‘ହାଉସ‌୍‍ ୱାଇଫ‌୍‍’ ଓ ‘ପବ୍ଲିକ‌୍‍ ହଜ‌୍‍ବ୍ୟାଣ୍ଡ‌୍‍’

News Story - Posted on 2017-03-19

ରବି କାନୁନ୍‌ଗୋ

 

Why is husband a traveler and wife a wanderer?

‘ହାଉସ‌୍‍-ୱାଇଫ‌୍‍’- ଏ ଶବ୍ଦର ବିବର୍ତ୍ତନ ବେଶ‌୍‍ ମଉଜ ଲାଗେ।

 

‘ଗୃହଲକ୍ଷ୍ମୀ’- ମାନେ, ଏଠି ‘ହାଉସ‌୍‍’ ସାଙ୍ଗରେ ଲକ୍ଷ୍ମୀ ପଦ ଯୋଡ଼ା। ଏଠି ଲକ୍ଷ୍ମୀ ଠାକୁରାଣୀ ପଦାକୁ ଗଲେ ଘରକୁ ବେଶି ‘ମାଲ‌୍‍’ ଆସେ। ଆମ କଥନି ଅଭ୍ୟାସରେ ‘ଇନ‌୍‍-ହାଉସ‌୍‍’ ଓ ‘ଆଉଟ‌୍‍-ହାଉସ‌୍‍’ ମିଶେଇ ‘ୱାଇଫ‌୍‍’ ମୋଟେ ଦି’ କିସମର। ଯେହେତୁ ପତ୍ନୀଙ୍କର ଗୋଟିଏ ଖାସ‌୍‍ ଷ୍ଟାଟସ‌୍‍ ଅଛି, ସିଏ ମାତ୍ର ‘ୱାଇଫ‌୍‍’ ନାମରେ କଥିତ। ଆର ଜଣକ? ଯେତେ ସୋଗ ବୋହିଗଲେ ବି ସବୁ ଢଙ୍ଗ ଲୁଚାଛପା।

 

ଯୁଗ ବେଶି ପୁରୁଣା ନୁହେଁ, ଗେରସ୍ତ ଭାରିଜା କେହି କାହା ନାଁ ଧରୁ ନ ଥିଲେ। ଅମୁକ ବୋଉ, ସମୁକ ବାପା ବା ସାଙ୍କେତିକ ଭାବେ ‘ମଲା’, ‘ହେ’ ‘ହଇ’ ଇତ୍ୟାଦିରେ କାମ ଚଳୁଥିଲା। ନୂଆବୋହୂଟିଏ ସନ୍ତାନ ଜନ୍ମ ନ କଲା ପର୍ଯ୍ୟନ୍ତ ତା’ ପରିଚୟରେ ଯୋଡ଼ି ହୋଇ ରହୁଥିଲା ବାପଘର ଗାଁ ନାଁ। ପିଲାଟିଏ ହେଲେ, ମା’ ନାଁ ବଦଳେ। ପରିଆ-ବୋଉ, ଝରିଆ-ବୋଉ ଇତ୍ୟାଦି।

 

ପରେ, ଝିଅମାନେ ଶିକ୍ଷିତା ହେଲେ। ପୁରୁଣା ଡାକ ଶୁଣିବାକୁ ଆଉ ବାଗ ଲାଗିଲାନି। ଜାଗରଣର ଯୁଗ ସହିତ ଯୁବକମାନେ ନିଜ ନବ-ବିବାହତାଙ୍କୁ ନାଁ ଧରି ଡାକିଲେ। ଝିଅ ପାଠୁଆ ହେଲେ, କିନ୍ତୁ ପାୱାର‌୍‍ଫୁଲ‌୍‍ ହେଲେନି। ପତି ପରମେଶ୍ୱରଙ୍କୁ ଆଗ ପରି ହେ’ ହଇ’ ଡାକରେ କାମ ଚଳେଇଲେ। ଆଜିର ଏକଦମ‌୍‍ ଆଧୁନିକା ସ୍ୱାମୀଙ୍କୁ ନେଟ‌୍‍ରେ ‘ହବ‌୍‍ବି’ ଲେଖିବେ ପଛେ, ତୁଣ୍ଡରେ ଡାକନ୍ତି ‘ହେ’! ଏଠି ନର୍କ-ଦଣ୍ଡ ଇତ୍ୟାଦି ଭୟଭ୍ରାନ୍ତି କିଛି ନାହିଁ। ମାତ୍ର ଦୋଷ ହେଉଛି ଅଭ୍ୟାସର।

