ସମ୍ପର୍କ

News Story - Posted on 2017-03-20

ଚାରୁ ଚନ୍ଦନ ଦାଶ

 

ରାଜେଶ ପଟ୍ଟନାୟକ। ଇଂଜିନିୟରିଂ ଶେଷ କରି ବାଙ୍ଗାଲୋରରେ ଏକ ସଫ୍ଟୱେଆର କମ୍ପାନୀରେ ଇଂଜିନିୟର ଅଛନ୍ତି। ମାସ ଶେଷରେ ମୋଟା ଅଙ୍କର ଦରମା। ପକେଟ ପୂରା ଗରମ। ଜୀବନ କହିଲେ ଅଫିସରୁ ଆପାର୍ଟମେଣ୍ଟ ଆଉ ଆପାର୍ଟମେଣ୍ଟରୁ ଅଫିସ। ଭାଗ ଦୌର ଭର୍ ଜିନ୍ଦେଗୀ। ଜୀବନରେ ସତେ ଯେମିତି ସିଏ ବି ପେଷି ହୋଇ ଯାଇଛନ୍ତି। ହାର୍ଡ଼ଡିସ୍କ ଯେମିତି କ୍ରାଶ୍‌ ହେବାକୁ ଲାଗିଛି। ଘରକୁ ବି ଆଉ ପ୍ରାୟ ଆସୁନାହାନ୍ତି।

 

ଏଇତ ଦୁଇ ବର୍ଷ ହେଲା, ତାଙ୍କର ଗାଁରେ ପାଦ ପଡିନି। ସଫ୍ଟୱେଆରମାନଙ୍କ ସହ ଦିନ ରାତି ଖେଳି ଖେଳି ସିଏ ବି ଏକ ମଜବୁତ ସଫ୍ଟୱେଆର ବନି ଗଲେଣି। ଆଜିକାଲି ଡ୍ରିଂକ୍ସ ବି କରୁଛନ୍ତି। କେବେକେବେ ରାତିସାରା ୩୦ ମହଲା ଛାତ ଉପରେ ବସି ଆକାଶକୁ ଚାହିଁ ରହୁଛନ୍ତି। ତା’ରି ଭିତରେ ୩-୪ ପ୍ୟାକେଟ ସିଗାରେଟ ଖତମ।

 

ଆଗରୁ ତ ରାଜେଶ ପଟ୍ଟନାୟକ ଏମିତି ନଥିଲେ। କଲେଜରେ ପିଲା ବେଳେ ଏକଦମ ଲଫଙ୍ଗା। ଛଅ ଫୁଟ ଉଚ୍ଚତା ସାଙ୍ଗକୁ ରଜା ପୁଅ ଭଳି ଦିଶୁଥିବା ରାଜେଶ ପଛରେ କଲେଜର ଅଧେ ଝିଅ। କଲେଜ ଆନୁଆଲ ଫଙ୍କସନ ହେଲେ ରାଜେଶ ସହ ଡ୍ୟାନ୍ସ କରିବାକୁ ଝିଅମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗି ରହୁଥିଲା। ହେଲେ ଏଇ ୩-୪ ବର୍ଷ ହେବ କ’ଣ ହେଇଛି ରାଜେଶର? ଜୀବନର ଗତିପଥ ପୂରା ବଦଳି ଯାଇଛି। ସତରେ କ’ଣ ରାଜେଶର ସିଷ୍ଟମରେ ଭାଇରସ ଲାଗି ଯାଇଛି ନା, ସଫ୍ଟୱେଆରମାନଙ୍କ କୋପ ଦୃଷ୍ଟି ପଡ଼ିଛି ?

