁ ୩୫ ପ୍ରତିଶତ ଜମି ଜଳସେଚିତ ହୋଇନପାରିବା ସରକାରୀ ବିଫଳତାକୁ ସୂଚାଇଦିଏ। ସରକାରଙ୍କ ବିଫଳତା ଯୋଗୁ ଚାଷଜମିକୁ ପାଣି ମାଡ଼ୁନି, ଚାଷୀକୁ ମିଳୁନି ତା ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ। ତା’ପାଇଁ ନା ଅଛି ବଜାର ନା ଅଛି ସଂରକ୍ଷଣ ସୁବିଧା? ନକଲି ବିହନ, ବହୁଜାତୀୟ କମ୍ପାନୀ ପ୍ରସ୍ତୁତ ନକଲି କୀଟନାଶକ ଔଷଧ ଏବଂ ବ୍ୟୟବହୁଳ ସାର ଚାଷୀ ପାଇଁ ବୋଝ ଉପରେ ନଳିତାବିଡ଼ା ଭଳି ଭାରି ହୋଇପଡ଼ୁଛି। ଚାଷ ଆରମ୍ଭରେ ସରକାର ତା’ର ଆବଶ୍ୟକ ଅନୁଯାୟୀ ଋଣ ଯୋଗାଉନାହାନ୍ତି। ଚାଷ ପାଇଁ ଆବଶ୍ୟକ ସବ‍୍‌ସିଡ୍ ବା ରିହାତି ମିଳୁନି। ଚାଷୀ ଏହିଭଳି ସମସ୍ୟାର ଶିକାର ହୋଇ ଶେଷରେ ନିଜକୁ ନିଜେ ମାରିଦେଉଛି।

 

ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୬-୧୭ରେ ସ୍ୱୀକାର କରିଛନ୍ତି ଯେ, ମୋଟ ଜନସଂଖ୍ୟାର ୬୨ ପ୍ରତିଶତ ଲୋକ କୃଷିକୁ ଜୀବିକା କରି ବଞ୍ଚିଥାନ୍ତି। କିନ୍ତୁ ବାସ୍ତବତା ହେଲା ୭୫ ପ୍ରତିଶତରୁ ଅଧିକ ଲୋକ କୃଷି ନିର୍ଭରଶୀଳ। କିନ୍ତୁ କୃଷି ଓ କୃଷକଙ୍କ ବିକାଶ ଦିଗରେ ସରକାର ନିଜର ଉତ୍ତରଦାୟିତ୍ୱ ନିର୍ବାହ କରୁନାହାନ୍ତି। ଯାହା ୪୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକାରୀ ହେଉଥିବା ଜଳସେଚନ ପ୍ରକଳ୍ପର ବିଫଳତା ଉପରେ ଆଖିପକାଇଲେ ସ୍ପଷ୍ଟ ହୁଏ।

 

ଏହା ମଧ୍ୟରେ ସୁପ୍ରିମ‍୍‌ କୋର୍ଟଙ୍କ ଖଣ୍ଡପୀଠ ଚାଷୀଙ୍କ ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି। କ୍ଷତିପୂରଣ ଚାଷୀ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ ବୋଲି କୋର୍ଟ ଉଲ୍ଲେଖ କରିବା ସହ ସ୍ୱାଧୀନତାର ୭୦ ବର୍ଷ ପରେ ଚାଷୀ କାହିଁକି ସ୍ୱାବଲମ୍ୱୀ ହୋଇ ପାରୁନାହିଁ, ଏ ଦିଗରେ ସମୀକ୍ଷା କରିବା ଗୁରୁତ୍ୱ ବହନ କରେ। ଚାଷୀ ଆତ୍ମହତ୍ୟାର ମୂଳ କାରଣ ଓ ନିରାକରଣ ଦିଗରେ ସରକାର କି ପଦକ୍ଷେପ ନେଉଛନ୍ତି, ସେ ସଂପର୍କରେ ରିପୋର୍ଟ ମାଗିଛନ୍ତି ସୁପ୍ରିମ‍୍‌ କୋର୍ଟଙ୍କ ଖଣ୍ଡପୀଠ। ସୁପ୍ରିମ‍୍‌ କୋର୍ଟ ସରକାରୀ ଅବହେଳାକୁ ନେଇ ଉଦ‍୍‌ବେଗ ପ୍ରକାଶ କରିଛନ୍ତି।

