ବର୍ଷକୁ ୧୮୯ ଚାଷୀଙ୍କ ଆତ୍ମହତ୍ୟା!

News Story - Posted on 2017-03-16

ଦଶ ବର୍ଷରେ ଓଡ଼ିଶାରେ ୧୮୯୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ ରାଜ୍ୟେର ବର୍ଷକୁ ହାରାହାରି ପ୍ରାୟ ୧୮୯ ଚାଷୀ ଆତ୍ମହତ୍ୟା କରିଛନ୍ତି। ବିଜେପି ବିଧାୟକ ଦିଲିପ ରାୟଙ୍କ  ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ଓଡ଼ିଶାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ସଂଖ୍ୟା ୨୦୦୫ ମସିହାରେ ୨୫୪ ଜଣ ଥିବା ବେଳେ ୨୦୦୬ରେ ୨୮୩ ଜଣ, ୨୦୦୭ରେ ୨୪୦ ଜଣ, ୨୦୦୮ରେ ୨୬୦ ଜଣ, ୨୦୦୯ରେ ୧୫୪ ଜଣ, ୨୦୧୦ରେ ୧୬୨ ଜଣ, ୨୦୧୧ରେ ୧୪୪ ଜଣ, ୨୦୧୨ରେ ୧୪୬ ଜଣ, ୨୦୧୩ରେ ୧୫୦ ଜଣ ଓ ୨୦୧୪ରେ ୧୦୨ ଜଣ ଥିଲା। ରାଜ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ଏନ‌୍‍ସିଆର‌୍‍ବିର ତଥ୍ୟ ଅନୁଯାୟୀ ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ କୃଷିକୁ ଜୀବିକା କରି ଆତ୍ମହତ୍ୟା କରିଥିବା ଲୋକଙ୍କ ପରିସଂଖ୍ୟାନ ସଂକ୍ରାନ୍ତରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ତେବେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଏ ସଂକ୍ରାନ୍ତୀୟ ଏନ‌୍‍ସିଆର‌୍‍ବି ତଥ୍ୟ ଉପଲବ୍ଧ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। କେବଳ ୨୦୧୪ ବର୍ଷରେ ଏନ‌୍‍ସିଆର‌୍‍ବିର ତଥ୍ୟ ଅନୁଯାୟୀ ଓଡ଼ିଶାରେ ୯୭ ଜଣ କୃଷି ଶ୍ରମିକ ଆତ୍ମହତ୍ୟା କରିଥିବା ଉଲ୍ଲେଖ ଥିବା ବେଳେ ଅନ୍ୟ ବର୍ଷମାନଙ୍କରେ କୃଷି ଶ୍ରମିକଙ୍କ ଆତ୍ମହତ୍ୟା ସମ୍ପର୍କୀୟ ତଥ୍ୟ ଏନ‌୍‍ସିଆର‌୍‍ବିରେ ଉପଲବ୍ଧ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ବିଧାନସଭାରେ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

 

ଏହାଛଡ଼ା ଦେଶର ୩୫ଟି ଯାକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ କୃଷିକୁ ଜୀବିକା କରିଥିବା ୧,୫୨,୨୬୪ ସଂଖ୍ୟକ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ପରିସଂଖ୍ୟାନ ମଧ୍ୟ ସେ ପ୍ରଦାନ କରିଛନ୍ତି। ଏହି ତଥ୍ୟ ଅନୁଯାୟୀ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ ଉକ୍ତ ୧୦ ବର୍ଷରେ ୩୬,୭୦୫ କୃଷକ ଆ™ହତ୍ୟା କରିଥିବା ବେଳେ ମଧ୍ୟପ୍ରଦେଶରେ ୧୨,୬୮୩ ଓ ଗୁଜୁରାଟରେ ୫୩୮୦ ସଂଖ୍ୟକ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୨୦୧୪ ବର୍ଷରେ ଓଡ଼ିଶା ଅପେକ୍ଷା ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜୁରାଟ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗରେ ଅଧିକ ସଂଖ୍ୟକ ଚାଷୀ ଆତ୍ମହତ୍ୟା କରିଥିବା ଏନ‌୍‍ସିଆର‌୍‍ବି ରିପୋର୍ଟରୁ ଜଣାପଡ଼ିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top