ଉତ୍କଟ କଳାର ଦେଶ!

News Story - Posted on 2017-03-20

ଓଡ଼ିଶାରେ ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ଶିଳ୍ପୀମାନେ ଦୈନିକ ହାରାହାରି ମୁଣ୍ଡପିଛା ୨୫ ଟଙ୍କାରୁ କମ‌୍‍ ପରିମାଣର ହସ୍ତଶିଳ୍ପ ସାମଗ୍ରୀ ତିଆରି କରୁଛନ୍ତି। ସେହିପରି ଗତ ୫ ବର୍ଷ ମଧ୍ୟରେ କୌଣସି ବର୍ଷ ବି କୋଟିଏ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ଓଡ଼ିଶାରୁ ବିଦେଶକୁ ରପ୍ତାନି ହୋଇପାରିନାହିଁ। ଏକଦା ଉତ୍କର୍ଷ କଳାର ରାଜ୍ୟ ଭାବେ ପରିଚିତି ଲାଭ କରିଥିବା ଉତ୍କଳର ହସ୍ତଶିଳ୍ପ ସାମଗ୍ରୀ କ୍ଷେତ୍ରରେ ଏହା ହେଉଛି ବର୍ତ୍ତମାନର ବାସ୍ତବ ଚିତ୍ର। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଦେଇଥିବା ବିସ୍ତୃତ ତଥ୍ୟର ବିଶ୍ଳେଷଣରୁ ଏହା ଜଣାପଡ଼ିଛି।

 

ମନ୍ତ୍ରୀ କହିଛନ୍ତି ଯେ ହସ୍ତଶିଳ୍ପ କ୍ଷେତ୍ରରେ ରାଜ୍ୟରେ ୧,୨୯,୯୫୮ ଜଣ ଶିଳ୍ପୀ ନିୟୋଜିତ ଥିଲା ବେଳେ ୨୦୧୫-୧୬ ବର୍ଷରେ ଓଡ଼ିଶାରେ ତିଆରି ହୋଇଥିବା ହସ୍ତଶିଳ୍ପ ସାମଗ୍ରୀର ପରିମାଣ ହେଉଛି ମାତ୍ର ୧୧୨ କୋଟି ୨୦ ଲକ୍ଷ ଟଙ୍କା। ଏହି ତଥ୍ୟ  ବିଶ୍ଳେଷଣରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାରେ ହସ୍ତଶିଳ୍ପ କ୍ଷେତ୍ରରେ ନିୟୋଜିତ ଶିଳ୍ପୀମାନେ ବାର୍ଷିକ ହାରାହାରି ମୁଣ୍ଡପିଛା ୮,୬୩୩ ଟଙ୍କା ୫୫ ପଇସାର ସାମଗ୍ରୀ ଉତ୍ପାଦନ କରୁଛନ୍ତି। ଅର୍ଥାତ‌୍‍ ଶିଳ୍ପୀମାନଙ୍କ ଦ୍ୱାରା ଦୈନିକ ହାରାହାରି ମୁଣ୍ଡପିଛା ମାତ୍ର ୨୩ ଟଙ୍କା ୬୫ ପଇସାର ହସ୍ତଶିଳ୍ପ ସାମଗ୍ରୀ ତିଆରି ହେଉଛି।

 

ସରକାରଙ୍କ ପକ୍ଷରୁ ଶ୍ରୀ ରାୟଙ୍କୁ ଯେଉଁ ଉତ୍ତର ଦିଆଯାଇଛି ସେଥିରେ ଦର୍ଶାଯାଇଛି ଯେ ୨୦୧୫-୧୬ ବର୍ଷରେ ରାଜ୍ୟ ବାହାରେ ମାତ୍ର ୭ କୋଟି ୧ ଲକ୍ଷ ଟଙ୍କାର ଓଡ଼ିଶା ତିଆରି ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହୋଇଥିବା ବେଳେ ଉକ୍ତ ବର୍ଷରେ ବିଦେଶକୁ ରପ୍ତାନି ହୋଇଛି ମାତ୍ର ୩୭ ଲକ୍ଷ ୨୮ ହଜାର ଟଙ୍କାର ସାମଗ୍ରୀ। ୨୦୧୧-୧୨ ବର୍ଷରେ ଓଡ଼ିଶାରୁ ବିଦେଶକୁ ୧୭ ଲକ୍ଷ ୪୩ ହଜାର ଟଙ୍କା, ୨୦୧୨-୧୩  ବର୍ଷରେ ୨୦ ଲକ୍ଷ ଟଙ୍କା, ୨୦୧୩-୧୪ ବର୍ଷରେ ୨୭ ଲକ୍ଷ ଟଙ୍କା ଓ ୨୦୧୪-୧୫ ବର୍ଷରେ ୮୩ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ଓଡ଼ିଶା ରପ୍ତାନି କରିବାରେ ସକ୍ଷମ ହୋଇଛି।

 