 

ଏ ପ୍ରକାର ଡାକହାକରେ ଖାସ‌୍‍ କିଛି ପରିବର୍ତ୍ତନ ହୋଇନି। ଏବେକୁ ବଦଳୁଛି ଭିନ୍ନ ଏକ କାରଣ ଯୋଗୁ।

 

ଆଇଟି ଯୁଗ। ପ୍ରେମର କିଛି ଉଷ୍ମତା ଅନୁଭବ କରି ହେଉଛି। ଅଳ୍ପ କ୍ଷୟକ୍ଷତି ସତ୍ତ୍ୱେ, ତାହା ବ୍ୟାପକ ହୋଇଛି। ଏଥିଯୋଗୁ ସମ୍ୱୋଧନର ରୂପ ବଦଳିବାକୁ ବାଧ୍ୟ। ବହୁ ପ୍ରାନ୍ତ ଓ ଭିନ୍ନ ଭାଷୀ ଯୁବକ ଯୁବତୀ ନାଁ ଧରି ତୁ-ତା’ରୁ ପ୍ରେମ ଆରମ୍ଭ କଲେ। ପଟାପଟି (ଡେଟିଂ) ପାଇଁ କଷ୍ଟେମଷ୍ଟେ ଟିକେ ଟିକେ ନିରୋଳା ସମୟ ଯୋଗାଡ଼ କରି ଜୀବନ ଜୀବିକା ଚଳେଇବାକୁ ମୃଗ ହରିଣ କେତେ କଥା ଗପ ହେଲେ। ଛୁଆଁଛୁଇଁ ହେଲେ ହୋଇଥିବେ, ନ ହେଲେ ନାଇଁ। ଯଦି ସେମାନେ ମନ ପସନ୍ଦରେ ବାହାହେଲେ, ତ ନିଜ ପୁରୁଣା ଡାକ ବଦଳେଇବେ କେମିତି?

ରାଜିର ସର୍ତ୍ତ ଭାବେ ଦୁହେଁ ଜାଣନ୍ତି- ଆମେ ରହିବା ଅଲଗା। ବାପା-ବୋଉଙ୍କ ପାଖରେ ଖୁବ‌୍‍ ବେଶିରେ ବର୍ଷକୁ ପନ୍ଦର ଦିନ। ଦିସ‌୍‍-ଦ୍ୟାଟ‌୍‍ ଡାକି ଚଳେଇ ଦେବା।

 

ହୋ-ହା’ ଅଭ୍ୟାସର ବୋଉ-ବାପାମାନେ ଏବେ ଶାଶୂ-ଶ୍ୱଶୁର। ପରିବର୍ତ୍ତନର ମଝି ପାହାଚରେ ଠିଆ ହୋଇଥିବା ପିଢ଼ି ପାଖରେ ସାକ୍ଷୀ ହେବା ଛଡ଼ା ଆଉ ତୁଲେଇବାକୁ କିଛି ନ ଥାଏ।

‘ୱାଇଫ‌୍‍’ କି ‘ହଜ‌୍‍ବେଣ୍ଡ‌୍‍’- ଏଗୁଡ଼ାକ କମନ‌୍‍-ନାଉନ‌୍‍। କାହାରି ଡାକ ନାଁ ନୁହେଁ- ମାତ୍ର ଗୋଟିଏ ଲେଖା ଦୃଢ଼ ପରିଚୟ, ଯାହା ଲୋକ ମଲେ ବି ହଜେନି। ଡକାଡକି କାମ ଥେଟର‌୍‍ରେ ଚାଲେ, ସତ ଜୀବନରେ ମିଳିବା ଅସମ୍ଭବ। ଭାରତର ମୁଖ୍ୟ ସମାଜରେ ସ୍ୱାମୀ ବା ସ୍ତ୍ରୀ ପଦ ଏତେ ପବିତ୍ର ଯେ ତାହା ଥରେ ତମାଦି ହେଲେ, କଥା ସଇଲା।

