ସମାଧାନ କି ଜଳ ବିବାଦ ବିଲ‌୍‍ ୨୦୧୭?

News Story - Posted on 2017-03-17

କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀ ଲୋକସଭାରେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ(ସଂଶୋଧନ) ବିଧେୟକ - ୨୦୧୭ ଉପସ୍ଥାପନ କରିଛନ୍ତି। ଏହି ବିଲ‌୍‍ ଉପସ୍ଥାପନ କରିବା ସମୟରେ ସୁଶ୍ରୀ ଭାରତୀ କହିଥିଲେ ଯେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ଲାଗି ଏହା ଏକ ‘କ୍ରାନ୍ତିକାରୀ ପଦକ୍ଷେପ’। ତେବେ ବିଲ୍‌କୁ ଓଡ଼ିଶାର ବିଜୁ ଜନତା ଦଳ ସମେତ ଅନ୍ୟ କେତେକ ରାଜ୍ୟ ବିରୋଧ କରିଛନ୍ତି। ବିଜେଡି ଭାଷାରେ ଏହା ଜରିଆରେ ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ହେବା ଆଶା କ୍ଷୀଣ।

 

ପ୍ରସ୍ତାବିତ ବିଲ‌୍‍ର ମୁଖ୍ୟ ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇ ସୁଶ୍ରୀ ଭାରତୀ କହିଥିଲେ ଯେ ଏହି ବିଲ‌୍‍ରେ ଆନ୍ତଃରାଜ୍ୟ ଜଳ ବିବାଦ ସମାଧାନ ଲାଗି ଭିନ୍ନ ଭିନ୍ନ ପ୍ରାଧିକରଣ ସ୍ଥାନରେ ଗୋଟିଏ ସ୍ଥାୟୀ ପ୍ରାଧିକରଣ (ଭିନ୍ନ ଭିନ୍ନ ଖଣ୍ଡପୀଠ)ର ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବ ରଖାଯାଇଛି। ଏଥିରେ ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ଏବଂ ସର୍ବାଧିକ ୬ ଜଣ ସଦସ୍ୟ ରହିପାରିବେ। ଅଧ୍ୟକ୍ଷଙ୍କ କାର୍ଯ୍ୟକାଳର ଅବଧି ୫ ବର୍ଷ ରହିବ। ୭୦ ବର୍ଷ ହୋଇଗଲେ କୌଣସି ବ୍ୟକ୍ତି ଏହି ପ୍ରାଧିକରଣର ଅଧ୍ୟକ୍ଷ ରହିପାରିବେ ନାହିଁ। ପ୍ରାଧିକରଣର ଉପାଧ୍ୟକ୍ଷକଙ୍କ କାର୍ଯ୍ୟକାଳ ତଥା ଅନ୍ୟ ସଦସ୍ୟମାନଙ୍କ କାର୍ଯ୍ୟକାଳ ଜଳ ବିବାଦଗୁଡ଼ିକର ନିଷ୍ପତି ସହିତ ସହ-ସମାପ୍ତି ଆଧାରରେ ହେବ। ବୈଷୟିକ ସହାୟତା ଯୋଗାଇ ଦେବା ଲାଗି ଆକଳନକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାର ପ୍ରସ୍ତାବ ରହିଛି। ଏମାନେ କେନ୍ଦ୍ରୀୟ ଜଳ ଇଞ୍ଜିନିୟରିଂ ସେବାରେ କାର୍ଯ୍ୟରତ ବିଶେଷଜ୍ଞ ହୋଇଥିବେ ଯେଉଁମାନଙ୍କର ପଦବୀ ମୁଖ୍ୟ ଯନ୍ତ୍ରୀଙ୍କ ଠାରୁ କମ‌୍‍ ହୋଇନଥିବ। ସର୍ବାଧିକ ସାଢ଼େ ୪ ବର୍ଷ ମଧ୍ୟରେ କୌଣସି ବିବାଦର ଶୁଣାଣି ଶେଷ କରାଯିବ। ଏ ସଂକ୍ରାନ୍ତରେ ପ୍ରାଧିକରଣଙ୍କ ନିଷ୍ପତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ। ଏ ସଂକ୍ରାନ୍ତରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବାର ଆବଶ୍ୟକତା ରହିବ ନାହିଁ।

 