ସେହିପରି ୨୦୧୧-୧୨ ବର୍ଷ ବେଳକୁ ରାଜ୍ୟରେ ମାତ୍ର ୯୯ କୋଟି ୧୯ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସମାଗ୍ରୀ ଉତ୍ପାଦିତ ହୋଇଥିବା ବେଳେ ଏହା ବର୍ଷକୁ ବର୍ଷ ବୃଦ୍ଧି ପାଇ ଗତ ଆର୍ଥିକ ବର୍ଷରେ ୧୧୨ କୋଟି ୨୦ ଲକ୍ଷ ଟଙ୍କାରେ ପହଞ୍ଚିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ହସ୍ତଶିଳ୍ପ କ୍ଷେତ୍ରରେ ପୁରୀ ଜିଲ୍ଲାରେ ସର୍ବାଧିକ ୧୪,୫୫୭ ଜଣ ଶିଳ୍ପୀ କାର୍ଯ୍ୟରତ ଥିବା ବେଳେ ବରଗଡ଼ ଜିଲ୍ଲାରେ ୧୧,୨୯୦୩ ଓ ଖୋର୍ଦ୍ଧା ଜିଲ୍ଲାରେ ୧୦,୨୫୭ ହସ୍ତଶିଳ୍ପୀ ରହିଛନ୍ତି। ଯେଉଁସବୁ ଜିଲ୍ଲାରେ ୫ ହଜାରରୁ ଊର୍ଦ୍ଧ୍ୱ କରି ହସ୍ତଶିଳ୍ପୀ ଅଛନ୍ତି ସେଗୁଡ଼ିକ ହେଲା ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ୱଲପୁର ଇତ୍ୟାଦି। ସବୁଠାରୁ କମ‌୍‍ ମାତ୍ର ୯୦୯ ଜଣ ହସ୍ତଶିଳ୍ପୀ ଦେବଗଡ଼ ଜିଲ୍ଲାରେ ଥିବା ଜଣାପଡ଼ିଛି।

 

ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ ଲାଗି ଆବଶ୍ୟକ କଞ୍ଚାମାଲ‌୍‍ ସମସ୍ୟା ଥିବାରୁ ରାଜ୍ୟ ସରକାର ଏଥିପାଇଁ ବିଭିନ୍ନ ଅଞ୍ଚଳରେ କଞ୍ଚାମାଲ‌୍‍ ବ୍ୟାଙ୍କ ପ୍ରତିଷ୍ଠା କରିବା ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଚାନ୍ଦୁଆ ଶିଳ୍ପ ପାଇଁ କଞ୍ଚାମାଲ‌୍‍ ଯୋଗାଇବା ଲାଗି ଉତ୍କଳିକା ମାଧ୍ୟମରେ ଏକ କଞ୍ଚାମାଲ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିବା ବେଳେ ପଥର, ଟସର‌୍‍ ଓ ତାଳ ପତ୍ରର କଞ୍ଚାମାଲ‌୍‍ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ବିଚାରାଧୀନ ରହିଛି। କଂସା, ପିତ୍ତଳ କାରିଗରଙ୍କ ପାଇଁ କଞ୍ଚାମାଲ‌୍‍ ବ୍ୟାଙ୍କ ଉତ୍କଳିକା ମାଧ୍ୟମରେ ପ୍ରତିଷ୍ଠା ନିମନ୍ତେ ଅର୍ଥ ବରାଦ ହୋଇଥିବା ବେଳେ କାଠ ଖୋଦେଇ ଶିଳ୍ପୀମାନଙ୍କ ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମର ରାଉରକେଲା, ସମ୍ୱଲପୁର, କଳାହାଣ୍ଡି, ବାଲେଶ୍ୱର ଓ କଟକ ଠାରେ ଥିବା ୫ଟି କାଠ ଡିପୋକୁ କାଠ ଖୋଦେଇ ଶିଳ୍ପୀମାନଙ୍କ ପାଇଁ କଞ୍ଚାମାଲ‌୍‍ ବ୍ୟାଙ୍କ ଭାବରେ ଘୋଷଣା କରାଯାଇଛି।

 

ହସ୍ତଶିଳ୍ପ କ୍ଷେତ୍ରରେ ବ୍ୟାପକ କର୍ମନିଯୁକ୍ତି ଓ ରୋଜଗାରର ସୁଯୋଗ ଥିବା ବେଳେ ଏ କ୍ଷେତ୍ର ଅବହେଳିତ ହୋଇ ପଡ଼ିଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଅଭିଯୋଗ କରିଛନ୍ତି। ରାଜ୍ୟରେ ହସ୍ତଶିଳ୍ପୀଙ୍କ ଦ୍ୱାରା ମୁଣ୍ଡପିଛା ହାରାହାରି ଦୈନିକ ତିଆରି ସାମଗ୍ରୀର ପରିମାଣ ୨୫ ଟଙ୍କାରୁ କମ‌୍‍ ଥିବା ବେଳେ ହସ୍ତଶିଳ୍ପୀ ପରିବାରଗୁଡ଼ିକ କିଭଳି ଦାରୁଣ ଆର୍ଥିକ ଦୁସ୍ଥିତି ମଧ୍ୟରେ ଗତି କରୁଛନ୍ତି ତାହା ସ୍ପଷ୍ଟ ଅନୁମେୟ। ଓଡ଼ିଶାର କାରିଗରଙ୍କ କଳା ନୈପୁଣ୍ୟର ଉପଯୁକ୍ତ ବିକାଶ ଓ ବିନିଯୋଗ ସହିତ ହସ୍ତଶିଳ୍ପ ସାମଗ୍ରୀର ଉତ୍ପାଦନ, ବିପଣନ ଓ ରପ୍ତାନି ବୃଦ୍ଧି ଲାଗି ସରକାର ସମୟଭିତ୍ତିକ କାର୍ଯ୍ୟକ୍ରମ ଘୋଷଣା କରିବାକୁ ଶ୍ରୀ ରାୟ ଦାବି କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ଆର୍ଥିକ ବିକାଶ ଘଟିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top