ଚଣ୍ଡୀର ଦାର୍ଶନିକ ଭିତ୍ତି

News Story - Posted on 2016-01-30

ଦେବପ୍ରସାଦ ମିଶ୍ର

ଏ ବିଶ୍ବ ବ୍ରହ୍ମାଣ୍ଡର ପ୍ରସବିତ୍ରୀ ଓ ଜଗଜ୍ଜନନୀ ରୂପେ ମହାମାୟାଙ୍କ ଗୌରବ ଓ ମହତ୍ତ୍ବ ପ୍ରତିପାଦନ ଚଣ୍ଡୀର ମୁଖ୍ୟ ବିଷୟବସ୍ତୁ ହୋଇଥିଲେ ହେଁ, ଦାର୍ଶନିକ ଦୃଷ୍ଟିରୁ ଗୀତାର ମୌଳିକ ବିଚାର ଓ ସିଦ୍ଧାନ୍ତ ସଙ୍ଗେ ତାର କୌଣସି ଅସାମଞ୍ଜସ୍ୟ ନାହିଁ | ତରବରରେ ବିହଙ୍ଗ ଦୃଷ୍ଟି ନିକ୍ଷେପ କଲେ ଗୀତା ସହିତ ଚଣ୍ଡୀର ଏହି ସାମଞ୍ଜସ୍ୟ ହୁଏତ ଆଖିରେ ପଡ଼ି ନ ପାରେ |

ବେଦଯୁଗର ଯାଗଯଜ୍ଞାଦିମୂଳକ ପ୍ରବୃତ୍ତିପର କର୍ମକାଣ୍ଡ ବା ଅନ୍ୟ ଯାଗଜ୍ଞାଦିମୂଳକ ପ୍ରବୃତ୍ତିପର କର୍ମକାଣ୍ଡ ବା ଅନ୍ୟ କଥାରେ ବେଦବାଦରେ ସେକାଳର ଆର୍ଯ୍ୟ ମନୀଷା ଅଧିକ ଦିନ ସନ୍ତୁଷ୍ଟ ରହି ନ ପାରି ଅମୃତର ସନ୍ଧାନରେ ବେଦାର୍ଥ ଉପରେ ଗଭୀର ଚିନ୍ତା ଓ ଗବେଷଣା ଚଳାଇ ଶେଷରେ ଆରଣ୍ୟକ ଓ ଉପନିଷଦରେ ଏବଂ ବେଦାନ୍ତରେ ନିବୃତ୍ତିପ୍ରଧାନ ଯେଉଁ ଜ୍ଞାନକାଣ୍ଡ ଆବିଷ୍କାର କଲା ଏବଂ ଜ୍ଞାନ, କର୍ମ, ଯୋଗ ଓ ଭକ୍ତିର ଯେଉଁ ବିକାଶ ଘଟାଇଲା, ଗୀତାରେ ସେସବୁର ସମନ୍ବୟ ଓ ସାର ସଙ୍କଳନ କରାଯାଉଥିବାରୁ ସେଥିରେ ସକାମ କର୍ମ, ଜ୍ଞାନ, ଯୋଗ ଓ ଭକ୍ତିକୁ ସମର୍ଥନ କରା ନଯାଇ ଈଶ୍ବରାର୍ପଣ ବୁଦ୍ଧିରେ ଏ ସଂସାରରେ ସଂସାରୀ ଭାବରେ ରହି ନିଷ୍କାମ ଭାବରେ ସବୁ କାମ କରିବାକୁ ପ୍ରେରଣା ଓ ଉପଦେଶ ଦିଅଯାଇଛି | ମାତ୍ର ଚଣ୍ଡୀରେ ସଂପୂର୍ଣ୍ଣ ପ୍ରବୃତ୍ତିମୂଳକ ସକାମ କର୍ମ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭଙ୍ଗିତ ଦିଆଯାଇଛି ଏବଂ ବେଦାନ୍ତ ଦର୍ଶନ ଓ ଗୀତାରେ ଯାହାଙ୍କୁ ପ୍ରକୃତି, ମାୟା ବା ଯୋଗମାୟା ଆଖ୍ୟା ଦିଆଯାଇ ବ୍ରହ୍ମଙ୍କର ଶକ୍ତି ରୂପେ ଗ୍ରହଣ କରାଯାଇଛି, ତାହାଙ୍କୁ ମହାମାୟା ଜଗଜ୍ଜନନୀ ରୂପେ ଉପସ୍ଥାପିତ କରାଯାଇଛି, ତାହାଙ୍କୁ କାମନାର ପରିପୂରଣ ପାଇଁ ତାଙ୍କରି ସ୍ତବସ୍ତୁତି ଓ ଆରାଧାନାର ଉପଦେଶମାନ ଦିଆଯାଇଛି | ଶକ୍ତିମାନ ଓ ଶକ୍ତି ଏକ ଓ ଅଭିନ୍ନ ହେଲେ ହେଁ ଆଗମ ବା ତନ୍ତ୍ରଶାସ୍ତ୍ରରେ ଏହି ଶକ୍ତିର ପ୍ରାଧାନ୍ୟ ପ୍ରତିପାଦନ କରାଯାଇଛି ଏବଂ ଚଣ୍ଡୀରେ ସେହି ଶକ୍ତିଙ୍କର ଜୟଗାନ ରହିଛି |

