ଗରିବ କାହିଁକି ଦଳିତ, ଆଦିବାସୀ?

News Story - Posted on 2017-03-18

ଦାରିଦ୍ର୍ୟ ଓ ନିରକ୍ଷରତାରେ ରାଜ୍ୟର ବ୍ୟାପକ ସଂଖ୍ୟକ ଅନୁସୂଚିତ ଜନଜାତି ଓ ଜାତିର ଲୋକ ରହିଛନ୍ତି। ସମଗ୍ର ରାଜ୍ୟରେ ଯେତେ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି ତାହାର ଅଧାରୁ ଅଧିକ ହେଉଛନ୍ତି ଏହି ବର୍ଗର। ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟ ପଚାରିଥିବା ଏକ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଲାଲବିହାରୀ ହିମିରିକା ଦେଇଥିବା ବିସ୍ତୃତ ବିବରଣୀରୁ ଏହି ତଥ୍ୟ ଜଣାପଡ଼ିଛି।

 

ମନ୍ତ୍ରୀ କହିଛନ୍ତି ଯେ ଗତ ଜନଗଣନା ଅନୁସାରେ ଓଡ଼ିଶାରେ ୯୫,୯୦,୭୫୬ ସଂଖ୍ୟକ ଅନୁସୂଚିତ ଜନଜାତି ଓ ୭୧,୮୮,୪୬୩ ସଂଖ୍ୟକ ଅନୁସୂଚିତ ଜାତି ବର୍ଗର ଲୋକ ବସବାସ କରୁଛନ୍ତି। ମୋଟ‌୍‍ ଜନସଂଖ୍ୟାର ଯଥାକ୍ରମେ ୨୨.୮୫ ପ୍ରତିଶତ ଅନୁସୂଚିତ ଜନଜାତିର ହୋଇଥିବା ବେଳେ ୧୭.୧୩ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି ବର୍ଗର। ମୋଟାମୋଟି ଭାବେ ରାଜ୍ୟ ଜନସଂଖ୍ୟାର ୩୯.୯୮ ପ୍ରତିଶତ ହେଉଛନ୍ତି ଏହି ଦୁଇଟି ବର୍ଗର।

 

ଅନୁସୂଚିତ ଜନଜାତିର ମହିଳାମାନଙ୍କ ସାକ୍ଷରତା ହାର ମାତ୍ର ୪୧.୨୦ ପ୍ରତିଶତ ଥିବା ବେଳେ ପୁରୁଷମାନଙ୍କ ସାକ୍ଷରତା ହାର ୬୩.୭୦ ପ୍ରତିଶତ। ସେହିଭଳି ଅନୁସୂଚିତ ଜାତିର ମହିଳାଙ୍କ ମଧ୍ୟରୁ ୫୮.୭୬ ପ୍ରତିଶତ ସାକ୍ଷର ହୋଇଥିବା ବେଳେ ପୁରୁଷମାନଙ୍କ କ୍ଷେତ୍ରରେ ଏହି ହାର ୭୯.୨୧ ପ୍ରତିଶତ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଆଦି ଜିଲ୍ଲାରେ ଅନୁସୂଚିତ ଜନଜାତିର ମହିଳାଙ୍କ ସାକ୍ଷରତା ହାର ୩୦ ପ୍ରତିଶତରୁ କମ‌୍‍ ଥିବା ବେଳେ ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ଏହି ହାର ୪୦ ପ୍ରତିଶତରୁ କମ‌୍‍ ରହିଛି। ଅନ୍ୟ ଯେଉଁସବୁ ଜିଲ୍ଲାରେ ଏହି ବର୍ଗର ମହିଳାଙ୍କ ସାକ୍ଷରତା ହାର ୫୦ ପ୍ରତିଶତରୁ କମ‌୍‍ ସେଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ବଲାଙ୍ଗୀର, କଟକ ଇତ୍ୟାଦି ବୋଲି ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି। ଅନୁସୂଚିତ ଜାତିର ମହିଳାମାନଙ୍କ ଭିତରେ ଗଜପତି, ଗଞ୍ଜାମ, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଆଦିରେ ସାକ୍ଷରତା ହାର ମଧ୍ୟ ୫୦ ପ୍ରତିଶତରୁ କମ‌୍‍ ରହିଛି।

