ଓଡ଼ିଶା ଚାଷୀ ବହୁ ପଛରେ

News Story - Posted on 2017-03-16

ଓଡ଼ିଶାରେ କୃଷକ ପରିବାରର ମୁଣ୍ଡପିଛା ହାରାହାରି ଆୟର ପରିମାଣ ସର୍ବଭାରତୀୟ ହାରଠାରୁ ଯଥେଷ୍ଟ କମ‌୍‍। କେବଳ ସେତିକି ନୁହେଁ ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର କୃଷକ ପରିବାରର ହାରାହାରି ଆୟ ମଧ୍ୟ ବହୁତ ପଛରେ। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

 

ନିୟମିତ ରୂପେ ଓଡ଼ିଶା କୃଷକଙ୍କ ମୁଣ୍ଡପିଛା ଆୟର ତଥ୍ୟ ଆହରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କର କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ। ତେବେ ସରକାରଙ୍କ ନିକଟରେ ୫୯ତମ ଓ ୭୦ତମ ଜାତୀୟ ନମୁନା ସର୍ବେକ୍ଷଣ ରିପୋର୍ଟ ଉପଲବ୍ଧ ରହିଛି। ଯେଉଁଥିରେ ଓଡ଼ିଶାରେ କୃଷି ପରିବାରର ୨୦୦୨-୦୩ ବର୍ଷରେ ମାସିକ ହାରାହାରି ଆୟ ୧୦୬୨ ଟଙ୍କା ଥିବା ବେଳେ ୨୦୧୨-୧୩ରେ ଏହା ୪୯୭୬ ଟଙ୍କାରେ ପହଞ୍ଚିଥିବା ଉଲ୍ଲେଖ ରହିଛି। ତେବେ ସର୍ବେକ୍ଷଣ ପ୍ରଣାଳୀର ପ୍ରଭେଦ ଯୋଗୁ ଏହି ବର୍ଷମାନଙ୍କର ଆୟର ସିଧାସଳଖ ତୁଳନା ପ୍ରଣିଧାନ ଯୋଗ୍ୟ ନୁହେଁ ବୋଲି କୃଷିମନ୍ତ୍ରୀ କହିଛନ୍ତି।

 

ଉତ୍ତରରେ କୃଷିମନ୍ତ୍ରୀ ଦେଶର ଅନ୍ୟ ରାଜ୍ୟମାନଙ୍କ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ୨୦୦୨-୦୩ ବର୍ଷରେ ଜାତୀୟ ସ୍ତରରେ କୃଷିଜୀବୀ ପରିବାରର ମାସିକ ହାରାହାର ଆୟ ୨୧୧୫ ଟଙ୍କା ଥିବା ବେଳେ ଓଡ଼ିଶାରେ ଏହା ଥିଲା ୧୦୬୨ ଟଙ୍କା। ଏଥିମଧ୍ୟରୁ ଓଡ଼ିଶାର କୃଷିଜୀବୀ ପରିବାର ମଜୁରି ଆକାରରେ ମାସିକ ହାରାହାରି ୫୭୩ ଟଙ୍କା କମାଉଥିବା ବେଳେ ଚାଷରୁ ୩୩୬ ଟଙ୍କା, ପଶୁ ପାଳନରୁ ୧୬ ଟଙ୍କା ଓ ଅନ୍ୟ ଅଣକୃଷି ବ୍ୟବସାୟରୁ ୧୩୭ ଟଙ୍କା ଉପାର୍ଜନ କରୁଥିବା ଦର୍ଶାଯାଇଛି। ଉକ୍ତ ବର୍ଷରେ ଜାମ୍ମୁକାଶ୍ମୀରରେ କୃଷକ ପରିବାରର ମାସିକ ହାରାହାରି ଆୟ ୫୪୮୮ ଟଙ୍କା, ପଞ୍ଜାବରେ ୪୯୬୦ ଟଙ୍କା ଥିବା ବେଳେ ଅନ୍ୟ ସମସ୍ତ ରାଜ୍ୟରେ କୃଷକ ପରିବାରର ମାସିକ ହାରାହାରି ଆୟର ପରିମାଣ ଓଡ଼ିଶା ଅପେକ୍ଷା ଅଧିକ ଥିବା ଉଲ୍ଲେଖ କରାଯାଇଛି।

 