ସମୟ ଦୃଷ୍ଟିରୁ ଗୀତା ଖ୍ରୀଷ୍ଟପୂର୍ବ ଏକ ହଜାର ବର୍ଷ ପୂର୍ବର ଏକ ସଙ୍କଳନ ଗ୍ରନ୍ଥ ହେଲେ ଚଣ୍ଡୀ ତା ତୁଳନାରେ ଅର୍ବାଚୀନ ଏବଂ ଗୀତାର ୧୩୦୦ ବର୍ଷ ପରେ ଖ୍ରୀଷ୍ଟୀୟ ତୃତୀୟ ଶତାଦ୍ଦୀରେ ତାହା ସଙ୍କଳିତ ହୋଇଥିଲା ବୋଲି ପଣ୍ଡିତ ମାନେ ମତ ଦିଅନ୍ତି |  ଏ ଦୃଷ୍ଟିରୁ ସଂଖ୍ୟାର ପୁରୁଷ ପ୍ରକୃତି ବିବେକ ଏବଂ ବେଦାନ୍ତର ବ୍ରହ୍ମ ଓ ତାଙ୍କ ମାୟାତତ୍ତ୍ବ ଭିତ୍ତିରେ ସୃଷ୍ଟିର ଯେଉଁ କ୍ରମବିକାଶ ବିବୃତ ହୋଇଛି, ଚଣ୍ଡୀରେ ଶକ୍ତିର ପ୍ରାଧାନ୍ୟ ପ୍ରତିଷ୍ଠା ଓ ସକାମ ଭାବରେ ତାଙ୍କର ପୂଜା ଉପାସନା ପାଇଁ ସେହିସବୁ କଥା ହିଁ କୁହାଯାଇଛି ଏବଂ ସେଥିରେ ଗୀତାର ପ୍ରଭାବ ଓ ନିଷ୍ପତ୍ତିଗୁଡ଼ିକ ସ୍ବୀକୃତ ହୋଇଛି |

ଦୃଷ୍ଟାନ୍ତ ସ୍ବରୂପ ସାଂଖ୍ୟ ଦର୍ଶନ କହେ- ପ୍ରକୃତିଂ ପୁରୁଷଞ୍ଚୈବ ବିଦ୍ଧ୍ୟନାଦି ଉଭାବହି ବିକାରଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତି ସମ୍ଭବାନ, କାର୍ଯ୍ୟକାରଣକର୍ତ୍ତୃତ୍ବେ ହେତୁଃ ପ୍ରକୃତିରୁଚ୍ୟତେ | ପୁରୁଷଃ ସୁଖଦୁଃଖାନାଂ ଭୋକ୍ତୃତ୍ବେ ହେତୁରୁଦ୍ୟତେ, ପୁରୁଷଃ ପ୍ରକୃତିସୋହି ଭୁଙ୍କ୍ତେ ପ୍ରକୃତିଜାନ୍ ଗୁଣାନ୍ | କାରଣଂ ଗୁଣସଙ୍ଗୋ଼ସ୍ୟ ସଦସଦ୍ ଯୋନି୍ ଜନ୍ମସ୍ଥ (ଗୀତା ୧୩ ଅ : ୨୦.୨୨) |

ସାଂଖ୍ୟ ମତରେ ପୁରୁଷ ଓ ପ୍ରକୃତି ଉଭୟେ ଅନାଦି ଓ ସ୍ବତନ୍ତ୍ର ମୂଳତତ୍ତ୍ବ | କିନ୍ତୁ ବେଦାନ୍ତୀମାନେ କହନ୍ତି, ପ୍ରକୃତି ସ୍ବତନ୍ତ୍ର ନୁହେଁ | ପରମେଶ୍ବରଙ୍କଠାରୁ ଉତ୍ପନ୍ନ ଓ ପରମେଶ୍ବରଙ୍କ ଶକ୍ତି, ତେଣୁ ଅନାଦି | ଶରୀର ଓ ଇନ୍ଦ୍ରିୟମାନଙ୍କ ଉପରେ କର୍ତ୍ତୃତ୍ବ ବିଷୟରେ ପ୍ରକୃତି ହେଉଛି କାରଣ (କ୍ଷେତ୍ର) ଏବଂ ସୁଖଦୁଃଖାଦି ଭୋଗ ବିଷୟରେ ପୁରୁଷ (କ୍ଷେତ୍ରଜ୍ଞ) ହିଁ କାରଣ ବୋଲି କୁହାଯାଏ | ପ୍ରକୃତିର ସଂସର୍ଗବଶତଃ ତାର ସତ୍ତ୍ବ, ରଜ ଓ ତମାଦି ଗୁଣମାନଙ୍କର ଧର୍ମ ସୁଖଦୁଃଖ ଓ ମୋହାଦିରେ ପୁରୁଷ ଆବଦ୍ଧ ହୋଇପଡ଼ି ତାହା ଭୋଗ କରେ | ସତ୍ ଓ ଅସତ୍ ଯୋନିରେ ଜନ୍ମଗ୍ରହଣର ତାହା ହିଁ ହେଉଛି କାରଣ |