 

ବିଭାଗୀୟ ମନ୍ତ୍ରୀ ଦେଇଥିବା ତଥ୍ୟରୁ ସର୍ବଶେଷ ବିପିଏଲ‌୍‍ ସର୍ଭେ ଅନୁସାରେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ୪୪,୯୩,୪୧୦ ପରିବାର ରହୁଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ଥିବା ପରିବାର ମଧ୍ୟରୁ ବିପିଏଲ‌୍‍ ପରିବାରର ହାର ୬୬.୨୩ ପ୍ରତିଶତ। ସମଗ୍ର ରାଜ୍ୟରେ ୧୩,୯୯,୨୬୬ ଅନୁସୂଚିତ ଜନଜାତି ପରିବାର ଓ ୧୦,୭୨,୧୫୩ ଅନୁସୂଚିତ ଜାତି ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ମୋଟାମୋଟି ଭାବେ ରାଜ୍ୟର ମୋଟ‌୍‍ ବିପିଏଲ‌୍‍ ପରିବାରଗୁଡ଼ିକ ମଧ୍ୟରୁ ୩୧.୧୪ ପ୍ରତିଶତ ଅନୁସୂଚିତ ଜନଜାତିର ହୋଇଥିବା ବେଳେ ୨୩.୮୬ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତିର। ମୋଟାମୋଟି ଭାବେ ସମଗ୍ର ରାଜ୍ୟରେ ଥିବା ବିପିଏଲ‌୍‍ ପରିବାରର ୫୫ ପ୍ରତିଶତ ଏହି ଦୁଇଟି ବର୍ଗର ବୋଲି ମନ୍ତ୍ରୀ ସ୍ୱୀକାର କରିଛନ୍ତି।

 

ସ୍ୱାଧୀନତା ପ୍ରାପ୍ତିର ୭୦ ବର୍ଷରେ ଓଡ଼ିଶାରେ ଦାରିଦ୍ର୍ୟ ଓ ନିରକ୍ଷରତା କାହିଁକି ଏଭଳି ଉତ୍କଟ ସ୍ଥିତିରେ ରହିଛି ତାହାର କାରଣ ଖୋଜି ନିରାକରଣ ଲାଗି ସଂକଳ୍ପବଦ୍ଧ ଓ ସମନ୍ୱିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି।

 