 

ଏକ ସମୀକ୍ଷାରୁ ଜଣାଯାଇଛି, ରାଜ୍ୟରେ ମୋଟ ଚାଷୀଙ୍କ ମଧ୍ୟରୁ ମାତ୍ର ୧ରୁ ୨ ପ୍ରତିଶତ ଚାଷୀ ବିକଶିତ। ୯୮ରୁ ୯୯ ପ୍ରତିଶତ ଚାଷୀ ନିଜର ଚାଷ ପାଇଁ ପୁଞ୍ଜି ଅଭାବରୁ ଋଣ କରିଥାନ୍ତି। ରାଜ୍ୟର ୪୦.୦୪ ଲକ୍ଷ ଚାଷୀ ଏବଂ ୬୭.୪୨ ଲକ୍ଷ କୃଷି ଶ୍ରମିକଙ୍କ ଜୀବନ ଜୀବିକାର ସୁରକ୍ଷା ହେଉଛି ସରକାର ବା ରାଷ୍ଟ୍ରର ଦାୟିତ୍ୱ। ଏହି କୃଷକ ଓ କୃଷି ଶ୍ରମିକଙ୍କ ଆୟ ବଢ଼ୁନାହିଁ। ସେମାନଙ୍କୁ ସେମାନଙ୍କର ଫସଲ କ୍ଷତିରେ ବୀମା ରାଶି ମିଳୁନି। ଏଥିପାଇଁ କ’ଣ କୃଷକ ଓ କୃଷି ଶ୍ରମିକ ଦାୟୀ ନୁହଁନ୍ତି ନିଶ୍ଚୟ। ସରକାରୀ ଅବହେଳାରୁ ଚଳିତ ବର୍ଷ ଆରମ୍ଭରେ ବରଗଡ଼ର ଖଏନୁ ବଗର୍ତୀ ଫସଲ କ୍ଷତି ଓ ଋଣ ବୋଝ ସହିନପାରି ଆତ୍ମହତ୍ୟା କଲେ। ନବରଙ୍ଗପୁର ବ୍ଲକର ସାନମସି ଗାଁର ଶିବ ପ୍ରସାଦ ଭତରା (୪୫) ଧାନଚାଷ କ୍ଷତି ଓ ଋଣ ଶୁଝିନପାରି ନିଜକୁ ନିଜେ ହତ୍ୟା କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଏହି ଦୁଇଜଣ ଚାଷୀ ସରକାରୀ ଅବହେଳାରୁ ମୃତ୍ୟୁବରଣ କରିଥିବା ବେଳେ ସରକାର କିନ୍ତୁ ନିଜର ଅପାରଗତା ଓ ଅବହେଳାକୁ ସ୍ୱୀକାର କରିନାହାନ୍ତି।

 