ବେଦାନ୍ତ ମତରେ ଦେହ ଓ ଆତ୍ମାର ଯେଉଁ ତତ୍ତ୍ବ ବା ବିଚାର, ତାହା ହେଉଛି କ୍ଷେତ୍ର କ୍ଷେତ୍ରଜ୍ଞ ବିଚାର | ବେଦାନ୍ତ ବିଚାରରେ ଦେହ ହିଁ କ୍ଷେତ୍ର ଓ କ୍ଷେତ୍ରସ୍ବାମୀ | ଯେପରି କ୍ଷେତ୍ରଟିକୁ ନିଜର କ୍ଷେତ୍ର ଓ ନିଜେ ତାର ଭୋକ୍ତା ବୋଲି ଧରିନେଇ ଅଭିମାନ କରେ, ଜୀବ ସେହିପରି ତାର ଦେହକୁ ନିଜର ଭୋଗଭୂମି ବୋଲି ବିଚାରି ମୋର ଦେହ ବୋଲି ଅଭିମାନ କରେ | ବେଦାନ୍ତରେ କ୍ଷେତ୍ର ରୂପେ ଅଭିହିତ ଏ ଦେହ ସାଂଖ୍ୟର ପ୍ରକୃତି ଏବଂ କ୍ଷେତ୍ରଜ୍ଞ ରୂପେ ଅଭିହିତ ଆତ୍ମା ହେଉଛି ପୁରୁଷ | ଗୀତା କହେ, ସାଂଖ୍ୟର ଏହି ପ୍ରକୃତି ଓ ପୁରୁଷ  ଏବଂ ବେଦାନ୍ତର ଏହି କ୍ଷେତ୍ର ଓ କ୍ଷେତ୍ରଜ୍ଞ ପରମେଶ୍ବରଙ୍କର ଅଂଶ ଏବଂ ପରା ଅପରା ଭେଦରେ ତାଙ୍କରି ପ୍ରକୃତି |  ତେଣୁ ସୃଷ୍ଟିର ମୂଳ କାରଣ ହିଁ ସେହି ପରମେଶ୍ବର, ପରମାତ୍ମା ବା ପୁରୁଷୋତ୍ତମ | ଚଣ୍ଡୀ ଏହିଠାରେ ପ୍ରକୃତି ବା ଶକ୍ତିର ପ୍ରାଧାନ୍ୟ ଦେଖାଇ କହେ ଯେ, ଏହି ପ୍ରକୃତି ବା ମହାମାୟା ହେଉଛନ୍ତି ଈଶ୍ବରୀ | ସାଂଖ୍ୟର ପୁରୁଷ ବା ବେଦାନ୍ତର ବ୍ରହ୍ମ ହେଉଛନ୍ତି ଶିବ | ସେ ଶୟନ ଅବସ୍ଥାରେ ନିଷ୍କ୍ରିୟ, ଉଦାସୀନ, ଦ୍ରଷ୍ଟା, ସାକ୍ଷୀ ଓ ଅନୁମନ୍ତ ମାତ୍ର ଏବଂ ତାଙ୍କ ସମ୍ମୁଖରେ ବିଶ୍ବଲୀଳାରେ ନୃତ୍ୟପରା, କ୍ରୀଡ଼ାଶାଳୀ ପ୍ରକୃତି ହିଁ ହେଉଛନ୍ତି କାଳୀ ବା ଶକ୍ତି |

ବେଦାନ୍ତର ଭାଷାରେ ଏହି ଶକ୍ତିକୁ ପରମବ୍ରହ୍ମଙ୍କର ସ୍ପନ୍ଦନଶକ୍ତି ବୋଲି କୁହାଯାଇଛି | ମଣିମୁକ୍ତାରେ ଯେପରି ଜ୍ୟୋତିର ସ୍ବାଭାବିକ ଝଲକ ଦେଖାଯାଏ, ପରମ ଶାନ୍ତି ଓ ଚିନ୍ମୟ ବ୍ରହ୍ମଙ୍କଠାରେ ମଧ୍ୟ ସେହିପରି ସ୍ବାଭାବିକ ସ୍ପନ୍ଦନ ଉଠେ | ଏହା ହିଁ ବେଦାନ୍ତର ମାୟା ଏବଂ ଆଚାର୍ଯ୍ୟ ଶଙ୍କରଙ୍କ ଅଦ୍ବୈତବାଦରେ ଏହା ହିଁ ହେଉଛି ମାୟାବାଦର ଭିତ୍ତି |

