କୃଷି ବଜେଟ- ମିଛ ପ୍ରତିଶ୍ରୁତିର ଭଣ୍ଡାର

News Story - Posted on 2017-03-17

ସରଳ କୁମାର ଦାସ

 

୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ବିଧାନସଭାରେ ୧୪,୯୩୦ କୋଟି ଟଙ୍କାର କୃଷି ବଜେଟ ଉପସ୍ଥାପନ କରିଛନ୍ତି, ଯାହା ଗତବର୍ଷଠାରୁ ୧,୭୪୮ କୋଟି ଟଙ୍କା ବା ଶତକଡା ୧୩ ଭାଗ ଅଧିକ। ଗତବର୍ଷ ଭଳି ଏ ବର୍ଷ ମଧ୍ୟ କୃଷି ବଜେଟ ସମଗ୍ର ବଜେଟ ରାଶି (୧,୦୬,୯୧୧ କୋଟି ଟଙ୍କା)ର ଶତକଡା ୧୪ ଭାଗରେ ସୀମିତ ରହିଛି।

 

କୃଷି ବଜେଟର ସିଂହଭାଗ, ଅର୍ଥାତ୍ ୯,୨୦୦ କୋଟି ଟଙ୍କା (ଶତକଡା ୬୩ ଭାଗ), ଜଳସମ୍ପଦ ବିଭାଗକୁ ଆବଣ୍ଟିତ ହୋଇଛି। ଗତବର୍ଷ ଆବଣ୍ଟିତ ରାଶିଠାରୁ ଏହା ୧,୯୫୮ କୋଟି ଟଙ୍କା ବା ଶତକଡା ୨୭ ଭାଗ ଅଧିକ। ଏଥିରେ ହୀରାକୁଦ ବନ୍ଧର ପୁନରୁଦ୍ଧାର ପାଇଁ ୮୮୭ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗତବର୍ଷ ୨.୪୭ ଲକ୍ଷ ହେକ୍ଟର ଅଧିକ ଜମିକୁ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ଥିଲା, ଯାହା ବର୍ଷ ଶେଷସୁଦ୍ଧା ୨ ଲକ୍ଷ ହେକ୍ଟରରେ ପହଞ୍ଚିପାରେ ବୋଲି ଦର୍ଶାଯାଇଛି। ଏବର୍ଷ ୨.୯୫ ଲକ୍ଷ ହେକ୍ଟର ଅଧିକ ଅଞ୍ଚଳ ଜଳସେଚିତ ହେବା ଧାର୍ଯ୍ୟ ହୋଇଛି। ଏଥିପାଇଁ ୮ଟି ବୃହତ୍ ଜଳସେଚନ ପ୍ରକଳ୍ପ ବାବଦରେ ୨,୩୭୭ କୋଟି, ପାର୍ବତୀ ଗିରି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ପାଇଁ ୧,୫୪୬ କୋଟି, ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଆଡିବନ୍ଧ ତିଆରି ପାଇଁ ୫୫୬ କୋଟି, ୧,୨୨୦ଟି ଅଚଳ ଉଠା ଜଳସେଚନ ପଏଣ୍ଟକୁ ସଚଳ କରିବା ପାଇଁ ୧୨୦ କୋଟି, ଜଳନିଧି ଯୋଜନା ପାଇଁ ୧୬୦ କୋଟି ଓ ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ଖନନ ପାଇଁ ୬୨୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏତଦ ବ୍ୟତୀତ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୨୬୮ କୋଟି ଓ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଲାଗି ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

 