ସେହିପରି ୨୦୧୨-୧୩ ବର୍ଷରେ ଓଡ଼ିଶାର କୃଷକ ପରିବାରର ମାସିକ ହାରାହାରି ଆୟ ପରିମାଣ ୪୯୭୬ ଟଙ୍କା ଥିବା ବେଳେ ଜାତୀୟ ସ୍ତରରେ ଏହା ରହିଛି ୬୪୨୬ ଟଙ୍କା। ଉକ୍ତ ବର୍ଷରେ ବି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଛଡ଼ା ଦେଶର ଅନ୍ୟ ସବୁ ରାଜ୍ୟ ତୁଳନାରେ ଓଡ଼ିଶାର କୃଷକ ପରିବାରର ମାସିକ ହାରାହାରି ଆୟର ପରିମାଣ ଢେର‌୍‍ କମ‌୍‍ ଥିଲା। ଏହି ବର୍ଷରେ ପଞ୍ଜାବରେ ଚାଷୀ ପରିବାରର ମାସିକ ହାରାହାରି ଆୟ ପରିମାଣ  ୧୮,୦୫୯ ଟଙ୍କା ଥିବା ବେଳେ ହରିଆନାରେ ୧୪,୪୩୪ ଟଙ୍କା ଓ କେରଳରେ ୧୧,୮୮୯ ଟଙ୍କା ଥିଲା। ୨୦୧୨-୧୩ ବର୍ଷରେ ଓଡ଼ିଶାରେ ଚାଷୀ ପରିବାରର ମାସିକ ହାରାହାରି ଆୟ ଯେଉଁ ୪୯୭୬ ଟଙ୍କା ଦର୍ଶାଯାଉଛି ସେଥିମଧ୍ୟରୁ ହାରାହାରି ୧୭୧୬ ଟଙ୍କା ମୂଲ ମଜୁରିରୁ, ୧୪୦୭ ଟଙ୍କା କୃଷିରୁ, ୧୩୧୪ ଟଙ୍କା ପଶୁପାଳନରୁ ଓ ୫୩୯ ଟଙ୍କା ଅଣକୃଷି କାର୍ଯ୍ୟରୁ ମିଳିଥାଏ। ମୋଟାମୋଟି ଭାବେ ଚାଷରୁ ପଞ୍ଜାବର ଚାଷୀ ପରିବାର ମାସିକ ହାରାହାରି ୧୦,୮୬୨ ଟଙ୍କା ରୋଜଗାର କରୁଥିବା ବେଳେ ଓଡ଼ିଶାରେ ଏହାର ପରିମାଣ ମାତ୍ର ୧୪୦୭ ଟଙ୍କା ଦର୍ଶାଯାଇଛି।

 

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ କୃଷକ ଓ କୃଷି ଶ୍ରମିକଙ୍କ ଆର୍ଥିକ ବିକାଶରେ ରାଜ୍ୟର ବିକାଶ ସମ୍ଭବପର ବୋଲି ଉଲ୍ଲେଖ କରି ସବୁ ଚାଷ ଜମିକୁ ଜଳସେଚନ ସୁବିଧା, ସବୁ କୃଷକଙ୍କୁ ବୀମାଭୁକ୍ତ କରାଯିବା, କୃଷି ପାଇଁ ମାଗଣାରେ ବିଦ୍ୟୁତ‌୍‍ ଯୋଗାଣ ସହିତ ଶସ୍ତାରେ କୃଷି ଉପକରଣ, ବିହନ, ସାର ଓ କୀଟନାଶକ ଯୋଗାଣ, ଉତ୍ପାଦିତ କୃଷି ସାମଗ୍ରୀର ଠିକଣା ବିପଣନ ସହିତ ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳ ଭଣ୍ଡାର ନିର୍ମାଣ କରି ଏହାର ସଂରକ୍ଷଣ ଓ ଉଚିତ‌୍‍ ମୂଲ୍ୟ ପ୍ରଦାନ ଏବଂ ଗାଁ ଗହଳରେ ବ୍ୟାପକ ସଂଖ୍ୟକ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସଙ୍ଗେ ସଙ୍ଗେ ପ୍ରତି ସକ୍ଷମ ଲୋକର ହାତକୁ କାମ ଯୋଗାଇଦେବା ଲାଗି ସରକାର ସମନ୍ୱିତ ଯୋଜନା କାର୍ଯ୍ୟକାରୀ କଲେ ଓଡ଼ିଶା ଦେଶର ଅନ୍ୟତମ ଆଗୁଆ ରାଜ୍ୟରେ ପରିଣତ ହୋଇପାରିବ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top