ବ୍ରହ୍ମଶକ୍ତିକୁ ଯେ ଦେବୀ ମହାମାୟା ରୂପେ କଳ୍ପନା କରାଯାଇଛି ଏବଂ ପ୍ରାଗ୍ ବୈଦିକ ଯୁଗରୁ ସେକାଳର ଏ ଦେଶବାସୀ ପ୍ରାକ୍ ଆର୍ଯ୍ୟମାନଙ୍କ ମଧ୍ୟରେ ଯେ ଏହି ଶକ୍ତିପୂଜାର ପ୍ରାଧାନ୍ୟ ପ୍ରତିଷ୍ଠିତ ହୋଇଥିଲା, ତାର ପରିଚୟ ମହେଞ୍ଜୋଦାରୋ ଓ ହରପ୍ପାରୁ ମିଳିଛି | ଅପୌରୁଷେୟ ଋକ୍ ଓ ସାମ ବେଦରେ ମଧ୍ୟ ଯେଉଁ ଦେବୀସୁକ୍ତ ଓ ରାତ୍ରସୁକ୍ତ ରହିଛି, ସେଥିରୁ ପ୍ରମାଣିତ ହୁଏ ଯେ, ବୈଦିକ ଯୁଗରେ ମଧ୍ୟ ଶକ୍ତିବାଦ ଯଥେଷ୍ଟ ପ୍ରସାର ଲାଭ କରିଥିଲା | ପରବର୍ତ୍ତୀ କାଳରେ ପ୍ରାକ୍ ଆର୍ଯ୍ୟ ଓ ଆର୍ଯ୍ୟମାନଙ୍କ ମଧ୍ୟରେ ସଭ୍ୟତାର ମିଳନ ଓ ସମନ୍ବୟ ପ୍ରତିଷ୍ଠା ପରେ ଋକ୍ ଓ ସାମ ବେଦରେ ଦେବୀସୁକ୍ତ ଓ ରାତ୍ରିସୁକ୍ତର ଅନୁପ୍ରବେଶ ଘଟିଥିବା ଅନୁମାନକୁ ଅମୂଳକ ବୋଲି କହିହେବ ନାହିଁ | ଦେବୀସୁକ୍ତରେ ଦେବୀଙ୍କ ସ୍ତବ ଓ ରାତ୍ରିସୁକ୍ତରେ ରାତ୍ରିଦେବୀଙ୍କ ସ୍ତବ କରଯାଇଛି | ଏହି ଦୁଇ ସୁକ୍ତରେ, ବିଶେଷତଃ ଋକବେଦ ଦଶମ ମଣ୍ଡଳର ଦେବୀ ସୁକ୍ତରେ ଜଗଜ୍ଜନନୀ ମହାମାୟାଙ୍କୁ ବ୍ରହ୍ମଙ୍କର ଶକ୍ତି ରୂପେ କଳ୍ପନା କରାଯାଇଥିବାର ବୀଜ ନିହିତ ଅଛି | ପରେ ଏହି ବୀଜ ଆଗମ ବା ତନ୍ତ୍ର ଶାସ୍ତ୍ରରେ ଶାଖାପଲ୍ଲବ ବିସ୍ତାର କରି ବ୍ରହ୍ମଶକ୍ତିଙ୍କୁ ଜଗଜ୍ଜନନୀ ମହାମାୟା ରୂପେ ପୂର୍ଣ୍ଣାବୟବା ଦେବୀରେ ପରିଣତି କରିଛି ଏବଂ ଏହି ଜଗଜ୍ଜନନୀଙ୍କୁ ସୃଷ୍ଟିର ଆଦି କାରଣ ଓ ମଣିଷର ଅଭୀଷ୍ଟ ପ୍ରଦାୟିନୀ ରୂପେ ପ୍ରତିପାଦନ କରାଯାଇଛି |