ଗତବର୍ଷ ବଜେଟରେ ଉଲ୍ଲେଖ ଥିଲା ଯେ, ୨୦୧୪-୧୫ ଓ ୨୦୧୫-୧୬, ଏହି ଦୁଇ ବର୍ଷ ମଧ୍ୟରେ ୨ ଲକ୍ଷ ହେକ୍ଟର ଅଧିକ ଜମି ଜଳସେଚିତ ହୋଇଛି, ମାତ୍ର ଏବର୍ଷ ବଜେଟରେ ସେହି ଦୁଇ ବର୍ଷରେ ୩ ଲକ୍ଷ ହେକ୍ହର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି ବୋଲି ଦର୍ଶାଯାଇଛି। ଏ ଦୁଇଟି ଭିତରୁ କେଉଁଟି ଠିକ୍? ଯଦି ଗତବର୍ଷର ତଥ୍ୟ ଠିକ୍ ଥାଏ, ତେବେ ୨୦୧୬-୧୭ ସୁଦ୍ଧା ୪ ଲକ୍ଷ ହେକ୍ଟର ଅଧିକ ଚାଷଜମି ଜଳସେଚିତ ହେବ, ୫ ଲକ୍ଷ ହେକ୍ଟର ନୁହେଁ। ତେଣୁ ୨୦୧୮-୧୯ ସୁଦ୍ଧା ୧୦ ଲକ୍ଷ ହେକ୍ଟର ଅଧିକ ଜମିକୁ ଜଳସେଚନ ଯୋଗାଇବାର ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ରଣନୀତିରେ ବଦଳ ଆବଶ୍ୟକ, ଅନ୍ୟଥା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୬ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇଦେବା ସମ୍ଭବ ନୁହେଁ। ଗତ ୩ ବର୍ଷ ମଧ୍ୟରେ କେଉଁ ପ୍ରକଳ୍ପ ମାଧ୍ୟମରେ କେତେ ଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି ଓ ତଦ୍ବାରା କେଉଁ ଗାଁର କେତେ ଅଞ୍ଚଳ ଜଳସେଚିତ ହୋଇଛି, ତାହା ଜନସାଧାରଣଙ୍କ ଅବଗତି ନିମନ୍ତେ ବିଜ୍ଞାପନ ଜରିଆରେ ବା ଜଳସମ୍ପଦ ବିଭାଗର ଓ୍ବେବସାଇଟର ଏକ ସ୍ବତନ୍ତ୍ର ପୃଷ୍ଠାରେ ପ୍ରକାଶ କରିବା ଉଚିତ।

 

ଗତବର୍ଷ ବଜେଟରେ ଉଲ୍ଲେଖ ଥିବା ଜଳସେଚନ ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ପର୍କରେ ଜନସାଧାରଣଙ୍କୁ ସ୍ବତନ୍ତ୍ର ଭାବେ ଜଣାଇବା ଉଚିତ। ଶିଳ୍ପମାନଙ୍କ ସହାୟତାରେ ଏକ ଜଳ ସଂରକ୍ଷଣ ପାଣ୍ଠି’ ଗଠିତ ହୋଇଛି, ଯାହାକୁ ଉପରମୁଣ୍ଡରେ ବ୍ୟାରେଜ, ୱେଆର, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଆଦି ନିର୍ମାଣରେ ବ୍ୟବହାର କରାହେବ ବୋଲି ଗତବର୍ଷ ବଜେଟରେ ଉଲ୍ଲେଖ ଥିଲା। ସେ ପାଣ୍ଠିର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଏ ବର୍ଷ ବଜେଟରେ କୌଣସି ଉଲ୍ଲେଖ ନାହିଁ। ରାଜ୍ୟର ସମୁଦାୟ ବଜେଟର ପ୍ରାୟ ଶତକଡା ୯ ଭାଗ ଜଳସମ୍ପଦ ବିଭାଗକୁ ଯାଉଥିଲେ ମଧ୍ୟ ଜଳସେଚନ କ୍ଷେତ୍ରରେ ଓଡିଶା ପଡୋଶୀ ଛତିଶଗଡ ଭଳି ଆଖିଦୃଶିଆ ଅଗ୍ରଗତି ନ କରିପାରିବା ଚିନ୍ତାର ବିଷୟ। ଉଲ୍ଲେଖଯୋଗ୍ଯ, ଗତବର୍ଷ ଛତିଶଗଡର ଜଳସମ୍ପଦ ବିଭାଗର ବଜେଟ ୨,୮୯୧ କୋଟି ଟଙ୍କା ଥିଲା, ଅର୍ଥାତ୍ ଓଡିଶା ଜଳସମ୍ପଦ ବିଭାଗକୁ ଆବଣ୍ଟିତ ରାଶିର ଏକ ତୃତୀୟାଂଶ। ମନକୁ ସ୍ବତଃ ପ୍ରଶ୍ନ ଆସୁଛି ରାଜ୍ୟ ରାଜକୋଷର ପ୍ରାଥମିକତା ଭିତ୍ତିରେ ନ୍ୟାୟସଙ୍ଗତ ବିନିଯୋଗ ହେଉଛି ତ?

