ଅଦାଲତରେ ବନ୍ଦୀ ଧର୍ମପଦ?

News Story - Posted on 2017-03-18

ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳରେ କଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ପାଇଁ ଯୋଗ୍ୟ ଶିଳ୍ପୀଙ୍କୁ ଦିଆଯାଉଥିବା ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ’ ପୁରସ୍କାର ୨୦୦୭ରୁ ଏଯାବତ‌୍‍ କାହାକୁ ଦିଆଯାଇପାରି ନାହିଁ। ୧୦ ବର୍ଷ ଧରି ଏହି ପୁରସ୍କାର ପଡ଼ି ରହିଥିବା ବେଳେ ଏହି ସର୍ବୋଚ୍ଚ ସମ୍ମାନ ଲାଗି ଘୋଷିତ ଶିଳ୍ପୀମାନଙ୍କ ମଧ୍ୟରୁ ଅନ୍ୟୁନ ୬ ଜଣଙ୍କ ଇତିମଧ୍ୟରେ ପରଲୋକ ହୋଇଗଲାଣି। ଏହି ପୁରସ୍କାର ସଂକ୍ରାନ୍ତରେ ବିଜେପି ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ନିୟନ୍ତ୍ରଣରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଚାରୁକଳା ବିଭାଗରେ ସମସାମୟିକ ଚିତ୍ରକଳା, ପାରମ୍ପାରିକ କଳା, ଗ୍ରାଫିକ‌୍‍ କଳା ତଥା ଭାସ୍କର୍ଯ୍ୟ କ୍ଷେତ୍ରରେ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୧୭-୧୮ ବର୍ଷ ପାଇଁ ପୁରସ୍କାର ଲାଗି ଚୟନ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ପ୍ରତିବର୍ଷ ୮ ଜଣ ଶିଳ୍ପୀଙ୍କୁ ପୁରସ୍କୃତ କରାଯାଇଥାଏ। ଏହାଛଡ଼ା ଚାରୁକଳା କ୍ଷେତ୍ରରେ ଜୀବନବ୍ୟାପୀ ନିରବଚ୍ଛିନ୍ନ ସାଧନା ନିମନ୍ତେ ଧର୍ମପଦ ପୁରସ୍କାର ଦିଆଯାଇଥାଏ। ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀଙ୍କୁ ଲକ୍ଷେ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର ଓ ଉପଢୌକନ ଆଦି ପ୍ରଦାନ କରାଯାଇଥାଏ। ୨୦୦୬ ମସିହାରେ ଶେଷ ଥର ପାଇଁ ଏହି ପୁରସ୍କାର ଶିଳ୍ପୀ ଅସିତ‌୍‍ ମୁଖାର୍ଜୀଙ୍କୁ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

 

ତେବେ ୨୦୦୭-୦୮ ବର୍ଷରେ ଏହି ପୁରସ୍କାର ସମ୍ୱନ୍ଧୀୟ ମନୋନୟନ ପ୍ରକ୍ରିୟାକୁ ବିରୋଧ କରି ଜଣେ ଶିଳ୍ପୀ ନ୍ୟାୟାଳୟର ଆଶ୍ରୟ ନେଇଥିବା ବେଳେ ଚୟନ ପ୍ରକ୍ରିୟାକୁ ବିରୋଧ କରି ୨୦୧୫ରେ ଆଉ ଦୁଇ ଜଣ ବରିଷ୍ଠ ଚିତ୍ରଶିଳ୍ପୀ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ଏବଂ ଏହା ଏବେ ବିଚାରାଧୀନ ରହିଛି। ଇତିମଧ୍ୟରେ ଧର୍ମପଦ ପୁରସ୍କାର ପାଇଁ ଘୋଷିତ ଶିଳ୍ପୀମାନଙ୍କ ମଧ୍ୟରୁ ଅସୀମ‌୍‍ ବସୁ ଓ ଡ. ଦୀନନାଥ ପାଠୀଙ୍କ ପରଲୋକ ହୋଇସାରିଛି। ଏହାଛଡ଼ା ସମ୍ୱର୍ଦ୍ଧିତ ହେବାକୁ ଥିବା ଶିଳ୍ପୀମାନଙ୍କ ମଧ୍ୟରୁ ଦେବରାଜ ସାହୁ, ଶରତ କୁମାର ରଥ, ହରିଶ୍ଚନ୍ଦ୍ର ସିହ୍ନାବାବୁ ଓ ଚିତ୍ରା ପଟ୍ଟନାୟକ ମଧ୍ୟ ପରଲୋକ ଗମନ କରିଛନ୍ତି।

 

ମାମଲା ପରିଚାଳନା କ୍ଷେତ୍ରରେ ସରକାରୀ କଳର ନିଷ୍ଠା ଓ ଆନ୍ତରିକତାର ଅଭାବରୁ ୧୦ ବର୍ଷ ଧରି ଚିତ୍ରକଳା କ୍ଷେତ୍ରରେ ଓଡ଼ିଶାରୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇପାରୁ ନାହିଁ ଏବଂ ଏଥିଲାଗି ଘୋଷିତ କୃତୀ ଶିଳ୍ପୀମାନଙ୍କ ଅନେକଙ୍କର ଜୀବନାବସାନ ଘଟୁଥିବାରୁ ବିଧାୟକ ଶ୍ରୀ ରାୟ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଏହି ମାମଲାଗୁଡ଼ିକର କିଭଳି ତ୍ୱରିତ ଫଇସଲା ହେବ ଏବଂ ଶିଳ୍ପୀମାନଙ୍କୁ ପୁରସ୍କାର ପ୍ରଦାନ କରି ରାଜ୍ୟ ସରକାର ନିଜେ ସମ୍ମାନିତ ହେବେ ସେ ଦିଗରେ ପ୍ରଶାସନିକ ବ୍ୟବସ୍ଥା ଅଧିକ ଧ୍ୟାନ ଦେବାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top