ଦେବୀସୁକ୍ତରେ ଅମ୍ଭୃଣ ଋଷିଙ୍କ କନ୍ୟା ବାକ୍ ବ୍ରହ୍ମଶକ୍ତିଙ୍କୁ ନିଜର ଆତ୍ମାରୂପେ ଅନୁଭବ କରି କହିଛନ୍ତି- ମୁଁ ଏକାଦଶ ରୂଦ୍ର, ଅଷ୍ଟବସୁ, ଦ୍ବାଦଶ ଆଦିତ୍ୟ ଓ ସକଳ ଦେବତା ରୂପେ ବିଚରଣ କରେ | ମୁଁ ମିତ୍ର ଓ ବରୁଣ ଉଭୟଙ୍କୁ ଧାରଣକରିଛି, ମୁଁ ଇନ୍ଦ୍ର, ଅଗ୍ନି ଓ ଅଶ୍ବିନୀକୁମାର ଦ୍ବୟଙ୍କୁ ମଧ୍ୟ ଧାରଣ କରିଛି | ମୁଁ ସମସ୍ତ ଜଗତର ଈଶ୍ବରୀ, ଉପାସକମାନଙ୍କର ଧନପ୍ରଦାୟିନୀ ଦେବୀ ଓ ପରମବ୍ରହ୍ମଶକ୍ତି | ତେଣୁ ଯଜ୍ଞଦ୍ବାରା ପୁଜିତ ହେଉଥିବା ସମସ୍ତଙ୍କ ମଧ୍ୟରେ ମୁଁ ସର୍ବଶ୍ରେଷ୍ଠ | ମୁଁ  ପ୍ରପଞ୍ଚ ରୂପରେ ବହୁ ଭାବରେ ଅବସ୍ଥିତ ଓ ସର୍ବଭୂତରେ ଜୀବ ରୂପରେ ପ୍ରବିଷ୍ଟ | ମୋତେ ହିଁ ସବୁ ଦେଶର ସୁର ଓ ନରମାନେ, ଯଜମାନମାନେ ବିବିଧ ଭାବରେ ଆରାଧନା କରନ୍ତି | ମୋର ଶକ୍ତିରେ ଆହାର ଓ ଦର୍ଶନ କରନ୍ତି, ଶ୍ବାସପ୍ରଶ୍ବାସ ଗ୍ରହଣ କରନ୍ତି ଏବଂ ଉଚ୍ଚାରିତ ବିଷୟ ଶ୍ରବଣ କରନ୍ତି | ଅନ୍ତର୍ଯ୍ୟାମିନୀ ରୂପେ ମୋତେ ଯେଉଁମାନେ ଜାଣନ୍ତି ନାହିଁ, ସେମାନେ ଜନ୍ମମରଣାଦି କ୍ଲେଶ୍ରପ୍ରାପ୍ତ ହୋଇ ସଂସାରରେ ହୀନ ହୁଅନ୍ତି | ମୁଁ ଯାହାକୁ ଇଚ୍ଛା କରେ ତାହାକୁ ସର୍ବଶ୍ରେଷ୍ଠ କରେ | ମୁଁ କାହାକୁ ବ୍ରହ୍ମା କରେ, କାହାକୁ ଋଷି କରେ ଓ କାହାକୁ ବ୍ରହ୍ମମେଧାରେ ମେଧାବୀ କରେ |

ଦେବୀସୁକ୍ତରେ ଅନ୍ତର୍ଯାମିନୀ ରୂପେ ଯେଉଁ ବ୍ରହ୍ମଶକ୍ତିର ଏଭଳି ସ୍ତବ କରାଯାଇଛି, ତାହା ବେଦାନ୍ତ ଓ ଗୀତାର ପରମବ୍ରହ୍ମ ବା ପୁରୁଷୋତ୍ତମ ଓ ସାଂଖ୍ୟର ପୁରୁଷର ଶକ୍ତି ଭିନ୍ନ ଅନ୍ୟ କିଛି ନୁହେଁ | ଏହି ବ୍ରହ୍ମଶକ୍ତି ବ୍ରହ୍ମଙ୍କଠାରୁ ଅଭିନ୍ନ ଏବଂ ଚଣ୍ଡୀରେ ଏହି ଶକ୍ତିକୁ ହିଁ ମହାମାୟା, ବିଷ୍ଣୁମାୟା ଓ ବୈଷ୍ଣବୀ ଶକ୍ତି ଆଦି ବିଭିନ୍ନ ନାମରେ ଅଭିହିତ କରାଯାଇଛି | ଗୀତା ଓ ତା ଉପରେ ଆଚାର୍ଯ୍ୟ ଶଙ୍କରଙ୍କ ଟୀକାରେ (୪ର୍ଥ ଓ ୭ମ ଅଧ୍ୟାୟ) ବ୍ରହ୍ମଶକ୍ତିର ଅନୁରୂପ ବର୍ଣ୍ଣନା କରାଯାଇଛି | ସେହି ବ୍ରହ୍ମଶକ୍ତି ମହାମାୟାଙ୍କୁ ଜଗତର ସର୍ବତ୍ର ବିରାଜିତା ଓ ଆଧାରଭୂତା ଏବଂ ତ୍ରିଗୁଣମୟୀ ହୋଇ ସୁଦ୍ଧା ତ୍ରିଗୁଣାତୀତା ବୋଲି ଚଣ୍ଡୀରେ ବର୍ଣ୍ଣନା କରାଯାଇ ତାଙ୍କରି ଶକ୍ତିରେ ଜଗତର ସବୁ କିଛି ଶକ୍ତିମାନ ବୋଲି କୁହାଯାଇଛି | ଚଣ୍ଡୀର ଏହି ମହାମାୟା ଗୀତାର ଈଶ୍ବର, ପରମବ୍ରହ୍ମ |