 

ମିତୁଲ ଚୌଧୁରୀ। ଭୁବନେଶ୍ବରରେ ଇଂଜିନିୟରିଂ କଲାବେଳେ ଦେଖା ହେଇ ଥିଲା ସେ। ଭକ୍ସୱାଗନ ଗାଡ଼ି ଧରି କଲେଜ ଆସେ। ଗୋରା ଫକ ଫକ ରଙ୍ଗ ସାଙ୍ଗକୁ ନୀଳ ନୀଳ ଆଖି। ସତେ ଯେମିତି କେଉଁ ଏକ ପରୀ ରାଇଜରୁ ଓହ୍ଲେଇ ଆସିଛି। ପୁଣି ଚେରୀ ଫଳ ପରି ଲାଲ ଓଠରେ କେବେ ନାଲି ଲିପଷ୍ଟିକ ତ ଆଉ କେବେ ଅନ୍ୟ ରଙ୍ଗର। ଜିନ୍ସ ଓ ଟପକୁ ଠିକ ମ୍ୟାଚ କଲା ଭଳି। ହାଇଟ ବି ଠିକ ଠାକ। ଏଇ ୫ ଫୁଟ ୬ ଇଞ୍ଚ କି ୭ ଇଞ୍ଚ ହେବ। ହେୟାର ଡ୍ରୟାରରେ ଡ୍ରାୟ କରି କେଶ ଛାଡି ଦେଇଥାଏ। ସେଥିପାଇଁ ବିନା ପବନରେ ବି କେଶଗୁଡିକ ତରଙ୍ଗାୟିତ ହେଉଥାନ୍ତି। ରାଜେଶ ଓ ମିତୁଲର ସମ୍ପର୍କ ବିଷୟରେ କଲେଜ ସାରା କାହାକୁ ଅଛପା ନୁହେଁ।

 

ଅନେକ ଥର ସେମାନେ ପୁରୀ ବି ଯାଇଛନ୍ତି। ସମୁଦ୍ରରେ ଗାଧେଇଛନ୍ତି, ନିରୋଳାରେ ବସି ଅନେକ ସମୟ ଗପିଛନ୍ତି। ଜଗନ୍ନାଥ ମନ୍ଦିର ଯାଇ ଆନନ୍ଦ ବଜାରରେ ଅବଢ଼ା ବି ଖାଇଛନ୍ତି। ମନ୍ଦିର ଭିତରେ ଥିବା ଲକ୍ଷ୍ମୀ ମନ୍ଦିରରେ ମିତୁଲ ମଥାରେ ଅନେକ ଥର ରାଜେଶ ସିନ୍ଦୁର ବି ପିନ୍ଧେଇଛି। ଫେରିଲାବେଳେ ସେମାନେ ମେରାଇନ ଡ୍ରାଇଭ ଦେଇ ଆସନ୍ତି। ଶହ ଶହ ସେଲ୍ଫି, ହଗ୍‌ର, କିସ୍‌ର ଏମିତି ଅନେକ ମୁହୂର୍ତ୍ତର।

 

କଲେଜର ଶେଷ ସେମିଷ୍ଟାର ସରିବାକୁ ଆଉ ଗୋଟିଏ ପରୀକ୍ଷା ବାକି ଥାଏ। ଏମିତି ଏକ ଛୋଟ ସନ୍ଦେହରୁ ସେମାନଙ୍କ ସମ୍ପର୍କରେ ଆରମ୍ଭ ହୋଇଥିଲା ଝଡ। ସେମିଷ୍ଟାର ପୂର୍ବରୁ ଟିକେ ଟିକେ ଆରମ୍ଭ ହୋଇଥିବା ଝଗଡ଼ା ଶେଷ ପରୀକ୍ଷା ପୂର୍ବ ଦିନ ଦୁଇ ପକ୍ଷୀଙ୍କ ସ୍ବପ୍ନର ବସାକୁ ଭାଙ୍ଗୀ ଦେଇଥିଲା। ଉଜୁଡ଼ି ଯାଇଥିଲା ସେମାନଙ୍କ ଆରମ୍ଭ ହୋଇନଥିବା ସଂସାର। ଲକ୍ଷ୍ମୀ ମନ୍ଦିରରେ ଦୁହେଁ ଯେଉଁ ରାଣ ଖାଇଥିଲେ, ସେଇଟା ଆଜି ରବୀନ୍ଦ୍ର ମଣ୍ଡପ କି ଭଞ୍ଜକଳା ମଣ୍ଡପର କେଉଁ ଏକ ନାଟକର ଦୃଶ୍ୟ ଭଳି ଲାଗୁଛି।

 