 

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ବଜେଟରେ ୩,୯୧୬ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା କୃଷି ବଜେଟର ଶତକଡା ୨୬ ଭାଗ, ଗତବର୍ଷ ତୁଳନାରେ ୪୭୭ କୋଟି ଟଙ୍କା ବା ଶତକଡା ୧୪ ଭାଗ ଅଧିକ। ଏଥିରେ ରହିଛି ମୃତ୍ତିକା ସଂରକ୍ଷଣ ବାବଦରେ ୫୪୯ କୋଟି, ଜଳଛାୟା ପ୍ରକଲ୍ପ ପାଇଁ ୧୫୫ କୋଟି, କୃଷି ଯାନ୍ତ୍ରିକିକରଣ ପାଇଁ ୩୩୫ କୋଟି, ଜାତୀୟ ଉଦ୍ୟାନକୃଷି ମିଶନ ବାବଦରେ ୧୦୨ କୋଟି ଓ ଜାତୀୟ କୃଷି ସମ୍ପ୍ରସାରଣ ଓ ବୈଷୟିକ ମିଶନ ବାବଦରେ ୧୯୨ କୋଟି ଟଙ୍କା। ଏଣିକି କୃଷକମାନଙ୍କୁ କୃଷି ଯାନ୍ତ୍ରିକିକରଣ, ଜଳନିଧି ଓ ସମସ୍ତ ଆବଶ୍ୟକତାଭିତ୍ତିକ ଇନପୁଟ ପାଇଁ ସବସିଡି ଡିବିଟି ଜରିଆରେ ସେମାନଙ୍କ ବ୍ୟାଙ୍କ ଖାତାରେ ଦିଆଯିବ। କେନ୍ଦ୍ର ପ୍ରବର୍ତ୍ତିତ ପରମ୍ପରାଗତ କୃଷି ବିକାଶ ଯୋଜନାରେ କନ୍ଧମାଳ ଓ କୋରାପୁଟ ଜିଲ୍ଲାର ୬,୪୦୦ ହେକ୍ଟର ଜମିରେ ଜୈବିକ କୃଷି କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭୦୮ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଗତବର୍ଷ ବଜେଟରେ ଆଦିବାସୀ ଅଞ୍ଚଳରେ ମାଣ୍ଡିଆ (ମାଇନର ମିଲେଟ) ପାଇଁ ଏକ ସ୍ବତନ୍ତ୍ର ଯୋଜନା ଘୋଷଣା କରାଯାଇଥିଲା। ମାତ୍ର ପରିତାପର ବିଷୟ ଗତ ବର୍ଷକ ଭିତରେ ସେହି କାର୍ଯ୍ୟକ୍ରମ ଆଗେଇ ପାରିଲାନାହିଁ। ଏବର୍ଷ ବଜେଟରେ ସେହି ଯୋଜନା ୭ଟି ଜିଲ୍ଲାରେ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

 

ସେହିପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଜଳଛାୟା ପ୍ରକଳ୍ପ ଅଞ୍ଚଳମାନଙ୍କରେ ଚାଷୀମାନଙ୍କର ରୋଜଗାର ବୃଦ୍ଧି ଉଦ୍ଦେଶ୍ୟରେ ଆଦିବାସୀ ଜିଲ୍ଲାରେ ସମନ୍ବିିତ କୃଷି ପଦ୍ଧତି ପାଇଁ ସହାୟତା ନାମକ ଅନ୍ୟ ଏକ କାର୍ଯ୍ୟକ୍ରମର ଘୋଷଣା ହୋଇଥିଲା। ଏ ବଜେଟରେ ସେ ସମ୍ପର୍କରେ ବିଶେଷ ଉଲ୍ଲେଖ ନାହିଁ। ବିଜୁ କୃଷକ କଲ୍ୟାଣ ଯୋଜନା ବାବଦରେ ୮୮ କୋଟି ଟଙ୍କା ଆବଣ୍ଟନ ବ୍ୟତୀତ, କୃଷକ ସଶକ୍ତିକରଣ ପାଇଁ ଏ ବଜେଟରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ଭଳି ଜଣାପଡୁନାହିଁ। ବରଂ ଗତବର୍ଷ ବଜେଟରେ ରାଜ୍ୟରେ ଅଧିକ ସଂଖ୍ୟକ କୃଷକ ଉତ୍ପାଦକ ସଂଘ ଗଠନ କରି ସେଗୁଡିକୁ ମଣ୍ଡି ସହ ସଂଯୋଗ କରିବା କଥା ସହ କୃଷି ଶିଳ୍ପାଞ୍ଚଳ ଓ ଫୁଡପାର୍କ ପ୍ରତିଷ୍ଠା କଥା ଉଲ୍ଲେଖ ଥିଲା, ଯାହା ଏବର୍ଷ ନାହିଁ। କୃଷି ଉତ୍ପାଦନ ବଢିଲେ ଯେ ଆପେଆପେ କୃଷକର ଉନ୍ନତି ହୋଇଯିବ, ତାହା ଭାବିବା ଭୁଲ୍। ଯେ ପର୍ଯ୍ୟନ୍ତ ଚାଷୀ ତାର ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ନ ପାଇଛି, ସେ କ୍ଷତି କରି ଦୁର୍ବଳ ହୋଇ ଚାଲୁଥିବ, ସଶକ୍ତ ନୁହେଁ। ତେଣୁ ଅନ୍ତତଃ ତା’ର ଉତ୍ପାଦନ ଖର୍ଚ୍ଚ କମ କରିବା ପାଇଁ, ବଜେଟରେ ସ୍ବତନ୍ତ୍ର ଯୋଜନା ଘୋଷଣା ହେବା ଉଚିତ।