ଚାଷୀ ଆତ୍ମହତ୍ୟା ଭଳି ସମ୍ୱେଦନଶୀଳ ପ୍ରସଙ୍ଗକୁ ଏଡ଼ାଇ ଦେଇ ସରକାର କେବଳ ବିକାଶର ନାରା ଦେବା କୃଷକ ଓ କୃଷିଶ୍ରମିକଙ୍କ ପାଇଁ ସରକାରୀ ଉପହାସ। ବିରୋଧୀ ଦଳରେ ଥିବା ରାଜନୈତିକ ଦଳ କୃଷି ଓ କୃଷକ ସମସ୍ୟାକୁ ନେଇ ଯେପରି ଆନ୍ତରିକତା ପ୍ରଦର୍ଶନ କରିବା କଥା, ତାହା ଦେଖିବାକୁ ମିଳୁନାହିଁ। ବିରୋଧ ପାଇଁ ବିରୋଧ କରୁଛନ୍ତି ବିରୋଧୀ ଦଳ। ସ୍ୱାଧୀନତାର ପୂର୍ବରୁ ଏବଂ ସ୍ୱାଧୀନତାର ୭୦ ବର୍ଷ ପରେ କୃଷକ ଓ କୃଷି ଶ୍ରମିକ ଯେଉଁ ସମସ୍ୟାରେ ଥିଲେ, ଆଜି ବି ସେହି ସମସ୍ୟାରୁ ମୁକୁଳି ପାରିନାହାନ୍ତି। ସମସ୍ୟାରେ ଘାଣ୍ଟିହୋଇ ଏଥିରୁ ମୁକ୍ତି ନପାଇ ନିଜକୁ ନିଜେ ହତ୍ୟା କରୁଛନ୍ତି। କିନ୍ତୁ ସତକଥା ହେଲା ସରକାରୀ ଅବହେଳାରୁ ହିଁ ଚାଷୀ ଆତ୍ମହତ୍ୟା କରୁଛି। ଏହାକୁ ସରକାରୀ ହତ୍ୟା କହିଲେ ତ ଭୁଲ ହେବ ନାହିଁ ନିଶ୍ଚୟ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କର ସାମ୍ୱିଧାନିକ ଦାୟିତ୍ୱ ହେଉଛି ଜନଗଣଙ୍କର ଜୀବନ ଓ ଜୀବିକାର ସୁରକ୍ଷାକୁ ସୁନିଶ୍ଚିତ କରିବା। କିନ୍ତୁ ସରକାର ନିଜର ଏହି ଦାୟିତ୍ୱକୁ ପାଳନ କରୁନଥିବାରୁ ଚାଷୀ ଆତ୍ମହତ୍ୟା ଭଳି ସମ୍ୱେଦନଶୀଳ ଘଟଣା ଘଟି ଚାଲିଛି। ଚାଷକ୍ଷେତ, ଜଳସେଚନ ଅଭାବରୁ ପଡ଼ିଆ ପଡ଼ୁଛି, ଚାଷୀର ଫସଲ କ୍ଷତି ହେଉଛି।

 

ସରକାର ସୁପ୍ରିମ‍୍‌ କୋର୍ଟଙ୍କ ସଦ୍ୟତମ ଟିପ୍ପଣୀ ଆଧାରରେ ନିଜର ଅବହେଳା ଓ ବିଫଳତାକୁ ସ୍ୱୀକାର କରିବା ଗୁରୁତ୍ୱ ବହନକରେ। ଚାଷୀର ଚାଷଜମିକୁ ଜଳସେଚିତ କରିବା ଚାଷୀ ପାଇଁ ବଜାର ବ୍ୟବସ୍ଥା, ସଂରକ୍ଷଣ ସୁବିଧା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ବିହନ, ସାର ଓ କୀଟନାଶକ ପ୍ରଦାନରେ ରିହାତି, ଋଣ ପ୍ରଦାନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଜରୁରୀ। କୃଷି ଓ କୃଷକଙ୍କ ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାନଗଲେ ଚାଷୀ ଆତ୍ମହତ୍ୟା ଭଳି ସମ୍ୱେଦନଶୀଳ ଘଟଣାର ଅନ୍ତ ଘଟିବ ନାହିଁ। ସରକାର ଏ ନେଇ ଦୀର୍ଘସ୍ଥାୟୀ ଯୋଜନା ପ୍ରଣୟନ ଓ ନିଶ୍ଚିତ କାର୍ଯ୍ୟାନ୍ୱୟନ କରିବା ଜରୁରୀ।

 

ଦୂରଭାଷ : ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top