ବିଦ୍ୟୁତ‌୍‍ କମ୍ପାନୀ ଜ୍ବାଇଁ ନା ଭିଣୋଇ?

News Story - Posted on 2017-03-16

ରାଜ୍ୟରେ ଥିବା ୪ଟି ବିଦ୍ୟୁତ‌୍‍ ପରିବଣ୍ଟନକାରୀ ସଂସ୍ଥା ଉପରେ ସରକାରଙ୍କର ପାଖାପାଖି ୧୦ ହଜାର କୋଟି ଟଙ୍କା ବାକି ପଡ଼ିଥିବା ବେଳେ ସର୍ବଶେଷ ସରକାରୀ ତଥ୍ୟ ଅନୁଯାୟୀ ପ୍ରାୟ ୩୫ ଲକ୍ଷ ପରିବାର ଏବେ ମଧ୍ୟ ବିଦ୍ୟୁତ‌୍‍ ସଂଯୋଗ ପାଇନାହାନ୍ତି। ବିଦ୍ୟୁତ‌୍‍ ସଂଯୋଗରୁ ବଞ୍ଚିତ ଏହି ପରିବାରଗୁଡ଼ିକ ମଧ୍ୟରୁ ୧୫ ଲକ୍ଷରୁ ଅଧିକ ହେଉଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ‌୍‍) ପରିବାର। ବିଜେପି ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ଶକ୍ତିମନ୍ତ୍ରୀ କହିଛନ୍ତି ଯେ ନେସ୍କୋ, େୱସ୍କୋ, ସାଉଥ‌୍‍କୋ ଓ ସେସୁକୁ ବିଭିନ୍ନ ସମୟରେ ରାଜ୍ୟ ସରକାର କାପେକ୍ସ, ବିଶ୍ୱବ୍ୟାଙ୍କ, ଏପିଡିଆର‌୍‍ପି ଆଦିରୁ ଅର୍ଥ ଆଣି ଋଣ ଦେଇଛନ୍ତି। ସେସୁକୁ ସର୍ବାଧିକ ୫୮୦ କୋଟି ୮୫ ଲକ୍ଷ ଟଙ୍କା ଋଣ ଦିଆଯାଇଥିବା ବେଳେ ଏହା ଉପରେ ସୁଧ ହେଲାଣି ୯୭୫ କୋଟି ୬୯ ଲକ୍ଷ ଟଙ୍କା। ଅର୍ଥାତ‌୍‍ ଏହି ସଂସ୍ଥା ଉପରେ ସୁଧମୂଳ ମିଶି ରାଜ୍ୟ ସରକାରଙ୍କ ଋଣ ଅର୍ଥ ପହଞ୍ଚିଲାଣି ୧୫୫୬ କୋଟି ୫୪ ଲକ୍ଷ ଟଙ୍କାରେ। ସେହିପରି ନେସ୍କୋ ଉପରେ ସୁଧମୂଳ ମିଶି ୩୫୫ କୋଟି ୯୫ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ବାକି ପଡ଼ିଥିବା ବେଳେ େୱସ୍କୋ ଉପରେ ୩୫୫ କୋଟି ୧ ଲକ୍ଷ ଓ ସାଉଥ‌୍‍କୋ ଉପରେ ପଡ଼ିଛି ୨୬୪ କୋଟି ୬୮ ଲକ୍ଷ ଟଙ୍କା। ମୋଟାମୋଟି ଭାବେ ଏହି ଚାରୋଟି ବିଦ୍ୟୁତ‌୍‍ ପରିବଣ୍ଟନକାରୀ ସଂସ୍ଥାକୁ ବିଦ୍ୟୁତ‌୍‍ ସଂସ୍କାର ତଥା ବିଦ୍ୟୁତ‌୍‍ ପରିବହନଜନିତ କ୍ଷତି ରୋକିବା ସର୍ତ୍ତରେ ରାଜ୍ୟ ସରକାର ଦେଇଥିବା ଋଣ ବାବଦରେ ଏବେ ସୁଧ ସହ ୨୫୩୨ କୋଟି ୧୮ ଲକ୍ଷ ଟଙ୍କା ଫେରସ୍ତ ପାଇବାର ଅଛି।

 