 

ସମବାୟ ବିଭାଗ ପାଇଁ ବଜେଟରେ ୧,୦୩୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା କୃଷି ବଜେଟର ଶତକଡା ୭ ଭାଗ। ଗତବର୍ଷ ତୁଳନାରେ ୭୮୬ କୋଟି ଟଙ୍କା ବା ଶତକଡା ୪୩ ଭାଗ କମ୍। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ଗତବର୍ଷ ଜାତୀୟ କୃଷି ବୀମା ଯୋଜନା ଲାଗି ଆବଣ୍ଟିତ ୮୦୦ କୋଟି ଟଙ୍କା ଏ ବର୍ଷ ଆବଣ୍ଟିତ ହୋଇନାହିଁ, ଫଳରେ ରାଜ୍ୟ ସରକାରଙ୍କ ବିପୁଳ ଅର୍ଥ ସଞ୍ଚୟ ହୋଇପାରିଛି। ଏଥର ଶସ୍ୟଋଣ ସୁଧ ରିହାତି ବାବଦରେ ୪୩୫ କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରିମିଅମ୍ ପାଇଁ ୨୬୫ କୋଟି, ପ୍ରାଥମିକ ସେବା ସମବାୟ ସମିତିଗୁଡିକର କଂପ୍ୟୁଟରୀକରଣ ଓ ସଂଯୋଗୀକରଣ ବାବଦରେ ୬୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗତବର୍ଷ ପ୍ରାଥମିକ ସେବା ସମିତିମାନଙ୍କରେ ଗୋଦାମ ଘର ପ୍ରତିଷ୍ଠା ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ଥିବାବେଳେ ଏବର୍ଷ ସେ ସମ୍ପର୍କରେ ଉଲ୍ଲେଖ ନାହିଁ। କୃଷି ପାଇଁ ମଧ୍ୟମ ଓ ଦୀର୍ଘ ମିଆଦି ଋଣର ପରିମାଣ ଯେତେ ଅଧିକ ହୁଏ, ତାହା କୃଷି କ୍ଷେତ୍ରରେ ପୁଞ୍ଜି ନିର୍ମାଣରେ ସେତେ ଅଧିକ ସାହାଯ୍ୟ କରିଥାଏ। ଓସକାର୍ଡ଼ ବ୍ୟାଙ୍କ ନିଷ୍କ୍ରିୟ ହେବା ପରେ ଓଡିଶାରେ କୃଷି କ୍ଷେତ୍ରରେ ମଧ୍ୟମ ଓ ଦୀର୍ଘମିଆଦି ଋଣପ୍ରଦାନ ଅନ୍ୟ ରାଜ୍ୟ ତୁଳନାରେ ଧିମେଇ ଯାଇଛି। ତେଣୁ ଏହାକୁ ପୁନଃ ସକ୍ରିୟ କରିବା କଥା ଚିନ୍ତା କରାଯାଇପାରେ।

 

ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗ ପାଇଁ ବଜେଟରେ ୭୭୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା କୃଷି ବଜେଟର ଶତକଡା ୪ ଭାଗ। ଗତବର୍ଷ ତୁଳନାରେ ୯୮ କୋଟି ଟଙ୍କା ବା ଶତକଡା ୧୪ ଭାଗ ଅଧିକ। ଏଥର ବଜେଟରେ ପଶୁସମ୍ପଦ ବିଭାଗର  ଭ୍ରାମ୍ୟମାଣ ପଶୁ ଚିକିତ୍ସା କେନ୍ଦ୍ର ପାଇଁ ୨୩ କୋଟି, ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥାମାନଙ୍କ ଦୃଢୀକରଣ ଯୋଜନା ପାଇଁ ୧୧ କୋଟି ଟଙ୍କା ବ୍ୟୟବରାଦ ହେବା ସଙ୍ଗେସଙ୍ଗେ କେନ୍ଦ୍ର ପ୍ରବର୍ତ୍ତିତ ଶ୍ବେତବିପ୍ଳବ ଯୋଜନା ବାବଦରେ ୧୧୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। ସେହିପରି ମତ୍ସ୍ୟ ବିଭାଗର ନୂତନ ଜଳାଶୟ ନିର୍ମାଣ ଯୋଜନା ପାଇଁ ୪୮ କୋଟି, ଭିତ୍ତିଭୂମି ବିକାଶ ବାବଦରେ ୨୩ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏଥିସହିତ କେନ୍ଦ୍ର ପ୍ରବର୍ତ୍ତିତ ନୀଳ ବିପ୍ଳବ ଯୋଜନା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗତବର୍ଷ ପରି ଏବର୍ଷ ମଧ୍ୟ ୧୫୦୦ ହେକ୍ଟର ପରିମିତ ନୂତନ ଜଳାଶୟ ନିର୍ମାଣ ପ୍ରସ୍ତାବିତ। ମାତ୍ର ଜମିର ମାଲିକାନା ଓ ଅନ୍ୟାନ୍ୟ କାରଣ ଯୋଗୁ କୌଣସି ବର୍ଷ ଏହି ଲକ୍ଷ୍ୟ ହାସଲ ହୋଇ ପାରୁନାହିଁ। ତେଣୁ କାରଣଗୁଡିକୁ ତର୍ଜମା କରି ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

                    

ଗତ ଦୁଇବର୍ଷର କୃଷି ବଜେଟର ରଚନା ଶୈଳୀକୁ ଅନୁଧ୍ୟାନ କଲେ ଉଭୟ ବର୍ଷର ଉପକ୍ରମଣିକା (ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ, ଓଡିଶା ପ୍ରଦେଶ ଗଠନର 80 ବର୍ଷ ପୂର୍ତ୍ତି ଉଲ୍ଲେଖ) ଓ ଉପସଂହାର (ସ୍ବଭାବ କବିଙ୍କ କବିତାର ଦୁଇଧାଡି) ଏକା ଭଳି ଜଣାଯିବ, ଯେମିତି କପି-ପେଷ୍ଟ କରାଯାଇଛି! ଏଥିପ୍ରତି ଧ୍ୟାନଦେବା ଉଚିତ। ଗତବର୍ଷ ବଜେଟରେ ଭୁବନେଶ୍ବରଠାରେ ବିକ୍ରିବଟାର ସୁବିଧା ପାଇଁ ଏକ ଉନ୍ନତ ଫୁଲ ବଜାର ପ୍ରତିଷ୍ଠା କଥା ଘୋଷଣା ହୋଇଥିଲା। ଏ ସମ୍ପର୍କରେ ଅନେକ ବର୍ଷରୁ ଶୁଣାଯାଉଥିଲେ ମଧ୍ୟ ସେ ଦିଗରେ କୌଣସି ଅଗ୍ରଗତି ହୋଇନାହିଁ। ସେହିପରି ଗତବର୍ଷ ଫଳ ଓ ପନିପରିବା ବିପଣନ ପାଇଁ ଏକ ସ୍ବତନ୍ତ୍ର କମ୍ପାନୀ ପ୍ରତିଷ୍ଠା କଥା ଘୋଷିତ ହୋଇଥିଲେ ମଧ୍ୟ ଏବର୍ଷ ବଜେଟ ସେ ସମ୍ପର୍କରେ ନୀରବ। ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆଳୁ ମିଶନ ଗଠିତ ହେବା ପରେ ୨୦୧୫-୧୬ ବଜେଟରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପରିତାପର ବିଷୟ, ଏ ବର୍ଷ ଏଥିପାଇଁ ମାତ୍ର ୨୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଲକ୍ଷ୍ୟହାସଲ କରିବା ପ୍ରାଥମିକତା ଥିଲେ, ହୁଏତ ଅଧିକ ଟଙ୍କା ବ୍ୟୟବରାଦ ହୋଇଥା’ନ୍ତା।

 

 ଏଥିରୁ ସ୍ପଷ୍ଟ ଯେ, କୌଣସି ଯୋଜନା କାର୍ଯ୍ୟକାରୀ କରିବାକୁ ଆନ୍ତରିକତାର ଅଭାବ ଥିଲେ, ତାହା କେବଳ ଏକ ବଜେଟ ଘୋଷଣା ହୋଇ ରହିଯାଏ।

 

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ,

ଭୁବନେଶ୍ବର- ୭୫୧୦୧୨

ମୋ. ୯୪୩୭୦୩୮୦୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top