ଆଧାରଭୁତା ଜଗତସ୍ତ୍ବମେକ

ମହୀସ୍ବରୂପେଣ ଯତଃ ସ୍ଥିତାସି

ଅପାଂ ସ୍ବରୂପସ୍ଥିତୟୋ ତ୍ବୟୈତତ୍

ଆପ୍ୟାୟତେ କୃସତ୍ମଲଂର୍ଘ୍ଯବୀର୍ଯ୍ଯେ

ତ୍ବଂ ବୈଷ୍ଣବୀ ବୀଜଂ ପରମାସି ମାୟା

ସମ୍ମୋହିତଂ ଦେବୀ ସମସ୍ତମେତତ୍ 

ତ୍ବଂ ବୈ ପ୍ରସନ୍ନା ଭୂବି ମୁକ୍ତିହେତୁଃ

(ଚଣ୍ଡୀ 11ଶ ଅଃ-4/5 ଶ୍ଲୋକ) |

ହେ ଅଲଂଘ୍ୟବୀର୍ଯ୍ୟା, ଆପଣ ପୃଥିବୀ ରୂପେ ବିରାଜିତ ବୋଲି ଏକାକିନୀ ହିଁ ଜଗତର ଆଶ୍ରୟସ୍ବରୂପ | ଆପଣ ହିଁ ଜଳ ରୂପେ ଅବସ୍ଥିତହୋଇ ଏହି ସମଗ୍ର ଜଗତ୍କୁ ପରିପୁଷ୍ଟ କରୁଛନ୍ତି, ଅତଏବ ଆପଣ ସର୍ବାତିକ | ହେ ଦେବି ! ଆପଣ ଅନନ୍ତବୀର୍ଯ୍ୟା ବୈଷ୍ଣବୀ ଶକ୍ତି (ବିଷ୍ଣୁଙ୍କର ଜଗତ୍ପାଳିନୀ ଶକ୍ତି) | ଆପଣ ବିଶ୍ବର ଆଦି କାରଣ ମହାମୟା | ଆପଣ ସମଗ୍ର ଜଗତକୁ ମୋହଗ୍ରସ୍ତ କରି ରଖିଛନ୍ତି | ପୁଣି ଆପଣ ପ୍ରସନ୍ନ ହେଲେ ଇହଲୋକରେ ଶରଣାଗତ ଭକ୍ତଙ୍କୁ ମୁକ୍ତି ପ୍ରଦାନ କରନ୍ତି |

ଚଣ୍ଡୀରେ ଦେବୀଙ୍କର ଏହି ସ୍ବଶକ୍ତି ପ୍ରତିପାଦକ ଉକ୍ତି ସହିତ ଗୀତାର ୭ମ ଅଧ୍ୟୟରେ ଶ୍ରୀକୃଷ୍ଣଙ୍କର ତ୍ରିଗୁଣ ଓ ମାୟା ସଂକ୍ରାନ୍ତ ଭକ୍ତିର ଅପୂର୍ବ ସାମଞ୍ଜସ୍ୟ ଦେଖାଯାଏ | ଶ୍ରୀକୃଷ୍ଣ କହିଛନ୍ତି-ଏହି ତ୍ରିବିଧ ଗୁଣମୟ ଭାବ (ସତ୍ତ୍ବ, ରଜ, ତମ) ଦ୍ବାରା ସମସ୍ତ ଜଗତ ମୋହିତ ହୋଇ ରହିଅଛି | ତେଣୁ ଏସବୁର ଅତୀତ ଅକ୍ଷୟ ଆନନ୍ଦ ସ୍ବରୂପ ମୋତେ ସ୍ବରୂପତଃ କେହି ଜାଣିପାରୁ ନାହାନ୍ତି |

ଏହି ତ୍ରିଗୁଣାତିକା ଆଲୌକିକ ମୋର ମାୟା ନିତାନ୍ତ ଦୁସ୍ତରା | ଯେଉଁମାନେ ଏକମାତ୍ର ମୋର ଶରଣାଗତ ହୋଇ ଭଜନ କରନ୍ତି, କେବଳ ସେହିମାନେ ହିଁ ଏହି ସୁଦ୍ନସ୍ତରାମାୟା ଉତ୍ତୀର୍ଣ୍ଣ ହୋଇପାରନ୍ତି |

