ଚଉଠି ରାତିରେ ୱାଇଫ୍‌ ସ୍ବାପିଂ!

News Story - Posted on 2017-03-18

ଅଭିଯୋଗ ହେବାର ୧୦ ମାସ ପରେ ମହିଳା ଥାନା ପୁଲିସ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ପୁଅ ସବ୍ୟସାଚୀ ମିଶ୍ରଙ୍କୁ ଗିରଫ କରିଛି। ସବ୍ୟସାଚୀଙ୍କ ପତ୍ନୀ ଲୋପାମୁଦ୍ରା ତାଙ୍କ ବିରୋଧରେ ଯୌତୁକ ନିଯ୍ୟାର୍ତନା ଏବଂ ହନିମୁନ‍୍‌ ରାତିରେ ୱାଇଫ୍ ସ୍ୱାପିଂ ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ଏବେ ବି ଦୁଇ ଅଭିଯୁକ୍ତ ତଥା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଏବଂ ତାଙ୍କ ପତ୍ନୀ ଆଶାମଣୀ ଫେରାର ଅଛନ୍ତି।

 

ଲୋପାମୁଦ୍ରାଙ୍କ ଅଭିଯୋଗ ଯେ, ୨୦୦୬ ମସିହାରେ ତାଙ୍କର ସବ୍ୟସାଚୀଙ୍କ ସହିତ ବାହାଘର ହୋଇଥିଲା। ହନିମୁନ‍୍‌ ଲାଗି ଦୁହେଁ ଆଣ୍ଡାମାନର ପୋର୍ଟ ବ୍ଲେୟାର ଦ୍ୱୀପକୁ ଯାଇଥିଲେ। ସେଠାରେ ସବ୍ୟସାଚୀ ମଦ୍ୟପାନ କରିବା ପରେ ସ୍ତ୍ରୀ ଅଦଳ ବଦଳ (ୱାଇଫ୍ ସ୍ୱାପିଂ) କରିବାକୁ କହିଥିଲେ। ଜଣେ ବିଦେଶୀ ଯୁବକ ସହିତ ରାତି ବିତାଇବାକୁ ଲୋପାମୁଦ୍ରାଙ୍କୁ ବାଧ୍ୟ କରିଥିଲେ। ଲୋପାମୁଦ୍ରା ଏଥିରେ ରାଜି ନ ହେବାରୁ ତାଙ୍କୁ ସେହି ହୋଟେଲ ରୁମ‍୍‌ରେ ପ୍ରବଳ ମାଡ଼ ମାରିଥିଲେ ସବ୍ୟସାଚୀ। ଏହି ଭଳି ଭାବେ ବିଭିନ୍ନ ସମୟରେ ୱାଇଫ୍ ସ୍ୱାପିଂ କରିବାକୁ ବାଧ୍ୟ କରୁଥିଲେ, ଏହା ନ କଲେ ସବ୍ୟସାଚୀ ମାଡ଼ ମାରନ୍ତି ବୋଲି ଲୋପାମୁଦ୍ରା ୨୦୧୬ ମେ ମାସରେ ମହିଳା ଥାନାରେ ଅଭିଯୋଗ କରିଥିଲେ।

 

ଲୋପାମୁଦ୍ରାଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ବଡ଼ ଘରର ବଡ଼ ଗୁମର କଥା ପଦାକୁ ଆସିଥିଲା। ରାଜ୍ୟର ଜଣେ ନାମକରା ଶିଳ୍ପପତିଙ୍କ ପୁଅ ତାଙ୍କ ପତ୍ନୀଙ୍କୁ ଅକଥନୀୟ ନିଯ୍ୟାର୍ତନା ଦେବା ଏବଂ ତାଙ୍କ ସହିତ ଅପ୍ରାକୃତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ସାରା ରାଜ୍ୟରେ ଆଲୋଚନାର ବିଷୟ ହୋଇଥିଲା। ତେବେ ଲୋପାମୁଦ୍ରାଙ୍କ ଅଭିଯୋଗର ମାସକ ପର୍ଯ୍ୟନ୍ତ ପୁଲିସ ଚୁପ‍୍‌ ବସିଥିଲା। ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଲିସ ତତ୍ପର ହୋଇ ଉଠିଥିଲା। କିନ୍ତୁ ଶିଳ୍ପପତି ପରିବାରରେ ହାତ ମାରିବାକୁ ପଛଘୁଞ୍ଚା ଦେଇଥିଲା। ଲୋପାମୁଦ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁଲିସ ଡ଼ିଜି କେବି ସିଂହ ଓ ପୁଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆଙ୍କୁ ମଧ୍ୟ ଭେଟିଥିଲେ। କିନ୍ତୁ ମହିଳା ଥାନା ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଅଭିଯୁକ୍ତମାନେ ଆଗୁଆ ଜାମିନ‍୍‌ରେ ଯିବାକୁ ପର୍ଯ୍ୟାପ୍ତ ସୁଯୋଗ ପାଇଥିଲେ।

 