ବାପା-ମା’ଙ୍କ ଗୋଟିଏ ବୋଲି ପୁଅ ରାଜେଶ। ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ରାଜେଶର ବାପା ଜଣେ ତୃତୀୟ ଶ୍ରେଣୀ ସରକାରୀ କର୍ମଚାରୀ। ରାଜେଶ ଆଉ ମିତୁଲର ସମ୍ପର୍କ ବିଷୟରେ ଘରେ ଜାଣିଥିଲେ। ଏମିତିରେ ତ ରାଜେଶର ମା’ ବୋହୂ ପାଇଁ ଶଙ୍ଖା ଆଉ ହାର ଲାଗି ଆଡଭାନ୍ସ ଦେଇ ସାରିଥିଲେ। ରାଜେଶ କେଉଁଠି ଗୋଟେ ସେଟେଲ ହେଲା ପରେ ଦୁହିଁଙ୍କ ବାହାଘର ହେଇଥାନ୍ତା।

 

ଚାରି ଦିନ ପାଇଁ ରାଜେଶ ଚେନ୍ନାଇ ଆସିଛି। ଅଫିସ କାମରେ। ପ୍ରଥମେ ଆସିବାକୁ ମନା କରୁଥିଲା। କିନ୍ତୁ, ବସ୍ ଟିକେ ବାଧ୍ୟ କରିବାରୁ ସିଏ ମନା କରି ପାରିଲା ନାହିଁ। ସନ୍ଧ୍ୟା ହେଲେ ଦୁଇ ପ୍ୟାକେଟ ସିଗାରେଟ ଧରି ସେ ମେରିନା ବିଚକୁ ଯାଏ। ସମୁଦ୍ରର ଚିତ୍କାର ମଧ୍ୟରେ ସେ ନିଜକୁ ଖୋଜିବାକୁ ଚେଷ୍ଟା କରୁଥାଏ। ପ୍ରତ୍ୟେକ ଥର ଆସୁଥିବା ଜୁଆର ମଧ୍ୟରେ ଅତୀତର ପ୍ରତ୍ୟକଟି ମୁହୂର୍ତ୍ତକୁ ରୋମନ୍ଥନ କରୁଥାଏ। ମନେ ମନେ ଭାବୁଥାଏ, କ’ଣ ଦୋଷ କରିଥିଲି ମୁଁ! ନିଃସ୍ବାର୍ଥପର ଭାବେ ଭଲ ପାଇବାର ସଜା କ’ଣ ଇଏ? ପ୍ରଦୋଷ... ପ୍ର...(ପାଟି ଖନି ମାରୁଥାଏ)। ଓଠ ଥରି ଆସୁଥାଏ, ଆଉ ଥରିଲା ଓଠରେ ତାଙ୍କ ସମ୍ପର୍କ ମଝିରେ ଏଣ୍ଟ୍ରି ମାରିଥିବା ପ୍ରଦୋଷ ମହାନ୍ତିର ନାମ ଥରଥରୁଆ ଉଚ୍ଚାରଣ କରୁଥାଏ।

 

ପ୍ରଦୋଷ ମହାନ୍ତି। ମିତୁଲ ବାପାଙ୍କ ସାଙ୍ଗର ପୁଅ। ଉଭୟ ପରିବାର ମଧ୍ୟରେ ନିବିଡ ସମ୍ପର୍କ। ରାଜେଶ ବି ପ୍ରଦୋଷକୁ ଜାଣିଛି। ମିତୁଲ ଉଭୟଙ୍କୁ ପରିଚିତ କରାଇଛି। ମିତୁଲ ଆଉ ପ୍ରଦୋଷ ସମ୍ପର୍କରେ ବାଡ଼ ବତାସ କିଛି ବି ନଥାଏ। ଦୁହେଁ ବୁଲିବାକୁ ଯାଆନ୍ତି, ଏକାଠି ପାର୍ଟି କରନ୍ତି। କେବେକେବେ ଡିସ୍କୋ ବି ଯାଆନ୍ତି। ରାଜେଶ ଏ ସବୁ ଜାଣେ। ହେଲେ ଏହାକୁ ବନ୍ଧୁତ୍ବ ଆଖ୍ୟା ଦେଇ ଚୁପଚାପ ସବୁ ସହି ଯାଏ। ଥରେ ଅସହ୍ୟ ହେବାରୁ ମିତୁଲକୁ ତାଗିଦ କରିଥିଲା ବୋଲି ପ୍ରଳୟ ସୃଷ୍ଟି ହୋଇଥିଲା। ଅବଶ୍ୟ ଦୁହିଁଙ୍କ ଭିତରେ ପୁଣି ସବୁ ଠିକ ହେଇ ଯାଇଥିଲା।