ସୁଶ୍ରୀ ଭାରତୀ ଆହୁରି କହିଥିଲେ ଯେ ଆନ୍ତଃରାଜ୍ୟ ଜଳ ବିବାଦ (ସଂଶୋଧନ) ବିଧେୟକ-୨୦୧୭ରେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦର ନ୍ୟାୟ ନିର୍ଦ୍ଧାରଣ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବ ଏବଂ ବର୍ତମାନର ଆଇନଗତ ତଥା ସଂସ୍ଥାଗତ ଢାଂଚାକୁ ସୁଦୃଢ଼ କରାଯିବା ଲାଗି ଚିନ୍ତା କରାଯାଇଛି। କୌଣସି ଜଳ ବିବାଦ ମାମଲା ପ୍ରାଧିକରଣକୁ ଶୁଣାଣି ପାଇଁ ପଠାଇବା ପୂର୍ବରୁ ଏକ ବିବାଦ ସମାଧାନ ସମିତି ମାଧ୍ୟମରେ ଆଲୋଚନା କରାଯାଇ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ତଥା ଆପୋଷ ଢଙ୍ଗରେ ସମାଧାନ କରିବାର ପ୍ରସ୍ତାବ ମଧ୍ୟ ଉପରୋକ୍ତ ବିଧେୟକରେ ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆବଶ୍ୟକ ଢ଼ାଂଚାଗତ ବ୍ୟବସ୍ଥା ପ୍ରତି। କରାଯିବ ଯେଉଁଥିରେ ବିଶେଷଜ୍ଞମାନଙ୍କୁ ମଧ୍ୟ ସାମିଲ‌୍‍ କରାଯିବ। କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ଏକ ସଂସ୍ଥାକୁ ଦେଶର ସମସ୍ତ ନଦୀ ଶଯ୍ୟା ସମ୍ପର୍କରେ ସଠିକ‌୍‍ ତଥା ପାରଦର୍ଶୀ ତଥ୍ୟ ସଂଗ୍ରହ କରିବା ଲାଗି ଦାୟିତ୍ୱ ଦିଆଯିବ। ଏ ସମ୍ପର୍କରେ ମଧ୍ୟ ବିଲ‌୍‍ରେ ବ୍ୟବସ୍ଥା ହୋଇଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ସୁଶ୍ରୀ ଭାରତୀ ପ୍ରକାଶ କରିଥିଲେ।

 

ସୂଚନାଯୋଗ୍ୟ ଯେ ବିଭିନ୍ନ ରାଜ୍ୟର ଜଳ ଚାହିଦା ବୃଦ୍ଧି ପାଉଥିବା କାରଣରୁ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ବଢ଼ିବାରେ ଲାଗିଛି। ପୂର୍ବରୁ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଅଧିନିୟମ-୧୯୫୬ ଭଳି ଆଇନ ରହିଥିଲେ ହେଁ ବିବାଦ ସମାଧାନ ଲାଗି ନ୍ୟାୟିକ ଢାଂଚା ନିମନ୍ତେ ଏହି ଆଇନରେ କେତେକ ଦୁର୍ବଳତା ରହିଥିଲା। ଉପରୋକ୍ତ ଅଧିନିୟମ ଅନ୍ତର୍ଗତ ପ୍ରତ୍ୟେକ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ନିମନ୍ତେ ଭିନ୍ନ ଭିନ୍ନ ପ୍ରାଧିକରଣ ପ୍ରତି। କରାଯିବାର ବ୍ୟବସ୍ଥା ରହିଥିଲା। ବର୍ତମାନ ସୁଦ୍ଧା ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ଲାଗି ମୋଟ‌୍‍ ୮ଟି ପ୍ରାଧିକରଣ ପ୍ରତି। କରାଯାଇଥିଲେ ହେଁ ମାତ୍ର ୩ଟି ପ୍ରାଧିକରଣ ଚୂଡ଼ାନ୍ତ ରାୟ ଦେଇଛନ୍ତି, ଯାହାକୁ ରାଜ୍ୟଗୁଡ଼ିକ ଗ୍ରହଣ କରିଛନ୍ତି। କାବେରୀ ଏବଂ ରାବୀ-ବ୍ୟାସ ଜଳ ବିବାଦ ପ୍ରାଧିକରଣ ଯଥାକ୍ରମେ ୨୬ ଏବଂ ୩୦ ବର୍ଷ ଧରି ଗଠନ କରାଯାଇଥିଲେ ହେଁ କୌଣସି ନିଷ୍ପତି ନେବାରେ ସଫଳ ହୋଇନାହାନ୍ତି। ଏହା ବ୍ୟତୀତ ବର୍ତମାନ କାର୍ଯ୍ୟକାରୀ ହେଉଥିବା ଆଇନ ଅନୁଯାୟୀ କୌଣସି ପ୍ରାଧିକରଣ ଦ୍ୱାରା ସମୟସୀମା ନିର୍ଦ୍ଧାରଣ କରିବା କିମ୍ୱା ପ୍ରାଧିକରଣର ଅଧ୍ୟକ୍ଷ ଅଥବା ସଦସ୍ୟଙ୍କ ସର୍ବାଧିକ ଆୟୁ ନିର୍ଦ୍ଧାରଣ କରିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ପ୍ରାଧିକରଣର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ପଦବୀ ଖାଲି ହେଲେ କାର୍ଯ୍ୟ ଜାରି ରଖିବାର ବ୍ୟବସ୍ଥା ନାହିଁ କିମ୍ୱା ପ୍ରାଧିକରଣର ରିପୋର୍ଟ ପ୍ରକାଶିତ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଏହିସବୁ ଦୁର୍ବଳତା କାରଣରୁ ଜଳ ବିବାଦର ସମାଧାନ କରିବାରେ ବିଳମ୍ୱ ହେଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top