ହାଇକୋର୍ଟରୁ ମିଳିଥିବା ଅନ୍ତରୀଣ ସୁରକ୍ଷା ସମୟ ଶେଷ ହେବାରୁ ପୁଲିସ ସବ୍ୟସାଚୀଙ୍କୁ ତାଙ୍କ ଘରୁ ଗିରଫ କରିଛି। କିନ୍ତୁ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଏବଂ ତାଙ୍କ ପତ୍ନୀ ଆଶାମଣୀଙ୍କୁ ଏଯାଏ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇନାହିଁ।

 

ଉଲ୍ଲେଖଯୋଗ୍ୟ ଯେ ଏଭଳି ଅଭିଯୋଗ ରାଜଧାନୀ ଭୁବନେଶ୍ବରରେ ନୂଆ ନୁହେଁ। ଲୋପାମୁଦ୍ରା ନିଜ ଦୁଃଖ ବିଷୟରେ ତାଙ୍କ ଶ୍ବଶୁରଙ୍କୁ ଜଣାଇବା ପରେ ସେ କହିଥିଲେ, ସମ୍ଭ୍ରାନ୍ତ ଓ ଧନୀ ପରିବାରରେ ଏହା ମାମୁଲି କଥା। ପୁଅ ଯାହା କହୁଛି ସେଥିରେ ରାଜି ହୋଇ ଯା!

 

ଏଇ ସଂସ୍କୃତି ବାସ୍ତବରେ ଭୁବନେଶ୍ବରର ବଡ଼ ବଡ଼ ଧନୀ ଓ ପ୍ରଭାବଶାଳୀଙ୍କ ଘରେ ବହୁ ବର୍ଷ ତଳୁ ପ୍ରଚଳିତ ଓ ପ୍ରତିଷ୍ଠିତ। ରାଜଧାନୀର ଏକ ସମ୍ଭାନ୍ତ କ୍ଲବ୍‌ରେ କାଳେ ଏହା ଏକ ସ୍ବାଭାବିକ ମନୋରଂଜନଧର୍ମୀ ଖେଳ! ସେଠାରେ ସ୍ବାମୀମାନେ ନିଜନିଜ କାର୍‌ର ଚାବି ଅଦଳବଦଳ କରି ରାତିକ ପାଇଁ ପତ୍ନୀ ବଦଳ କରିଥାନ୍ତି। ସେଥିରେ କାଳେ ପତ୍ନୀମାନଙ୍କର ସମ୍ମତି ଥାଏ!

 

ଏଭଳି ବିକୃତିର ଅନ୍ୟ ଏକ ପାଖ ବି ଧନୀ ଓ ପୁଂଜିପତିଙ୍କ ଘରେ ଶୁଣିବାକୁ ମିଳେ। କିଛି ଦିନ ତଳେ ରାଜ୍ୟର ଜଣେ ବିଖ୍ୟାତ ଡାକ୍ତରଙ୍କ ପୁତ୍ରବଧୂ ଥାନା ଓ ଗଣମାଧ୍ୟମରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ବେଡ୍‌ରୁମରେ ଗୁପ୍ତ କ୍ୟାମେରା ଖଂଜି ଶ୍ବଶୁର ମନୋରଂଜନ କରୁଥିଲେ!

 

ବହୁ ଦିନ ତଳେ ରାଜଧାନୀର କୃଷ୍ଣା ଟାୱାର ଯୌନ କେଳେଙ୍କାରୀରେ ଅଭିଯୁକ୍ତ ହୋଇଥିବା ଜଣେ ବାବୁ କାଳେ ତାଙ୍କ ସରକାରୀ ବାସଭବନରେ ଉଲଗ୍ନ ଝିଅମାନଙ୍କୁ ଦଉଡ଼ାଇ ଯୌନ ଆକ୍ରମଣ କରୁଥିବା ନେଇ ଚର୍ଚ୍ଚା ଚାଲିଥିଲା। ଅନ୍ୟ ଏକ ଅଭିଯୋଗ ଅନୁସାରେ ଜଣେ ସର୍ବଭାରତୀୟ ସେବାଧିକାରୀଙ୍କ ପତ୍ନୀ ରାଜଧାନୀର ଏକ ବାର୍‌ରେ ମଦ୍ୟପାନ କରିବା ସମୟରେ ପୁରୁଷ ସାଥୀ ଚୟନ କରି ରାତି ବିତାଇଥାନ୍ତି। ଦିନେ ସେ ବାଛିଥିବା ନୂଆ ସାଥୀଙ୍କ ସହିତ ପୁରୁଣା ସାଥୀଙ୍କ ଝଗଡ଼ା ହେବାରୁ କଥା ପଦାକୁ ଆସିଥିଲା। ବାର୍‌ରେ ଗଣ୍ଡଗୋଳ ହେବାରୁ ପୁଲିସ ପହଂଚି ଯୁବକ ଦୁହିଁଙ୍କୁ ଥାନାକୁ ନେବା ସହି ନିଶାସକ୍ତ ମହିଳାଙ୍କୁ ଘରକୁ ପଠାଇ ଦେଇଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top