 

ଶେଷ ସେମିଷ୍ଟାରର ଶେଷ ପରୀକ୍ଷା ଦିନ ସକାଳୁ ମିତୁଲ ମୋବାଇଲରେ ପ୍ରଦୋଷର ମେସେଜ ଦେଖି ରାଜେଶ ଅବାକ ହୋଇ ଯାଇଥିଲା। ସତେ କି ତା’ ମୁଣ୍ଡ ଉପରୁ ଆକାଶଟା ଛିଣ୍ଡି ଗଲା ପରି ଲାଗିଲା। ପାଦ ତଳୁ ମାଟି ଯେମିତି ଯୋଜନ ଯୋଜନ ତଳକୁ ଚାଲିଗଲା ପରି ଲାଗିଲା।

 

ପ୍ରଦୋଷ: ବେବି ଆଜି ଇଭିନିଂ ସୋ ଫିଲ୍ମ ଯିବା।

 

ମିତୁଲ: ଓକେ।

 

ପ୍ରଦୋଷ: ତମ ପ୍ରେମିକ ମହାଶୟ କିଛି କହିବେନି ତ?

 

ମିତୁଲ: ପ୍ରେମିକ... ହା ହା। ହି..ଇଜ.. ଏ... ଫୁଲ... ଇଡିଅଟ। ବିଚରା ମତେ ନେଇ କେତେ ସ୍ବପ୍ନ ଦେଖିଛି!

 

ପ୍ରଦୋଷ: ହା.. ହା...

 

ମିତୁଲ: ଲଭ ୟୁ..

 

ପ୍ରଦୋଷ: ଲଭ ...ୟୁ ...ଠୁ

 

ଆଉ ଆଗକୁ ରାଜେଶ ମେସେଜ ଦେଖି ପାରିଲାନି। କଲେଜ କ୍ୟାଣ୍ଟିନରେ ଟେବୁଲ ଉପରେ ମିତୁଲ ମୋବାଇଲଟାକୁ ରଖି ଦେଇ ରାଜେଶ ଚୁପଚାପ ଚାଲି ଆସିଲା।

 

ସନ୍ଧ୍ୟା ଯାଇ ରାତି ହେଇ ସାରିଲାଣି। ଇତି ମଧ୍ୟରେ ହ୍ବିିସ୍କିର ଏକ ବୋତଲ ଆଉ ସିଗାରେଟର ୪-୫ ପ୍ୟାକେଟ ବି ଖତମ ହେଇ ସାରିଲାଣି। ଅଶାନ୍ତ ସମୁଦ୍ର, ରାଜେଶ ଓ ଆକାଶରେ ଗୋଲ ଜହ୍ନ। ଅତୀତର ନିଶା ଓ ହ୍ବିସ୍କିର ନିଶାରେ ରାଜେଶ ମତୁଆଲା ହୋଇ ସାରିଥିଲା। ଶୁଣିବାକୁ ପାଖରେ କେହି ନଥିଲେ ବି ଥରିଲା ଓଠରୁ ଶବ୍ଦ ଗୁଡ଼ିକ ଉଡି ଉଡି ଜୁଆର ସାଙ୍ଗରେ ମିଶି ଯାଉଥିଲେ। ଆଉ ଆଖିରୁ ଝରି ଆଉଥିବା ଲୁହର ପ୍ରତ୍ୟକଟି ବୁନ୍ଦା ସମୁଦ୍ର ବାଲିରେ ପଡି କିଛି ସମୟ ପରେ ଶୁଷ୍କ ହେଇ ଯାଉଥିଲା।

 

ବୀରମହାରାଜପୁର, ସୁବର୍ଣ୍ଣପୁର

ଫୋ- ୯୬୫୮୨୬୩୨୮୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top