ଏଠାରେ ତ୍ରିଗୁଣାତ୍ମିକା ପ୍ରକୃତିକୁ ମାୟାବୋଲି କୁହାଯାଇଛି | ସାଂଖ୍ୟ ଦର୍ଶନ ଯାହାକୁ ପ୍ରକୃତି କହେ ବେଦାନ୍ତ ଦର୍ଶନରେ ତାହାକୁ ହିଁ ମାୟା ଅବିଦ୍ୟା ବା ଅଜ୍ଞାନ ବୋଲି କୁହାଯାଇଛି | ଅନ୍ୟାନ୍ୟ ଶାସ୍ତ୍ରରେ ବିଶେଷତଃ ଚଣ୍ଡୀରେ ଏହାକୁ ହିଁ ମହାମାୟା କୁହାଯାଇଛି | ଏ ପୁଣି ଆଦ୍ୟାଶକ୍ତି, ଦୁର୍ଗା ଓ କାଳୀ ଇତ୍ୟାଦି ନାମରେ ଅଭିହିତ | ଏହି ବିଭିନ୍ନ ଶଦ୍ଦଗୁଡ଼ିକ ଏକାର୍ଥ ବୋଧକ ହୋଇଥିଲେ ହେଁ ସମସ୍ତେ ସେହି ବସ୍ତୁତତ୍ତ୍ବକୁ ଏକଭାବରେ ଗ୍ରହଣ କରନ୍ତି ନାହିଁ | ବ୍ରହ୍ମଙ୍କ ସ୍ବରୂପ ସମ୍ବନ୍ଧରେ ଯେଭଳି ନାନା ପ୍ରକାର ମତଭେଦ ରହିଛି ଓ ଉପାସ୍ୟ ତଥା ଉପାସନା ପ୍ରଣାଳୀରେ ପ୍ରଭେଦ ରହିଛି, ଠିକ ସେହିପରି ପ୍ରକୃତି ବା ମାୟାର ସ୍ବରୂପ ସମ୍ବନ୍ଧରେ ମତଭେଦ ରହିବାରେ ବିସ୍ତୃତ ହେବାର କିଛିନାହିଁ | ତେଣୁ ତାହା ଯେପରି ଦୁସ୍ତର, ସେହିପରି ସର୍ବୋଧ୍ୟା ମଧ୍ୟ |

ଚଣ୍ଡୀରେ ଯେଉଁ ଦାର୍ଶନିକ ତତ୍ତ୍ବ ନିହିତ ଅଛି ସେ ସବୁ ବ୍ରହ୍ମା ଓ ଅନ୍ୟାନ୍ୟ ଦେବତାମାନଙ୍କ ତୁଣ୍ଡରେ ଜଗଜ୍ଜନନୀ ମହାମାୟାଙ୍କ ଚାରୋଟି ସ୍ତବରେ କୁହାଯାଇଛି | ତନ୍ତ୍ରଶାସ୍ତ୍ରରେ ତାକୁ ଦେବୀସୁକ୍ତ ବୋଲି କୁହାଯାଏ | ଚଣ୍ଡୀର ୪ର୍ଥ ଅଧ୍ୟୟ ଶକ୍ରାଃଦି ସ୍ତୁତିରେ  ଓ ୧୧ଶ ଅଧ୍ୟୟ ୨୯/୩୧ ଶ୍ଲୋକରେ କୁହାଯାଇଛି-

ଯା ଶ୍ରିଃ ସ୍ବୟଂ ସୁକୃତିନାଂ ଭବନେଷ୍ବଲକ୍ଷ୍ମୀଃ

ପାପାତ୍ମନାଂ କୃତଧିୟାଂ ହୃଦୟଷୁ ବୁଦ୍ଧିଃ

ଶ୍ରଦ୍ଧା ସତାଂ କୂଳଜନପ୍ରଭବସ୍ଯ ଇଛା,

ତାଂ ତ୍ବାଂ ନାତାଃ ସ୍ମ ପରିପାଳୟ ଦେବି ବିଶ୍ବମ |

(୪ର୍ଥ-୫ମ ଶ୍ଲୋକ)

ଯେ ସ୍ବୟଂ ପୁଣ୍ୟବାନମାନଙ୍କ ଗୃହରେ ଲକ୍ଷ୍ମୀ ସ୍ବରୂପା ଓ ପାପିଗଣଙ୍କ ପାଇଁ ଅଲକ୍ଷ୍ମୀସ୍ବରୂପା, ଯେ ଶୁଦ୍ଧଚିତ୍ତ ବ୍ୟକ୍ତିଗଣ ହୃଦୟରେ ସେହି ସିଦ୍ଧିସ୍ବରୂପା ଓ ସଜ୍ଜଚିତ୍ତ ବ୍ୟକ୍ତିଗଣ ହୃଦୟରେ ଶ୍ରଦ୍ଧାସ୍ବରୂପା, ଏବଂ ଯେ ସଦ୍ବଂଶଜତା ବ୍ୟକ୍ତିଗଣଙ୍କ ଲଜ୍ଜାସ୍ବରୂପା, ଏବଂ ଯେ ସଦ୍ବଂଶଜାତ ବ୍ୟକ୍ତିଗଣ ଇଛାସ୍ବରୂପା ସେହି ଆପଣଙ୍କୁ ଆମେ ପ୍ରଣାମ କରୁଛୁ | ହେ ଦେବି, ଆପଣ ଏହି ଜଗତ ପରିପାଳନ କରନ୍ତୁ (୪ର୍ଥ-୫ମ) | ଆପଣ ସନ୍ତୁଷ୍ଟ ହେଲେ ସକଳ ପ୍ରକାର (ଦୈହିକ ଓ ମାନସିକ) ରୋଗ ବିନାଶ କରନ୍ତି | ପୁଣି ତୁଷ୍ଟା ହେଲେ ଅଭୀଷ୍ଟ (କାମ୍ୟ) ବସ୍ତୁସମୂହ ନାଶ କରନ୍ତି | ଆପଣଙ୍କ ଆଶ୍ରିତ ବ୍ୟକ୍ତିମାନଙ୍କ ବିପଦ ସ୍ଥାୟୀ ହୁଏନାହିଁ | ଯେଉଁମାନେ ଆପଣଙ୍କ ଚରଣାଶ୍ରିତ, ସେମାନେ ଅନ୍ୟର ଆଶ୍ରୟ ଯୋଗ୍ୟ ନୁହନ୍ତି |