ସେହିପରି ଏହି ବିଦ୍ୟୁତ‌୍‍ ପରିବଣ୍ଟନକାରୀ ସଂସ୍ଥା ଉପରେ ଗ୍ରୀଡ‌୍‍କୋର ୬୮୬୯ କୋଟି ୯୧ ଲକ୍ଷ ଟଙ୍କା ଗତ ଡିସେମ୍ୱର ଶେଷ ସୁଦ୍ଧା ବାକି ପଡ଼ିଛି। ଏଥିମଧ୍ୟରୁ ସେସୁ ଉପରେ ସର୍ବାଧିକ ୨୫୯୨ କୋଟି ୯୪ ଲକ୍ଷ ଟଙ୍କା ବାକି ପଡ଼ିଥିବା ବେଳେ େୱସ୍କୋ ଉପରେ ୧୭୭୭ କୋଟି ୨୯ ଲକ୍ଷ, ନେସ୍କୋ ଉପରେ ୧୪୧୦  କୋଟି ୪୧ ଲକ୍ଷ ଓ ସାଉଥ‌୍‍କୋ ଉପରେ ୧୦୮୯ କୋଟି ୨୭ ଲକ୍ଷ ଟଙ୍କା ବାକି ପଡ଼ିଛି। ମୋଟାମୋଟି ଭାବେ ରାଜ୍ୟ ସରକାର ଓ ଗ୍ରୀଡ‌୍‍କୋର ଏହି ଚାରୋଟି ବିଦ୍ୟୁତ‌୍‍ ପରିବଣ୍ଟନକାରୀ ସଂସ୍ଥା ଉପରେ ୯୪୦୨ କୋଟି ୯ ଲକ୍ଷ ଟଙ୍କା ବାକି ପଡ଼ିଛି।

 

ସେହିପରି ଗ୍ରାହକମାନଙ୍କ ଉପରେ ବିଦ୍ୟୁତ‌୍‍ ପରିବଣ୍ଟନକାରୀ ସଂସ୍ଥାମାନଙ୍କର ୬୫୯୩ କୋଟି ୪୩ ଲକ୍ଷ ଟଙ୍କା ମଧ୍ୟ ବାକି ପଡ଼ିଛି।

 

ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଦେଇଥିବା ବିସ୍ତୃତ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ରାଜ୍ୟରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ବିପିଏଲ‌୍‍ ପରିବାରଙ୍କ ସମେତ ପ୍ରାୟ ୩୫ ଲକ୍ଷ ପରିବାରକୁ ଏଯାବତ‌୍‍ ବିଦ୍ୟୁତ‌୍‍ ସଂଯୋଗ ଦିଆଯାଇନାହିଁ। ସେ କହିଛନ୍ତି ଯେ  ରାଜ୍ୟରେ ମୋଟ‌୍‍ ୯୬,୫୩,୫୯୨ ପରିବାର ବସବାସ କରୁଥିବା ବେଳେ ଏଗୁଡ଼ିକ ମଧ୍ୟରୁ ୬୧,୫୯,୩୮୩ ପରିବାରକୁ ବିଦ୍ୟୁତ‌୍‍ ଦିଆଯାଇଛି। ରାଜ୍ୟରେ ମୋଟ‌୍‍ ୪୪,୯୩,୪୧୦ ବିପିଏଲ‌୍‍ ପରିବାର ଥିବା ବେଳେ ଏଥିମଧ୍ୟରୁ ୨୯,୭୮,୭୭୨ ବିପିଏଲ‌୍‍ ପରିବାରକୁ ବିଦ୍ୟୁତ‌୍‍ ସଂଯୋଗ ଦିଆଯାଇଛି।

 

ଶକ୍ତିମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୩,୭୯,୧୩୭ ପରିବାରକୁ ବିଦ୍ୟୁତ‌୍‍ ସଂଯୋଗ କରାଯାଇନଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୨,୯୧,୩୨୧ ପରିବାରକୁ ଏଯାବତ‌୍‍ ବିଦ୍ୟୁତ‌୍‍ ସଂଯୋଗ ଦିଆଯାଇାପାରିନାହିଁ। କଟକ, କଳାହାଣ୍ଡି ଭଳି ଜିଲ୍ଲାରେ ୨ ଲକ୍ଷରୁ ଅଧିକ କରି ପରିବାର ବିଦ୍ୟୁତ‌୍‍ ସଂଯୋଗ ପାଇନଥିବା ବେଳେ ଯେଉଁସବୁ ଜିଲ୍ଲାଗୁଡ଼ିକରେ ଦେଢ଼ଲକ୍ଷରୁ ଅଧିକ ପରିବାର ବିଦ୍ୟୁତ‌୍‍ ସଂଯୋଗ ପାଇନାହାନ୍ତି ସେଗୁଡ଼ିକ ମଧ୍ୟରେ ରହିଛି ଅନୁଗୁଳ, ଯାଜପୁର, ବାଲେଶ୍ୱର, ବଲାଙ୍ଗୀର, ସୁନ୍ଦରଗଡ଼, ଗଞ୍ଜାମ ଇତ୍ୟାଦି। ସବୁ ପରିବାରକୁ ୨୦୧୯ ସୁଦ୍ଧା ବିଦ୍ୟୁତ‌୍‍ ସଂଯୋଗ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଶକ୍ତିମନ୍ତ୍ରୀ ପ୍ରକାଶ କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top