ସରକାର ଏହାର କାରଣ କେବେ ଖୋଜିବେ ତା’ ମା’ ଗଙ୍ଗେଙ୍କୁ ଜଣା। ତେବେ ନେତା ଓ ବାବୁମାନଙ୍କ ନିୟନ୍ତ୍ରଣାଧୀନ ସରକାର ଯେ ବାସ୍ତବରେ ଦଳିତ ଓ ଆଦିବାସୀମାନଙ୍କର ଉନ୍ନତି ଚାହାନ୍ତି ନାହିଁ ତାହା ସେମାନଙ୍କ ଉର୍ବର ମସ୍ତିସ୍କରୁ ବାହାରୁଥିବା ନାନାଦି ବୈଷମ୍ୟ ବିସ୍ତାରକାରୀ ଯୋଜନାରୁ ବହୁବାର ପ୍ରମାଣିତ ହୋଇସାରିଛି। ଏହା ଗଣମାଧ୍ୟମ ଓ ଗବେଷକମାନଙ୍କୁ ଦେଖାଯାଉ ନାହିଁ, ତାହା ଅଲଗା କଥା। ଦଳିତ ଓ ଆଦିବାସୀମାନେ କାଳକାଳ ଧରି ଉପଭୋଗ କରିଆସୁଥିବା ସାଧାରଣ ସମ୍ବଳକୁ ସରକାର ପ୍ରଥମେ ଜାତୀୟକରଣ କରିବା ପରେ ଘରୋଇକରଣ ଜରିଆରେ ଧନୀ ଓ ପୁଂଜିପତିମାନଙ୍କୁ ହସ୍ତାନ୍ତର କରି ସେମାନଙ୍କ ଆୟପନ୍ଥା ସଂକୀର୍ଣ୍ଣ କରିଦେଇଛନ୍ତି। ଅନେକ କ୍ଷେତ୍ରରେ ତାହା ଉଚ୍ଛେଦ ହୋଇଯାଇଛି। ସେମାନଙ୍କ ପାଇଁ ଜମି, ଜଳ ଓ ଜଙ୍ଗଲ ଆଦିର ଜାତୀୟକରଣ/ଘରୋଇକରଣ ପରେ ଏହି ଦୁଇ ବର୍ଗର ଲୋକଙ୍କ ପାଇଁ ତୁରନ୍ତ ବିକଳ୍ପ ଜୀବିକା ଯୋଗାଇ ଦିଆଯାଇ ନାହିଁ। ବରଂ ସେମାନଙ୍କୁ କାଳକାଳ ଧରି ଅସ୍ଥାୟୀ ଶ୍ରମିକ କରି ରଖିବା ପାଇଁ ଯାବତ ଯୋଜନା ହୋଇଛି। ଏହା ସେମାନଙ୍କୁ ଭୋଟ ବ୍ୟାଙ୍କରେ ପରିଣତ କରିଛି, ସ୍ବାଧୀନ ଓ ସ୍ବାଭିମାନୀ ନାଗରିକ ନୁହେଁ।

 

ସେହିପରି ଦଳିତ ଓ ଆଦିବାସୀ ଅଧ୍ୟୁସିତ ଅଂଚଳରେ ସ୍ବାଧୀନତାର ୭୦ ବର୍ଷ ପରେ ମଧ୍ୟ ଖୁବ କମ୍ ସ୍କୁଲ ଓ କଲେଜ ଖୋଲିଛି। ଯଦି ବି କେଉଁଠି ବିକାଶର ଅର୍ଥ ହଡ଼ପ କରିବା ପାଇଁ ସ୍କୁଲକଲେଜ ଇତ୍ୟାଦି ଖୋଲିଛି ତାହା କେବଳ ନାମକୁ ମାତ୍ର ସେବା ଯୋଗାଉଛି। କେଉଁଠି ଘର ନାହିଁ, କେଉଁଠି ମାଷ୍ଟର ନାହାନ୍ତି, କେଉଁଠି ବହି ମିଳୁନି, ବିଦ୍ୟୁତ ନାହିଁ- ଏମିତି ଶହଶହ ସମସ୍ୟା। ଦଳିତ ଓ ଆଦିବାସୀ ଅଂଚଳର ଅନେକ ସ୍କୁଲ ଓ କଲେଜକୁ ଏଯାଏଁ ସବୁଦିନିଆ ରାସ୍ତା ମଧ୍ୟ ନାହିଁ। ତା’ଛଡ଼ା ଦାରିଦ୍ର୍ୟ ଓ ବ୍ୟାଧୀର ଆକ୍ରମଣରେ ଏହି ଦୁଇ ବର୍ଗର ଲୋକମାନେ ଏତେ ଦୁର୍ବଳ ହୋଇଯାଇଛନ୍ତି ଯେ ସେମାନଙ୍କର ଜୀବନ ସଂଗ୍ରାମ ଭିତରେ ଶିକ୍ଷାର ସ୍ବାର୍ଥ ମନ ତଳେ ସମାଧି ନେଇଯାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top