ଅବତାରବାଦ : ଈଶ୍ବର ଅବତାର ଗ୍ରହଣ କରନ୍ତି, ଏ ବିଶ୍ବାସ ଓ ମତବାଦ ସନାତନ ହିନ୍ଦୁଧର୍ମର ଏକ ବିଶେଷତ୍ବ | ଖ୍ରୀଷ୍ଟଧର୍ମକୁ ଛାଡ଼ିଦେଲେ ଅନ୍ୟ କୌଣସି ଧର୍ମରେ ଏଭଳି ବିଶ୍ବାସ ବା ମତବାଦର ସ୍ଥାନ ନାହିଁ | ତଥାପି ଖ୍ରୀଷ୍ଟଧର୍ମରେ ଅବତାର ଏକରେ ସୀମାବଦ୍ଧ | ସେ ଧର୍ମର ପ୍ରତିଷ୍ଠାତା ଯୀଶୁ ଖ୍ରୀଷ୍ଟ ହିଁ ଏକମାତ୍ର ଅବତାର | ତାଙ୍କ ଆଗରୁ ବା ପଛରେ ଅନ୍ୟ କୌଣସି ଅବତାର କଥା ଖ୍ରୀଷ୍ଟୟାନମାନେ ବା ସେମାନଙ୍କ ଧର୍ମଗ୍ରନ୍ଥ ବାଇବଲ ସ୍ବୀକାର କରେନାହିଁ |

ମାତ୍ର ହିନ୍ଦୁଧର୍ମ ବଜ୍ର ନିର୍ଘୋଷରେ ଘୋଷଣା କରେ ଯେ, ଧର୍ମର ଗ୍ନାନି ଓ ଅଧର୍ମର ଅଭ୍ଯୁତ୍ଥାନ ଘଟିଲେ ଈଶ୍ବର ଧର୍ମସଂସ୍ଥାପନ ଦୁଷ୍କୃତମାନଙ୍କ ବିନାଶ ଓ ସାଧୁମାନଙ୍କ ପରିତ୍ରାଣ ପାଇଁ ଥରକୁ ଥର ଅବତାର ଗ୍ରହଣ କରନ୍ତି | ଉପନିଷଦ ଗୁଡ଼ିକରେ ନିର୍ଗୁଣ ବ୍ରହ୍ମଙ୍କ ଉପରେ ନାନା ଗବେଷଣା ଓ ଆଲୋଚନା ହୋଇଥିଲେ ହେଁ ସର୍ବୋପନିଷଦର ସାରବତ୍ତା ଗୀତା ଛଡ଼ା ସେଗୁଡ଼ିକରେ ମଧ୍ୟ ଅବଦାରବାଦ ଉପରେ କୌଣସି କଥା କୁହାଯାଇ ନାହିଁ | ଗୀତା ହେଉଛି ହିନ୍ଦୁମାନଙ୍କର ଏକମାତ୍ର ଧର୍ମଗ୍ରନ୍ଥ, ତହିଁରେ ଅତି ସୁସ୍ପଷ୍ଟ ଭାବରେ ଏହି ଅବତାରବାଦ ଘୋଷଣା କରାଯାଇଛି | ଚଣ୍ଡୀରେ ମଧ୍ୟ ସେହିପରି ପରମବ୍ରହ୍ମଙ୍କର ଶକ୍ତିଭୂତା ଜଗଜ୍ଜନନୀ ମହାମାୟା ଥରକୁ ଥର ସେହି ଏକା ଉଦ୍ଦେଶ୍ୟରେ  ଅବତାର ଗ୍ରହଣ କରନ୍ତି | ୧୧ଶ ଅଧ୍ୟାୟ ଶେଷାଂଶରେ ଦେବୀଙ୍କ ଭକ୍ତିରେ ଠିକ୍ ଏହି କଥା ହିଁ ଘୋଷଣା କରାଯାଇଛି |

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮, ମୋବାଇଲ-9437023390


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top