ଜଜ ନାହାନ୍ତି, ଗଡ଼ୁଛି ୧୨ ଲକ୍ଷ ମାମଲା

News Story - Posted on 2017-03-16

ଓଡ଼ିଶାର ହାଇକୋର୍ଟ ଓ ନିମ୍ନ ଅଦାଲତଗୁଡ଼ିକରେ ୮,୧୫,୯୯୯ ଫୌଜଦାରୀ ମାମଲା ସମେତ ମୋଟ‌୍‍ ୧୨ ଲକ୍ଷରୁ ଅଧିକ ମୋକଦ୍ଦମା ବିଚାର ପ୍ରତୀକ୍ଷାରେ ରହିଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ‌୍‍ ମନ୍ତ୍ରୀ ଅରୁଣ କୁମାର ସାହୁ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ଓଡ଼ିଶା ହାଇକୋର୍ଟରେ ମୋଟ‌୍‍ ୧,୨୭,୫୭୩ଟି ଦେୱାନୀ ଓ ୪୦,୪୩୦ଟି ଫୌଜଦାରୀ ମାମଲାକୁ ମିଶାଇ ସମୁଦାୟ ୧,୬୮,୦୦୩ ମାମଲା ବିଚାର ପ୍ରତୀକ୍ଷାରେ ଥିଲା ବେଳେ ନିମ୍ନ ଅଦାଲତଗୁଡ଼ିକରେ ୨,୭୩,୭୫୬ ଦେୱାନୀ ମାମଲା ଓ ୭,୭୫,୫୬୯ ଫୌଜଦାରୀ ମାମଲାକୁ ମିଶାଇ ମୋଟ‌୍‍ ୧୦,୪୯,୩୨୫ ମାମଲା ପଡ଼ିରହିଛି। ମୋଟାମୋଟି ଭାବେ ସରକାରଙ୍କ ପ୍ରଦତ୍ତ ପରିସଂଖ୍ୟାନ ଅନୁଯାୟୀ ୮,୧୫,୯୯୯ଟି ଫୌଜଦାରୀ ଓ ୪,୦୧,୩୨୯ଟି ଦେୱାନୀ ମାମଲା ରାଜ୍ୟର ହାଇକୋର୍ଟ ଓ ନିମ୍ନ ଅଦାଲତଗୁଡ଼ିକରେ ବିଚାର ପାଇଁ ରହିଛି।

 

ହାଇକୋର୍ଟରେ ପଡ଼ିରହିଥିବା ଫୌଜଦାରୀ ମାମଲାଗୁଡ଼ିକ ମଧ୍ୟରୁ ୧୦,୯୦୪ ଓ ଦେୱାନୀ ମାମଲାଗୁଡ଼ିକ ମଧ୍ୟରୁ ୨୯,୭୯୨ଟି ୫ରୁ ୧୦ ବର୍ଷର ପୁରୁଣା ହୋଇଥିବା ବେଳେ ୭,୩୬୯ଟି ଫୌଜଦାରୀ ଓ ୩୨,୨୮୪ଟି ଦେୱାନୀ ମାମଲା ହୋଇଛି ୧୦ରୁ ପୁରୁଣା। ସେହିପରି ନିମ୍ନ ଅଦାଲତରେ ପଡ଼ିରହିଥିବା ଫୌଜଦାରୀ ମାମଲାଗୁଡ଼ିକ ମଧ୍ୟରୁ ୧,୦୬,୨୬୩ଟି ୧୦ ବର୍ଷରୁ ପୁରୁଣା ମାମଲା ହୋଇଥିବା ବେଳେ ୧,୭୦,୯୩୪ଟି ହେଉଛି ୫ରୁ ୧୦ ବର୍ଷର ପୁରୁଣା ମାମଲା। ଏହାଛଡ଼ା ନିମ୍ନ ଅଦାଲତଗୁଡ଼ିକରେ ଯେତେ ଦେୱାନୀ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ସେଥିମଧ୍ୟରୁ ୨୩,୩୬୭ଟି ୧୦ ବର୍ଷରୁ ପୁରୁଣା ହୋଇଥିବା ବେଳେ ୪୪,୧୮୨ଟି ହେଉଛି ୫ରୁ ୧୦ ବର୍ଷର ପୁରୁଣା ମାମଲା।

 

ଆଇନ‌୍‍ ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟ ଲାଗି ମୋଟ‌୍‍ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀରୁ ୮ଟି ଏବଂ ନିମ୍ନ ଅଦାଲତ ଲାଗି ଥିବା ୭୭୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ମଧ୍ୟରୁ ୧୭୬ଟି ଖାଲିପଡ଼ିଛି। ହାଇକୋର୍ଟ ଓ ନିମ୍ନ ଅଦାଲତଗୁଡ଼ିକରେ ଖାଲି ପଡ଼ିଥିବା ବିଚାରପତି ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ସହିତ ରାଜ୍ୟରେ ପଡ଼ିରହିଥିବା ମାମଲାର ଚାପକୁ ଆଖିଆଗରେ ରଖି ହାଇକୋର୍ଟ ଓ ନିମ୍ନ ଅଦାଲତଗୁଡ଼ିକ ଲାଗି ଅଧିକ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ସୃଷ୍ଟି ପାଇଁ ଶ୍ରୀ ରାୟ ଦାବି କରିଛନ୍ତି।

 

ଏହାଛଡ଼ା ୨୦୧୧ ମସିହାରେ ଅର୍ଥ କମିଶନ‌୍‍ଙ୍କ ସୁପାରିଶ ଅନୁଯାୟୀ ରାଜ୍ୟ ସରକାର ପ୍ରଣୟନ କରିଥିବା ମାମଲା ନୀତିରେ ୫ ବର୍ଷରୁ ପୁରୁଣା ମାମଲା ବକେୟା ରହିବ ନାହିଁ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ହାଇକୋର୍ଟରେ ୮୦,୩୪୯ ଓ ନିମ୍ନ ଅଦାଲତଗୁଡ଼ିକରେ ୩,୪୪,୭୪୬ ମାମଲା ପଡ଼ି ରହିଛି ଯେଉଁଗୁଡ଼ିକ ୫ ବର୍ଷରୁ ପୁରୁଣା। ରାଜ୍ୟ ସରକାରଙ୍କ ମାମଲା ନୀତିର ତ୍ରୁଟିପୂର୍ଣ୍ଣ ରୂପାୟନ ଯୋଗୁ ହାଇକୋର୍ଟ ଓ ନିମ୍ନ ଅଦାଲତଗୁଡ଼ିକରେ ୪,୨୫,୦୯୫ ପୁରୁଣା ମାମଲା ଗଡ଼ୁଥିବାରୁ ଶ୍ରୀ ରାୟ ଗଭୀର ଉଦ‌୍‍ବେଗ ପ୍ରକାଶ କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top