ସରକାରୀ ଅବହେଳା, ଖାଉଟି ହନ୍ତସନ୍ତ

News Story - Posted on 2017-03-20

ଯୋଗାଣ ବିଭାଗର ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଶାଖାରେ ବର୍ଷ ବର୍ଷ ଧରି ବ୍ୟାପକ ସଂଖ୍ୟକ ପଦପଦବୀ ଖାଲିପଡ଼ିଛି। ତେବେ ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ପଦବୀ ପୂରଣ ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା।

 

ମନ୍ତ୍ରୀ ଦେଇଥିବା ବିସ୍ତୃତ ତଥ୍ୟ ଅନୁଯାୟୀ ୩୪ଟି ମଞ୍ଜୁରୀପ୍ରାପ୍ତ ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ପଦବୀ ଥିବା ବେଳେ ସେଥିରୁ ଖାଲିପଡ଼ିଛି ୩୩ଟି। ସେହିପରି ଟଙ୍କିକିଆ ଚାଉଳ ଯୋଜନା ଦେଖାରଖା କରିବା ପାଇଁ ଥିବା ଆଉ ୪୪ଟି ମଞ୍ଜୁରୀପ୍ରାପ୍ତ ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ପଦବୀରୁ ମଧ୍ୟ ଖାଲିପଡ଼ିଛି ୨୮ଟି। ଏହି ଗୁରୁତ୍ୱପୂର୍ଣ୍ଣ ସଂଗଠନ ଲାଗି ଥିବା ତିନୋଟି ଯାକ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ଓ ୧୨ଟି ଯାକ ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ସୁପରଭାଇଜର‌୍‍ ପଦବୀ ମଧ୍ୟ ଖାଲି ପଡ଼ିଛି। ଏହାଛଡ଼ା ରାଜ୍ୟରେ ଥିବା ୧୦ଟି ମଞ୍ଜୁରୀପ୍ରାପ୍ତ ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଅଫିସର ପଦବୀରୁ ବି ୭ଟି ଖାଲି। ତେବେ ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଶାଖା ଲାଗି ଜଣେ କରି ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକ କାର୍ଯ୍ୟ କରୁଛନ୍ତି।

 

ଖାଉଟି ସାମଗ୍ରୀର କଳାବଜାର, ଅପମିଶ୍ରଣ, ମାପ ଓଜନରେ ଠକେଇ, ବେଆଇନ‌୍‍ ମହଜୁଦ ରଖି କୃତ୍ରିମ ଦରବୃଦ୍ଧି ସୃଷ୍ଟି ଆଦି ସମସ୍ୟା ସମ୍ପର୍କରେ ଯୋଗାଣ ବିଭାଗର ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଶାଖା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହି ଶାଖାର ଅଧିକାରୀମାନେ ବଜାରରୁ ସଂଗ୍ରହ କରୁଥିବା ଗୁଇନ୍ଦା ତଥ୍ୟ ଆଧାରରେ ମହଜୁଦକାରୀ, ଚୋରା ବେପାରୀ, କଳାବଜାରୀ, ଅପମିଶ୍ରଣକାରୀ ଆଦିଙ୍କ ବିରୋଧରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖାଉଟିଙ୍କ ସ୍ୱାର୍ଥ ସୁରକ୍ଷା କରିଥାନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଏହି ଶାଖାର ସଂଖ୍ୟାଧିକ ପଦବୀ ଖାଲି ରଖାଯିବା ଫଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୁଇନ୍ଦା ଶାଖା ବସ୍ତୁତଃ ଭୁଶୁଡ଼ି ପଡ଼ିଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ରାଜ୍ୟର ପ୍ରାୟ ୪ କୋଟି ୩୦ ଲକ୍ଷ ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଶାଖାରେ ଖାଲି ପଡ଼ିଥିବା ସମସ୍ତ ପଦପଦବୀ ତୁରନ୍ତ ପୂରଣ କରିବା ସହିତ ପ୍ରତି ଜିଲ୍ଲା ଲାଗି ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଅଫିସର, ସବ‌୍‍ଡିଭିଜନ‌୍‍ ସ୍ତରରେ ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ସୁପରଭାଇଜର‌୍‍ ଏବଂ ବ୍ଲକ‌୍‍ ଓ ପୌରସଂସ୍ଥା ସ୍ତରରେ ମାର୍କେଟ‌୍‍ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ନିଯୁକ୍ତି ଦେବା ପାଇଁ ଶ୍ରୀ ରାୟ ଦାବି କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top