 

‘ହାଉସ‌୍‍-ୱାଇଫ‌୍‍’। ସାଧାରଣ ଭାବେ ଧରି ନିଆଯାଏ ଯେ ସ୍ତ୍ରୀ ଯଦି ଚାକିରି କି ବେପାର କି ରୋଜଗାର କରୁ ନଥିବେ, ତା’ ମାନେ ସେ ସେଇଆ। ଆୟ କରିବା କ୍ଷମତା ନାହିଁ, ବ୍ୟୟ ଉପରେ ଏମାନଙ୍କର କଣ୍ଟ୍ରୋଲ‌୍‍ ଥାଏ।

 

ସେ ସମସ୍ତଙ୍କ ପାଇଁ ରୋଷେଇବାସ କରନ୍ତି, ବୁଢ଼ା ଶାଶୂ-ଶ୍ୱଶୁରଙ୍କ ସେବାଠୁଁ ଆରମ୍ଭ କରି ପିଲା ଓ ତାଙ୍କ ବାପାର ସବୁ ବରାଦ ଠିକ‌୍‍ ସମୟରେ ତାଲିମ‌୍‍ କରନ୍ତି। ଖଣ୍ଡେ ଟିପା ଖାତା ନ ରଖି ବି ଆଗ ପଛ ଖର୍ଚ୍ଚର ସବୁ ହିସାବ ମନେ ରଖନ୍ତି। ପୂଜାପର୍ବ ପାଳନ୍ତି। ଅଟୋ ଭଡ଼ା କରି ଝିଅକୁ ଟିଉସନ‌୍‍ ନିଆ ଅଣା କରନ୍ତି। ସେ ତାଙ୍କୁ ବିଶ୍ୱାସ ନ କରି ପରିବା କିଣିବା ଇତ୍ୟାଦି ବଜାର କାମ ନିଜେ ସାରି ଦିଅନ୍ତି। ମାସିକିଆ ପାଣି ବିଜୁଳି ବିଲ‌୍‍ ବି ପଇଠ କରନ୍ତି।

 

ଏ କ୍ଷେତ୍ରରେ ‘ହାଉସ‌୍‍-ହଜ‌୍‍ବେଣ୍ଡ‌୍‍’ (ସ୍ୱାମୀ)ଙ୍କର ପରିବାର ପାଇଁ ଅବଦାନ ହେଲା- ଦରମାଗଣ୍ଡାକ।

 

କେଉଁ ମୂଲ ଯୋଡ଼ିଲେ ‘ହାଉସ‌୍‍-ୱାଇଫ‌୍‍’ଙ୍କର ଶ୍ରମ ଓ ଦାୟିତ୍ୱର ଆକଳନ କରାଯିବ?

 

ଶ୍ରମଜୀବୀ ବିବାହିତାମାନଙ୍କ ଜୀବନ ଆହୁରି ହତଚକିତ। ସେମାନେ ଅଫିସ‌୍‍ରେ ବସି ଘର କଥା ଭାବୁଥିବେ। ସେ ନାରୀ ‘ୱାଇଫ‌୍‍’ ବି, ‘ହାଉସ‌୍‍-ୱାଇଫ‌୍‍’ ବି!

 

ମହିଳାଙ୍କ ମା’-ଶ୍ରମ ମାପିବାକୁ ‘ୟୁନୋସ୍କୋ’ କେତେଗୁଡ଼ିଏ ଥିଓରି କହିଲା। ସବୁ ଅର୍ଥନୀତିକ।

 

ମା’ ମନର ଆବେଗ ଓ ତା’ର ମୂଲ କେତେ? ଏହାର ହିସାବ ସେଥିରେ ନଥଲା କି କେବେ ବି ମିଳିନି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top